କ୍ଲୀବ ସ୍ୱର

 

 

 

 

 

 

 

 

 

 

 

କ୍ଲୀବ ସ୍ୱର

ଅଶ୍ୱିନୀ କୁମାର ପଟ୍ଟନାୟକ

 

ସଫେଇ

 

ନିରାଟ ସତକଥା କହିଲେ ମୁଁ ଗପ ଲେଖା କେବେଠାରୁ ଆରମ୍ଭ କରିଛି ଠିକ୍‌ ମନେପଡ଼ୁନି । କିନ୍ତୁ ମନେଅଛି କାହାପାଇଁ ଗପ ଲେଖିଲି । କାହାରି ପ୍ରେରଣା, ଉତ୍ସାହ ମତେ ଗପ ଲେଖିବାକୁ ବାଧ୍ୟ କଲା । ସେହି ପ୍ରେରଣାର ସ୍ରୋତରେ ଅନେକଗୁଡ଼ିଏ ଗପ ଲେଖିଗଲି–ତା’ପରେ ଦିନେ ସେ ମତେ କହିଲା–‘‘ଲେଖାଗୁଡ଼ିକ ପତ୍ରିକାରେ ବାହାର କରିବାକୁ ପଠାଉନା ।’’ ତା’ରି କଥାରେ ଅନେକ ପତ୍ରିକାକୁ ପଠାଇଲି । କେତେ ଆଶାଥାଏ ପତ୍ରିକାରେ ମୋର ଲେଖାଟିଏ ବାହାରିବ–କିନ୍ତୁ କାହିଁ ? ଗୋଟିଏ ହେଲେବି ପାଇଲିନି । ଦିନେ ଠିକ୍‌ କଲି ଗୋଟିଏ ପତ୍ରିକାର ସମ୍ପାଦକଙ୍କୁ ସାକ୍ଷାତ କରିବାପାଇଁ । ଦିନେବି ସାକ୍ଷାତ କଲି–ମୋ କଥା କହିଲି–କିନ୍ତୁ ସେ ଯାହା ଉତ୍ତରଦେଲେ, ସେଥିରେ ମତେ ଲଜ୍ଜିତ ହେବାକୁ ପଡ଼ିଲା ।

 

ସେ କହିଲେ–ଆପଣଙ୍କର ଯୋଗ୍ୟତା କ’ଣ ?

 

ମୁଁ କହିଲି–ବି.ଏ. । ସେତେବେଳେ ମୁଁ ବି.ଏ. ପଢ଼ୁଥାଏ ।

 

–ଆପଣ କ’ଣ ସରକାରୀ ଚାକିରି କରନ୍ତି ।

 

–ନା, ପାଠ ପଢ଼ୁଛି ।

 

–ଆପଣଙ୍କର ବାପା କ’ଣ କରନ୍ତି ।

 

–କଣ୍ଟ୍ରାକ୍ଟରୀ ଛାଡ଼ି ଗାଁରେ ଚାଷ ବୁଝୁଛନ୍ତି ।

 

ତା’ପରେ ସମ୍ପାଦକ ତାଙ୍କ ମୁଖଭଙ୍ଗୀକୁ ବିକୃତକରି କହିଲେ–‘‘ମୁଁ ନାଚାର ପଟ୍ଟନାୟକବାବୁ । ମୋ ପାଖକୁ ବଡ଼ବଡ଼ ସରକାରୀ ଅଫିସର ଆଉ ପ୍ରତିଷ୍ଠିତ ଲେଖକଙ୍କର ଏତେ ଅନୁରୋଧ ଆସୁଛି ଯେ ଆମେ ଆଉ ନୂଆ ଲେଖକଙ୍କୁ ଆମ ମନମୁତାବକ ସ୍ଥାନ ଦେଇପାରୁନୁ ।’’

 

ତା’ପରେ ମନରେ ଗୋଟିଏ ବିରାଟ ଅବସୋସ ନେଇ ଘରକୁ ଫେରି ଆସିଲେ । ସେହିଦିନଠାରୁ ପତ୍ରିକାକୁ ଦେବା ଆଶା ପୂରାପୂରି ଛାଡ଼ିଦେଲି–ଏଇ ହେଲା ମୋ ଗପ ପ୍ରକାଶନର ପୃଷ୍ଠଭୂମି ।

 

ତା’ପରେ ମୋ ବହି ସମ୍ପର୍କରେ ସଫେଇ ନ ଦେଲେ ବୋଧହୁଏ ଅପ୍ରାସଙ୍ଗିକ ହେବ । ଏଇଟା କୌଣସି ଗଳ୍ପର ନାମକରଣ ନୁହେଁ । କାରଣ ଏତେଗୁଡ଼ିଏ ଗଳ୍ପର ସମାହାରର ପୁସ୍ତକକୁ ଗୋଟିଏ ଗଳ୍ପରେ ସୀମିତ କରି ରଖିବାକୁ ଇଚ୍ଛା ହେଲାନି ।

 

ଏଥିରେ କୌଣସି ତାତ୍ତ୍ୱିକ ଦର୍ଶନ କିମ୍ୱା ଗଭୀର ମନସ୍ତତ୍ତ୍ୱ ନାହିଁ କହିଲେ ଚଳେ । ମଣିଷ ଜୀବନର ନିତିଦିନିଆ ହସକାନ୍ଦ, ମାନ ଅଭିମାନର କେତେକ ସ୍ନାପ୍‌ । ମଣିଷ ସମାଜକୁ ନେଇଚଳେ । ସମାଜର ବନ୍ଧନରେ ବାନ୍ଧିହୁଏ । କିନ୍ତୁ ମନକୁ ତ ସମାଜ ବାନ୍ଧିପାରେନି । ମନ ଚାହେଁ ଲଗାମହୀନ ହେବାପାଇଁ, କିନ୍ତୁ ସେ କ’ଣ ପାରେ ?

 

ମଣିଷର ସାମାଜିକ ପରିବେଷ୍ଟନୀ–ଯେଉଁଠି ମଣିଷପାଇଁ ସମାଜ ଗୋଟାଏ ଚିତ୍ରାଳୟର ରୂପନିଏ...ଯେଉଁଠି ହତାଶା...ଆତ୍ମପ୍ରବଞ୍ଚନା...ଅନୁକମ୍ପା....ଛଳନା–ସବୁ ଗୋଟାଏ ଗୋଟାଏ ଇମେଜ୍‌ ସୃଷ୍ଟି କରିଚାଲନ୍ତି ସେଠି ମଣିଷ ବଞ୍ଚିବି ମରିଛି । ତା’ର ଜୀବନର ମୂଲ୍ୟ କିଛିନାହିଁ । ଅନ୍ତର ଭିତରେ କୋହ, ଅନୁଶୋଚନାକୁ ଚାପି ରଖି ସେ ହସି ହସି ସମାଜ ସହିତ ଖାପଖୁଆଇ ଚଳିବାକୁ ଚେଷ୍ଟାକରେ–ବେଳେବେଳେ ତା’ର ଅବଚେତନ ମନ ଏଥିପାଇଁ ବିଦ୍ରୋହ କରିଉଠେ.....ଆତ୍ମାବିଳାପ କରିଉଠେ । ସେ ସମାଜର ସଂକୀର୍ଣ୍ଣ ଗଣ୍ଡିଭିତରେ ଆବଦ୍ଧ ହେବାକୁ ଚାହେଁନା । ଫଳରେ ସେ ବିଦ୍ରୋହର ସ୍ୱର ଉତ୍ତୋଳନ କରେ । କିନ୍ତୁ ସେ ସ୍ୱରର କୌଣସି ମାନେ ରହେନି–ସବୁକ୍ଷେତ୍ରରେ ସେ ପରାଜୟ ସ୍ୱୀକାର କରେ–ଫଳରେ ତା’ର ସ୍ୱର ସବୁଦିନପାଇଁ କ୍ଳୀବତ୍ୱ ସ୍ୱୀକାର କରେ ।

 

ଯଦି ଏ ଲେଖା କାହା ମନକୁ ଆଘାତ ଦିଏ, କିମ୍ୱା କାହାକୁ ଆକ୍ଷେପ କଲାପରି ମନେ ହୁଏ, ତାହାହେଲେ ଆଗତୁରା ସେମାନଙ୍କ ପାଖରୁ କ୍ଷମା ମାଗିନେଉଛି–

 

ଅଶ୍ୱିନୀ କୁମାର ପଟ୍ଟନାୟକ

Image

 

ଅନୁକ୍ରମ

 

୧.

ତଟିନୀର ତୃଷ୍ଣା

୨.

ପ୍ରତିକ୍ରିୟା

୩.

ସେଲୁନ୍‌

୪.

ଏକବଚନ : ପ୍ରଥମ ପୁରୁଷର

୫.

ପରଦାର ଅନ୍ତରାଳେ

୬.

ଛିନ୍ନ ବୀଣା

୭.

ଆହତ ବଂଶୀର ବିଳାପ

୮.

ଅନ୍ୟରୂପ ରୂପାନ୍ତର

୯.

ନୀଳ ସାଗରର ନୀଳକଇଁ

୧୦.

ଭିନ୍ନମୁଖୀ

୧୧.

ସାକ୍ଷାତ : ତିନୋଟି ମୃତ ବ୍ୟକ୍ତିଙ୍କ ସହ

୧୨.

ପିଙ୍ଗଳାର ଜୀବନ ବୃତ୍ତାନ୍ତ

୧୩.

ଜନୈକ ପାଗଳର କାହାଣୀ

Image

 

 

 

 

 

 

 

 

 

ଯେଉଁମାନେ ଏ ଗପକୁ ଗପ ନ ଭାବି ନିଜ

ନିଜ ଜୀବନର ପ୍ରତିବିମ୍ୱ ବୋଲି ମନେ

କରନ୍ତି–ସେଇମାନଙ୍କ ପାଇଁ ।

 

ଲେଖକ

Image

 

ତଟିନୀର ତୃଷ୍ଣା

 

–ଗୋଟାଏ ବଙ୍ଗାଳୀ ଝିଅକୁ ତମ ଘରକୁ ବୋହୂ କରି ନେବାକୁ କେହି କ’ଣ ରାଜି ହେବେନି ସୁବାଷ ? ମୋର କ’ଣ ସେ ଅଧିକାର ନାହିଁ, ତମ ଘରର କୁଳବଧୂ ହୋଇ ତମ ପରିବାରର ଜଣେ ହୋଇ ରହିବାପାଇଁ ? ତମ ସମାଜ, ତମ ଧର୍ମ, ତମ ପରିବାର କେହି କ’ଣ ମୋର ଅଧିକାରକୁ ସ୍ୱୀକାର କରିବେନି ? ମୁଁ ବଙ୍ଗାଳୀ ହେଲି ବୋଲି କ’ଣ ତମ ପରିବାର ସହିତ ନିଜକୁ ଖାପ ଖୁଆଇ ଚଳି ଯାଇ ପାରିବିନି ? ଚୁପ୍‌ ରହିଲ କାହିଁକି...କୁହ ? ତମେ କ’ଣ ଚାହଁନା ଯେ ମୁଁ ତମ ଜୀବନର ସାଥୀ ହୋଇ ତମକୁ ଇହ ପରକାଳର ଦେବତାର ଆସନ ଦେଇ ପାରିବିନି ବୋଲି ? ...ମୁଁ ସିନା ଝିଅ, ବାପ ମା’ଙ୍କୁ କହିବା ମୋର ଅଧିକାର ନାହିଁ କି କହିଲେ ମଧ୍ୟ ସେ ମୋ କଥାକୁ ରଖିବେନି, କିନ୍ତୁ ତମେତ ତମ ବାପ ମା’ଙ୍କୁ ତମ ମତାମତ ସମ୍ପର୍କରେ ସ୍ପଷ୍ଟ କହିଦେଇ ପାରିବ ? ମୁଁ ତମ ଘରକୁ ବୋହୂ ହୋଇଯାଏ ବୋଲି ତମେ କ’ଣ ଚାହଁନି ? କିଛି କହୁନ କାହିଁକି ? କୁହ ?...

 

–ମୋର କିଛି କହିବାର ନାହିଁ ନିରୁ । ବାପ ମା’ଙ୍କର ଅବାଧ୍ୟ ମୁଁ କେବେ ହୋଇନି କି ହବାର ସେ ସାହସ ମଧ୍ୟ ନାହିଁ । ପିଲାଟି ଦିନରୁ ଯିଏ କୋଳେଇ କାଖେଇ ମଣିଷ କରିଛି, ଯାହାର ସ୍ନେହ, ଆଦର୍ଶବାଦ ସମାଜରେ ମତେ ଉଚ୍ଚ ଆସନ ଦେଇ ପାରିଛି, ଯାହାପାଇଁ ମୁଁ ଆଜି ସମାଜରେ ପ୍ରତିଷ୍ଠିତ, ତାଙ୍କର ମୁଁ ତ କେବେ ଅବାଧ୍ୟ ହୋଇ ପାରିବିନି । ତା’ଛଡ଼ା ସମାଜରେ ତାଙ୍କର ପ୍ରତିପତ୍ତି, ମାନ ସମ୍ମାନରେ କଳଙ୍କ ଲାଗିଲା ପରି କୌଣସି କାମରେ ତ ମୁଁ ହସ୍ତକ୍ଷେପ କରିପାରିବିନି ।

 

–ଥାଉ ତମର ସେ ଆଦର୍ଶବାଦ । ତମକୁ ଟିକେ ଲାଜ ଲାଗୁନି । ଆଦର୍ଶବାଦର ଦ୍ୱାହି ଦେଇ ପ୍ରତାରଣା ତ ବେଶ୍‌ କରି ଜାଣିଛ ? ତମର ଯଦି କହିବାର ଅଧିକାର ନାହିଁ, ତମେ ଯଦି ଏତେ ଭୀରୁ କାପୁରୁଷ ତେବେ କାହିଁକି ଏମିତି ଗୋଟାଏ ଅନୂଢ଼ା ଜୀବନକୁ ନେଇ ଖେଳଖେଳି ଚାଲିଥିଲ ? ତମରି ଆଗରେ ଗୋଟିଏ ନିରୀହା ଜୀବନ ଏମିତି ବିକଳାଙ୍ଗ ହୋଇ ଧ୍ୱଂସ ପାଇଯାଉ...ତମେ କ’ଣ ଏଇୟା ଚାହଁ ?

 

–ମତେ ତମେ ବୁଝିବାକୁ ଚେଷ୍ଟାକର ନିରୁ । ତମ ପରି ଏ ଅନ୍ଧ ସମାଜ, ଏ ପରମ୍ପରା ବିରୁଦ୍ଧରେ ମୋର ଅନ୍ତର କ’ଣ ବିଦ୍ରୋହ କରି ଉଠୁନି ? ମୋର ଅନ୍ତରାତ୍ମା କ’ଣ ଚାହୁଁନି ଯେ ପୁରୁଣା ସମାଜକୁ ଭାଙ୍ଗି ନୂଆ ସମାଜ ଗଢ଼ିବାପାଇଁ ? କିନ୍ତୁ ସେ ଶକ୍ତି କାହିଁ ? ସମାଜର ବନ୍ଧନରେ ଆମେ ଏତେ ବାନ୍ଧି ହୋଇ ଯାଇଛୁ ଯେ; ସେଥିରୁ ମୁକ୍ତି ପାଇବାର ସୁଯୋଗ ମଧ୍ୟ ନାହିଁ । ପିତାର ସୁଯୋଗ୍ୟ ପୁତ୍ର ଭାବରେ ଯେଉଁମାନଙ୍କଦ୍ୱାରା ପ୍ରଶଂସିତ, ଅବାଧ୍ୟ ହେଲେ ସେମାନେ କ’ଣ କହିବେ ଜାଣି ପାରୁଛତ ? ସେତେବେଳେ ବାପ ମାଆଙ୍କର ଅବସ୍ଥା କ’ଣ ହବ ? ଗୋଟିଏ ଜୀବନ ବିନିମୟରେ ଯଦି ଅନେକ ଜୀବନ ଆନନ୍ଦ ପାଇ ପାରିବେ ତେବେ ଗୋଟିଏ ଜୀବନକୁ ଏମିତି ଜାଳିପୋଡ଼ି ଦଗ୍ଧ କରିଦେଲେ କ୍ଷତି କ’ଣ ? କୁହତ ଦେଖି.... ବାରଶହ ବଢ଼େଇରେ ଦାୟ ନା ପୁଅର ଦାୟ ?

 

ସେଦିନ ଆଉ କିଛି କହିପାରି ନଥିଲା ନିରୁ । କିଛିଟା ଯନ୍ତ୍ରଣା କିଛିଟା ଆଲୋଡ଼ନ କିଛି ତିକ୍ତ ମଧୁର ଅନୁଭୂତିକୁ ନେଇ ଫେରି ଆସିଥିଲା ତା’ର ନିଜ ଘରକୁ ।

 

ଯାହାପାଇଁ ସେ ଆଜି ସମାଜର ବନ୍ଧନକୁ କାଟିଦେଇ ନୂଆ ସମାଜ ଗଢ଼ିବାକୁ ଚାହେଁ, ସେ ଯଦି ଆଦର୍ଶବାଦର ଦ୍ୱାହି ଦେଇ ତା’ଠାରୁ ଅଲଗା ହୋଇଯିବାକୁ ଚାହାଁନ୍ତି ତେବେ ସେ କାହିଁକି ତା’ର ସମାଜର ଗର୍ବ ଗୌରବକୁ ଭୂଲୁଣ୍ଠିତ କରି ଏମିତି ପଳାୟନବାଦୀ ସାଜିବ ? ସେ କାହିଁକି ତା’ର ବାପ ମା’ଙ୍କର ଅବାଧ୍ୟ ହେବ ? ବାପ ମା’ କ’ଣ କେବେ ପୁଅ ଝିଅଙ୍କର ଅମଙ୍ଗଳ ଚାହାଁନ୍ତି ? ସେମାନେ କ’ଣ ଚାହାନ୍ତିନି ଯେ ତାଙ୍କର ପୁଅ ଝିଅ ସୁଖରେ ରହନ୍ତୁ ବୋଲି ? ତା’ର ବାପ ମା’ କ’ଣ ତା’ର ମନଲାଖି ଘରଦେଖି ବାହା ଦେବେନି ?

 

କିନ୍ତୁ....ସେ କ’ଣ ସୁଖରେ ରହିପାରିବ ? ଅତୀତର ସବୁ ଅଭୁଲା ସ୍ମୃତିକୁ ପାଦରେ ଦଳିଚକଟି କିଛି ନ ଜାଣିଲା ପରି ଅଭିନୟ କରି ସର୍ବସ୍ୱ ଦାନ କରି ସାରିଲା ପରେ ସେ ଦାନକୁ କ’ଣ ନିଜେ ନିଜେ ଫେରାଇ ଆଣି ପାରିବ ?

 

ନା....ନା....ସେ ତାହା କେବେ କରିପାରିବନି । ଜାଣୁ ଜାଣୁ ସେ ଏତେ ବଡ଼ ଭୁଲ କରିପାରିବନି । ଯାହାକୁ ସେ ଥରେ ଜୀବନରେ ବଡ଼ ବୋଲି ଭାବିଛି, ଯାହାକୁ ଥରେ ଜୀବନର ସାଥୀ ବୋଲି ଧରି ନେଇଛି, ଯାହାର ସୁଖ ଦୁଃଖରେ ଥରେ ଭାଗୀ ହୋଇସାରିଛି । ଯାହାକୁ ତା’ର ମନ ପ୍ରାଣ....ସବୁକିଛି ଅଯାଚିତ ଭାବରେ ଅର୍ପଣ କରିସାରିଛି, ତାଙ୍କୁ ସେ କେବେ ପରକରି ଚାଲି ଯାଇପାରିବନି । ସେ ପଛେ ଅନ୍ୟ କାହାକୁ ତାଙ୍କ ଘରକୁ ବୋହୂକରି ଆଣନ୍ତୁ.....କିନ୍ତୁ ସେ କଦାପି ଅନ୍ୟ କାହାର ବୋହୂ ହୋଇ ଯାଇପାରିବନି । ନା....ନା.....ସେ ଅନ୍ୟ କାହାର ବାଗ୍‌ଦତ୍ତା ହୋଇ ପାରିବନି ।

 

ଏମିତି କେତେକଅଣ ଭାବି ଚାଲିଛି ନିରୁ । ଆଖିର ସୁଖିଲା ଲୁହ ଧାର ଗଣ୍ଡ ଦେଶରେ ଏକ ବିବର୍ଣ୍ଣ ଗୋଧୂଳିର ଆସ୍ତରଣ ଜମାଇ ସାରିଛି । ଠିକ୍‌ ଯେପରି ଗ୍ରୀଷ୍ମ ଦିନର ଗୋଟିଏ ନଦୀର ଦୁଇଟି ଧାର ସୁଖି ଯାଇ ବାଲୁକାର ଆସ୍ତରଣ ଜମାଇ ରଖିଥାଏ । ଦିନଯାଇ ସନ୍ଧ୍ୟା ହେଲା । ଦେଉଳର ଘଣ୍ଟଘଣ୍ଟାରେ ଚାରିଆଡ଼ କମ୍ପି ଉଠିଲା । କ୍ଳାନ୍ତ ଅବସନ୍ନ ଶରୀରଗୁଡ଼ାକ ଯିଏ ଯୁଆଡ଼େ ଅବସର ନେଲେ । କ୍ରମେ ରାତ୍ରିର ଘନ କାଳିମାରେ ଘୋଡ଼େଇ ହୋଇ ପଡ଼ିଲା ସାରା ପୃଥିବୀଟି । କେବଳ ସାକ୍ଷୀ....ଆକାଶରେ ପଡ଼ିଥିବା ଚତୁର୍ଥୀ ଚାନ୍ଦର ଫିକା ଫିକା ହସ ।

 

ତଥାପି ସେମିତି ନିର୍ବିକାର ଭାବରେ ବସି ରହିଛି ନିରୁ ଘର ବାରଣ୍ଡାରେ ପଡ଼ିଥିବା ଖଟିଆଟି ଉପରେ । ଏଥିମଧ୍ୟରେ ପୂଝାରୀ ଦୁଇଥର ଖାଇବାକୁ ଡାକିସାରିଲାଣି । ସେଥିପ୍ରତି ତା’ର ଭ୍ରୂକ୍ଷେପ ନାହିଁ । ତା’ର ଗୋଟିଏ ଚିନ୍ତା.....ଗୋଟିଏ ଭାବନା...ଗୋଟିଏ କାମନା । ତା’ର ପଢ଼ିଥିବା ଉପନ୍ୟାସର ଦୁଇଟି ଧାଡ଼ି ମନେ ପଡ଼ିଗଲା । –‘‘ପ୍ରେମରେ ପ୍ରତାରିତ ହେଲେ ନାରୀର ଜୀବନ ନଷ୍ଟ ହୋଇଯାଏ କିନ୍ତୁ ପ୍ରେମରେ ପ୍ରତାରଣା କରି ପାରିଲେ ନାରୀ ସବୁଠାରୁ ବଳି ସୁଖୀ ହୁଏ ।’’

 

କିନ୍ତୁ ସେ କ’ଣ ପ୍ରତାରଣା କରିପାରିଥାନ୍ତା ? ସେ କ’ଣ ଆଉ ଗୋଟିଏ ହୃଦୟକୁ ଜାଳିପୋଡ଼ି ଧ୍ୱଂସ କରିଦେଇପାରିଥାନ୍ତା...... ?’’ ଏମିତିଗୁଡ଼ିଏ ଭାବି ଭାବି ସେଇଠି ସେ କେତେବେଳୁ ଶୋଇପଡ଼ିଛି, ତା’ର ସେଥିପ୍ରତି ଧ୍ୟାନନାହିଁ ।

 

ସ୍ୱପ୍ନରେ ସେ ଦେଖୁଛି.....ଗୋପଦାଣ୍ଡ...ଛୋଟ ଛୋଟ ଗୋପବାଳକମାନଙ୍କର ନୃତ୍ୟ.....ସେମାନଙ୍କ ମଝିରେ ମୟୂରଚୂଳିଆ ପିତବସ୍ତ୍ର ପିନ୍ଧା ମୁରଲୀଧାରୀ...ଯଶୋଦାଙ୍କର ବାତ୍ସଲ୍ୟ ସ୍ନେହ...ଯଶୋଦାଙ୍କର ଶ୍ରୀକୃଷ୍ଣଙ୍କ ମୁଖଗହ୍ୱରରୁ ବିଶ୍ୱରୂପ ଦର୍ଶନ..ମ୍ଳାନ ଗୋଧୂଳିରେ ଗୋଷ୍ଠବାହୁଡ଼ାର ଦୃଶ୍ୟ.....ଗୋପୀମାନଙ୍କର ଯମୁନା କୂଳରୁ କାଖରେ କଳସୀ ଧରି ଜଳ ଆଣିବା...କଦମ୍ୱ ମୂଳରେ ଶ୍ରୀକୃଷ୍ଣଙ୍କର ବଂଶୀ ସ୍ୱନ.....ସେହି ବଂଶୀର ସ୍ୱର ଶୁଣି ରାଧୀକାଙ୍କ ଗୋଡ଼ରେ କଣ୍ଟା ଫୁଟିଛି ବୋଲି ଛଳନାକରି ଅଟକିଯିବା....ତା’ପରେ ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି...ଶ୍ରୀରାଧାଙ୍କର ବିରହ....ଆକୁଳ ବଂଶୀର ପୁନଃ ପୁନଃ କରୁଣ ମୂର୍ଚ୍ଛନା...ଶ୍ରୀରାଧାଙ୍କର ମାନଭଞ୍ଜନ xx

 

X X X

 

ପୁଣି କର ଲେଉଟାଇଲେ ଦେଖୁଛି...ଯାହାପାଇଁ ଆଜି ସେ ଚିନ୍ତିତ, ଯାହାର ସାନ୍ନିଧ୍ୟ ଟିକେ ପାଇବାପାଇଁ ଆଜି ସେ ବ୍ୟାକୁଳ, ସେହି ସୁବାଷବାବୁ ତା’ ପାଖରେ ଠିଆ ହୋଇଛନ୍ତି । ପାଦ ଦୁଇଟି ଦେହର ଭାରସାମ୍ୟ ରକ୍ଷାକରି ପାରୁନାହାନ୍ତି । ଚକ୍ଷୁ ରକ୍ତାକ୍ତ । ମୁଖରୁ ବିଦେଶୀ ସୁରାର ଭୁରୁ ଭୁରୁ ବାସନାରେ ଅତିଷ୍ଟ ହୋଇପଡ଼ୁଥିଲା ସେ । ସେ କେବେ ଏପରି ଅବସ୍ଥାରେ ତାଙ୍କୁ ଦେଖିବ ଆଶା କରି ନଥିଲା ।

 

–ତମେ ଶେଷରେ ଏତେ ତଳକୁ ଖସି ଯାଇ ପାରିଲ ସୁବାଷ ? ତମେ ପରା ଆଦର୍ଶବାଦ ଆଦର୍ଶବାଦ ବୋଲି ଚିତ୍କାର କରୁଥିଲ ? ତମେ ପରା ତମର ମାନ ସମ୍ମାନ ପ୍ରତି ସବୁବେଳେ ସଚେତନ ଥାଅ ? ଏଇ କ’ଣ ତାହାହେଲେ ତମର ଆଦର୍ଶବାଦ ? ମଦ ଖାଇ ମାତାଲ ହେଲେ କ’ଣ ତମର ମାନ ସମ୍ମାନ ବଢ଼ିଯିବ ?

 

–ମୁଁ ଆଜି ମଦ କାହିଁକି ଖାଉଛି ? କାହାପାଇଁ ଖାଉଛି ? କେହି କେବେ ବୁଝିବାକୁ ଚେଷ୍ଟା କରିଛି ? ମୋର ଆଦର୍ଶବାଦ ଦରକାର ନାହିଁ । ....ମୁଁ ମଦ ଖାଇବି......ମାତାଲ ହେବି...ମୋର ଦେହର ପ୍ରତ୍ୟେକ ଶିରାପ୍ରଶିରାକୁ ମଦର ଗନ୍ଧରେ ଜୁଡ଼ବୁଡ଼ ଓଦା କରି ଦେବି । ମୁଁ ଚାହେଁ ଭସ୍ମ ହେବାକୁ...ମୁଁ ଚାହେଁ ମୃତ୍ୟୁ....

 

–ତମେ ଯଦି ଏମିତି ମଦ ଖାଇବ, ମାତାଲ ହେବ, ଭସ୍ମ ହେବାକୁ ଚାହିଁବ, ମୃତ୍ୟୁକୁ ଚାହିଁବ, ତେବେ ତମ ବାପାମାଆଙ୍କର ପ୍ରତିପତ୍ତି, ମାନ ସମ୍ମାନ ଉପରେ କ’ଣ ଆଞ୍ଚ ଆସିବନି ସୁବାଷ ?

 

–ମତେ ଆଉ ଆକ୍ଷେପ କରି କୁହନି ନିରୁ । ମୁଁ ଭୁଲ୍‌ କରିଛି । ତମ ପରି ଗୋଟାଏ ନିରୀହ ଝିଅକୁ ପ୍ରତାରିତ କରି ମୁଁ ଭୁଲ କରିଛି । ପ୍ରତିଦାନରେ ତମେ କ’ଣ ଚାହଁ ମୋ’ଠାରୁ ?

 

–ମୋର ଗୋଟାଏ ଅନୁରୋଧ ରଖିବ, ସୁବାଷ ?

 

–କୁହ ।

 

–ମୁଁ ଚାହେଁ ତମେ ବାହା ହୁଅ, ସୁଖରେ ଘରସଂସାର କର । ତମେ ଆନନ୍ଦରେ ରହିଲେ ମୁଁ ଖୁସି ହେବି । କିନ୍ତୁ ମୋ ରାଣ, ତମ ଘରକୁ ଯେଉଁ ଝିଅଟି ଆସିବ ସେ ଯେପରି ମୋଭଳି ପ୍ରତାରିତ ନହୁଏ ।

 

–ନା...ନା ନିରୁ, ମତେ କ୍ଷମା କର । ମୁଁ ତମ ଛଡ଼ା ଅନ୍ୟ କାହାର ଉପସ୍ଥିତିକୁ ସହି ପାରିବିନି । ମୁଁ ପଛେ ଆଜୀବନ ଚିରକୁମାର ରହିବି କିନ୍ତୁ ବାହା ହୋଇ ପାରିବିନି ।

 

–କିନ୍ତୁ ତମ ବାପାମା’ଙ୍କର ଅବସ୍ଥା ? ସେମାନେ କ’ଣ ରାଜି ହେବେ ?

 

–ସେମାନଙ୍କର ରାଜି ଅରାଜିରେ କିଛି ପ୍ରଶ୍ନ ନାହିଁ । କିନ୍ତୁ ମୁଁ ତ ଅନ୍ୟ କାହାର ଉପସ୍ଥିତିକୁ ସହି ପାରିବିନି ।

 

–ତେବେ କ’ଣ କରିବ ?

 

–ମତେ କିଛି ଉପାୟ ଖୋଜି ବାହାର କରିବାକୁ ପଡ଼ିବ ।

 

–କିନ୍ତୁ ତମେ ପାରିବନି, ହାରିଯିବ ।

 

–ନା....ନା ମୁଁ ପାରିବି...ମୁଁ ଚାହେଁ ମୃତ୍ୟୁ...ମୃତ୍ୟୁ.....ଆତ୍ମହତ୍ୟା....

 

–ସୁବାଷ...ସୁବାଷ

 

ସ୍ୱପ୍ନ ଦେଖି ହଠାତ୍‌ ଉଠି ପଡ଼ିଛି ନିରୁ । ଚାରିଆଡ଼କୁ ଚାହିଁଛି, କେହି ନାହାନ୍ତି, ଯେ ଯୁଆଡ଼େ ନିଦରେ ଶୋଇ ପଡ଼ିଛନ୍ତି । ବସି ଭାବିଲା ଦେଖିଥିବା ସ୍ୱପ୍ନ କଥା । ସତରେ କ’ଣ ସୁବାଷ ଆତ୍ମହତ୍ୟା କରି ଦେବେ ? ସ୍ୱପ୍ନ କ’ଣ ସତ ହେବ ? ସକାଳ ହେଲେ ଯିବ ତାଙ୍କ ପାଖକୁ ଦେଖି ଆସିବ ଥରେ । ପଚାରିବ, ଦେଖିଥିବା ସ୍ୱପ୍ନ କଥା । ସେ କାଲି ଏମିତି ସ୍ୱପ୍ନ ଦେଖିଛନ୍ତି କି ? ସେ ଯଦି କିଛି ନ କୁହନ୍ତି ? ସେଦିନ ପରି କଡ଼ା କଡ଼ା କଥା କହି ଫେରାଇ ଦିଅନ୍ତି ?

 

ଅନେକ ସମୟ ଧରି ଏମିତି ଭାବି ଚାଲିଛି ସେ । ତା’ର ଭାବନାଗୁଡ଼ାକ ବୁଢ଼ିଆଣୀ ଜାଲ ପରି ମୁଣ୍ତ ଭିତରେ ଗୁଡ଼େଇ ତୁଡ଼େଇ ହୋଇ ଗୋଟାଏ ଜମାଟ ବାନ୍ଧି ସାରିଲାଣି । ସେ ଖାଲି ଭାବୁଛି ତା’ କଥା...ଦୁଇବର୍ଷ ତଳର କଥା....ଆଜିକଥା...ପୁଣି ସୁବାଷବାବୁଙ୍କ କଥା...ତାଙ୍କ ସହିତ ପ୍ରଥମ ପରିଚୟ । ଏମିତି ତାଙ୍କ ବିଷୟରେ ଅତୀତର କେତୋଟି ପୃଷ୍ଠାକୁ ଓଲଟାଇବାରେ ଲାଗିପଡ଼ିଛି ସେ ।

 

ସେଦିନ ଥାଏ ବର୍ଷଣ ମୁଖର ଅପରାହ୍ନ । ସେଦିନ କଥା ଆଜି ମନେପଡ଼ିଲେ ଆଖିରୁ ଲୁହ ଝରି ଆସେ । ସେଦିନର ସୁବାଷବାବୁ ଆଉ ଆଜିର ସୁବାଷବାବୁ କେତେ ତଫାତ୍‌ । ସେଦିନ ଭାଇ ଭାଉଜ କେହି ଘରେ ନଥାନ୍ତି । ଏକା ସୁବାଷବାବୁ । ବର୍ଷା ଚାଲିଛି । ବର୍ଷାରେ ଅଧା ଭିଜି ଭିଜି ତାଙ୍କ ଘରକୁ ଆସିଥିଲା ସେ । ପ୍ରତିଦିନ ପ୍ରାୟ ତାଙ୍କ ଘରକୁ ଆସେ ସେ । ଭାଉଜଙ୍କର ସ୍ନେହ ସହାନୁଭୂତିର ଆକର୍ଷଣ ତାକୁ ଟାଣି ଆଣେ ତାଙ୍କ ପାଖକୁ । ସେଦିନ ମଧ୍ୟ ସେହି ମାୟାମମତାର ଡୋରି ତାକୁ ଏତେ ବର୍ଷରେ ମଧ୍ୟ ଟାଣି ଆଣିପାରିଥିଲା । କିନ୍ତୁ ଘରେ ଆସି ଦେଖେତ କେହି ନାହାନ୍ତି । ବର୍ଷା କ୍ରମେ ପ୍ରବଳରୁ ପ୍ରବଳତର ହେଉଛି । ନିଜ ଘରକୁ ଫେରିଯିବାର ଅବକାଶ ନାହିଁ । ତେଣୁ ବାଧ୍ୟ ହୋଇ ତାଙ୍କ ବାରଣ୍ଡାରେ ଠିଆ ହେଲା ।

 

–ପଦାରେ ଠିଆ ହୋଇଛ କାହିଁକି ? ଭାଉଜ ତ ନାହାନ୍ତି । ସମୟ ହୋଇ ଗଲାଣି ଏଇନେ ଆସିବେ ଯେ ?

 

ପଛକୁ ବୁଲିପଡ଼ି ଚମକି ଚାହିଁଲା ସେ । ଘରେ ତ କେହି ନଥିଲେ କିଏ ପୁଣି ବାହାରିଲା-। ବୁଲି ଦେଖିଲା, ସୁବାଷବାବୁ ଠିଆ ହୋଇଛନ୍ତି । ଇଞ୍ଜିନିୟର୍ ସୁବାଷଚନ୍ଦ୍ର ଦାସ । ଚାଲିଚଳନ ଅତି ଧୀରସ୍ଥିର । କିନ୍ତୁ ଭାରି ଲାଜକୁଳା । ଝିଅପିଲାଙ୍କ ପାଖ ପଶନ୍ତିନି । ଅନେକ ଥର ସେ ତାକୁ ଦେଖିଛନ୍ତି । କିନ୍ତୁ କିଛି ନ ଜାଣିଲା ପରି ଚାଲିଯା’ନ୍ତି । କିଛି କଥା କହନ୍ତିନି । କିନ୍ତୁ ଆଜି ତାଙ୍କର କଥା ହେବା ପ୍ରଥମ । ବୋଧହୁଏ ଘରେ କେହି ନଥିବାରୁ ସୌଜନ୍ୟତା ଦୃଷ୍ଟିରୁ କଥା କହିବାକୁ ବାଧ୍ୟ ହୋଇ ପାରିଥାନ୍ତି ।

 

–ଠିଆ ହୋଇ କ’ଣ ଭାବୁଛ ? ଭାଉଜଙ୍କ ପାଖରେ କ’ଣ କାମ ଥିଲା ?

 

–ନା ସେମିତି ବୁଲି ଆସିଥିଲି ।

 

–ବହୁତ ବର୍ଷାତ ହେଉଛି, ଯିବ କେମିତି ? ଘରେ ଛାଡ଼ିଦେଇ ଆସିବି ?

 

–ନା...

 

–ତେବେ ଅପେକ୍ଷା କର । ବର୍ଷା ଛାଡ଼ିଗଲେ ଚାଲିଯିବ ।

 

ବାଧ୍ୟ ହୋଇ ଚେୟାର ଉପରେ ବସିଲା ନିରୁ । ବସି ବସି ଭାବୁଥାଏ ସେହି ସୁବାଷବାବୁଙ୍କ କଥା । ପାଖରେ ଆଉ ଗୋଟିଏ ଚେୟାର ଦଖଲକରି ବସିଥିଲେ ସୁବାଷବାବୁ । ମୁହଁକୁ ଚାହିଁବାର ସାହସ ନଥାଏ ତା’ର । ସବୁଦିନ ତ ସୁବାଷବାବୁଙ୍କୁ ଦେଖେ, କିନ୍ତୁ ଆଜି ଯେପରି ଜଣାଯାଉଛି ସେ ତାଙ୍କୁ ଅନ୍ୟ ରୂପରେ ଦେଖୁଛି । ତାଙ୍କର ମଧୁର ଧୀରସ୍ଥିର କଥାବାର୍ତ୍ତାରେ ସେ ମୁଗ୍ଧ ହୋଇ ଯାଇଥିଲା । କେବଳ ଭାବୁଥିଲା ଆଗରେ ସୁବାଷବାବୁ ଆଉ ଆଜିର ସୁବାଷବାବୁ କେତେ ତଫାତ୍‌ । ସେଦିନ ଏମିତି କେତୋଟି କଥାବାର୍ତ୍ତା କରି ବର୍ଷା ଛାଡ଼ିଲା ପରେ ସେ ଚାଲିଯାଇଥିଲା ତା’ ଘରକୁ ।

 

ସେହିଦିନଠାରୁ ଭାଉଜଙ୍କର ମାୟାମମତା ସଙ୍ଗେ ସଙ୍ଗେ ସୁବାଷବାବୁଙ୍କର ସେହି ଧୀରସ୍ଥିର କଥାବାର୍ତ୍ତା ତାକୁ ବେଶୀ ଆକୃଷ୍ଟ କରିଥିଲା । ବେଶୀ ପାଖକୁ ପାଖକୁ ଟାଣି ଆଣିଥିଲା । ତାଙ୍କ ଘରକୁ ଯିବାକୁ ଦରକାର ନଥିଲେ ମଧ୍ୟ ଯେକୌଣସି ଆଳ ଦେଖାଇ ତାଙ୍କ ଘରକୁ ଗଲା । ଭାଉଜଙ୍କ ଦେଖା ହେବା ଯେତେ ଜରୁରୀ ନଥିଲା, ଥିଲା ସୁବାଷବାବୁଙ୍କ ସାଙ୍ଗରେ । କ୍ରମେ ସେମାନଙ୍କର ସମ୍ପର୍କ ବଢ଼ିବାକୁ ଲାଗିଲା । କେହି କାହାକୁ ଦିନେ ନ ଦେଖିଲେ ଅଧୀର ହୋଇ ପଡ଼ୁଥିଲେ ।

 

ଆଉ ଦିନର କଥା । ଆଜି ସହିତ ସେ କଥାକୁ ଯୋଡ଼ି ବସିଲେ କେତେ ଆକାଶପାତାଳ ପ୍ରଭେଦ । ସେଦିନର ସୁବାଷବାବୁ ଆଜି ଏମିତି ରୁକ୍ଷ, ଏମିତି କଠିନ ହୋଇଯିବେ ବୋଲି ସେ କେବେ କଳ୍ପନା ମଧ୍ୟ କରି ନଥିଲା ।

 

ତାଙ୍କର ବିବାହ ପ୍ରସ୍ତାବପାଇଁ ଭାଉଜ ସେଦିନ ତାଙ୍କର ମତାମତ ଚାହିଁଥିଲେ ତାଙ୍କଠାରୁ-। କିନ୍ତୁ ସେ କିଛି ଉତ୍ତର ନ ଦେଇ କହିଥିଲେ–ପରେ ଭାବି କହିବି । ତା’ପରେ, ଚାଲି ଆସିଥିଲେ ମୋ ପାଖକୁ । ହଠାତ୍‌ ପ୍ରଶ୍ନ କରିଥିଲେ.....

 

–ତମେ ଆମ ପରିବାରକୁ ଆସିବନି ନିରୁ ?

 

–ମାନେ ? (କିଛି ନଜାଣିଲା ପରି)

 

–ତମେ କ’ଣ ଚାହଁନି ଆମର ସମ୍ପର୍କଟା ଏମିତି ରହୁ ବୋଲି ?

 

–ମୁଁ କ’ଣ ମନା କଲି

 

–ମୁଁ ଚାହେଁ ତୁମକୁ ବିଭା ହୋଇ....

 

–କିନ୍ତୁ ମୁଁ ତ ବଙ୍ଗାଳୀ, ତମ ପରିବାରରେ କ’ଣ ମୋର ସ୍ଥାନ ଅଛି ? ତମ ବାପା, ଭାଇ, ଭାଉଜ–ଏମାନେ କ’ଣ ରାଜିହେବେ ?

 

–ସେମାନଙ୍କୁ ରାଜି କରାଇବାକୁ ଚେଷ୍ଟା କରିବି । ଶେଷରେ ସେମାନେ ଯଦି ରାଜି ନହୁଅନ୍ତି ତେବେ ବାଧ୍ୟହେଇ ତାଙ୍କର ଅବାଧ୍ୟ ହେବି । ମୋ ପ୍ରସ୍ତାବରେ ତମେ କ’ଣ ରାଜି ହେବନି ନିରୁ ?

 

–ବାପା....ଭାଇଙ୍କ ମନରେ ଦୁଃଖ ଦେଇ ବିଭାହେଲେ, ଲାଭ କ’ଣ ? ତମେ ବରଂ ତାଙ୍କ କଥାକୁ ମାନି ନିଅ ମତେ ଭୁଲିଯାଅ ।

 

–କିନ୍ତୁ...

 

–ନା...କିନ୍ତୁର ପ୍ରଶ୍ନ ନାହିଁ ମୁଁ ଯାହା କହୁଛି ସେଇଆକର । ସେଥିରେ ତମର ମଙ୍ଗଳ ହବ-। ଆଉ ତମ ପରିବାରରେ କଳଙ୍କ ଲାଗିଲାପରି କିଛି ପରିସ୍ଥିତି ସୃଷ୍ଟି ହବନି ।

 

ସେଦିନ ଆଉ କିଛି ଶୁଣିବାକୁ ଅପେକ୍ଷା କରି ନଥିଲେ ସୁବାଷ । ଝଡ଼ବେଗରେ ଘରୁ ବାହାରି ଚାଲିଯାଇଥିଲେ । ତାଙ୍କ ଭାଉଜଙ୍କ ଆଗରେ ସଫାସଫା ମନା କରିଦେଇଥିଲେ ଯେ ସେ ଏବେ ବାହା ହେବେନି ଅନ୍ତତଃ ତାଙ୍କର ଚାକିରିର ସ୍ଥାୟିତ୍ୱ ନ ଆସିବା ପର୍ଯ୍ୟନ୍ତ ।

 

କିନ୍ତୁ ଯେଉଁ ସୁବାଷବାବୁ ସେଦିନ ପ୍ରଥମେ ବିବାହର ପ୍ରସ୍ତାବ ତା’ ନିକଟରେ ଉପସ୍ଥାପନ କରିଥିଲେ ସେ ପୁଣି ଆଜି ଏତେ ନିଷ୍ଠୁର ହୋଇ ପାରନ୍ତି...ସେ ପୁଣି ତାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ।

 

ନା....ସେ ସୁବାଷବାବୁଙ୍କୁ ଭଲ ପାଇଛି, ସେ ତାଙ୍କଠାରୁ ଅନେକ ସ୍ନେହ ମମତା ପାଇ ପାରିଛି । ସେ କେବେ ତାଙ୍କୁ ଭୁଲି ପାରିବନି । ତାକୁ ବାଟକୁ ଆଣିବାକୁ ଚେଷ୍ଟାକରିବ । ପାର୍ବତୀ ତ ପୁଣି କଠୋର ତପସ୍ୟା ବଳରେ ଶିବଙ୍କୁ ପାଖକୁ ଟାଣିଆଣିପାରିଥିଲେ । ଯେତେ ବାଧାବିଘ୍ନ ଆସିଲେ ସୁଧା ନଦୀଟିଏ ତ ଧାଇଁ ଯାଏଁ ସାଗର ବକ୍ଷକୁ ଟିକିଏ ସାନ୍ନିଧ୍ୟ ପାଇବାପାଇଁ...ସିଏ କ’ଣ ଏତେ ଦୁର୍ବଳା, ସେ କ’ଣ ଚେଷ୍ଟାକରି ସୁବାଷବାବୁଙ୍କୁ ନିଜର କରି ରଖିପାରିବନି ?

 

ଭାରାକ୍ରାନ୍ତ ମନ ନେଇ ଭାବନାର ଇନ୍ଦ୍ରଜାଲ ବୁଣି ବୁଣି ଚାଲିଥାଏ ନିରୁ ସମ୍ମୁଖରେ ତା’ର କାମନାର ସାହାରାରେ ମରୀଚିକା...ମନରେ ତା’ର ବ୍ୟଥିତ ପ୍ରାଣରେ ଅହେତୁକ ତୃଷ୍ଣା,....କିନ୍ତୁ ଜଳ କାହିଁ ?

 

ଭୁବନେଶ୍ୱର

ତା ୧୮–୩–୭୫

Image

 

ପ୍ରତିକ୍ରିୟା

 

ଡବଡ଼ବୀ ମାଇକିନିଆଙ୍କ ପରି ବସ୍‍ଷ୍ଟାଣ୍ଡଟା ଯା’ ଇଚ୍ଛା ତା’ ବକି ଯାଉଛି । ହସି ହସି ଗଡ଼ି ଯାଉଛି । ମନେମନେ ଗର୍ବ କରୁଛି ସତେ ଯେମିତି ତାକୁ କେତେ ଲୋକ ଆଶାକରି ବସିଛନ୍ତି । ତା’ ଦେହରେ କେତେ ଲୋକ ପିଟି ହୋଇ ଯାଉଛନ୍ତି । ତା’ର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ଧନୀ, ଗରିବ, ସୁଖୀ, ଦୁଃଖୀଙ୍କର ବେଦନା ଭାରାକ୍ରାନ୍ତ ପଦଧ୍ୱନିରେ ତା’ର କଲିଜାଟା ଜମାଟ ବାନ୍ଧିଗଲାଣି-। କେତେ ନବାଗତମାନଙ୍କୁ ତା’ର ବୁକୁରେ ଆଲିଙ୍ଗନ କରିଛି ପୁଣି ସେମାନଙ୍କୁ ସମୟ ସୁବିଧା ଦେଖି ଦୂରକୁ ଠେଲିଦେଇ ଅପେକ୍ଷା କରିଛି ନୂତନ ଅତିଥିମାନଙ୍କର ଆଶ୍ଳେଷପାଇଁ–ଠିକ୍‌ ଗୋଟାଏ ପିଙ୍ଗଳା ପରି । ଏଗୁଡ଼ା ତା’ର ସବୁ ଦେହସୁହା ହୋଇଗଲାଣି ।

 

ତା’ରି ବୁକୁରେ ଗୋଟିଏ ବେଞ୍ଚ୍ ଉପରେ ବସିଛନ୍ତି ଅମର । ସବୁଦିନ ଆସି ସେ ଏଇଠି ଗୋଟିଏ ଜାଗାରେ ଚୁପ୍‌ଚାପ୍‌ ବସି ପଡ଼ନ୍ତି । ଯେପରି ଏଇଟା ତାଙ୍କର ଗୋଟାଏ ହବି । ଏଣେତେଣେ ଆଖିବୁଲାନ୍ତି, କାହାକୁ ଯେପରି ସେ ଖୋଜନ୍ତି । ବସ୍‍ଷ୍ଟାଣ୍ଡକୁ ସବୁଦିନେ ଆସିଲେ ମଧ୍ୟ ଓ ସେହି ବସ୍ ଯାତ୍ରୀଙ୍କର ଠେଲାପେଲା, ସେହି କେତୋଟି ନୂଆ ପୁରୁଣା ବସ୍‍ର ସମାହାରରେ ବସ୍‍ଷ୍ଟାଣ୍ଡଟି ପୂରି ଉଠିଥିଲେ ମଧ୍ୟ ପ୍ରତ୍ୟେକ ଦିନ ସେ ଏହି ଷ୍ଟାଣ୍ଡଟିକୁ ଏକ ନୂଆ ରୂପରେ ଦେଖନ୍ତି-। ନୂଆ ଶାଢ଼ି ପିନ୍ଧି କୌଣସି ପ୍ରେମିକର ଅପେକ୍ଷାରେ ବସିଥିଲାପରି ତାଙ୍କୁ ଲାଗେ ।

 

ଆଜି କିନ୍ତୁ ସେ ସବୁଦିନପରି ମେଣ୍ଟାଲରିଫ୍ରେସମେଣ୍ଟ ପାଇଁ ବସି ନାହାନ୍ତି । ସେ ବସିଛନ୍ତି ଅନ୍ୟ ଯାତ୍ରୀମାନଙ୍କ ପରି ତାଙ୍କର ଅଭିଳାଷିତ ବସ୍‍ଟିର ଅପେକ୍ଷାରେ ।

 

ସମୟ ଚାରିଟା । ସ୍କୁଲ୍, କଲେଜ ଓ ଅଫିସର ଲୋକମାନଙ୍କ କୋଳାହଳରେ ସରଗରମ ହୋଇ ଉଠିଛି ଷ୍ଟାଣ୍ଡଟି । କେତେଜଣ ବନ୍ଧୁଙ୍କ ସହିତ ଦେଖା ହେଲା ଅମରଙ୍କର । ଗପ କରିବାକୁ ଇଚ୍ଛା ନଥିଲେ ମଧ୍ୟ ସୌଜନ୍ୟତା ଦୃଷ୍ଟିରୁ ଏଡ଼ାଇଦେଇପାରିଲେନି । ଗପ୍‍ସପ୍‍ର ଆସରରେ ନିଜ ନିଜର କଲେଜ ଜୀବନ, ସମାଜର ସାଂପ୍ରତିକ ପରିସ୍ଥିତି ସମ୍ପର୍କରେ କେତେକଅଣ ଆଲୋଚନା, ତର୍କ ବିତର୍କ ଚାଲିଥାଏ । କିନ୍ତୁ ଅମରକୁ ଏ ସବୁ ଭଲ ଲାଗୁ ନଥାଏ । ତାଙ୍କର ଆଖି ବସ୍ ଷ୍ଟାଣ୍ଡର କୌଣସି ଏକ ସ୍ଥାନରେ ଦୃଷ୍ଟିନିବଦ୍ଧ ଥାଏ । କେତେଗୁଡ଼ିଏ ପିଲା ପାଟିତୁଣ୍ଡ କରିବାର ସେ ଶୁଣିଲେ । ବୋଧହୁଏ କାହାକୁ ଯେପରି ଘେରି ରହି ଏହିପରି ପାଟିତୁଣ୍ଡ କରୁଛନ୍ତି । ପାଟିତୁଣ୍ଡ ଓ ହସର ଆର୍ତ୍ତନାଦରେ ସାଙ୍ଗମାନେ ସମସ୍ତେ କଥାବାର୍ତ୍ତା ବନ୍ଦ କରି ସେହି ଆଡ଼କୁ ଅନାଇଲେ । କାରଣଟା ଜାଣିବାକୁ ସମସ୍ତେ ବ୍ୟଗ୍ର । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ–କ’ଣ ହେଲା ?

 

କିଛି ସମୟପରେ ପିଲାମାନଙ୍କର ଘେରକୁ ଅତିକ୍ରମ କରି ଗୋଟିଏ ଅସ୍ଥି ଚର୍ମସାରା ନଗ୍ନ ଶରୀର ବିଶିଷ୍ଟ ବୃଦ୍ଧଟି ତାଙ୍କରି ଆଡ଼କୁ ଧୀରେ ଧୀରେ ଆସୁଥାଏ । ବୁଝିବାକୁ ଆଉ ବାକି ରହିଲାନି ତାଙ୍କର, ଲଙ୍ଗଳା ଲୋକଟିକୁ ଦେଖି ପିଲାମାନେ ପାଟିତୁଣ୍ଡ କରୁଥିଲେ ବୋଲି ।

 

ଲୋକଟି ଧୀରେ ଧୀରେ ତାଙ୍କ ବେଞ୍ଚ୍ ନିକଟରେ ଆସିପହଞ୍ଚିଲା । ବୃଦ୍ଧଟିର ବୟସ ପଚାଶ ପାଖାପାଖି ହେବ । ମୁଣ୍ତବାଳ ଫୁରୁଫୁରୁ ହୋଇ ଉଡ଼ୁଛି । ଯେପରି ଅନେକ ଦିନ ହେଲା ତେଲ ବାଜିନାହିଁ । ଛାତିର ପଞ୍ଜରାହାଡ଼ ସବୁ ଗୋଟି ଗୋଟି ଗଣି ହୋଇ ପଡ଼ୁଛି । ପେଟ ଭିତରକୁ ପଶିଯାଇଛି, ଦାଢ଼ିଗୁଡ଼ିକ ତାଳଅଂଶା ପରି ବଢ଼ି ଯାଇ ମୁହଁଟାକୁ ବିକୃତ କରି ପକାଉଛି । ତା’ର ଅନାବୃତ ଶରୀର ଓ ଏପରି ଅବସ୍ଥା ତା’ର ବୟସକୁ ଆହୁରି ଦୁଇଗୁଣ କରିଦେଇଛି । ହାତରେ ତା’ର କଲେଇଛଡ଼ା ଚେପଟା ଟିଣ ପାତ୍ରଟି ।

 

‘‘ଆବେ ଭିକାରିଟାବେ’’–ତାକୁ ଦେଖି ଜଣେ ସାଙ୍ଗ ମନ୍ତବ୍ୟ ପ୍ରକାଶ କଲା ।

 

ଭିକାରିଟା ନିକଟକୁ ଆସି ଅତି କରୁଣ ଦୃଷ୍ଟିରେ ଚାହିଁ ରହିଲା ସେମାନଙ୍କୁ । ଟିଣ ପାତ୍ରଟିକୁ ସେମାନଙ୍କ ଆଡ଼କୁ ବଢ଼ାଇ ଅତି କ୍ଷୀଣ କଣ୍ଠରେ କହିଲା–‘‘ବାବୁ, ପଇସାଟେ ଦିଅ, ଧର୍ମ ହେବ ।’’

 

ସଙ୍ଗେ ସଙ୍ଗେ ଉତ୍ତରରେ ଜଣେ ସାଙ୍ଗ କହିଲେ–‘‘ଶଳା ତମକୁ ଭିକ ଦେଇ କିଛି ଧର୍ମନାହିଁ । ପେଟକୁ ନଖାଇ ତମକୁ କିଏ ଦବବେ ।’’ ଆଉ ଜଣେ ସାଙ୍ଗ କହିଲେ–‘‘ଏଇମାନେ ଶଳା ଦୁନିଆକୁ ଚୋବେଇ ଖାଇ ସାରିଲେଣି । ଖାଇବାକୁ ପାଉନୁତ କାମ କରୁନୁ । ତୋ ବୋପା ଏଠି ଧନ ରଖିଥିଲା ଭଳିଆ ଆସି ମାଗୁଛୁ ।’’

 

ଉକ୍ତ ବ୍ୟକ୍ତିଙ୍କ କଥାରେ ଅନ୍ୟ ସାଙ୍ଗମାନେ ହସି ଉଠିଲେ କିନ୍ତୁ ସେମାନଙ୍କ ମେଳରେ ଥାଇ ମଧ୍ୟ ହସି ପାରିଲେନି ଅମର । ସେ ଭିକାରିଟିକୁ ଅନାଇ ରହିଲେ । ଭିକାରିଟି ମଧ୍ୟ ତାଙ୍କୁ ଅନାଇ ରହିଛି ଏକ ଅସହାୟ କରୁଣ ଦୃଷ୍ଟିରେ । ଚାରିଚକ୍ଷୁ ମିଶିଗଲା । ସେ ଯେପରି ସେହି ଭିକାରିଟିର ସବୁ ଆଶାଭରସା । କୌଣସି ସାହାଯ୍ୟର ସତ୍ତା ଅନୁଭବ କରୁଥିଲା ଭିକାରିଟି ଯେପରି ତାଙ୍କଠାରୁ ।

 

ସେ ଭାବୁଥିଲେ ଭିକାରିଟିର ଦୁରବସ୍ଥା କଥା । ଏ ସମାଜର ଅବସ୍ଥା ଆସି କେଉଁଠି ପହଞ୍ଚିଛି । ଜନସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ତା’ଛଡ଼ା କଳାବଜାରର ସ୍ରୋତରେ ସମସ୍ତେ ଭାସି ଗଲେଣି । ଚାରିଆଡ଼େ ମରୁଡ଼ି, ଦୁର୍ଭିକ୍ଷ, ଲୋକମାନେ କାମବି ପାଉନାହାନ୍ତି...ତାହାହେଲେ ବଞ୍ଚିବେ କେମିତି ? ଏମିତି ଅନେକ କଥା ଭାବିଗଲେ ଅମର ।

 

ପୁଣି ଚାହିଁଲେ ଅମର ଭିକାରିଟିକୁ । ଭିକାରିଟି ସେହିପରି ଅସହାୟ ଦୃଷ୍ଟିରେ ଚାହିଁ ରହିଛି ତାଙ୍କୁ । ସାହାଯ୍ୟ ଦେବାର ମନୋବୃତ୍ତି ଥିଲେ ମଧ୍ୟ ସାଙ୍ଗମାନଙ୍କର ମନ୍ତବ୍ୟକୁ ଡରି ନିରବ ରହିଥିଲେ ସେ ।

 

କୌଣସି ସାହାଯ୍ୟର ଆଶା ନ ଦେଖି ଅଗତ୍ୟା ଫେରିଗଲା ଭିକାରିଟି ଅନ୍ୟ ସ୍ଥାନକୁ । ତା’ର ଯିବା ବାଟକୁ ଅନାଇ ରହିଥାନ୍ତି ଅମର । ଭିକାରିଟି ମାଗି ମାଗି ଜନ ଗହଳିରେ ମିଶିଗଲା । ତଥାପି ତାଙ୍କର ଦୃଷ୍ଟି ଫେରିଲାନି ତା’ଠାରୁ । ତାଙ୍କୁ ସଂସାରଟା ଅସହାୟ ପରି ଲାଗିଲା । ଭିକାରିଟିକୁ ସାହାଯ୍ୟ କରି ନ ପାରିବାରୁ ମନେମନେ ଅନୁତାପ କଲେ ସେ । ସାଙ୍ଗମାନଙ୍କର ସାମାନ୍ୟ ମନ୍ତବ୍ୟକୁ ଡରି ସେ କେତେ ବଡ଼ ଦୋଷ କରିଗଲେ । ଦଶ କି କୋଡ଼ିଏ ପଇସା ଦେଇପାରିଥିଲେ ହୁଏତ ମନରେ ସେ ଗୋଟାଏ ଶାନ୍ତି ପାଇ ପାରିଥାନ୍ତେ । ଏଭଳି ଲୋକକୁ ସାହାଯ୍ୟ କରିବେନି ତ ଆଉ କାହାକୁ ସାହାଯ୍ୟ କରିବେ ? ଭିକାରିଟିର ସେହି କ୍ଷୀଣସ୍ୱର ଯେପରି ତାଙ୍କ କର୍ଣ୍ଣ ଗହ୍ୱରରେ କିଏ ତୁହାଇ ତୁହାଇ କହିଦେଉଛି–‘‘ବାବୁ ପଇସାଟିଏ ଦିଅ, ଧର୍ମ ହେବ ।’’

 

ହୃଦୟ ଭିତରେ ଯେପରି ଯନ୍ତ୍ରଣା ଅନୁଭବ କଲେ ସେ । କାନ ଦୁଇଟିକୁ ଜୋରରେ ବନ୍ଦ କରିଦେଇ ବସିବା ସ୍ଥାନରୁ ଉଠି ଆସିଲେ । ଭିକାରିଟି ଯାଇଥିବା ପଥରେ ଦୌଡ଼ିବାକୁ ଆରମ୍ଭ କଲେ । ବନ୍ଧୁମାନଙ୍କ ମନ୍ତବ୍ୟକୁ ଆଉ ଅପେକ୍ଷା କଲେନି । ଷ୍ଟାଣ୍ଡର ଗେଟ୍‌ ପାଖରେ ହଠାତ୍‌ ଅଟକି ଗଲେ । ଦେଖିଲେ ଭିକାରିଟି ଗେଟ୍‌ର ଗୋଟିଏ କଡ଼କୁ ବସିଛି ।

 

ଅମରକୁ ଦେଖି ଭିକାରିଟି ନୂତନ ଯାତ୍ରୀ ଭାବି ଅତି କରୁଣ ଅସହାୟ ଭାବରେ ଚାହିଁ ମାଗିଲା–‘ବାବୁ ପଇସାଟେ ଦିଅ ।’

 

ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ ଅମର, ତା’ର ଏ କଥା ଶୁଣି । ‘‘କି ନିର୍ଲଜ୍ଜ ଏ ଭିକାରିଟା । କିଛି ସମୟ ପୂର୍ବରୁ ତାଙ୍କଠାରୁ ପଇସା ନପାଇ ନିରାଶରେ ଫେରି ଆସିଥିଲା । ତଥାପି ସେ ପୁଣି ପଇସା ମାଗୁଛି । ଭିକାରିଟି ତାହାହେଲେ କ’ଣ ବୁଝି ପାରିଛି ତାଙ୍କର ମନର କଥାକୁ । ହଁ, ଭିକାରିଟାଏତ ତା’ର ଲାଜ ସରମ କ’ଣ ? କିମ୍ୱା ହୁଏତ ସେ ତା’ର ଅତୀତ କଥାକୁ ପୂରାପୂରି ଭୁଲିଯାଇଛି ।’’ ଭିକାରିଟିକୁ ଏକ ଦୃଷ୍ଟିରେ ଚାହିଁ ରହି କେତେକଅଣ ଭାବିଗଲେ ଅମର ।

 

‘‘ବାବୁ ଦିଦିନ ହେଲା କିଛି ଖାଇନି, ପଇସାଟେ ଦିଅ ଧର୍ମ ହେବ ।’’ –ଅତି ନିମ୍ନ ସ୍ୱରରେ ମାଗିଲା ଭିକାରିଟି ।

 

ମନେମନେ ଯେତିକି ହସିଲେ ସେତିକି ସମବେଦନା ଜଣାଇଲେ ଅମର ସେହି ଭିକାରିଟି ପ୍ରତି । ଦୁନିଆରେ ତା’ର ସାଙ୍ଗମାନଙ୍କ ପରି ଅନେକ ତା’ ପ୍ରତି ଏମିତି ମନ୍ତବ୍ୟ ପ୍ରକାଶ କରି ନିରାଶରେ ଫେରାଇ ଦେଉଥିବେ । ଗୋଟିଏ ଗୋଟିଏ ପଇସା ଦିନକୁ ସେ କେତେ ଆଦାୟ କରି ନିଜର କ୍ଷୁଧା ନିବାରଣ କରିବ । ଗୋଟିଏ ଗୋଟିଏ ପଇସା ଆଦାୟ କରି ଏକାଠି କଲାବେଳକୁ ହୁଏତ ସେ କ୍ଷୁଧାରେ ଅତିଷ୍ଠ ହୋଇ ମରି ଯାଇଥିବ । ତା’ପରେ ତା’ର ପରିବାର ପ୍ରତି କର୍ତ୍ତବ୍ୟ… ।

 

ପକେଟରୁ ଦୁଇ ଟଙ୍କିଆ ନୋଟ୍‍ଟି ବାହାର କରି ଭିକାରିଟିର ହାତକୁ ବଢ଼ାଇ ଦେଲେ ଅମର ।

 

ଭିକାରିଟି ଟଙ୍କା ଦୁଇଟି ଧରି ତାଙ୍କ ଆଡ଼କୁ ବଲବଲ କରି ଚାହିଁଲା । ତା’ର ହାତ ଥରୁଥାଏ । ସାମାନ୍ୟ ଖଣ୍ଡେ ଛୋଟ କାଗଜର ଭାର ସେ ଯେପରି ସହି ପାରୁ ନଥାଏ । ଏକାବେଳକେ ଏତେ ପଇସା ସେ କେବେ ହାତରେ ଧରିନି ।

 

ଆରେ ଚାହିଁଛୁ କ’ଣ–ଯା ଖାଇବୁ ଯା । କହିଲେ ଅମର ।

 

–ତମର ଧର୍ମ ହେଉ ବାବୁ...

 

ଭିକାରିଟିର ଗୋଡ଼ଠାରୁ ମୁଣ୍ତ ପର୍ଯ୍ୟନ୍ତ ଆଖି ବୁଲାଇ ଆଣିଲେ ଅମର । ବସ୍ତ୍ରହୀନ ଶରୀର । ବ୍ୟାଗ୍‍ରୁ ଲୁଗା ଖଣ୍ଡକ କାଢ଼ି ଭିକାରିଟିର ହାତକୁ ବଢ଼ାଇଦେଲେ ।

 

ନେ ପିନ୍ଧି–କହିଲେ ଅମର ।

 

ଭିକାରିଟି ଆଶ୍ଚର୍ଯ୍ୟ ହୋଇ ଚାହିଁଲା ତାଙ୍କୁ । କୌଣସି ଦିନ କେହି ତା’ ପ୍ରତି ଏତେ ଦରଦ ପ୍ରକାଶ କରି ନଥିଲେ । ଅନେକ ଶୀତ, ବର୍ଷା, ଖରାରେ ସେ ଏହି ନଗ୍ନ ଶରୀରରେ ଦିନରାତି ଅତି ଅସହାୟ ଭାବରେ ବିତାଇ ଦେଇଛି ।

 

ଭିକାରିଟି ଭାବୁଛି ଦାନ କରିଥିବା ଲୋକଙ୍କ କଥା, ଅମର ଭାବୁଛନ୍ତି ଭିକାରିର କଥା । ଏକାବେଳକେ ଏତେ ଦାନ ଗ୍ରହଣ କରିସାରି ମଧ୍ୟ ତା’ର ମନରେ କୌଣସି ଆନନ୍ଦର ଚିହ୍ନବର୍ଣ୍ଣ ନାହିଁ ।

 

ବସ୍ ଛାଡ଼ିବାର ଘୋଷଣା ଲାଉଡ଼୍‌ସ୍ପିକର୍‍ରୁ ଶୁଣି ଆଉ ଅପେକ୍ଷା ନକରି ଚାଲିଗଲେ ଅମର ଷ୍ଟାଣ୍ଡକୁ । ଗଲାବେଳେ ଥରେ ଚାହିଁ ଦେଇଗଲେ ଭିକାରିଟିକୁ ।

 

ଭିକାରିଟି ଦୁଇହାତ ଟେକି ପ୍ରଣାମ କଲା ଭଙ୍ଗୀରେ କହିଲା–ବାବୁ, ତମର ମଙ୍ଗଳ ହେଉ ।

 

ତା’ ପରଦିନ ସମୟ ଚାରିଟା । ନିତିଦିନିଆ ଅଭ୍ୟାସକୁ ଏଡ଼ାଇ ନପାରି ବସ୍ ଷ୍ଟାଣ୍ଡର ଗୋଟିଏ ବେଞ୍ଚ୍ ଉପରେ ବସିଛନ୍ତି ଅମର । ବସି ବସି ସମସ୍ତଙ୍କୁ ଲକ୍ଷ୍ୟ କରିବା ତାଙ୍କର ଗୋଟିଏ ଅଭ୍ୟାସ । ଠିକ୍‌ ସେହିଦିନ ସେହିପରି ବସି ସମସ୍ତଙ୍କୁ ଲକ୍ଷ୍ୟ କରୁଥାନ୍ତି । ଏହାରି ମଧ୍ୟରେ ସେ ଭାବୁଥାନ୍ତି ତାଙ୍କର ଜୀବନର ବିପର୍ଯ୍ୟୟ କଥା । ଜୀବନର ଉତ୍ଥାନ ପତନକୁ । ଷ୍ଟାଣ୍ଡର ଗୋଟିଏ କୋଣକୁ ତାଙ୍କର ଆଖି ଆପେଆପେ ଚାଲିଗଲା । ଦେଖିଲେ ଗୋଟିଏ ବୃଦ୍ଧ ଅତି ବିକଳରେ ଆର୍ତ୍ତନାଦ କରୁଛି । ତାଙ୍କର ଆଉ ଚିହ୍ନିବାକୁ ବାକି ରହିଲାନି । ଯାହାପାଇଁ କାଲି ତାଙ୍କ ମନରେ ମମତାର କ୍ଷୀଣ ସ୍ରୋତ ପ୍ରବାହିତ ହୋଇଥିଲା, ଯାହାପାଇଁ କାଲି ତାଙ୍କର ଅନ୍ତରାତ୍ମା ବିଳପି ଉଠିଥିଲା, ତା’ର ଦାରିଦ୍ର୍ୟପାଇଁ–ତାକୁ କ’ଣ ଏତେ ଶୀଘ୍ର ସେ ଭୁଲି ପାରିବେ ? କାଲି ଯେଉଁ ବେଶରେ ବୃଦ୍ଧଟିକୁ ଦେଖିଥିଲେ ଠିକ୍‌ ସେହି ବେଶ, ଉଲଗ୍ନ ଶରୀର । କିନ୍ତୁ ତାଙ୍କର ପ୍ରଦତ୍ତ ଲୁଗାଖଣ୍ଡି ତେବେ ସେ କ’ଣ କଲା ? ପୁଣି ବୃଦ୍ଧଟି ଅତି ବିକଳରେ କହୁଛି–‘‘ବାବୁ ପଇସାଟେ ଦିଅ ବାବୁ,....ଦୁଇ ଦିନ ହେଲା କିଛି ଖାଇନି ।’’ କି ଅଜବ ମିଛ କହୁଛି ଏ ଭିକାରିଟି, ସେ ଦେଇଥିବା ଦୁଇଟି ଟଙ୍କା ତେବେ କ’ଣ କଲା ।

 

ରାଗ ହେଲା ଭାରି ଅମରର ସେ ବୃଦ୍ଧଟି ଉପରେ । ସେ ସ୍ଥିର କଲେ ଯାଇ ତାକୁ ପଚାରିବେ, କ’ଣ କଲା ସେ ତାଙ୍କର ଲୁଗା ଆଉ ଟଙ୍କା । ନିକଟରେ ଥିବା ଲୋକମାନଙ୍କୁ ମଧ୍ୟ ସେ ସବୁକଥା କହିଦେବେ । ତାଙ୍କ ମନରେ ଏହି ବୃଦ୍ଧଟି ପ୍ରତି ଯେପରି ଗୋଟେ ଘୃଣା ଭାବ ଚାଲିଆସିଲା । ଭାବିଲେ ସମାଜରେ ଗୋଟାଏ ଗୋଷ୍ଠୀ ମିଛ, ଲାଞ୍ଚ, ଭଣ୍ଡାମିର ଆଶ୍ରୟ ନେଇ ନିରୀହ ଜନସାଧାରଣଙ୍କୁ ଖାଲି ଠକିବାକୁ ଚେଷ୍ଟା କରୁନାହାନ୍ତି, ଏହି ମାଗିଖିଆ ଭିକାରିଗୁଡ଼ାକ ମଧ୍ୟ ଏହି ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ଆଖିରେ ଧୂଳି ଦେଇ; ସେମାନଙ୍କର ହୃଦୟକୁ ତରଳାଇଲା ପରି କଥାକହି ଠକି ପଇସା ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି । ବିଚରା ଏମାନେ ମଝିରେ ଧନୀମାନଙ୍କର ଜୁଲମ ଆଉ ଏ ଛୋଟଲୋକଗୁଡ଼ାକଙ୍କର ତାଡ଼ନାରେ ଉବୁଟୁବୁ ହେଉଛନ୍ତି । ଭାରି ଦୟା ହେଲା ଅମରର ଏ ମଧ୍ୟବିତ୍ତ ସମାଜ ପ୍ରତି ।

 

ସେ ଉଠି ଚାଲିଗଲେ ସେ ବୃଦ୍ଧ ନିକଟକୁ । ବୃଦ୍ଧଟି ତାଙ୍କୁ ଦେଖି ତାଙ୍କ ଆଡ଼କୁ ଏକ ଅସହାୟ ଦୃଷ୍ଟିରେ ଅନାଇ ରହିଲା । ତା’ର ସେହି କଲେଇଛଡ଼ା ଟିଣ ପାତ୍ରଟିକୁ ବଢ଼େଇ ଦେଇ କହିଲା–‘‘ବାବୁ ପଇସାଟିଏ ଦିଅ ଧର୍ମ ହେବ, ଦୁଇ ଦିନ ହେଲା କିଛି ଖାଇନାହିଁ ।’’

 

ଇସ୍‌...କି ଛଳନା ଜାଣେ ଏ ଭିକାରିଟା । କାଲି ମୋଠାରୁ ଏତେଗୁଡ଼ିଏ ଜିନିଷ ନେଇ ମଧ୍ୟ ମତେ ଚିହ୍ନିପାରୁନି ? ସମାଜରେ କ’ଣ ସମସ୍ତେ ଏଇୟା ? କାଲିର ସାହାଯ୍ୟର ଆଜି କିଛି ମୂଲ୍ୟ ନାହିଁ ? ବିଗତଟା ବର୍ତ୍ତମାନ ପାଖରେ ମୂଲ୍ୟହୀନ ? ଆଉ ବର୍ତ୍ତମାନଟା ଭବିଷ୍ୟତ ପାଖରେ... ? ଏମିତି କେତେଗୁଡ଼ିଏ ପ୍ରଶ୍ନ ତାଙ୍କ ମନରେ ଆନ୍ଦୋଳନ ସୃଷ୍ଟି କଲା । ସେ ଭିକାରିଟିକୁ ଏକଲୟରେ ଚାହିଁରହି ଭାବି ଚାଲିଛନ୍ତି । ଭିକାରିଟି ମଧ୍ୟ କିଛି ପାଇବାର ଆଶା କରି ଟିଣପାତ୍ରଟି ତାଙ୍କ ଆଡ଼କୁ ବଢ଼ାଇ ଧରି ଚାହିଁ ରହିଛି–ଠିକ୍‌ ଏକ ନାଟକୀୟ ଭଙ୍ଗୀରେ ।

 

ଚାରିଆଡ଼କୁ ବୁଲି ଚାହିଁଲେ ଅମର । ପାଖରେ କେହି ଲୋକ ନାହାନ୍ତି । କିନ୍ତୁ ଦୂରରୁ କିଏ କାଳେ ତାଙ୍କୁ ଦେଖୁଥିବ ତାଙ୍କର ଏପରି ନାଟକୀୟ ଭଙ୍ଗୀପାଇଁ ।

 

ସେ ଭିକାରିଟିକୁ ଚାହିଁଲେ । ଏଥର ଦୃଢ଼କଣ୍ଠରେ ଭିକାରିଟିକୁ କହିଲେ–କାଲି ତତେ ମୁଁ ଯେଉଁ ଲୁଗା ଆଉ ଦୁଇଟା ଟଙ୍କା ଦେଇଥିଲି କ’ଣ କଲୁ ? ଏମିତି ଅଭଦ୍ରଙ୍କ ପରି ଲଙ୍ଗଳା ହୋଇ ବୁଲୁଛୁ କାହିଁକି ? ତତେ ଟିକେ ଲାଜ ମାଡ଼ୁନି ? ଛି ଛି, କି ନିର୍ଲଜ୍ଜ । ଏମିତି କେତେକଅଣ ବକି ଗଲେ ଅମର ଭିକାରିଟିର ଉଦ୍ଦେଶ୍ୟରେ ।

 

ଏଥର ଭିକାରିଟି କିଛି ନ କହି କଲେଇଛଡ଼ା ପାତ୍ରଟିକୁ ତଳେ ଥୋଇ ଦେଇ ଏଇ ଶୁଷ୍କ ହସଟିଏ ହସିଲା ।

 

ଏଁ ହସୁଛି କାହିଁକି ଭିକାରିଟା । ଯେପରି ଜଣାଗଲା ସେ ତା’ର ଏହି ହସ ମଧ୍ୟରେ ଅମରକୁ ପରିହାସ କରୁଛି । ଅମର ତାକୁ ବୋକାଙ୍କ ପରି ଚାହିଁ ରହିଲେ ।

 

ଗୋଟେ ଭିକାରିର ‘‘ଲାଜ ସରମ କ’ଣ ବାବୁ । ଦୁନିଆରେ ତାକୁ କିଏ ପଚାରେ । ଆପଣଙ୍କ ପରି କେତେ ଜଣ ଅଛନ୍ତି ଯେ ସବୁଦିନ ତାକୁ ଏପରି ମୋଟା ଆକାରରେ ଦାନ କରିବ । ଦୁନିଆରେ ସମସ୍ତେ ଅଭିନୟ କରି ଚାଲିଛନ୍ତି । ମୁଁ ଯଦି ଆଜି ଆପଣଙ୍କର ସେ ଲୁଗାଟିକୁ ପିନ୍ଧି ପକାଇଥାନ୍ତି ତେବେ ଲୋକମାନଙ୍କୁ ଏପରି ଅଭିନୟ ଦେଖାଇ ପାରି ନଥାନ୍ତି କି ଲୋକମାନଙ୍କର ମନକୁ ତରଳାଇ ତାଙ୍କଠାରୁ ପଇସା ଆଣିପାରି ନଥାନ୍ତି । ଆଜି ସିନା ଆପଣଙ୍କର ଦାନରେ ଚଳିଯାଇଥାନ୍ତି, କିନ୍ତୁ କାଲି....ପରଦିନ...ତା’ ପରଦିନ ? କ’ଣ ନେଇ ବଞ୍ଚିଥାନ୍ତି ? ଆପଣ ତ ଆଉ ସବୁଦିନେ ମତେ ଏମିତି ଦାନ କରୁ ନଥାନ୍ତେ’’–ଏତକ କହି ଭିକାରିଟି ଧୀରେ ଧୀରେ ସେଠୁ ଚାଲିଗଲା । ଅନ୍ୟ ଲୋକମାନଙ୍କ ପାଖକୁ ଭିକ୍ଷାର ଆଶାରେ ।

 

ବୋକାଙ୍କ ପରି ଚାହିଁ ରହିଥାନ୍ତି ଅମର ତା’ର ଯିବା ପଥକୁ । ଗଲାବେଳେ ଭିକାରିର ହସ ତାଙ୍କର କଲିଜାକୁ ଯେପରି ବିଦୀର୍ଣ୍ଣ କରି ତାଙ୍କୁ ଉପହାସ କରି ଦେଇଗଲା । ଗଲାବେଳେ ଯେମିତି ସେ କହିଗଲା–‘‘ଗୋଟାଏ ବାରବୁଲା ଭିକାରି, ଯାହାର ଗୋଟିଏ ଗୋଟିଏ ଛୋଟ ପଇସା ସଂଚୟ କରି ଜୀବନକୁ ଅତି କଷ୍ଟରେ ବଞ୍ଚାଇ ରଖିବାର ଅଭ୍ୟାସ, ତାକୁ ଏକାବେଳେ ଏତେଗୁଡ଼ାଏ ଟଙ୍କା ଓ ଲୁଗା ଦାନ କରିବା ତାଙ୍କର ବୋକାମି । କେହି କେବେ ଏତେ ଦାନ କରିପାରେନି.... ?’’

 

ଇସ୍‌....ସେ କ’ଣ ଏତେ ଦାନକରି ଭୁଲ କରିଛନ୍ତି ? ସେ ଯେମିତି ଚାହିଁ ରହିଥାନ୍ତି ଭିକାରିଟିକୁ । ଭିକାରିଟି ଟିଣପାତ୍ରଟିକୁ ଲୋକମାନଙ୍କ ଆଗକୁ ବଢ଼ାଇ ଆଗକୁ ଚାଲିଛି । କାହାର ଯଦି ଦୟା ହେଉଥାଏ କିଏ ପାଞ୍ଚ ପଇସା କିମ୍ୱା ଦଶ ପଇସା ପକାଇ ଦେଇଛନ୍ତି । ସେଇଥିରେ ଭିକାରିଟି ବେଶ୍‌ କୃତଜ୍ଞତା ଜଣାଉଛି ଦାନ କରିଥିବା ବ୍ୟକ୍ତିଙ୍କୁ....କିନ୍ତୁ ତାଙ୍କୁ..... ?

 

ବ୍ୟାଚଲର୍ସ ବାରକ୍‌ ଭୁବନେଶ୍ୱର

୧୯–୧୧–୭୪

Image

 

ସେଲୁନ୍‌

 

–ଏ ମାଟି କାନ୍ଥଟାରେ କାଗଜଗୁଡ଼ାକ ମାରୁଛ କାହିଁକି ? ବିକିଦେଇଥିଲେ ତ ଏଇନେ ଝୁଅର ଦିଦିନପାଇଁ ସାବୁଟା କି ଚେନିଟା ହୋଇ ଯାଇଥାନ୍ତା । ତମର କ’ଣ କିଛି କାମଦାମ ନାହିଁ ? ଯାଉନ କୋଉଠୁ କ’ଣ ଆଣିବ ଆଉ କେଇଦିନ ଏମିତି ଉପାସ ରହିବା ?

 

–ତ୍ରାନାନା ଉତ୍ସାହରେ ହର ଚେତନା...ତ୍ରାନାନା.... ।

 

ଧେତ୍‌–ଏଗୁଡ଼ା ବାଜେ । ବହୁତ ପୁରୁଣା । ହଁ...କ’ଣ ସିଏ ବୋଲୁଥିଲା....ହୁଁ...ଉଁ...ମେରେ ମନ୍‍କି ଗଙ୍ଗା ଆଉ ତେରେ ମନ୍‌କି ଯମୁନା କା.....

 

–ଆହା... ହା... ।, ଲାଜ ନାଇଁ ନିର୍ଲଜ୍ଜକୁ

 

ଶୁଖିଲା ମାଟିରେ କଠଉ ମାଡ଼ୁଛି

 

ଠକଠକ ଶୁଭିବାକୁ ।

 

ନିଅ.....ଗୁଣ୍ଡି ନିଅ । ମୋର ତେଣେ କେତେ କାମ ଅଛି । ମୁଁ ଯାଏଲୋ ମା’ ।

 

–ବୋଲ ରାଧା ବୋଲ......

 

–ଦି’ଦିଟା ଛୁଆର ବୋପା ହେଲଣି, ତମ ମୁହଁକୁ ଟିକେ ଲାଜ ସରମ ନାହିଁ । ନବ ଯଦି ନିଅ ନଇଲେ ମୁଁ ଯାଉଛି ।

 

–ଏଁ.....ହଁ.....ହଁ, ଦେ....ଦେ.... । ପାଟିଟା ଅଠା ହୋଇଗଲାଣି । ମଲା....ମଲା....ଗୁଣ୍ଡି । କ’ଣ ପାନ ନାହିଁକି ? ଛାଡ଼ ପାନ ହୋଇଥିଲେ ଭଲ ହୋଇଥାନ୍ତା । ହଁ ତୁ ଗଲୁ ଆମ ଶୋଇବା ଘରେ ଯେଉଁ ଫଟ ସବୁ ଟଙ୍ଗା ହୋଇଛି ଟିକେ ଝାଡ଼ିଝୁଡ଼ି ଘେନିଆସିବୁ ।

 

–ମୁଁ ପଚାରୁଛି ଏଠି ଏ ସାଏବୀ ଖାନା କାହିଁକି ହଉଛି ?

 

–ଆରେ ଏଠି ସେଲୁନ୍‌ କରିବା ବୁଝିଲୁ.... ।

 

–ଶିଳନ...ଶିଳନ କ’ଣମ ! ଗୋଟିଏ ଶିଳକୁ ବାଟଣ ନାହିଁ । ଏ ନଅଟା ଶିଳ ପୁଣି କ’ଣ ହବ ? ଆଉ ନଅଟା ମୋଟା ମୋଟା ମାଇକିନିଆ ବାହାହେବ ଯେ ସେ ସବୁ ଭଲ ଭଲ ଚିଜ ରାନ୍ଧିବାଢ଼ି ଖାଇବାକୁ ଦେବ । ମୋ ଦେହରେ ଏତେ ବଳ ନାହିଁ ।

 

–ନ’ଟା ନୁହେଁ ନବେଟା

 

–ସିଏ ପୁଣି କେତେ ?

 

–ପାଞ୍ଚ କୋଡ଼ିକୁ ଦଶ କମି । ବୁଝିଲୁ ?

 

ମୋ ମାଆରାଣୀଲୋ, ଏ ରୋଗଣିଟା ବୋଲି ଏତେ ଫାନ୍ଦ ଫିକରଲୋ ମାଆ । କଞ୍ଚା ବୟସରେ ହନ୍ତସନ୍ତ ହୋଇ.....

 

–ଆଲୋ ହେ...ହେ....ତୁ କ’ଣ ଏମିତି ମରା କାନ୍ଦ କାନ୍ଦିଲୁଣି । ମୁଁ ପରା ଖୋଦ୍ ଜିଇଛି...ଛି...ତମ ମଇକିନିଆ ଜାତିଟା ସେଇଆ । ଆଲୋ ଶୁଣୁ । ଏଠି ଆମେ ଶାଳ କରିବା । କ’ଣ ଶାଳ ବୁଝିଛୁଟି ?

 

–ଶାଳ କ’ଣ ?

 

–ମୁଠି ଶାଳ । ମୁଁ ଯାଇ ଗାଁରେ ଯୋଉ ଖିଅର ବାଅର କରୁଥିଲି ସେଥିରେ ପଇସା କମେଇ ହଉ ନଥିଲା । ଏ ବାଗେ ଏଇଠି ବସିଲେ ପଇସା, ଖାଲି ପଇସା.....ପଇସା । ସକାଳୁ ଉଠିଲେ ଖାଲି କଞ୍ଚାପଇସା । ଏଇ ଆମ ଶାଳକୁ ବଜାର ସହରରେ କହନ୍ତି ସେଲୁନ୍‌ । ଶିଳନ ନୁହେଁ ବୁଝିଲୁ ମିନା ମା’ ?

 

–(ଉଠୁଥିବା କୋହକୁ ଚାପି) ସତେ ?

 

–ଆଲୋ ମୁଁ ପଧାନ ଘର ସାକ୍ଷୀ ହୋଇ କଟକ ଯାଇ ନଥିଲି, ସେଥିରେ ସେଇ କଟକରେ ପଧାନେ ଗଲେ ସେଲୁନ୍‌କୁ । ମୁଁ ବି ଗଲି ତାଙ୍କ ସାଙ୍ଗରେ । ମୁଁ ସିନା ଏଠି ନାଳରେ, ବାଡ଼ିରେ, ପିଣ୍ଡାରେ ଯୋଉଠି ଖାମିଦ ବସୁଥିଲେ ଖିଅର କରି ଦଉଥିଲି । ଆଉ ସେଠି ଗୋଟିଏ ବୁଲା ଚଉକିରେ ବସି ଆଗରେ ପଛରେ ଅଇନା ଦେଖି ମୁହଁ ଖିଅର ହେଲୁ । ସେତେବେଳେ ମୁଁ କ’ଣ ଆଉ ବାରିକ ପୁଅ ଥେଲିକି ? ହଁ–ସେ ଘରେ କି ସୁନ୍ଦର ସୁନ୍ଦର ଫଟ ସବୁ ଟାଙ୍ଗିଥିଲା ଆହା.....କ’ଣ କହିବି ପାକୁଆ ବୁଢ଼ାର ଆଉଥରେ ବାହା ହବାକୁ ମନ ହବଲୋ ।

 

ବାଟରେ ପଧାନେ କହିଲେ–‘‘କିରେ ରାମ ! ତୁ ଗୋଟିଏ ସେଲୁନ୍ ଖୋଲୁନୁ କାହିଁକି ? ଗାଁ ଗଣ୍ଡା କରି ତମକୁ କ’ଣ ପୋଷଉଛି ? ଏଇ ଦେଖିଲୁତ ଆମ ଦି’ ଜଣଙ୍କଠାରୁ ଏକାଥରକେ ଟିକେ ଦାଢ଼ିଟା ଖିଅରପାଇଁ ଟଙ୍କାଟା ମାରିନେଲା । ସେଲୁନ୍‌ ଉଠିଲାମାନେ ଆଠଅଣା । ତମେ ସେହି ବର୍ଷକ ବର୍ତ୍ତନଗଣ୍ଡାକ ଛଡ଼ା ଆଉ କ’ଣ ପାଉଛ ? ସେଥିରେ ପୁଣି ଡେରି ହେଲେ ଶଳାଠାରୁ ବାଇଁଚୋଦ ଯାଏଁ ଯେତେକ ଗାଳିଗୁଲଜ’’ ।

 

ଆଚ୍ଛା–ତୁ କହିଲୁ ମିନା ମା’, ଆମେ ଭଣ୍ଡାରି ହେଲେ ବୋଲି ଆମେ କ’ଣ ଏତେ ଛୋଟ-? ଯୁଗ ଆସି କୋଉଠି ହେଲାଣି, ତାଙ୍କର ସେବା କରିବା, ପୁଣି ଶଳା ବାଇଁଚୋଦ ଗାଳି-? ଆମେ ଏମିତି ଏତେ ତଳେ ପଡ଼ିଥିବା ?

 

–ସେ କଥା କ’ଣ କହୁଛମ ? ନାଆକ ଘର ବୋହୂର ନଖକଟା ଟିକିଏ ଡେରି ହୋଇଗଲା ବୋଲି ଯୋଉ ମୁହଁ ଫଣଫଣ । ମୋ ମାଆଲୋ, ଟୋକୀଟା ମୁହଁ ଛାଟି ପଳେଇଗଲା ପୁଣି କେତେ ନେହୁରା କଲାରୁ ଆସିଲା । ମତେ ପା କାନ୍ଦ ମାଡ଼ିଲା । .....ତମେ ଠିକ୍‌ କରିଛ ଆମର ଆଉ ସେ ଗାଁ ଗଣ୍ଡା ଦରକାର ନାହିଁ କି କାହାରି ଟଣଟଣ ଫଣଫଣ କଥା ଦରକାର ନାହିଁ । ହଉ ମୁଁ ଯାଉଛି ସେ ଗଣେଶ ଫଟ ଆଉ ଲକ୍ଷ୍ମୀଫଟ ଦି’ଟା ନେଇ ଆସିବି ।

 

ତା’ର ଆଜି କେତେ ଆନନ୍ଦ । ସେ ଆଉ ଗାଁକୁ ଯିବନି କି ମୁଠିଟା ଧରି ଆ’ ଦୁଆର ତା’ ଦୁଆର ହବନି କି କାହାରି ଟିଙ୍ଗି ଟିଙ୍ଗି କଥା ତାକୁ ଆଉ ଶୁଣିବାକୁ ପଡ଼ିବନି । ପିଠିରୁ ଟିକେ ମଳି ଛଡ଼ାଇବା କି ଫୁଟୁକି ମାରିବା ପଡ଼ିବନି । ଗରାଖ ନଥିବାବେଳେ ସେ ବସି ଟିକେ ଗୀତା ଭାଗବତ ଶାସ୍ତ୍ର ପଢ଼ିବାକୁ ଖୁବ୍‌ ସମୟ ପାଇବ । ବିଲ ବାଡ଼ିରେ ଲେଙ୍ଗୁଟି ମାରି କାଦୁଅ ପାଣିରେ ପଚରପଚର ହେବାକୁ ପଡ଼ିବନି । ଆଜି କାମକଲେ ମଜୁରୀ ମିଳୁଥିଲା ଦିଦିନ ବାଦେ । ଦିଦିନ କ’ଣ ମ ଆଠ ଦଶ ଦିନ ଖାସେ ଦଉଡ଼ି ଦଉଡ଼ି ଗୋଡ଼ ଚାନ୍ଦି ଉଠିଯାଉଥିଲା । ଆଜି ଦେବି, କାଲି ଦେବି, ଆଉ କିଏ ବେପାରୀ ଚାଉଳ ନେଇଛି ଟଙ୍କା ଦେଉ’’ ପୁଅର ତାରିଖ ହୋଇ ଗଲାଣି, ଆଜି କି କାଲି ଟଙ୍କା ଆସିଲେ ତୋ ଟଙ୍କାଟା ଆଗେ ଦେଇଆସିବି–ଏମିତି କେତେ ଥର । ହକ୍ ଖଟି ପର ଦୁଆରେ ଗୋଡ଼ଭାଙ୍ଗି ଠିଆ ହବାକୁ ପଡ଼ୁଥିଲା । କିନ୍ତୁ ଏଥର ରାତି ପାହିଲେ କଞ୍ଚାପଇସାର ମୁହଁ ଚାହିଁବ, ତା’ ପିଲା ପଇସାନେଇ ଇସ୍କୁଲକୁ ଯିବେ । କାହା ଛୁଆ ମଟର କି ସୋଲା ଖାଉ ଥିଲାବେଳେ ଆଉ ଚାହିଁ କରି ଡହଳବିକଳ ହେବନି ସେ ପଇସା ସଞ୍ଚିବ, ମିନା ମା’ପାଇଁ କାନଫୁଲ କରିବ ବାହାରକୁ ଯିବାକୁ ତା’ର ଭଲ କାମିଜଟିଏ ଦରକାର, ଘରର ରୁଅଗୁଡ଼ା ଆର ସାଲକୁ ବଦଳାଇବ ବଦଳାଇବାକୁ ପଡ଼ିବ । ବିଲ ବାଡ଼ି ସିନା ନଥିଲା ଯେ ମଣିଷ ଆଉ ତା’ର ଖଟୁଥିଲା । ତା’ର ତ ଏଥର କେତେ ଖଟିବେ ।

 

ଏମିତି କେତେ କଳ୍ପନା ଭାବନା, ନୂତନ ନୂତନ ଯୋଜନା ରାମର ମୁଣ୍ତରେ ଜୁଟୁଥିଲା ଯେଉଁ ଦିନ ସେ ତା’ର ସେଲୁନ୍‌ରେ ଶୁଭ ଦେଇଥିଲା ।

 

‘‘ଆଜି ସେ ଏତେକ ଅଣ୍ଡାକୁ ଭଲ ଭାବରେ ବିକିବ, ତା’ପରେ ଆହୁରି କୁକୁଡ଼ା ପାଳିବ, ସେମାନେ ପୁଣି ଅଣ୍ଡା ଦେବେ, ସେ ଅଣ୍ଡାରୁ ସେ ଅନେକ ଲାଭ ପାଇବ । ତା’ର ଖାଲି ଲାଭ ଆଉ ଲାଭ, ସେ ଜମି କିଣିବ କୋଠା କରିବ, ଚଉକି ଉପରେ ବସି ଗୋଡ଼ ହଲେଇବ, କିନ୍ତୁ ବାଟରେ ଗୋଡ଼ ହଲିଗଲା ଯେ ଅଣ୍ଡାଗୁଡ଼ାକ ତଳେ ନାଳ ଗଡ଼େଇ ଆଁ କରି ବସିଲେ’’ ।

 

ଆପଣ ନିଶ୍ଚୟ ଏ ଅଣ୍ଡାଗୁଡ଼ାକ ସହ ରାମର ସେଲୁନ୍‍କୁ ତୁଳନା କରୁଥିବେ । ଆଉ ତା’ର ଭବିଷ୍ୟତ ସମ୍ୱନ୍ଧରେ ଦୃଢ଼ମତ ପୋଷଣ କରି ସାରିବେଣି ।

 

କିନ୍ତୁ ଅଣ୍ଡାଗୁଡ଼ାକ ବିକ୍ରି ପୂର୍ବରୁ ଇହଲୀଳା ସମ୍ୱରଣ କଲେ ମାତ୍ର ରାମର ସେଲୁନ୍‌ ଯେ ପଧାନେ କେବେଠାରୁ ଉଦ୍‌ଘାଟନ କରି ସାରିଲେଣି । ପଇସାବି କିଛି କମେଇ ସାରିଲେଣି ସେ । ମୀନା ମା’ବି ପାଣ୍ଠି କଲାଣି । ଆଉ ବା ବିଲୟର ପ୍ରଶ୍ନ ଉଠୁଛି କେଉଁଠୁଁ ?

 

ଅବଶ୍ୟ ରାମର ସେଲୁନ୍‌ର ବିଲୟ ପ୍ରଶ୍ନ ବର୍ତ୍ତମାନ ଉଠୁନି । ମାତ୍ର ସେ ଯେମିତି ଖାଲି କ’ଣ ଭାବୁଛି, ଭାବୁଛି । ଗୀତ, ଭାଗବତବି ତା’ର ଆଉ ଅବସର ସମୟରେ ହାତକୁ ଆସୁନାହାନ୍ତି, ବରଂ ଯଥାସ୍ଥାନରେ ତାଙ୍କର ସ୍ଥିତିକୁ ବଜାୟ ରଖିଛନ୍ତି ।

 

ସେଲୁନ୍‌ଟି ଆଧୁନିକ ସହରର ବ୍ୟବସାୟିକ ଦୃଷ୍ଟିକୋଣରୁ ସେତେ ଉନ୍ନତ ନହେଲେବି, ତା’ ଗାଁରେ କେତେକ ଟୋକା ଯେଉଁମାନେ କି ସହରରେ ଛୋଟ ଛୋଟ ସେଲୁନ୍‌ର ଦ୍ୱାର ମାଡ଼ିଛନ୍ତି, ସେମାନଙ୍କ ପାଇଁ ଅରୁଚିକର ହେଲାନି । ଗାଁର ଘର ଓଳିତଳ ପିଣ୍ଡାରେ ବସି କାଟିବା ଅପେକ୍ଷା ନୂତନ ପରିପାଟୀରେ ସଜ୍ଜିତ ହୋଇଥିଲେ ମଧ୍ୟ ଗାଁର ମୁଖିଆ ଲୋକ ତା’ର ପାଖ ପଶିଲେନି । ଭଲ ହୋଇଛି କି ମନ୍ଦ ହୋଇଛି କାହାରି ପାଟିରୁ କିଛି ମନ୍ତବ୍ୟ ପ୍ରକାଶ ପାଇଲାନି । ତେବେ ଆଉ କ’ଣ ତ୍ରୁଟି ରହିଗଲାକି ? ଛାଡ଼, ହଳୁ, ମଫସଲିଆ, ବୁଡ଼ା–ଏମାନେ ସେଲୁନ୍‌ର ମହତ୍ତ୍ୱ କ’ଣ ବୁଝନ୍ତେ ।

 

ସେଲୁନ୍‌ର ଶୁଭ ଦିଆ ଦିନଠାରୁ ଆଜିକୁ ମାସେ ଚାରି ପାଞ୍ଚ ଦିନ ହେବଣି । ପ୍ରଥମେ ସେ ଚା ପାଣି ଖାଇ ସକାଳୁ ସେଲୁନ୍‌ ଖୋଲୁଥିଲା । କାଁଭାଁ ଯିଏ ଯେମିତି ଆସୁଥିଲେ ଖିଅର କରି ଦେଉଥିଲା । ଆଉ ସେହି ପଇସାରେ ରାମ ଓ ତା’ର ତିନିପ୍ରାଣୀ କୁଟୁମ୍ୱ ଯେମିତି ପ୍ରକାରେ ଚଳିଯାଉଥିଲେ ।

 

କିନ୍ତୁ ଏବେ ଆସ୍ତେ ଆସ୍ତେ ସେଲୁନ୍‌ର ଅବସ୍ଥା ଅଚଳ ହେବାକୁ ଲାଗିଲା । ତା’ର ସେ ଚିନ୍ତା, ଭାବନା, କଳ୍ପନା ଓ ଯୋଜନା ଉପରେ ଆଜି ଗୋଟାଏ ମସ୍ତବଡ଼ ପରଳ ମାଡ଼ି ଯାଇଛି । ସେଲୁନ୍‌ କାନ୍ଥରେ, ଛାତରେ, ବୁଢ଼ିଆଣୀ ବସା ଦିନକୁଦିନ ବଢ଼ି ଚାଲିଛି । ଚାଳ କଣା ହୋଇଗଲାଣି, ତା’ର ସେଥିପ୍ରତି ଲକ୍ଷ୍ୟ ନାହିଁ । ତା’ର ଆଜି ଗୋଟିଏ ଚିନ୍ତା । କେତେଦିନ ଆଉ ସେ ତା’ର ଗରାଖ ଈଶ୍ୱରଙ୍କୁ ଅପେକ୍ଷା କରି ବସିବ ? କେତେଦିନ ଏମିତି ତା’ର ପିଲା ଡହଳବିକଳ ହେବେ ? କେତେଦିନ ଆଉ ମୀନା ମା’ର ଶିଳନ୍‌ ଶିଳନ୍‌ ଭର୍ତ୍ସନା ସହିବାକୁ ପଡ଼ିବ ?

 

ତା’ର ପଡ଼ୋଶୀ ନରି, ସନେଇ ଓ ରଘୁ ଦାଦା, ସେମାନେ ତ ସେଲୁନ୍‌ କରିନାହାନ୍ତି, ତେବେ ତାଙ୍କ ଦୁଆରକୁ ତା’ ପିଲା, ମାଇପ ଦଉଡ଼ୁଛନ୍ତି କାହିଁକି ? କାହିଁକି ସେ ଆଜି ତା’ ଗାଁ ଲୋକଙ୍କ ଆଗରେ ପ୍ରଧାନ ଆଲୋଚ୍ୟ ସମସ୍ୟା ? କାହିଁକି ସେ ବୁଦ୍ଧିଦିଆ ପଧାନ ଆଉ ତା’ ସେଲୁନ୍‌କୁ ଆସୁନି ? ଆଉ ବୁଦ୍ଧି ଦଉନି, ଏଟା କର ସେଇଟା କର ବୋଲି କହୁନି କାହିଁକି ? କାହିଁକି ସେ ତା’ର ସେଲୁନ୍‌ର ଚଉକିରେ ବସି ଖାଲି ଆଗପଛ ଆଇନାରେ ନିଜର ମୁହଁଟାକୁ ଦେଖୁଛି । ବଲବଲ କରି ଅନେଇଛି ସେ ଅଇନାକୁ କାହିଁକି ? କାହିଁକି ?? କାହିଁକି ???

 

ଚିତ୍କାର, ଖାଲି ଚିତ୍କାର । ରାମର ନୁହେଁ, ତା’ର ସନ୍ତାନମାନଙ୍କର । କିଏ ବା ବାପା ବିଡ଼ି ଖାଇବ ବୋଲି ନିଆଁ ନେଇ ଆସି ଚିତ୍କାର କରୁଛି । ଆଉ କିଏ ‘‘ବା, ଏ ଫଟ କିଏ, ଏତ ମୋ ବୋଉ ନୁହେଁ, ସେ ବୁଡ଼ାର କ’ଣ ମୁହଁରେ ଗୋଟାଏ ଲାଙ୍ଗୁଳ ଓହଳିଛି ?

 

ରାମର ମନ ହେଉଥିଲା ତା’ର ସେଲୁନ୍‌ରୁ ଦାଢ଼ୁଆ ଖୁରଟା ବାହାର କରି ଚର କରି ସେ ଛୁଆଟାର ବେକକୁ କାଟିପକାନ୍ତା । ସେ ବି ତାକୁ ଉପହାସ କରୁଛି । ସେ କହୁଛି ଗଣେଶଙ୍କ ଶୁଣ୍ଢକୁ ଲାଙ୍ଗୁଳ ଆଉ ସରସ୍ୱତୀଙ୍କୁ ବୋଉ । ହଁ ସମସ୍ତେ ତ ତାକୁ ଉପହାସ କରୁଛନ୍ତି, ତା’ର ଉନ୍ନତିକୁ କେହି ସହିପାରୁନାହାନ୍ତି । ଏ ପିଲାଗୁଡ଼ାକ ବା କାହିଁକି ନ କରିବେ ।

 

ଖାଲି ଭାବୁଛି.....ଭାବୁଛି । ତା’କଥା...ସେଲୁନ୍‌ କଥା, ତା’ର ଦାଢ଼ୁଆ ଖୁର କଥା । ଏହି ଭାବନା ଭିତରେ ତା’ର ବିଡ଼ିରୁ ନିଆଁ ଫଟ ଦି’ଟା ଜଳିବାକୁ ଲାଗିଲେଣି । ସେଥିପ୍ରତି ତା’ର ଭ୍ରୂକ୍ଷେପ ନାହିଁ । ଫଟ ଜଳି ତା’ର ଘରେ ନିଆଁ ଲାଗିଲାଣି, ତଥାପି ସେ ସେଇ ଚୌକିରୁ ଉଠିନି । କିନ୍ତୁ ସେ ବସିଛି କାହିଁକି ? ନିଜକୁ କ’ଣ ସେଲୁନ୍‌ ନିମିତ୍ତ ପୂର୍ଣ୍ଣାହୂତି ଦେବ, ନା ଆଖି ଲୁହରେ ବିସ୍ତାରିତ ଶିଖାକୁ ନିର୍ବାପିତ କରିବ । ସେଲୁନ୍‌ରୁ ଓହ୍ଲାଇଯାଇ ସେ ଦେଖିବାକୁ ଯିବ ତା’ର ଅର୍ଦ୍ଧଦଗ୍ଧ ସେଲୁନ୍‌କୁ–ଯାହାକୁ ସେ ଅତି ଯତ୍ନସହକାରେ ନିଜ ହାତରେ ତିଆରି କରିଛି ନା....ସେ ଯିବନି । ସେଲୁନ୍‌ ଭାଙ୍ଗିଗଲା ପରେ ସେ କ’ଣ କରିବ ? ହାତରେ ଯେଉଁ ସବୁ ଘର ଥିଲା । ସେତକ ତ ସେଲୁନ୍‌ କରିବା ଦିନଠାରୁ ହରାଇ ବସିଲା । ଗାଁକୁ ଗଲେ ଲୋକମାନେ ତ ପଚାରିବେ–‘‘କିରେ, ତୋର ସେଲୁନ୍‌ କୁଆଡ଼େ ଗଲା । କ’ଣ କହିବ ସେମାନଙ୍କୁ । ସେ ଆଉ ମୁହଁ ଦେଖାଇ ପାରିବ ତ-? ନା.....ନା.....ସେ ମରିବ । ଏହି ନିଆଁରେ ସେ ଜୀବନ ଦେବ ।

 

ସେତେବେଳକୁ ସେଲୁନ୍‌ର ଶିଖା ନିଷ୍କ୍ରିୟ ହୋଇଯାଇଥିଲା । ଆଉ ତା’ର ଅନତିଦୂରରେ ରାମର ସଂଜ୍ଞାହୀନ ଶରୀର ପ୍ରତି ପଡ଼ୋଶୀଙ୍କ ବ୍ୟଗ୍ର ମନୋଭାବ ଫୁଟି ଉଠୁଥିଲା ।

 

ବ୍ୟାଚଲର୍ସ ବାରକ୍‌, ୟୁନିଟ୍‌–୮

ଭୁବନେଶ୍ୱର

୧୦–୨–୭୫

Image

 

ପ୍ରତିଗଳ୍ପ

ଏକବଚନ : ପ୍ରଥମ ପୁରୁଷର

 

ମୁଁ ମରିଛି....ତମେ ମରିଛ...ସେମାନେ ସମସ୍ତେ ମରିଛନ୍ତି.....ଆମେ ସମସ୍ତେ କାଲି ମରିଯାଇଛୁ । ଆମର ଶବ ଏପର୍ଯ୍ୟନ୍ତ ପଡ଼ି ପଡ଼ି ସଢ଼ୁଛି । ଇସ୍‌ କି ଯନ୍ତ୍ରଣା, କି ଯମଦଣ୍ଡ ମଲା ପରେବି.... । କେହି ଆମକୁ ଆଉ ପଚାରୁ ନାହାଁନ୍ତି ।

 

ଆଜି ଅତୀତ କଥା ମୁଁ ଭାବୁଛି–ମୋର ପ୍ରତିପତ୍ତି–ମାନସମ୍ମାନ...ମୋର ଅତ୍ୟାଚାର.....ଶୋଷଣ...ମୋର ଟଙ୍କା.....ବ୍ୟାଙ୍କd ବାଲାନ୍‌ସ୍‌ ଆଜି କିନ୍ତୁ କିଛି ନାହିଁ । ଆଜି ମୁଁ ମରି ଯାଇଛି । ମାତ୍ର ମୋ ହାତରେ ମାତ୍ର ତିନିହାତ ଅଧେ ଜାଗା ମାଡ଼ି ବସି ପାରିଛି, ଆଉ କିଛି ପାରିଲିନି । ସବୁ ଛାଡ଼ି ଚାଲିଗଲି । x x

 

x x ଏତେ ଟଙ୍କାପଇସା ସବୁ ଅନ୍ୟମାନେ ମାରିପିଟି ଖାଇଯିବେ...ଶୋଷଣ କରି ଖାଇଯିବେ । ମତେ ଆଉ କେହି ପଚାରିବେନି । କି ନିମକହାରାମ ଏମାନେ ? ସେମାନେ ଟିକିଏ ଭାବୁନାହାନ୍ତି ମୋ କଥା....ମୋ ଟଙ୍କା ଖାଇ ସେମାନେ ଆଜି ବଡ଼ଲୋକ ହେଉଛନ୍ତି ।

 

ଆଉ କିଛି ସମୟ ପରେ ମୋର ଶରୀରଟା ପଚି ପଚି ମିଳେଇଯିବ.....ମାଟିରେ ମିଶିଯିବ । କାଉ ଶାଗୁଣା ହେଲେ ଖାଇ ଦିଅନ୍ତେ । ସେମାନେବି ମତେ ଖାଉନାହାନ୍ତି । ମୋ ଶରୀରକୁ ସେମାନେବି ଛୁଇଁବାକୁ ନାରାଜ ।

 

ମୁଁ ମରିଯାଇଛି...ମୋ ଅତୀତଟା ମରିଯାଇଛି । ସେଦିନ ରୂପସୀ ଚନ୍ଦ୍ରଭାଗାର ରୂପରେ ଆକୃଷ୍ଟ ହୋଇ ମୁଁ ତା’ର ସତୀତ୍ୱ ଅପହରଣ କରିବାକୁ ଚେଷ୍ଟା କରିଥିଲି । ଫଳରେ ସେ ଆତ୍ମହତ୍ୟା କଲା । ମୋର ବିରାଟ ସୂର୍ଯ୍ୟ ମନ୍ଦିର ଅଭିଶାପରେ ଭୁଷୁଡ଼ି ପଡ଼ିଲା । ମୋର ମାନ ସମ୍ମାନ ଗଲା । ସମସ୍ତଙ୍କ ଆଖିରେ ମୁଁ ଆଜି ଘୃଣ୍ୟ, ପ୍ରତାରକ, ଲମ୍ପଟ । x x x

 

ମୁଁ କେଦାର କହୁଛି...ମୋର ପ୍ରିୟତମା ଗୌରୀ....ତା’ପାଇଁ, ତା’ର ତୃଷ୍ଣା ମେଣ୍ଟାଇବା ପାଇଁ ବିପଦକୁ ବରଣ କରି ଜଳପାଇଁ ଗଲି । ବାଟରେ ବାଘ ଖାଇଲା....ଗୌରୀକୁ ଛାଡ଼ି ଚାଲିଗଲି-। ପରେ ଶୁଣିଲି ଗୌରୀ ମୋପାଇଁ ଆତ୍ମହତ୍ୟା କରିଛି । ସେ ମତେ ଖୁବ୍‌ ଭଲ ପାଉଥିଲା.....ମୁଁ ବି ତାକୁ ଭଲ ପାଉଥିଲି...ହଁ.....ମୁଁ ବି । x x x

 

ମୁଁ ଚୋଡ଼ଗଙ୍ଗ ଦେବ । ସେଦିନ ଯାଇଥିଲି ଉତ୍କଳର ରାଜା ସୁବର୍ଣ୍ଣ କେଶରୀଙ୍କ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ । ମୋର ଯୁଦ୍ଧ କୌଶଳ, ମୋର ରୂପଲାବଣ୍ୟରେ ମୁଗ୍ଧ ହେଲା ନନ୍ଦୀକା । ନିର୍ଜନରେ ଆସିଥିଲା ସେଦିନ ମୋ ପାଖକୁ ପ୍ରଣୟ ଭିକ୍ଷାପାଇଁ । ରାଜଦ୍ରୋହୀ...ଦେଶଦ୍ରୋହୀ.....ପିତୃଦ୍ରୋହୀ କହି ଫେରାଇ ଦେଇଥିଲି ତାକୁ । ତା’ପରେ...ଆତ୍ମହତ୍ୟା କଲା ସେ । ତା’ର ଖରନିଃଶ୍ୱାସ ଆଜି ମୋ ଉପରେ ପଡ଼ିଛି...ମୁଁ ଜଳୁଛି...ମୋର ଅନ୍ତର ଜଳୁଛି । x x x

 

ମୁଁ ରାଜା ଗଙ୍ଗେଶ୍ୱର କହୁଛି । ମୋପାଇଁ ଆଜି ମୋ କନ୍ୟା ଆତ୍ମହତ୍ୟା କରିଛି । ହାୟ ! ମୁଁ କ’ଣ ନକଲି । ଜନ୍ମଦାତା ହୋଇ ଯାହାକୁ ସୃଷ୍ଟି କରିଥିଲି ତାକୁ ନିଜ ହାତରେ ଧ୍ୱଂସ କରିଦେଲି । ପିତା ହୋଇ ଝିଅର ରୂପଯୌବନରେ ଅନ୍ଧହେଲି । ସେ ମୋତେ ଆରପୁରରେ ଥାଇ ଅଭିଶାପ ଦେଉଛି...ସେ ବି ମୋର ମୃତ୍ୟୁ କାମନା କରୁଛି । x x x

 

ମୁଁ ରାମଚନ୍ଦ୍ର ମଙ୍ଗରାଜ । ମୁଁ ଶାରୀଆ ଭଗିଆଙ୍କ ଧନକୁ ଅପହରଣ କରିଛି । ମୁଁ ନାଜର ନଟବର ଦାସ । ଲୋକମାନଙ୍କର ତଣ୍ଟି ଚିପି କୋଠା କରିଛି.....

 

ମୁଁ ଆଜି ମରିଛି । ମୋ ଶବ ପଚି ପଚି ସଢ଼ୁଛି । କେହି ଛୁଉଁ ନାହାନ୍ତି । କେହି ମୋ ପାଖକୁ ଆସୁନାହାନ୍ତି...ମୁଣ୍ତ ପିଟୁନାହାନ୍ତି । x x x

 

ମୁଁ ଆଜି ଅତୀତର ସେ ମଲା ଖୋଳରୁ ବାହାରି ଆସିଛି । ନୂଆ ରୂପ ନେଇଛି । ଲୋକମାନଙ୍କ ମନକୁ ପାଇଲା ପରି କଥା କହିଛି...କାମ କରିଛି । ସେମାନଙ୍କ ପାଇଁ ମୋ ଜୀବନକୁ ଉତ୍ସର୍ଗ କରିଛି । ସେମାନଙ୍କର ଦୁଃଖ ଦେଖି ଅଧୀର ହୋଇ ପଡ଼ିଛି । ଆଖିରୁ ଲୁହ ଝରାଇଛି...ମୁଁ ବର୍ତ୍ତମାନ ଦେଶ ସେବୀ....ସମାଜ ସଂସ୍କାରକ....ଧାର୍ମିକ । ମୋ ମୁହଁରେ ସବୁବେଳେ ସାମ୍ୟବାଦର ସ୍ଳୋଗାନ୍‌ । x x x

 

ମୁଁ ଆଉ ମରୁନି । ମୁଁ ମଲେବି ଲୋକମାନେ ଜୀବଦାନ ଦେଇ ଦେଉଛନ୍ତି । ସେମାନେ ଚାହୁଁନାହାନ୍ତି ମୋର ମୃତ୍ୟୁ । ମୋର ଶବ ଆଉ ଖରା ବର୍ଷାରେ ପଡ଼ି ସଢ଼ୁନାହିଁ । ମୋର ଶବ ଆସ୍ତେ ଆସ୍ତେ ବଢ଼ୁଛି । ମୋର ଶବର କାୟା ଆସ୍ତେ ଆସ୍ତେ ପ୍ରକାଣ୍ଡ ରୂପ ଧାରଣ କରୁଛି ।

 

ମୁଁ ଅତୀତ ନୁହେଁ ବର୍ତ୍ତମାନ । ମୋର ଆଉ ସେ ଅତୀତ ପ୍ରତି ଲୋଭ ନାହିଁ । ମୁଁ ଅତୀତକୁ ଚାହେଁନା... ।

 

ମୁଁ ହିପ୍‌ପି...ମୁଁ ବିପ୍ଳବୀ...ମୋର ସମାଜରେ ବଞ୍ଚିବାର ଅଧିକାର ଅଛି...ଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ମୋର ପ୍ରତିବାଦ କରିବାର ଅଧିକାର ଅଛି । ମୁଁ ଅନ୍ୟମାନଙ୍କ ପରି ବଞ୍ଚିବାକୁ ଚାହେଁ...ଏ ସମାଜରେ ଜଣେ ନାଗରିକ ମୁଁ.... । ଏ ସମାଜ, ଏ ଦେଶ ମୋର... । ମୁଁ ତିଆରି କରିବି ଶାସନ–ମୋପାଇଁ...ମୁଁ ହେଉଛି ମୁଁ...ମୋର...ମୋପାଇଁ.... ।

 

ଭୁବନେଶ୍ୱର

୪–୫–୭୫

Image

 

ପରଦାର ଅନ୍ତରାଳେ

 

–ତୋ ଦୃଷ୍ଟିରେ ଜୀବନଟା ଖୁବ୍‌ ବଡ଼ ଆଉ ମୂଲ୍ୟବାନ, ନା ?

 

–ତଥାପି ନୁହେଁ ଆଉ କ’ଣ । ତୁ ସିନା ଡାକ୍ତରୀ ପଢ଼ୁଥିଲୁ ଯେ–ଜୀବନକୁ ନେଇ ଖେଳ ଖେଳିବା ତୋର ଗୋଟାଏ ସଉକ । ଗୋଟାଏ ଜିଅନ୍ତା ହେଉ କି ମଲା ହେଉ, ତା’ର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ, ଶିରା, ପ୍ରଶିରାକୁ ବ୍ୟବଚ୍ଛେଦ କରି ତୁ ଖୋଜିବୁଲୁ ଜୀବନର ଆରମ୍ଭ ଆଉ ଶେଷ କେଉଁଠି । ତୁ ହୁଏତ ଜୀବନକୁ ଖୋଜୁ–ଆଖି, ନାକ, ପାଟି, ଫୁସ୍‌ଫୁସ୍‌, ହୃତ୍‍ପିଣ୍ଡ ଆଉ ଏଲିମେଣ୍ଟାରି କେନାଲ ଭିତରେ । କିନ୍ତୁ ମୁଁ ଗୋଟାଏ କଳାର ପୃଷ୍ଠପୋଷକ । କଳା ଭିତରେ ମୁଁ ଦେଖେ ଜୀବନ । କଳା ଆଉ ମୁଁ.... । ମୁଁ ଆଉ ଜୀବନ । ଜୀବନ ଆଉ କଳା । କଳା ଯେଉଁଠି ଜୀବନ୍ତ ପ୍ରାଣବନ୍ତ, ହୃଦୟସ୍ପର୍ଶୀ, ସେଇଠିହିଁ ଥାଏ ଜୀବନ । ତେଣୁ ମୋ ଦୃଷ୍ଟିରେ ଜୀବନଟା ଖୁବ୍‌ ମୂଲ୍ୟବାନ ନ ହୋଇ ଆଉ କ’ଣ ହୋଇ ପାରିଥାନ୍ତା ବୋଲି ଭାବୁଥିଲୁ ତୁ ?

 

–ତୁ ଏମିତି ହଠାତ୍‌ ଦର୍ଶନର ଯୁକ୍ତି ଦେଖାଇବୁ ବୋଲି ଜାଣିଥିଲେ ମୁଁ ଆଉ ଏ ପ୍ରସଙ୍ଗ ଉତ୍ଥାପନ କରି ନଥାନ୍ତି ।

 

–ମୁଁ କେବଳ ମୋର ବ୍ୟକ୍ତିଗତ ଦୃଷ୍ଟିକୋଣ ନେଇ ଯୁକ୍ତି କରୁଥିଲି ସୁରେଶ । ଅବଶ୍ୟ ଜୀବନକୁ ଅନେକ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି ।

 

–ଆଚ୍ଛା ଛାଡ଼ ସେ କଥା । ତୁ ବର୍ତ୍ତମାନ କ’ଣ କରୁଛୁ ?

 

–ଆଉ କ’ଣ କରିବି । ଆଠ ଦଶବର୍ଷ ଧରି ବାପ ମା’ଙ୍କର ଟଙ୍କାପଇସା ଏପର୍ଯ୍ୟନ୍ତ ଖର୍ଚ୍ଚ କରି ସାରିଲିଣି । କିନ୍ତୁ ବର୍ତ୍ତମାନ ବେକାର । ତୁ ସିନା ବିଜ୍ଞାନର ଛାତ୍ର । ଯୁଗ ରୁଚି ଅନୁଯାୟୀ ତାଳଦେଇ ଆଗେଇ ପାରିଛୁ । କିନ୍ତୁ ମୁଁ ଏ ଯୁଗର ବହୁତ ପଛରେ ପଡ଼ିଯାଇଛି । ଯେଉଁଠି କଳାର ମୂଲ୍ୟ ନାହିଁ, ଯେଉଁଠି କଳା ବିଡ଼ମ୍ୱିତ ସେଠି ଗୋଟାଏ ସାମାନ୍ୟ କଳାର ଛାତ୍ରକୁ ଚାକିରି ମିଳୁଛି କେଉଁଠି ? ...ଆଚ୍ଛା ତୁ ବର୍ତ୍ତମାନ କ’ଣ କରୁଛୁ ?

 

–ଅବଶ୍ୟ ଗୋଟାଏ ଚାକିରି ଯୋଗାଡ଼ କରି ପାରିଛି । କିନ୍ତୁ...

 

–କିନ୍ତୁ ଆଉ କ’ଣ । ଏ ଯୁଗରେ ଚାକିରିଟେ ପାଇ ଯାଇଛୁ, ସେତିକି ଯଥେଷ୍ଟ । ଅନ୍ତତଃ ବାପା ମା’ଙ୍କର ଋଣ ପରିଶୋଧ କରି ପାରିବାକୁ ସକ୍ଷମ ହୋଇ ପାରିବୁ । ତା’ଛଡ଼ା ସ୍ୱାଧୀନ ମନ, ସ୍ୱାଧୀନ ଚିନ୍ତା ନେଇ ସମାଜରେ ଆଗେଇ ଯାଇ ପାରିବୁ ।

 

–କିନ୍ତୁ ଚାକିରିଟା ଯୋଗାଡ଼ କରି ମୁଠା ମୁଠା ଟଙ୍କା ରୋଜଗାର କଲେ ମଣିଷ କେବେ ସମାଜରେ ମଣିଷ ହୋଇ ପାରେନା ନିହାର । ସମାଜକୁ ଖାପ ଖୁଆଇ ଆଗେଇ ଯିବାକୁ ହେଲେ, ମନ ପ୍ରାଣକୁ ସମାଜ ସହିତ ସାମିଲ କରିଦେବାକୁ ପଡ଼ିବ । ସମାଜର ନାନାପ୍ରକାର ସମସ୍ୟାକୁ ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ମୁଁ ତ ସେ ସବୁକୁ ବରଦାସ୍ତ କରିପାରିବିନି ।

 

–ମାନେ,....ତୁ କ’ଣ କହିବାକୁ ଚାହୁଁ ।

 

–ତୋ ଜୀବନରେ କେବେ ସମସ୍ୟା ଆସିଛି ନିହାର...

 

–ସମସ୍ୟା ?

 

–ହଁ, ଏମିତି ଜୀବନରେ ପ୍ରତି ମୁହୂର୍ତ୍ତ....ସ୍ତର...ଆଉ ଅବସ୍ଥାରେ ?

 

–ତୁ ତ ବିଜ୍ଞାନର ଛାତ୍ର । ସମସ୍ୟାଟାକୁ ତୁ ବେଶି ଉପଲବ୍ଧି କରିପାରିଥିବୁ । ଯେଉଁଠି ସମସ୍ୟା ନାହିଁ ସେଠି ଜୀବନ, ଜୀବନ ନୁହେଁ । ଯେଉଁ ଜୀବନରେ ସମସ୍ୟା ଆସେ ସେ ଜୀବନ ହୁଏ ଋଦ୍ଧିମନ୍ତ, ଉନ୍ନତ । ଆଚ୍ଛା ଭାବିଲୁ ଥରେ ବଡ଼ବଡ଼ ବୈଜ୍ଞାନିକ–ଡାଲ୍‌ଟନ୍‌, ନିୟୁଟନ୍‌, ରାଇଟ୍‌ ବ୍ରଦର୍ସ ଆଉ ଷ୍ଟିପେନ୍‌ସନ୍‌ ପ୍ରଭୃତିଙ୍କ କଥା । ଷ୍ଟିପେନ୍‌ସନ୍‌ତ ଦିନେ ଭାତହାଣ୍ଡିରୁ ସୃଷ୍ଟି ହେଉଥିବା ବାଷ୍ପରୁ ରେଳ ଇଞ୍ଜିନ୍‌ ସୃଷ୍ଟି କରିଥିଲେ । ମାର୍କୋନିତ ପୁଣି ନଈରେ ଟେକା ପକାଉ ପକାଉ ସୃଷ୍ଟି ତରଙ୍ଗରୁ ରେଡ଼ିଓ ଯନ୍ତ୍ର ଉଦ୍ଭାବନ କରିଥିଲେ । ତାଙ୍କ ଜୀବନରେ, ତାଙ୍କ ମନରେ ଯଦି ସମସ୍ୟାର ସୃଷ୍ଟି ହୋଇପାରି ନଥାନ୍ତା ତେବେ ସେ ଆଜି ଏତେ ବଡ଼ ହୋଇପାରି ନଥାନ୍ତେ ।

 

–ତା’ ତ ଠିକ୍‌ । କିନ୍ତୁ ତା’ର ତ ପୁଣି ଭଲମନ୍ଦ ଦୁଇଟି ଦିଗ ଅଛି । ସମସ୍ତଙ୍କ ଜୀବନରେ କ’ଣ ଏମିତି ଭଲ ଦିଗଟା ଆସିବ ?

 

–ତୁ ଏତେ ଅସ୍ପଷ୍ଟ ହୋଇ ଉଠୁଛୁ କାହିଁକି ? କ’ଣ ହୋଇଛି କହୁନୁ ? ଗୋଟାଏ ସାଙ୍ଗ ପାଖରେ ଯଦି ମନକଥାକୁ ଖୋଲି ନ କହି ପାରିବୁ ତେବେ ଆଉ କାହା ପାଖରେ କହିବୁ । ଜୀବନର ଅକୁହା କଥାକୁ କେବଳ ସାଙ୍ଗ ଛଡ଼ା ଆଉ କାହା ପାଖରେ ପ୍ରକାଶ କରି ହୁଏନି ବୋଧହୁଏ ।

 

–ତୁ ତୋ ଜୀବନରେ ଝିଅମାନଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛୁ ନିହାର ?

 

–ମାନେ...

 

–ଝିଅମାନଙ୍କୁ ପାଖକୁ ଟାଣିଆଣି ପୁଣି କେବେ ପ୍ରତାରଣା କରି ପାରିଛୁ ?

 

–କ’ଣ କହିବାକୁ ଚାହୁଁଛୁ ତୁ ?

 

–କୌଣସି ଝିଅଦ୍ୱାରା କେବେ ପ୍ରତାରିତ ହୋଇଛୁ ?

 

–‘ଜୀବନ’ର ଦୀର୍ଘ ସମୟ ଦାର୍ଶନିକ ଚିନ୍ତା ଛାଡ଼ି ହଠାତ୍‌ ପାରିବାରିକ ଜୀବନକୁ ବ୍ୟବଚ୍ଛେଦ କରିବାକୁ ଆରମ୍ଭ କରି ଦେଲୁଣି ତ ଦେଖୁଛି । କ’ଣ ହୋଇଛି ତୋର ?

 

–ହବ ଆଉ କ’ଣ । ସମସ୍ତଙ୍କ ଜୀବନରେ ଯାହା ହୁଏ ସେଇଆ ହୋଇଛି । ଜୀବନରେ ଅନେକ ଉପନ୍ୟାସ ପଢ଼ିଥିଲି । ପୁଅ ଝିଅଙ୍କର ଅନେକ ପ୍ରେମ କାହାଣୀ ପଢ଼ିଥିଲି । ରାଜକୁମାର ରାଜକୁମାରୀଙ୍କର ପ୍ରଣୟଦୀପ୍ତ ଗପବି ପଢ଼ିଥିଲି । ଜାଣିଥିଲି ‘‘ପ୍ରେମରେ ପ୍ରତାରିତ ହେଲେ ନାରୀ ଦୁଃଖପାଏ କିନ୍ତୁ ପ୍ରେମରେ ପ୍ରତାରଣା କରିପାରିଲେ ଜୀବନରେ ସବୁଠାରୁ ବଳି ସୁଖୀ ହୁଏ ।’’ ଭାବିଥିଲି ଲେଖକମାନେ ତରୁଣ ତରୁଣୀଙ୍କ ମନ ନେବାପାଇଁ କିମ୍ୱା ସେମାନଙ୍କ ବହିର କାଟତିପାଇଁ ଏମିତି ମନଗଢ଼ା ଉପନ୍ୟାସମାନ ସୃଷ୍ଟି କରିଥାନ୍ତି । କିନ୍ତୁ ଆଜି ମୁଁ ଦେଖୁଛି ସେଗୁଡ଼ା ତାଙ୍କର ମନଗଢ଼ା ନୁହେଁ । ଅଙ୍ଗେ ଲିଭାଇବା କଥାକୁ ସେମାନେ ବେଶି ରୂପ ଦେବାକୁ ଚେଷ୍ଟା କରନ୍ତି ।

 

–କଥାଗୁଡ଼ାକ ଏମିତି ଅଧା ଅଧା ରଖି ଦେଉଛୁ କାହିଁକି ? ଜୀବନରେ ଯଦି କିଛି ଅବସୋସ ରହିଯାଇଥାଏ, ତାକୁ ଅନ୍ୟ ଜଣକ ଆଗରେ ପ୍ରକାଶ କରିଦେଲେ, ମନର ସମସ୍ତ ଗ୍ଳାନି, ଦୁଃଖକୁ ମଣିଷ ଭୁଲିଯାଏ ।

 

–ମନ ଭିତରେ ଯେଉଁ ଅନୁଶୋଚନାର ରେଖା ଟାଣି ହୋଇଯାଏ ସେଇଟାକୁ ଲିଭେଇବା ଏତେ ସହଜ ନୁହେଁ ନିହାର । ଖାଲି ଘଷି ଘଷି କଥାଟା ବଢ଼ିବ ସିନା, ତା’ର ଶେଷ ନାହିଁ-

 

–କହିଲେ କ’ଣ କିଛି ଦୋଷ ଅଛି ? ହୁଏତ ମୁଁ କିଛି ଉପାୟ ବତାଇ ଦେଇ ପାରିବି ?

 

–ଶୁଣି ତୋର କିଛି ଲାଭ ହେବନି ନିହାର । ତଥାପି ଯଦି ଶୁଣିବାକୁ ଚାହୁଁଛୁ, ତେବେ ମୁଁ ମୋର ଜୀବନର ସବୁଯାକ ଅଧ୍ୟାୟ କହି ଯାଉଛି । ତୁ ହୁଏତ ତାହାରି ଭିତରୁ ଖୋଜିବୁ ମୋ ଜୀବନଟାର, ମୋ ନିକଟରେ ମୂଲ୍ୟ କେତେ ? x x x

 

ସେତେବେଳେ ମୁଁ ଥାଏ ମେଡ଼ିକାଲ କଲେଜର ଶେଷ ବର୍ଷର ଛାତ୍ର । ସେଦିନ କଲେଜର ବାର୍ଷିକୋତ୍ସବ ଚାଲିଥାଏ । ଦୀର୍ଘ ତିନି ଦିନ ଧରି ଚାଲିଥିଲା ଉତ୍ସବଟି । ସେଦିନ କିନ୍ତୁ ଆମ ଛାତ୍ରମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ହେଉଥାଏ । ମୁଁ ମୋର ବକ୍ତୃତା ଦେଇସାରିଲା ପରେ ଦର୍ଶକ ଗାଲେରୀରେ ଆସି ବସିଥାଏ । ମୋ ଦୁଇ ପାଖରେ ଆମ କ୍ଲାସ୍‍ର ଆଉ ତଳ କ୍ଲାସ୍‍ର ପୁଅ ଝିଅମାନେ ବସିଥାନ୍ତି । ସେଦିନ ପ୍ରତିଯୋଗିତା ସରିଲାପରେ ପ୍ରଧାନ ଅତିଥି ଘୋଷଣା କଲେ ମୁଁ ପ୍ରତିଯୋଗିତାରେ ପ୍ରଥମ ହୋଇଛି । ମଞ୍ଚ ଉପରକୁ ସିଲ୍‌ଡ଼ ଆଣିବାକୁ ଯାଇଥିଲି ସାଙ୍ଗ ପିଲାମାନଙ୍କର ଉଚ୍ଛ୍ୱସିତ ପ୍ରଶଂସା ଆଉ ତାଳି ମାଡ଼ରେ ଅତିଷ୍ଟ ହୋଇ ପଡ଼ିଥିଲି ସେଦିନ । ସେଦିନର କାର୍ଯ୍ୟକ୍ରମ ସରିଲା ପରେ ହଷ୍ଟେଲ୍‍କୁ ଫେରି ଯାଇଥିଲି ଏକାଏକା । x x x

 

–ଟିକିଏ ଶୁଣିବେ କି ?

 

ବୁଲି ଚାହିଁଲି । ଆମ ତଳ କ୍ଲାସ୍‍ର ଗୋଟିଏ ଝିଅଟିଏ ଠିଆ ହୋଇ ହୋଇ ମତେ ଡାକୁଛି । ହାତରେ ମୋ କଳା ରଙ୍ଗର ଡାଇରିଟି । ତା’ ହାତରେ ମୋ ଡାଇରିଟି ଦେଖି ଆଶ୍ଚର୍ଯ୍ୟ ହେଲି । ଡାଇରି ତା’ ପାଖକୁ ଆସିଲା କେମିତି ? ମନେ ପଡ଼ିଗଲା, ସିଲ୍‍ଡ଼ ଆଣିବାକୁ ଗଲାବେଳେ ଦର୍ଶକ ଗାଲେରୀରେ ବସିଥିବା ଚେୟାର ଉପରେ ଛାଡ଼ିଦେଇ ଆସିଥିଲି । ଆଉ ବୁଝିବାକୁ କିଛି ବାକି ରହିଲାନି ମୁଁ ତା’ ପାଖକୁ ଗଲି । ସେ ଡାଇରିଟି ବଢ଼ାଇ ଦେଉ ଦେଉ କହିଲା–

 

–ଆପଣ ଅଡ଼ିଟୋରୀୟମ୍‌ରେ ଛାଡ଼ି ଦେଇ ଆସିଥିଲେ । ମୁଁ ଆପଣଙ୍କ ପାଖ ଚେୟାରରେ ବସିଥିଲି । କିଛି ମନେ କରିବେନି ।

 

–ବହୁତ ଧନ୍ୟବାଦ ।

 

ଧନ୍ୟବାଦଟି ଦେଇ ତା’ଠାରୁ ଡାଇରିଟି ଆଣିଲି । ସିଧା ହଷ୍ଟେଲ୍‍କୁ ଚାଲିଆସିଲି । ଆଉ ପଛକୁ ମଧ୍ୟ ଚାହିଁନି ।

 

ତା’ ଦିଦିନ ପରେ କ୍ଲାସ୍ ରୁମ୍‌ରୁ ସେହି ଝିଅଟି ବାହାରି ଆସୁଥିବାର ଦେଖିଲି । ସେ ମୋତେ ଦେଖି ହସିଦେଇ ନମସ୍କାରଟିଏ ପକାଇ ଅନ୍ୟ କ୍ଲାସ୍‌ ରୁମ୍‌କୁ ଚାଲିଗଲା ।

 

ଘନିଷ୍ଠତା ବଢ଼ିଗଲା ଆସ୍ତେ ଆସ୍ତେ ତା’ ସହିତ ମୋର । ଲିଜର୍‌ ସମୟ ଦେଖି ମୋ ପାଖକୁ ଆସେ ବହି ମାଗିବା ବାହାନାରେ ତ, ପୁଣି କେବେ ପାଠ ବୁଝିବାପାଇଁ । ଏମିତି କେତେ ଦିନ ଚାଲିଗଲା । ଘନିଷ୍ଠତାଟା ଏତେ ଚାଲି ଆସିଲା ଯେ କେହି କାହାକୁ ଦିନେ ନ ଦେଖିଲେ ଅଧୀର ହୋଇଗଲୁ । ତା’ର ନିମନ୍ତ୍ରଣ ରକ୍ଷା କରି ମୁଁ ଯାଇଥାଏ ତା’ ଘରକୁ । ତାଙ୍କ ଘରେ ତା’ର ବାପା ମା’ଙ୍କର ବାତ୍ସଲ୍ୟ ସ୍ନେହ ଆମ ଦୁଇ ଜଣଙ୍କୁ ଆହୁରି ପାଖକୁ ପାଖକୁ ଟାଣି ନେଇଥିଲା । ନିମନ୍ତ୍ରଣ ନ କଲେ ସୁଧା ଅନେକ ଥର ମୁଁ ଯାଇଛି ତାଙ୍କ ଘରକୁ । ଏମିତି ଅନେକ ଦିନ ହସଖୁସିରେ କଟିଗଲା ଆମ ଦୁଇଜଣଙ୍କର । ମୋର ପରୀକ୍ଷା ଥାଏ ଆଉ ଚାରିମାସ ମାତ୍ର । ପଢ଼ାପଢ଼ିବି କରୁଥାଏ ।

 

ତା’ପରେ ଆଉ ଦିନକର କଥା । ସେକଥା ମନେ ପଡ଼ିଲେ ଯେତିକି ରାଗ ଆସୁଛି ସେତିକି ଦୟା ଆସୁଛି ସେ ଝିଅ ଜାତିଟା ଉପରେ ।

 

–ତୁ କହୁ କହୁ ଏତେ ଇମୋସନାଲ୍‌ ହୋଇ ଉଠୁଛୁ କାହିଁକି ସୁରେଶ । କହ କ’ଣ ହେଲା ତା’ପରେ ? x x x x

 

ସେଦିନ ମୁଁ କଲେଜକୁ ଯାଇଥାଏ । ଦେଖିଲି କଲେଜର କାନ୍ଥ ବାଡ଼ ସବୁଆଡ଼େ ସୁଜାତା ଆଉ ମୋ ନାଁରେ ନାନାପ୍ରକାର ଅଶ୍ଳୀଳ କଥାମାନ ପ୍ରଚାର କରାଯାଇଛି । ମୁଁ କଲେଜ ଗଲାମାତ୍ରେ ଆଗପରି ସାଙ୍ଗମାନେ ମୋ ପାଖକୁ ଦୌଡ଼ି ଆସୁନାହାନ୍ତି କି Congratulation ଜଣାଉ ନାହାନ୍ତି । ମତେ ଦେଖି ନ ଦେଖିଲା ପରି ଆଖିରେ ଅନାଉଛନ୍ତି । ଝିଅପିଲାମାନେ ଦଳଦଳ ହୋଇ ମତେ ଏକଲୟରେ ଚାହିଁ ରହିଛନ୍ତି । ମତେ ଜଣାଗଲା ଯେମିତି ସମସ୍ତେ ଏକାବେଳେକେ ମତେ ଗ୍ରାସ କରିଯିବେ । ମୁଁ ନିଜକୁ ଅସହାୟ ମନେକଲି, ଆଉ କ୍ଲାସ୍‍କୁ ନ ଯାଇ ସିଧା ହଷ୍ଟେଲ୍‍କୁ ପଳାଇ ଆସି ରୁମ୍‌ରେ ଚୁପ୍‌ଚାପ୍‌ ଶୋଇପଡ଼ିଲି ।

ଶୋଇ ଶୋଇ ଭାବୁଥାଏ ମୋ କଥା, ସୁଜାତା କଥା, ତା’ର ମୋର ସମ୍ପର୍କର ଆରମ୍ଭ କେଉଁଠି, ଗତି କ’ଣ । ସେ ଯଦି ଏହି ପୋଷ୍ଟରଗୁଡ଼ିକ ଦେଖିଥିବ ତା’ର ଅବସ୍ଥା କ’ଣ ହୋଇଥିବ....ବହୁତ ଦୟା ଆସିଲା ତା’ ପ୍ରତି । ତା’ପରେ ଭାବୁଥାଏ, ପିଲାମାନେ ଈର୍ଷାରେ ଲେଖନ୍ତୁ କି ଯାହାହେଉ, ସେମାନେ କ’ଣ ମିଛ କଥା ଲେଖିଛନ୍ତି । ମୁଁ ସୁଜାତାକୁ ଭଲପାଇଛି, ଏଇଟା କ’ଣ ମିଛ ? ତେବେ ଦୁଃଖ କରିବାର କ’ଣ ଅଛି । ଗୋଟାଏ ପୁଅ ଝିଅକୁ ଭଲପାଇବନି ତ କ’ଣ ଗୋଟାଏ ପୁଅ ପୁଅକୁ ଭଲପାଇବ ? ବିଦ୍ରୋହୀ ମନ ବିଦ୍ରୋହ କରି ଉଠିଲା ଏ ସମାଜ ପ୍ରତି, ଏ ପରମ୍ପରା ପ୍ରତି, ଏ ଈର୍ଷାପରାୟଣତା ପ୍ରତି । ଏମିତି ଭାବି ଚାଲିଥାଏ । କବାଟରେ ଠକ୍‌ଠକ୍‌ ଶବ୍ଦ ଶୁଣିଲି, ଉଠିବାକୁ ଇଚ୍ଛା ହେଉ ନଥିଲେବି ଉଠି କବାଟ ଖୋଲିଲି । ପ୍ରଥମେ ମୋ ଆଖିକୁ ମୁଁ ବିଶ୍ୱାସ କରିପାରିଲିନି । ସୁଜାତା ମୋ ସାମ୍ନାରେ ଠିଆ ହୋଇଛି । ଆଖିରେ ତା’ର ଲୁହ । ପଚାରିବାକୁ ସାହାସ ପାଉନଥାଏ । ମୋରିପାଇଁ ସେ ଅପମାନିତ । ସାଙ୍ଗମାନଙ୍କ ପାଖରେ ମୁଣ୍ତ ଟେକି ବାଟ ଚାଲିବାକୁ ସାହସ ନଥିବ ।

–କ’ଣ ହୋଇଛି ତମର ? କାନ୍ଦୁଛ କାହିଁକି ? ସାହସ ସଂଚୟ କରି ଏତକ ପଚାରିଲି ତାକୁ ।

ସେ ଆଉ ନିଜର କୋହକୁ ସମ୍ଭାଳି ପାରି ନଥିଲା । ପିଲାଙ୍କପରି କଇଁକଇଁ ହୋଇ କାନ୍ଦି ଉଠିଲା । ହଷ୍ଟେଲ୍‌ରେ ଏପରି ଅବସ୍ଥାରେ ତାକୁ ଯଦି କିଏ ଦେଖେ ତେବେ ପ୍ରଚାର କରିବାକୁ ଆହୁରି ଖୋରାକ ମିଳିଯିବ । ଅବଶ୍ୟ କେହି ନଥିଲେ ସେତେବେଳେ ହଷ୍ଟେଲ୍‌ରେ ।

 

–ହଷ୍ଟେଲ୍‍କୁ କାହିଁକି ଆସିଲ ? ଯାହା ଦରକାର ଥିଲା କଲେଜରେ ତ କହିପାରିଥାନ୍ତ ?

 

–ବାଧ୍ୟ ହୋଇ ଏଠିକି ଆସିବାକୁ ପଡ଼ିଲା । ତା’ଛଡ଼ା କଲେଜରେ କହିବାକୁ ତ ସୁବିଧା ନଥିଲା ।

 

–କ’ଣ କୁହ !

 

–ମୋପାଇଁ ଆପଣ ଆଜି ଅପମାନିତ ହୋଇଛନ୍ତି । ମୋର ଭୁଲ ହୋଇଛି, ମତେ କ୍ଷମା ଦେବେ । ଆପଣ ମତେ ଭୁଲିଯା’ନ୍ତୁ । କାହିଁକି ଆପଣ ମୋପାଇଁ ସାଙ୍ଗମାନଙ୍କର ଅପ୍ରିୟ ହେବେ ? ତା’ଛଡ଼ା ମୁଁ ଶୁଣିଲି ଆପଣଙ୍କୁ କଲେଜରୁ Compulsory T.C. ଦିଆଯାଉଛି । ଆପଣଙ୍କର ଭବିଷ୍ୟତ ଅଛି....ଆପଣ ମତେ ଭୁଲିଯାନ୍ତୁ ।

 

ଝଡ଼ ବେଗରେ ସେଦିନ ବାହାରି ଚାଲି ଯାଇଥିଲା ସେ ମନ ଭିତରେ ଗୋଟାଏ ଆଶଙ୍କାର ନିଆଁ ଜାଳିଦେଇ ।

 

ସେହିଦିନଠାରୁ ଆଉ ତା’ ସହିତ ମୋର ଦେଖା ହୋଇନି କି କଲେଜରେବି ଦେଖା ହୋଇନି । ପରୀକ୍ଷା ସରିଲା । ମୁଁ ଘରକୁ ଚାଲି ଆସିଥାଏ । ତାକୁ ଭୁଲିବାକୁ ଅନେକ ଚେଷ୍ଟା କରିଛି କିନ୍ତୁ ଭୁଲି ପାରିନି । ତା’ର ସ୍ନେହ ମମତା, ତା’ର ବାପ ମା’ଙ୍କର ଆଦର ମୋ ମନ ଭିତରୁ ଲିଭି ପାରି ନଥିଲା । x x x x

 

–ଏଇଥିରେ ତୁ ଏମିତି ଅଧୈର୍ଯ୍ୟ ହୋଇପଡ଼ୁଛୁ । ସେ ତ କିଛି ଭୁଲ କରିନି । ତୋର ଭବିଷ୍ୟତ ଦେଖିଛି । ତୋର ମଙ୍ଗଳ ଚାହିଁଛି ।

–ଏତିକି ନୁହେଁ ନିହାର । ଏଇ ମାତ୍ର ମୋ ଇତିହାସର ଆଦିପର୍ବ ତା’ପରେ ଅନେକ ଘଟଣା ଘଟିଛି । ଅବଶ୍ୟ ସେ ମୋର ମଙ୍ଗଳ ଚାହିଁଛି । ସେ ଯଦି ଆଜି ମୋ ପାଖରୁ ଦୂରେଇ ଯାଇ ନଥାନ୍ତା । ତେବେ ଆଜି ମୁଁ ବିଶ୍ୱବିଦ୍ୟାଳୟର କୃତୀ ଛାତ୍ର ହୋଇ ବାହାରିପାରି ନଥାନ୍ତି । କିନ୍ତୁ ତା’ପରେ ତ ସେ ମୋ ମନ ଭିତରେ ଜଳୁଥିବା ନିଆଁଟାକୁ ଲିଭାଇପାରିଲାନି ।

–କହ, ତା’ପରେ କ’ଣ ହେଲା । x x x x

ମୁଁ ଆଉ ତା’ ବିଷୟରେ କିଛି ଖବର ରଖିବାକୁ ଚେଷ୍ଟା କରିନି । ଚେଷ୍ଟା କରି ମଧ୍ୟ କିଛି ପାଇନି । ଘରେ ଥାଏ, ଦିନେ ତା’ଠାରୁ ଚିଠିଟିଏ ପାଇଲି । ଉପରେ ତା’ ନାଁ ଲେଖା ଅଛି । ଚିଠିଟିକୁ ଦେଖି ପୂର୍ବ କଥାଗୁଡ଼ିକ ମନେ ପଡ଼ିଗଲା । ଚିଠିଟିକୁ ଖୋଲିଲି । କିନ୍ତୁ ସେଇଟା ଚିଠି ନୁହେଁ । ସେଇଟା ହେଉଛି ତା’ର ବିଭାଘରର ନିମନ୍ତ୍ରଣ ପତ୍ର । ହାତ ମୋର ଥରି ଉଠିଲା । ନିମନ୍ତ୍ରଣ ପତ୍ର ଖଣ୍ଡିକ ହାତରୁ ଗଳିପଡ଼ିଲା । ଚାରିଆଡ଼ ମତେ ଅନ୍ଧାର ଅନ୍ଧାର ଜଣାଗଲା । ଏଇ ମାସ ପନ୍ଦର ତାରିଖରେ ତା’ର ବାହାଘର । ନିମନ୍ତ୍ରଣ ପତ୍ରର ତଳେ ନିଜ ହାତ ଅକ୍ଷରରେ ଲେଖିଛି–‘‘ଆପଣଙ୍କୁ ମୋର ଅନୁରୋଧ ନିଶ୍ଚୟ ଆସିବେ ।’’ ବହୁତ କଷ୍ଟରେ ଘରକୁ ଫେରି ଆସିଲି । ଯିବି କି ନାହିଁ କିଛି ଠିକ୍‌ କରି ପାରୁ ନଥାଏ । ସେଦିନ ପୁଣି ଥାଏ ମୋର ଗୋଟିଏ ସାଙ୍ଗର ବାହାଘର । ମତେ କଟକ ଯିବାକୁ ହବ । ନଗଲେ ନିଶ୍ଚୟ ଖରାପ ଭାବିବ । କିନ୍ତୁ ମନରେ ଆଉ ସେ ଆଗ୍ରହ ନଥାଏ, ସୁଜାତା କଥା ଭାବି ଭାବି ମୁଣ୍ତ ଗୋଳମାଳ ହୋଇଗଲା । ସ୍ଥିରକଲି କେଉଁଠିକି ଯିବିନି । ଯାହା ସହିତ ଏତେ ସମ୍ପର୍କ ଥିଲା ତାକୁ ଯିବି ବିଦାୟ ସମ୍ଭାଷଣ ଜଣାଇବା ପାଇଁ ? ନା....ମୁଁ ଯିବିନି । ତା’ପରେ ଆଉ କେଉଁଠିକି ଯାଇନି । x x x

କିଛିଦିନ ପରେ ବରହମପୁର ମେଡ଼ିକାଲରେ ମୋର ପୋଷ୍ଟିଂ ହୋଇଗଲା । ମୁଁ ସେଠାକୁ ଚାଲିଯାଇଥାଏ । ସେଠି ଦେଖିଲି ମୋର ଦୁଇ ଦିନ ପୂର୍ବରୁ ମୋର ବନ୍ଧୁ ବିନୋଦ ଜଏନ୍ କରିଥାଏ । ଦୁଇବନ୍ଧୁ ଅନେକ ସମୟ କଥାବାର୍ତ୍ତା ହେଲୁ । ପ୍ରଥମେ ପ୍ରଥମେ ତା’ ବାହାଘରକୁ ଯାଇନଥିବାରୁ ଅଭିମାନ କଲା । ଅନେକଗୁଡ଼ିଏ ମିଛକଥା କହି ତା’ର ମାନ ଭାଙ୍ଗିବାକୁ ପଡ଼ିଲା । ସେ ବା କାହିଁକି ଜାଣନ୍ତା ମୋ କଥା ।

ପୂର୍ବ କଥାଗୁଡ଼ିକ ମନେପଡ଼ିଗଲା । ତା’ରିପାଇଁ ମୁଁ ଆଜି ସୁଜାତାକୁ ହରାଇଛି । ଏଇମାନଙ୍କର କୁସମାଲୋଚନାର ଶରବ୍ୟ ହୋଇ ସୁଜାତା ମୋ ପାଖରୁ ଦୂରେଇ ଯାଇଛି । ଛାଡ଼, ପଛକଥାକୁ ମନେ ନ ପକାଇ ତା’ସହିତ ଆଳାପ ଜମାଇ ଦେଲି । ଇଚ୍ଛା ବିରୁଦ୍ଧରେ ତା’ସହିତ ସମ୍ପର୍କ ରଖିବାକୁ ପଡ଼ିଥିଲା । କାରଣ ସେଠି ମୋର ଆଉ କେହି ଜଣାଶୁଣା ନଥିଲେ । ଏମିତି କିଛିଦିନ ଚାଲିଗଲା । ଦିନେ ତା’ର ମିସେସ୍‌ଙ୍କ ଅନୁରୋଧରେ ତା’ ଘରକୁ ଯିବାକୁ ଡାକିଥିଲା ବିନୋଦ । କିନ୍ତୁ ତା’ପୂର୍ବରୁ ତାକୁ ମୁଁ ଅନେକଥର କହିଥିଲି–‘‘ବାହାତ ହେଲୁ, ମୋର କାମଥିଲା ବୋଲି ଯାଇ ପାରି ନଥିଲି, ତା’ ବୋଲି ତୁ କ’ଣ ମିସେସ୍‌ଙ୍କୁ ଘର କଣରେ ପୂରାଇ ରଖିଥିବୁ ? ଦେଖିବାର, କି’ ତାଙ୍କ ହାତରୁ ଖାଇବାର ସୁଯୋଗବି ଦେବୁନି ।’’

ସେହି କଥାକୁ ମନେରଖି ସେଦିନ ସେ ମତେ ବାଧ୍ୟ କରିଥିଲା ତା’ ଘରକୁ ଯିବାକୁ । ସନ୍ଧ୍ୟାବେଳକୁ ବିନୋଦ ସହିତ ମୁଁ ଯାଇଥିଲି ତା’ ଘରକୁ । ମତେ ଡ୍ରଇଂରୁମ୍‍ରେ ବସାଇ ଦେଇ ସେ ଚାଲିଗଲା ବାଥ୍‍ରୁମ୍‍କୁ–‘‘ତୁ ଏଠି ବସିଥା, ମୁଁ ମିସେସ୍‍ଙ୍କୁ ପଠାଇ ଦେଉଛି ।’’

–କ’ଣ ଖାଲି ହାତରେ ଆସିବେ ?

–ତୁ ଏତେ ବ୍ୟସ୍ତ କାହିଁକି ? ଅପେକ୍ଷା କର ।

କିଛି ସମୟ ଚାଲିଗଲା । ମୁଁ ଆଗ୍ରହରେ ବସିଥାଏ, ବନ୍ଧୁ ପତ୍ନୀକୁ ଦେଖିବି ବୋଲି । କିନ୍ତୁ ଏ କ’ଣ....କ’ଣ ଦେଖୁଛି ସେ । ଜଣାଗଲା ବସିଥିବା ସ୍ଥାନଟା ଯେପରି ତଳକୁ ତଳକୁ ଦବି ଯାଉଛି । ନିଜର ଭାରସାମ୍ୟ ରକ୍ଷା କରି ପାରିଲିନି ।

–ସୁଜାତା ତମେ...

–ସୁରେଶବାବୁ...ଆପଣ...

ଆଖିରୁ ତା’ର ବୋହି ପଡ଼ିଲା ଦୁଇଟୋପା ଲୁହର ଧାର ।

–ତମେ ଶେଷରେ ଏତେ ତଳକୁ ଖସି ଯାଇପାରିଲ ସୁଜାତା ? ଯେଉଁମାନେ ଆମର ମିଳାମିଶାକୁ ବରଦାସ୍ତ କରିନପାରି କାନ୍ଥ ବାଡ଼ରେ ପୋଷ୍ଟର ମାରି ଚାଲିଥିଲେ ସେଇମାନଙ୍କ ଭିତରୁ ଜଣକୁ ତମେ ତମ ଜୀବନର ସାଥୀ କରିପାରିଲ....

–ଆପଣ ତ ପୁଣି ସେଇମାନଙ୍କର ସାଥୀ ହୋଇ ତାଙ୍କର ଧର୍ମପତ୍ନୀଙ୍କର ହାତ ପରସା ଖାଇବାକୁ ଚାଲି ଆସିଛନ୍ତି ।

 

ତା’ପରେ ମୁଁ ଆଉ ସେଠି ଗୋଟିଏ ମୁହୂର୍ତ୍ତ ମଧ୍ୟ ଅପେକ୍ଷା କରି ନାହିଁ, ସିଧା ଉଠି ଚାଲି ଆସିଲି ମୋ ବସାକୁ । କାହାର କଥାକୁ ଭ୍ରୂକ୍ଷେପ କରିନି x x x

 

ସେହି ଦିନଠାରୁ ବିନୋଦକୁ ଦେଖା ଦେଇନି । ସେଠୁ ଚାକିରି ଛାଡ଼ି ଚାଲିଆସିଲି । ମୁଁ ଆଉ ସେଠି ଚାକିରି କରିବାର ଅବସ୍ଥାରେ ନଥିଲି । ମୋର ଏତେ ପାଖରେ ସୁଜାତା...ତା’ର ଶେଷକଥାଗୁଡ଼ାକ ସବୁବେଳେ ମନେ ପଡ଼ିଯାଉଥାଏ–‘‘ଆପଣ ତ ପୁଣି ସେହିମାନଙ୍କର ସାଥୀ ହୋଇ ତାଙ୍କର ଧର୍ମପତ୍ନୀଙ୍କର ହାତ ପରସା ଖାଇବାକୁ ଚାଲି ଆସିଛନ୍ତି.... ।’’

 

ନା...ନା...ମୁଁ ଭୁଲ କରିଛି । ମୁଁ ବିନୋଦ ଘରକୁ ଯାଇ ବଡ଼ ଭୁଲ କରିଛି । x x x

 

Don’t be Sentimental my dear friend ଜୀବନରେ ଅନେକ ପ୍ରକାର ବାଧାବିଘ୍ନ ଆସେ । ତାକୁ ଅତିକ୍ରମ କରି ସମାଜରେ ଠିଆ ହେବାକୁ ପଡ଼ିବ । ଏଗୁଡ଼ା ସବୁ ଜୀବନର ଗୋଟିଏ ମୁହୂର୍ତ୍ତର ଖିଆଲି ସ୍ୱପ୍ନ ମାତ୍ର । ନାଟକର ନେପଥ୍ୟେ କୋଳାହଳ ପରି ସେଗୁଡ଼ିକ ସେମିତି ପରଦାର ଅନ୍ତରାଳରେ ଅଭିନୟ ହୋଇ ଚାଲିଯିବ । କେହି ତାକୁ ଜାଣି ପାରିବେନି । କେବଳ ବାହାରକୁ ଦେଖାଯିବ ସୁସ୍ଥ ସମାଜର ଗୋଟିଏ ସାଧାରଣ ମଣିଷ ସେ ତା’ର କର୍ତ୍ତବ୍ୟ କରି ଚାଲିଛି....ବଞ୍ଚିବାପାଇଁ....ମଣିଷପରି ମଣିଷ ହେବାପାଇଁ....Survives for the fittest…..

 

ଛାଣିପୁର

୨୨ । ୫ । ୭୫

Image

 

କ୍ଲୀବ ସ୍ୱର

ଛି-ନ୍ନ-ବୀ-ଣା

 

ମଧ୍ୟାହ୍ନର ସୂର୍ଯ୍ୟ ଯେତେବେଳେ ସମଗ୍ର ଧରାଟି ଉପରେ ତା’ର ପ୍ରଚଣ୍ଡ ରୌଦ୍ର ବିସ୍ତାର କରିଥିଲେ ସେତେବେଳେ ସେ ଥିଲା ସର୍ବଗୁଣସଂପନ୍ନା–ପୂର୍ଣ୍ଣ ଯୌବନା । କିନ୍ତୁ ଅରୁଣୀର ବାରୁଣୀ ଗଗନରେ ଅବସନ୍ନବେଳେ ସେ ଆଜି ନିଃସହାୟ ।

 

ଗୋଟିଏ ନାରୀର ଜୀବନ ନେଇ ଅନେକ ଖେଳ ଖେଳନ୍ତି, ଅନେକ ଅନୁତାପ କରନ୍ତି, କିନ୍ତୁ କିଏ ବୁଝେ ତା’ର ମନର ଅଭିବ୍ୟକ୍ତ ବେଦନାକୁ । ଅନୁପମା ଆଜି ପାଗଳାଣୀ । ଖାଲି ହସେ, ଅନେକ ହସେ, ହସରେ ତରୁଲତା ସମସ୍ତଙ୍କୁ ଦୋହଲାଇ ଦିଏ । ପୁଣି କାନ୍ଦେ । ବିକଳ କ୍ରନ୍ଦନର ଆର୍ତ୍ତନାଦରେ ସମସ୍ତ ହୃଦୟତନ୍ତ୍ରୀକୁ ଆନ୍ଦୋଳିତ କରିଦିଏ । ତା’ର ହସକାନ୍ଦର ମାଧ୍ୟମରେ ରହିଛି ଏକ ବିରାଟ କଳ୍ପନା, ଲାଳସା, କିନ୍ତୁ କଳ୍ପନାହିଁ କଳ୍ପନାରେ ରହିଯାଏ । କେବଳ ତା’ର ହସକାନ୍ଦ ଶୁଣି ଅନେକ ଦୀର୍ଘ ନିଃଶ୍ୱାସ ପକାନ୍ତି । ହାୟ–ଅନୁ, ପାଗଳୀଣୀ ହୋଇଗଲା !!! ଖାଲି ଏତିକି । କେହି ବୁଝନ୍ତିନି ତା’ର ମନ ଗହନର ଗୋପନ କଥାକୁ । ସେ ଆଜି ପାଗଳାଣୀ ହୋଇନି କୌଣସି ପ୍ରେମିକର ବିଡ଼ମ୍ୱନା ଆଉ ପ୍ରତାରଣାରେ କିମ୍ୱା ହୁଏତ ପାଗଳାଣୀ ହୋଇନି ଜୀବନ ଜାହ୍ନବୀର ଖର ସ୍ରୋତରେ ଉବେଇ ଟୁବେଇ ହୋଇ ।

 

ଅନୁପମା ଆଜି ନିଃସହାୟ । ଯାହାକୁ ସେ ଅତି ନିଜର ବୋଲି ଭାବିଥିଲା, ଯାହାଠାରୁ ସେ ପାଇଥିଲା ବାଲ୍ୟକାଳରୁ ସ୍ନେହ ମମତା, ଯାହାର ମନରେ ତା’ପାଇଁ ଥିଲା ବାତ୍ସଲ୍ୟ ସ୍ନେହ, ସେ ଆଜି ଚାଲିଯାଇଛି ଅନେକ ଦୂରକୁ । ଯେତେ ଡାକିଲେ ମଧ୍ୟ ସେ ଆଉ ଆସିବନି । ସେ ସେହି ସ୍ନେହମୟୀ ଅନୁର ମା’ । ସେ ଚାଲିଯାଇଛନ୍ତି ଅନୁକୁ ନିଃସହାୟ କରି । x x x x

 

ଅନୁକୁ ଯେତେବେଳେ ପାଞ୍ଚବର୍ଷ, ସେତେବେଳେ ତା’ର ବାପା, ମା’ ଝିଅ ଦୁଇଜଣଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ବିଦାୟ ନେଇଥିଲେ ଏ ସଂସାରରୁ । ସେତେବେଳେ ସେ ଥିଲେ ମଧ୍ୟବିତ୍ତ ପରିବାରର । ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ସାଂସାରିକ ଜୀବନ ଯାପନ କରିବାରେ ସେ ଥିଲେ ଧୁରନ୍ଧର । ତାଙ୍କର ସରଳ ଅମାୟିକ ବ୍ୟବହାର ପାଇଁ ତାଙ୍କର ଚାକିରି ଜୀବନରେ ଖୁବ୍‌ ସୁନାମ ଥିଲା । ତାଙ୍କର ଏହି ବ୍ୟବହାର ପାଇଁ ଗ୍ରାମବାସୀମାନଙ୍କର ମଧ୍ୟ ସେ ଅତି ପ୍ରିୟପାତ୍ର ହୋଇ ଉଠିଥିଲେ । ଏପରିକି, ହାନିଲାଭ ହେଲେ ଆଗ ଅବିନାଶବାବୁ–ହାରିଗୁହାରି ହେଲେ ଅବିନାଶବାବୁ–ଯାନିଯାତ୍ରା ହେଲେ ମୁଖ୍ୟ କାର୍ପେଟ୍‍ଦାର ସେହି ଆଗ,–ସବୁଥିରେ ସେହି ଅବିନାଶବାବୁ । ଏପରିକି ଆଖପାଖ ପାଞ୍ଚଖଣ୍ଡି ଗାଁରେ ସମସ୍ତଙ୍କ ମୁଖରେ ଅବିନାଶ ଚୌଧୁରୀଙ୍କର ପ୍ରଶଂସା ।

 

ବାହାରେ ଯେମିତି ଘରେ ମଧ୍ୟ ସେମିତି । ଛୋଟ ପରିବାର । ସ୍ତ୍ରୀ ଅନୁରାଧା । ସ୍ୱାମୀଙ୍କର ଆଦର୍ଶରେ ସ୍ତ୍ରୀ ମଧ୍ୟ ଖୁବ୍‌ ଅଳ୍ପଦିନ ମଧ୍ୟରେ ନିଜକୁ ଅନୁପ୍ରାଣିତ କରିପାରିଥିଲେ । ଗାଁର ଛୋଟପିଲାମାନଙ୍କ ପ୍ରତି ମାତୃସୁଲଭ ବ୍ୟବହାର, ଗ୍ରାମ୍ୟ ରମଣୀମାନଙ୍କ ସହିତ ମଧୁର ଆଳାପ, ତାଙ୍କୁ ମଧ୍ୟ ଅବିନାଶବାବୁଙ୍କ ପରି ବହୁତ ଉପରକୁ ନେଇ ଯାଇପାରିଥିଲା । ପତି ପରମ ଦେବତା’–ଏହି ଆଦର୍ଶରେ ଅନୁପ୍ରାଣିତ ସେ । ଅବିନାଶବାବୁ ନଖାଇବା ପର୍ଯ୍ୟନ୍ତ ଜଳ ସୁଧା ସ୍ପର୍ଶ କରନ୍ତିନି । ଭାରତୀୟ ନାରୀର ନୂତନ ସଂସ୍କରଣ ଏହି ଅନୁରାଧା ।

 

ବିବାହର ଗୋଟାଏବର୍ଷ ପରେ ତାଙ୍କ କୋଳ ପୂର୍ଣ୍ଣ କରି ଆସିଲା ଝିଅଟିଏ । ହିନ୍ଦୁମାନଙ୍କର ବିଶ୍ୱାସ, ଝିଅଟି ଆଗ ଜନ୍ମ ହେଲେ ଘରେ କୁଳ ଲକ୍ଷ୍ମୀ ବିଜେ ହୁଅନ୍ତି । ଅବିନାଶବାବୁ ଆଉ ଅନୁରାଧାଙ୍କର ମଧ୍ୟ ସେହି ଧାରଣା । ଝିଅଟି ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା । ସ୍ୱାମୀ ସ୍ତ୍ରୀଙ୍କର ନାଁକୁ ମିଶାଇ ତା’ର ନାଁ ରଖିଥିଲେ ଅନୁପମା । ଆଦ୍ୟ ଅକ୍ଷର ‘ଅ’, ଅବିନାଶ–ଅନୁରାଧା–ଅନୁପମା । ବାସ୍ତବରେ ତା’ର ସୌନ୍ଦର୍ଯ୍ୟର ଉପମା ନାହିଁ ।

 

କିନ୍ତୁ ତାଙ୍କର ଏ ସୁଖର ସଂସାର ବେଶିଦିନ ରହିପାରିଲାନି । ଯେ ଦୁନିଆରେ ସମସ୍ତ ଭଲଗୁଣ ନେଇ ଜନ୍ମ ହୋଇଥାଏ, ତା’ର ଜୀବନ କ୍ଷଣସ୍ଥାୟୀ । ଗଙ୍ଗଶିଉଳି ଫୁଲ ସେ । ରାତିରେ ଫୁଟେ, ପୁଣି ସକାଳୁ ଝଡ଼ିପଡ଼େ । ତା’ର ସେହି ଅଳ୍ପ ସମୟର ବାସ୍ନାରେ ଚତୁର୍ଦ୍ଦିଗ ମହକାଇ ଦିଏ । ସେମିତି ଏଇ ଅବିନାଶବାବୁ । ଗାଁରେ ତାଙ୍କର ସୁନାମ ଥିଲା । ଅଫିସ୍‌ରେ ସୁଦକ୍ଷ କର୍ମଚାରୀ ଭାବରେ ପରିଚିତଥିଲେ । ଘରେ ସ୍ତ୍ରୀ କନ୍ୟାଙ୍କ ପ୍ରତି ପ୍ରଗାଢ଼ ସ୍ନେହଥିଲା । ....ତଥାପି ଏମାନେ କେହି ତାଙ୍କୁ ଅଟକାଇ ପାରିଲେନି । କାଳର ଅଦେଖା ହାତର ଆହ୍ୱାନକୁ ସେ ଏଡ଼ାଇ ଦେଇପାରି ନଥିଲେ । ତା’ର କରାଳ ଗହ୍ୱରକୁ ସବୁଦିନ ପାଇଁ ଚାଲିଗଲେ ଦୁଇ ଦୁଇଟା ପ୍ରାଣୀଙ୍କୁ ନିଃସହାୟ କରି ।

 

ସେଦିନର କଥା । କୁମାରପୂର୍ଣ୍ଣମୀର ପୂର୍ବଦିନ । ଘରେ ଏକମାତ୍ର ଝିଅ ଅନୁପମା । ମାତ୍ର ପାଞ୍ଚବର୍ଷ । ଗାଁର ଝିଅମାନଙ୍କ ସହିତ କୁମାରପୂର୍ଣ୍ଣମୀ ଉତ୍ସବ ପାଳିବ । ସେଥିପାଇଁ ମନରେ ଅସୁମାରି ଆନନ୍ଦ । ସେଦିନ ପରମ୍ପରା ଅନୁଯାୟୀ ଝିଅମାନେ ନୂଆ ପିନ୍ଧିବାର କଥା । ଝିଅମାନଙ୍କର ମନମୁତାବକ ଜାମାପଟା ବାପ ମା’ମାନେ ଆଣନ୍ତି । ଅନୁ ମଧ୍ୟ ସେମିତି କହିଥିଲା ‘‘ବାପା, ମୋପାଇଁ ଗୋଟେ ନାଲି ଜାମା ଆଣିବ ।’’ ଝିଅଟିର ସ୍ନେହବୋଳା ଗୁଲୁଗୁଲିଆ କଥା ତାଙ୍କୁ ଏତେ ଆକର୍ଷଣ କରିଥିଲା ଯେ ସେ ସକାଳୁ ଗାଧୋଇପାଧୋଇ ବାହାରି ପଡ଼ିଲେ ଆଗ ଝିଅର ମନମୁତାବକ ଜାମା ଆଣିବାପାଇଁ । ପାଞ୍ଚମାଇଲ ବାଟ ସାଇକେଲ୍‌ରେ ଯିବାକୁ ହେବ । ଅନୁରାଧା ଗଣ୍ଡେ ଖାଇକରି ଯିବାକୁ କହିଲେ ମଧ୍ୟ ସେ ମନାକରିଥିଲେ ।

 

x x x ତା’ପରେ କେତେକ ଲୋକ ଆଣି ତାଙ୍କର ମୃତ ଶରୀରକୁ ତାଙ୍କ ଘର ପାଖରେ ଶୁଆଇ ଦେଲେ । ଶରୀର ରକ୍ତାକ୍ତ ଧଳା ଜାମା ଆଉ ଲୁଗା ରକ୍ତରେ ଲାଲ୍‌ ହୋଇଯାଇଛି । ହାତରେ ଲାଲ ରଙ୍ଗର ଫ୍ରକ୍‌, ତାଙ୍କ ଅଲିଅଳି ଅନୁପମା ପାଇଁ । ଟ୍ରକ୍‌ ଆକ୍‌ସିଡ଼େଣ୍ଟ । x x x x

 

ଆଜି କିନ୍ତୁ ଅନୁକୁ ଷୋହଳ ପୂରି ସତର ଚାଲିଛି । ତା’ମନରେ ଅନେକ ଆଶା, ଆକାଂକ୍ଷା, ହୃଦୟରେ ନୂତନ ଦିଗନ୍ତର ଶିହରଣ । ଘରେ ମା’, ଝିଅ ଦୁଇଜଣ । ଅବିନାଶବାବୁଙ୍କ ମୃତ୍ୟୁପରେ ତାଙ୍କର ଆଉ କେହି ସମ୍ୱଳ ନାହାନ୍ତି । ଯେଉଁମାନେ ପ୍ରଥମେ ପ୍ରଥମେ ତାଙ୍କ ପ୍ରତି ଦରଦ ପ୍ରକାଶ କରୁଥିଲେ ସେମାନେ ଆଉ ଆସୁନାହାନ୍ତି । ଅବିନାଶବାବୁ ଯେମିତି ତାଙ୍କର ମୃତ୍ୟୁ ସହିତ ଗ୍ରାମବାସୀମାନଙ୍କର ଶ୍ରଦ୍ଧା ସମ୍ମାନକୁ ସାଙ୍ଗରେ ନେଇ ଚାଲିଯାଇଛନ୍ତି । ଦରିଦ୍ରତା ମଧ୍ୟରେ ସଢ଼ିସଢ଼ି ସଂସାର ଭିତରେ ଆଗେଇ ଚାଲିଛନ୍ତି ଅନୁରାଧା, ଝିଅଟିକୁ ସଙ୍ଗରେ ଧରି । ସେ ଆଜି ଜୀବନର ମଝି ନଈରେ । ପଛକୁ ଫେରିବାର ଅବକାଶ ନାହିଁ । ଯାହା ଆଗକୁ ଯିବେ । ନଦୀଟିକୁ ପାର ହେବାକୁ କେବଳ ଗୋଟିଏ ଆଶ୍ରୟ । ଉପରେ ଗୋଟିଏ ସୂକ୍ଷ୍ମ ସୂତାଖିଅ ଦୁଇ ମୁଣ୍ତରୁ ଶକ୍ତଭାବରେ ବନ୍ଧା ହୋଇଛି । ତଳେ ଗୋଟିଏ ଦଉଡ଼ି ନଦୀର ଗୋଟିଏ ପଟରୁ ଆରପଟକୁ ଲମ୍ୱିଯାଇଛି । ଜଣକରୁ ଦୁଇଜଣ ପାର ହୋଇ ହେବନାହିଁ । ଦୁଇଜଣଙ୍କର ଭାରରେ ଦଉଡ଼ିଟି ଛିଡ଼ିଯିବାର ଆଶଙ୍କା । ଏଣେ ବଢ଼ିଲା ନଈ । ତା’ ସାଙ୍ଗକୁ ବୟସର ରୁକ୍ଷତା ତାଙ୍କ ଚାରିପଟ ବେଢ଼ିଯାଇ ଯୋଗିନୀମାନଙ୍କ ପରି ବିକଟାଳ ରଡ଼ି ଛାଡ଼ି ଉପହାସ କରୁଛି । x x

 

ତଥାପି ମୁଣ୍ତ ଝାଳ ତୁଣ୍ଡରେ ମାରି, ପେଟରୁ ଅନ୍ନ କାଟି ଅନୁକୁ ଏଡ଼େଟିରୁ ଏଡ଼େଟିଏ କରିପାରିଛନ୍ତି । ବେଶି ଦିନ ସେ ମଧ୍ୟ ରହି ପାରିଲେନି । ଅନୁକୁ ଛାଡ଼ି ଏକା ଚାଲିଗଲେ ଅବିନାଶବାବୁଙ୍କ ପାଖକୁ । ଅନୁ ରହିଲା କେବଳ ସଂସାର ସହିତ ବାପ ମା’ଙ୍କର ଯୋଗସୂତ୍ର ରକ୍ଷା କରିବାପାଇଁ ।

 

ଅବିନାଶବାବୁ ଚାଲିଯାଇଥିଲେ....ଅନୁରାଧା ମଧ୍ୟ ଆଜି ଚାଲିଯାଇଛନ୍ତି....ତାହାହେଲେ କ’ଣ ନେଇ ଆଜି ଅନୁ ସମାଜରେ ଠିଆ ହେବ ।

 

ଏ ଦୁର୍ଦ୍ଦିନରେ କିଏ ତାକୁ ସାହା ହେବ ?

 

ମନରେ ତା’ର ଆଲୋଡ଼ନ, ଅନେକ ପ୍ରଶ୍ନ–ସେ ଗରିବ ? ତା’ର ମା’ ମରିଛି କେବଳ ଔଷଧ ବିନା, ଖାଦ୍ୟ ବିନା । ଦୀର୍ଘ ଦୁଇବର୍ଷ ରୋଗ ଶଯ୍ୟାରେ ପଡ଼ି ପଡ଼ି ଆଜି ତା’ର ମୃତ୍ୟୁ, ପାଖରେ କେହି ନାହିଁ ତାକୁ ସାହାଯ୍ୟ କରିବାକୁ । ମଲା ପରେ ମଧ୍ୟ ଲୋକ ନଥିଲେ ତା’ର ଶବସଂସ୍କାର କରିବାକୁ । ଗାଁ ସରପଞ୍ଚଙ୍କ ଦୟାରୁ ଯା’ହେଉ ଶବସଂସ୍କାର ହୋଇ ଯାଇଥିଲା ।

 

କିନ୍ତୁ ବର୍ତ୍ତମାନ ସେ ଏକା । ସନ୍ଧ୍ୟା ଆକାଶର ନିଃସଙ୍ଗ ନକ୍ଷେତ୍ର । ତା’ର ଜୀବନ ବୀଣାର ସମସ୍ତ ତାର ଛିଡ଼ି ଖିନ୍‌ଭିନ୍‌ ହୋଇଯାଇଛି । ଆଗରେ ବିରାଟ ପରମ୍ପରାବାଦୀ ରକ୍ଷଣଶୀଳ ସମାଜ, ପଛରେ ଐତିହ୍ୟ, ବାପ ମା’ଙ୍କର ଯଶ ଗୌରବ । ଏହି ଦୁଇଟା ମଝିରେ ସେ ଆଜି ନିଃସହାୟ । ଦେହରେ ତା’ର ଅସୁମାରି ରୂପଯୌବନ । ଏତେଗୁଡ଼ିଏ ରୂପଯୌବନ ନେଇ କେହି କେବେ ଉପାସ ରହିପାରେ ? ମନରେ ଅନେକ ପ୍ରଶ୍ନ । ବାହାରେ ଭୋକିଲା ଜଳନ୍ତା ଆଖିର ଆତ୍ମ ବିଳାପ–ପୋଡ଼ି ଖିନ୍‌ଭିନ୍‌ କରିଦେବ । ବାହାରକୁ ବାହାରିବାର ଉପାୟ ନାହିଁ । ପାଦ ଖସାଇଲେ ବାପ ମା’ଙ୍କର ଗୌରବରେ କଳଙ୍କ ଲାଗିବ । ପାଞ୍ଚବର୍ଷବେଳୁ ବାପକୁ ହରାଇଥିଲା । କିନ୍ତୁ ମା’ର ସ୍ନେହ, ମା’ର ଆଦର ଯତ୍ନ, ତା’ର ଆଦର୍ଶକୁ ଏତେଶୀଘ୍ର ସେ ଧୂଳିସାତ୍‌ କରିଦେଇ ଚାଲିଯାଇ ପାରିବନି । ନା....ନା....ନା....

 

X X X

 

ଅନୁ ଆଜି ପାଗଳାଣୀ । ଯେଉଁ ଘରେ ତା’ର ଅତି ଆଦରର ମା’ ମରି ପଡ଼ିଥିଲା, ସେହି ଘରେ ସେ, ଖାଲି ବସେ–କାନ୍ଦେ–ହସେ । ଏହି ତିନୋଟି କଥା ଛଡ଼ା ସେ ଆଉ କିଛି କରେ ନାହିଁ । ଟିକିଏହେଲେ ପଦାକୁ ବାହାରିବାର ଗାଁ ପଡ଼ିଶାମାନେ କେହିହେଲେ ଦିନେ ଦେଖି ନାହାନ୍ତି ।

 

ବେଳେବେଳେ ଘରେ ରହି ଚିତ୍କାର ଶୁଣନ୍ତି । ‘ବୋଉଲୋ–ମା’ଲୋ’ ମୁଁ ତୋ ପାଖକୁ ଯିବି–କେଉଁଠି ଅଛୁ କହ..... ।’’ ତା’ପରେ ଗଁଗଁ ଶବ୍ଦ, ଭୟରେ ଗାଁ ପଡ଼ିଶାମାନେ ତା’ ପାଖ ପଶନ୍ତି ନାହିଁ ବରଂ ସନ୍ଧ୍ୟା ହେଲେ ଘର କବାଟ କିଳି, ଘରେ ତା’ର ଗର୍ଜନକୁ କାନ ଡେରନ୍ତି । x x x x ଖାଦ୍ୟ ନାହିଁ, ଜଳ ନାହିଁ–ସେମିତି ଅନୁ ପଡ଼ିଥାଏ ସେହି ଘରେ । କେତେବେଳେ ଖାଏ, କେତେବେଳେ କ’ଣ କରେ କେହି ଖୋଜ୍‍ଖବର ରଖନ୍ତି ନାହିଁ । ସେ ଗାଁରେ ଅନୁ ବୋଲି କିଏ ଅଛି କେହିହେଲେ ମଧ୍ୟ ଜାଣନ୍ତି ନାହିଁ । କିଛିଦିନ ଗଲା । ଅନୁର ଆଉ ସେ ଗର୍ଜନ ନାହିଁ କି ସେ ହସକାନ୍ଦର କରୁଣ ଚିତ୍କାର ନାହିଁ x x x x ପାଖ ପଡ଼ିଶାମାନେ ପୁଣି କାନ ଡେରିଲେ । କିଛି ସୋରଶବଦ ନାହିଁ । ଦିନେ ଗଲା’ ଦୁଇଦିନ ଗଲା–ଏମିତି ଗୋଟିଏ ସପ୍ତାହ ବିତିଗଲା, କିଛି ଜଣା ପଡ଼ିଲାନି । ପଡ଼ିଶାମାନଙ୍କ ମନରେ ଭୟ । ଅନୁପମା କୁଆଡ଼େଗଲା–କ’ଣ ତା’ର ହେଲା, କିନ୍ତୁ କିଏ ଆଗ ସେ ପ୍ରଶ୍ନ ଉଠାଇବ । ପୁଣି ଦିନେ ସେହି ଗାଁର ସରପଞ୍ଚ ଆସି କେତେକ ସ୍ୱେଚ୍ଛାସେବକଙ୍କୁ ନେଇ ଅନୁର ପଚା ମଡ଼ା, ତା’ର ସେହି କୁଡ଼ିଆରୁ ବାହାର କରି ଗାଁମୁଣ୍ତ ଶ୍ମଶାନରେ ପୋତିଲେ । ସେତେବେଳେ ସମସ୍ତେ ଜାଣିଲେ ଅନୁ ପାଗଳାଣୀ ମରିଗଲା । ସମସ୍ତେ ଆଶ୍ୱସ୍ତି ବୋଧକଲେ । ଅନେକ କହିଲେ–ଆହା ! ବିଚାରି ଅନୁ ପାଗଳାଣୀ ମରିଗଲା ।’ ବାସ୍‌ ଏତିକି । ଗାଁ ପଡ଼ିଶାମାନେ ଭୟ କଲେ । କାଳେ ସେ ଡାହାଣୀ ହୋଇଥିବ । ଅନ୍ଧାର ରାତି–ଗଲା ଆସିଲାବେଳେ ଡରାଇବ । x x x

 

x x ଅନୁ ଆଜି ମରିଛି । ତା’ର ମା’ବି ମରିଛି । କିନ୍ତୁ ଦିନେ ସୁଦ୍ଧା ସେ କାହାକୁ ଡରାଇବାର କେହି ଦେଖି ନାହାନ୍ତି, ତଥାପି ଲୋକମାନେ ତା’ ନାଁ ଶୁଣିଲେ ଶିତେଇ ଉଠନ୍ତି । ମା’ମାନେ ତାଙ୍କର କୁନି କୁନି ପିଲାମାନଙ୍କୁ ଅଡ଼ୁଆ କଲେ କହନ୍ତି–‘‘ଅନୁ ପାଗଳାଣୀ ଆସିଲା, ଖାଇଦେ–ଶୋଇପଡ଼–ନଇଲେ ଏଇନେ ଧରିନେଇଯିବ, ଖାଇଦେବ’’....ଇତ୍ୟାଦି ଇତ୍ୟାଦି । x x x x

 

ଏମିତି କିଛିଦିନ ଗଲା । ଗାଁରେ ଆଉ ଅନୁପାଗଳାଣୀର ନାଁ ମଧ୍ୟ ଶୁଭିଲାନି । ସବୁଦିନପରି ପଡ଼ିଶାମାନେ ଭୁଲିଗଲେ ତା’ର ନାଁକୁ । କିନ୍ତୁ ସମସ୍ତଙ୍କର ଡର, ଅନୁ ପାଗଳାଣୀ ନିଶ୍ଚୟ ଡାହାଣୀ ହୋଇଛି । ସେଥିପାଇଁ ମା’ମାନେ ତାଙ୍କ ପୁଅମାନଙ୍କୁ, ସ୍ତ୍ରୀମାନେ ତାଙ୍କର ପୁରୁଷମାନଙ୍କୁ ଏତେ ରାତିରେ ଗାଁ ମଶାଣି ଦେଇ ଆସିବାକୁ ବାରଣ କରନ୍ତି । ରାଣନିୟମ ପକାନ୍ତି, କାରଣ ଗାଁମୁଣ୍ତରେ ମଶାଣିଟା । ସେଠାରେ ଅନୁ ପୋତା ହୋଇଛି । ମଶାଣି ପାଖକୁ ଲାଗି ରାସ୍ତା । ନିକଟରେ ଝଙ୍କାଳିଆ ବରଗଛ, ଅନୁ ପୋତା ହେବା ପରଦିନ ରାମବାବୁଙ୍କ ମୂଲିଆ ବଢ଼ି ଭୋରୁ ସେହିବାଟେ ହଳ ନେଇ ଗଲାବେଳେ ଦେଖିଥିଲା, ଅନୁ ପୋତା ହୋଇଥିବା ଖାଲଟି ଶୂନ୍ୟ । ତା’ ଭିତରେ ଶବ ନାହିଁ । ସେ ଆସି ଗାଁରେ ପ୍ରଚାର କରିଦେଲା । ଲୋକମାନେ ଆହୁରି ଭୟ କରିଗଲେ । ଗାଁର ପୁରୁଖା ବୁଢ଼ୀମାନେ, ଅନୁ ନିଶ୍ଚୟ ଡାହାଣୀ ହୋଇଛି ଭାବି ପ୍ରମାଦ ଗଣିଲେ । ସଞ୍ଜ ହେଲେ ଦିନାକେତେ ଲୋକମାନଙ୍କର ଯାତାୟାତ ଏକପ୍ରକାର ବନ୍ଦ ହୋଇଗଲା ।

 

ଗାଁ ଚଉକିଆ ଉପ କଣ୍ଡରାର ଘର ଗାଁ ଶେଷ ମୁଣ୍ତରେ । ତା’ର ଡର ନାହିଁ କି ଭୟ ନାହିଁ-। ସେ ସବୁଦିନ ସେହିବାଟେ ‘ହୁସିଆରହୋ’ କହି କହି ଗାଁକୁ ଯାଏଁ ଓ ରାତି ଶେଷ ପ୍ରହରକୁ ଘରକୁ ଫେରେ ।

 

ଦିନବେଳେ ଯେତେବେଳେ କେବେକେବେ ଗାଁକୁ ଚାଉଳ ପଇସା ମାଗିବାକୁ ଆସେ, ବୁଢ଼ୀମାନେ ତାକୁ ଅନୁ ଡାହାଣୀ କଥା ପଚାରନ୍ତି । ପିଲାମାନେ ତାକୁ ଘେରି ଯାଆନ୍ତି, ସେ ନିଶାରେ ସମସ୍ତଙ୍କର ଧାରଣା ଅନୁ ଡାହାଣୀ କଥା ଉପ ନିଶ୍ଚୟ ଜାଣିଥିବ । ସମସ୍ତଙ୍କ ମନରେ ଉତ୍କଣ୍ଠା, ଆବେଗ, ଅନୁ ଡାହାଣୀ କଥା ଜାଣିବାପାଇଁ ଅସମ୍ଭବ ରକମର ଭିଡ଼ । ସୁଯୋଗ ଉଣ୍ଡି ଉପ କହିବା ଛଳରେ କଥା ଯୋଡ଼ିବସେ । ନିଶକୁ ମୋଡ଼ି ବାହାସ୍ଫୋଟ ମାରି ଅନେକ କଥା କହେ । ଅନୁ ତା’ର କିଛି କରେ ନାହିଁ । ଖାଲି କାନ୍ଦୁଥାଏ । ତାକୁ ଦେଖିଲେ ଆହୁରି ବେଶି ବେଶି କାନ୍ଦେ । ତାକୁ ଖାଇବାକୁ ମାଗେ, ତା’ ବୋଉ କଥା ପଚାରେ...ଇତ୍ୟାଦି ଇତ୍ୟାଦି ।

 

ଯା’ହେଉ ଗାଁକୁ ଆସିଲେ ତା’ର ଭଲ ଦୁଇପଇସା ହୋଇଯାଏ । ସେଥିପାଇଁ ତା’ ମୁହଁରେ ସବୁବେଳେ ସେହି ଅନୁ ପାଗଳାଣୀ କଥା । ତା’ର ମୃତ ଜୀବନର ଇତିହାସ କଥା... ।

 

ବ୍ୟାଚଲରର୍ସ ବାରକ୍‌ ଭୁବନେଶ୍ୱର–୮

ତା ୫–୭–୧୯୭୩

Image

 

ଆହତ ବଂଶୀର ବିଳାପ

 

ଅଳସ ସନ୍ଧ୍ୟା । ଅତିକ୍ରାନ୍ତ ହେମନ୍ତର କୋଳାହଳ ନାହିଁ । କ୍ଷୀଣକାୟ ଶୈତ୍ୟର ଆଲୋଡ଼ନ ଲାଗି ରହିଛି ପ୍ରାଣର ସ୍ପର୍ଶେ ସ୍ପର୍ଶେ । ପରେଡ଼୍‌ କରିବାପାଇଁ ତାରାମାନେ ଧାଡ଼ି ବାନ୍ଧିଲେଣି ଅନେକବେଳୁ ଆଗାମୀ ସନ୍ଧ୍ୟାକୁ ନିମନ୍ତ୍ରଣ ଜଣାଇବା ପାଇଁ । ସେମାନେ ବର୍ତ୍ତମାନ ସ୍ୱାଧୀନ । ମନରେ ତାଙ୍କର ଅନେକ ଆନନ୍ଦ । ସୂର୍ଯ୍ୟଙ୍କର ପରାକ୍ରମ ସହି ନପାରି ଯିଏ ଯୁଆଡ଼େ ଆତ୍ମଗୋପନ କରିଥିଲେ । ସନ୍ଧ୍ୟାରାଣୀ ଆସିବାରୁ ସେମାନଙ୍କର ଛୋଟ ଛୋଟ ହସହସ ମୁହଁକୁ ଦେଖାଇ ଏକାଠି ଠୁଳ ହୋଇଗଲେଣି ।

 

କୁଡ଼ିଆର ଦୁଆରବନ୍ଧ ଉପରେ ବସି ବୋଧହୁଏ ତାରାମାନଙ୍କର ପରେଡ଼୍‌ ଦେଖୁଛନ୍ତି ସୁରେଶ । ସୁରେଶ ପଟ୍ଟନାୟକ । ଗୋଟିଏ ଅଭିଶପ୍ତ କଳାକାର । ଦାରିଦ୍ର୍ୟର କଷାଘାତରେ ଉତ୍ପୀଡ଼ିତ ତାଙ୍କର କଳା । ଏକାଧାରରେ ସେ ଲେଖକ, କବି, ନାଟ୍ୟକାର–ଏମିତି ଅନେକ କିଛି । ବଣମଲ୍ଲୀ ସେ । ବଣରେ ଫୁଟିଛନ୍ତି । ପୁଣି ଝଡ଼ିପଡ଼ନ୍ତି । କେହି ଜାଣନ୍ତିନି ତାଙ୍କ କବିତ୍ୱର ସ୍ଫୁର୍ତ୍ତି । ତାଙ୍କର କଳା କୁଡ଼ିଆର ଚାରି କାନ୍ଥ ମଧ୍ୟରେ ଆବଦ୍ଧ । ଦୀର୍ଘ ତିରିଶବର୍ଷର ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି ସୁରେଶଙ୍କର ଏମିତି ତାରାମାନଙ୍କୁ ଚାହିଁ ଚାହିଁ । କିନ୍ତୁ ଆଜି ପୁଣି ତା’ର ପୁନରାବୃତ୍ତି କାହିଁକି ? କେତେ ବସନ୍ତବି ଯାଇଛି । କେତେ ଶୀତ ବର୍ଷାବି ଯାଇଛି । ୟାରି ମଧ୍ୟରେ କିନ୍ତୁ ସେ ଆଜି ନିର୍ବାକ୍, ନିସ୍ପନ୍ଦ । ସମାଜକୁ ଚାହିଁବାକୁ ଆଜି ତାଙ୍କର ବାଟ ନାହିଁ, ସମାଜରେ ପ୍ରତିଷ୍ଠିତ ହେବାକୁ ତାଙ୍କର ଭରସା କେହି ନାହାନ୍ତି ।

 

x x ଆଜି ଏ କ’ଣ ଭାବୁଛନ୍ତି ସୁରେଶ । କ’ଣ ହୋଇଛି ତାଙ୍କର । କ’ଣ ସେ ଖୋଜୁଛନ୍ତି ଏ ତାରାମାନଙ୍କର ନଗ୍ନ ଯୌବନରୁ । ଘରକୁ ବୁଲି ଚାହିଁଲେ ସୁରେଶ । ଅର୍ଦ୍ଧଶାୟିତ ଭଗ୍ନ କୁଡ଼ିଆଟି ମଧ୍ୟରେ ଆହୁରି ତିନୋଟି ପ୍ରାଣୀ । ଦୁଇଟି ପିଲା । ପୁଅଟିଏ ଝିଅଟି । ବୁଲୁ ଓ କୁନି । ବୁଲୁ ବଡ଼, କୁନି ସାନ । ତା’ପରେ ବୁଢ଼ୀମା । ବୃଦ୍ଧା । ବୟସ ପାଖାପାଖି ଷାଠିଏ । ସଂସାରରୁ କେଉଁଦିନ ମୁକ୍ତି ପାଇବେ, ସେଇଥିପାଇଁ ଖାଲି ଅପେକ୍ଷା କରିଛନ୍ତି । ରୋଗ ଶଯ୍ୟାରେ ପ୍ରପୀଡ଼ିତା ସେ । ଆଉ ସେ ନିଜେ–ସୁରେଶ ପଟ୍ଟନାୟକ । ଏଇ ଚାରିଜଣଙ୍କୁ ନେଇ କୁଡ଼ିଆଟି ମୁଣ୍ତ ଟେକିଛି ସେମାନଙ୍କୁ ଆଶ୍ରୟ ଦେବାପାଇଁ । ଘରଟି କେଉଁ ଦିନରୁ ଭାଙ୍ଗିଯାଆନ୍ତାଣି । ଛପର ହୋଇନି ଦୀର୍ଘ ଚାରିବର୍ଷ ହୋଇଗଲା । କାନ୍ଥ ଠାଏଠାଏ ଧୋଇ ହୋଇ ପତଳା ହୋଇଗଲାଣି । କେତେ ଝଡ଼ ବାତ୍ୟା ବହିଗଲାଣି ୟାରି ଉପରେ । ନିର୍ବିକାରରେ ସବୁ ସହିଛି ଏ କୁଡ଼ିଆଟି । ତା’ର ଛତ୍ର ତଳେ ଚାରି ଚାରିଟା ଭୋକିଲା ଆଶ୍ରୟ ପ୍ରାର୍ଥୀ । କି ସହାନୁଭୂତି ଏ ନିର୍ଜୀବ କୁଡ଼ିଆଟିର । କି ଦରଦ ତା’ର ଏ ଚାରିଟା ପ୍ରାଣୀଙ୍କ ପ୍ରତି । କୁଡ଼ିଆଟି ଭିତରେ ମିଞ୍ଜି ମିଞ୍ଜି ହୋଇ ଜଳୁଛି ଡିବିରିଟା, ବହୁତ ପୁରୁଣା-। କଳଙ୍କି ଲାଗିଗଲାଣି ତା’ର ଚାରିପାଖରେ । ଏମିତି ଜଳି ଆସିଛି, ଦୀର୍ଘ ତିରିଶବର୍ଷ ପର୍ଯ୍ୟନ୍ତ-। କିଛି ପରିବର୍ତ୍ତନ ହୋଇନି ଡିବିରିଟିର, କି ସେ ସ୍ଥାନର । କେବଳ ଡିବିରି କଳାରେ କଳା ହୋଇ ଯାଇଛି ସେ କାନ୍ଥଟା ବୁଲୁ ଆଉ କୁନି ପାଠ ପଢ଼ିବାପାଇଁ ଡିବି ପାଖରେ ବସି ପଡ଼ିଲେଣି-। ଏ ଦୁଇଜଣ ହେଉଛନ୍ତି ତାଙ୍କର ଆଶାଭରସା । ଖର ସ୍ରୋତା ନଦୀରେ ଦୁଇଟି ଆହୁଲା-। ଏମାନଙ୍କୁ ପାଠ ଦି’ଅକ୍ଷର ପଢ଼ାଇବା ପାଇଁ ତାଙ୍କର ସର୍ବସ୍ୱକୁ ଉତ୍ସର୍ଗ କରି ଦେଇଛନ୍ତି । କିନ୍ତୁ ସେମାନେ ବଞ୍ଚିଲେତ ? ଏମାନେ ବଞ୍ଚିବେ କିପରି ? ତାଙ୍କ ମୁହଁରେ ଆହାର ଦେବାପାଇଁ ସେମିତି କିଛି ସମ୍ୱଳ ନାହିଁ । ପାଖରେ କାଣି କଉଡ଼ିଟିଏବି ନାହିଁ । ଦୁଇଦିନ ବଞ୍ଚାଇ ଦେଲେ କଷ୍ଟେମଷ୍ଟେ ନିଜେ ଉପାସ ରହି । ଆଜିକି ଏ ସନ୍ଧ୍ୟାରେ ହଇରାଣ ହେବାକୁ ପଡ଼ିବ ନାହିଁ ସୁରେଶକୁ । କୌଣସି ଉପାୟରେ ଚଳିଯିବେ । କିନ୍ତୁ କାଲି ସକାଳେ ? ଭିକ ମାଗିବାପାଇଁ ମଧ୍ୟ ସେ ଅକ୍ଷମ । ପୋଲିଓ ପେସେଣ୍ଟ୍-। ଏଣେ ଘର ଭିତରେ ବୃଦ୍ଧା, ରୋଗଗ୍ରସ୍ତା ବୁଢ଼ୀମା । କେଉଁଦିନ ମରିବ ତା’ର ଠିକ୍‌ଠିକଣା ନାହିଁ-। ନିଜ ବୋଉର ସ୍ନେହ ପାଇଥିଲେ ତା’ଠାରୁ । ଜନ୍ମ ହେବାର ପାଞ୍ଚବର୍ଷ ପରେ ବୋଉ ମରିଯାଇଥିଲା ତାଙ୍କର । ମା’ର ଯତ୍ନରେ ବଢ଼ି ଆସିଥିଲେ ଆଜି ପର୍ଯ୍ୟନ୍ତ । ବୃଦ୍ଧା ଅବସ୍ଥାରେ ସେବା ଶୁଶ୍ରୂଷା କରିବା ଦାୟିତ୍ୱ ତାଙ୍କର । କିନ୍ତୁ କେମିତି ସେବା କରିବେ ? କ’ଣ ଖାଲି ସାନ୍ତ୍ୱନା ଦେଇ ନା ମୁହଁରେ ପାଣି ଟିକେ ଦେଇ ଦେଇ । ସେଥିପାଇଁ ତ ଔଷଧ ଦରକାର । ପାଖରେ ପଇସାନାହିଁ । ଖାଇବାକୁ ନପାଇଲେ ବୁଢ଼ୀମା ମରିଯିବ । ପିଲାମାନେବି ଅକାଳରେ ଝଡ଼ିଯିବେ । ପିଲାଦୁଇଜଣଙ୍କୁ ଭିକ ମାଗିବାପାଇଁ ପଠାଇବାକୁ ପଡ଼ିବ । ତା’ଛଡ଼ା ଅନ୍ୟଉପାୟ ନାହିଁ । ପିଲା ଦୁଇଟି ଯାହାଆଣିବେ ସେଇଥିରେ ଚଳିଯିବେ । ତା’ପରେ ତାଙ୍କର ଆୟର ପନ୍ଥାପାଇଁ ଉପାୟ ଖୋଜି ବାହାର କରିବେ-। ଏମିତି ଭାବି ଚାଲିଛନ୍ତି ସୁରେଶ ତାରାମାନଙ୍କୁ ଚାହିଁ ଚାହିଁ । ତାରାମାନେ ଯେମିତି ମୁରୁକି ମୁରୁକି ହସୁଛନ୍ତି ତାଙ୍କର ଦାରିଦ୍ର୍ୟତା ପାଇଁ, କାପୁରୁଷତା ପାଇଁ । ପିଲାମାନଙ୍କୁ କାଲି ସକାଳେ ଭିକ ମାଗିବାକୁ ପଡ଼ିବ ନହେଲେ ବଞ୍ଚିବେ କେମିତି ? ଆଜି ସେଥିପାଇଁ ପିଲା ଦୁଇଟିକୁ କହିବାକୁ ପଡ଼ିବ, ଶିଖାଇବାକୁ ପଡ଼ିବ । କେମିତି ସେ କହିବେ ? ପାଞ୍ଚ ଛଅବର୍ଷର ପିଲା ଦୁଇଟି, ବାହାର କ’ଣ ଦେଖିନାହାନ୍ତି । ଏଇ କୁଡ଼ିଆଟି ହେଲା ସର୍ବସ୍ୱ । ପୁରୁଷତ୍ୱ ତାଙ୍କର ଚିତ୍କାର କରିଉଠିଲା । ଧିକ ତାଙ୍କର ପୁରୁଷତ୍ୱ ଧିକ ତାଙ୍କର ଜୀବନ । ବାପ ହୋଇ ଶେଷରେ ପିଲାମାନଙ୍କୁ ଭିକ୍ଷା କରିବାକୁ ପଠାଉଛନ୍ତି । ପାଳିବାରେ ଯଦି କ୍ଷମତାନାହିଁ ତେବେ ଜନ୍ମ ଦେବାରେ ସ୍ୱାର୍ଥକତା କ’ଣ ? ଲୋକମାନେ ଶୁଣିଲେ କ’ଣ କହିବେ ? କ’ଣ ଭାବିବେ ଏପିଲା ଦୁଇଟି ?? ଆଜି ଯଦି ନିରୁପମା ଥାନ୍ତେ ତେବେ ସେ କ’ଣ ପିଲା ଦୁଇଟିକୁ ଭିକ ମାଗିବାକୁ ପଠାଇପାରନ୍ତେ ? ନା–ହୁଏତ ସେ କ’ଣ ଛାଡ଼ି ନଥାନ୍ତେ । ମଲାବେଳେ ଅତି ଅନୁନୟ ବିନୟ ହୋଇ କହିଥିଲେ–‘‘ଏପିଲା ଦୁଇଜଣଙ୍କୁ ମଣିଷ ପରି ମଣିଷ କରିବ, ଭୁଲିବନି–ମୋ ରାଣ ।’’ ଆରପୁରରେ ଥାଇ କ’ଣ ଭାବିବ ସେ ତା’ର ପିଲା ଦୁଇଜଣ କ’ଣ ମଣିଷ ପରି ମଣିଷ ହୋଇ ପାରିଛନ୍ତି ? ଆଖିରେ ତାଙ୍କର ଲୁହ ଜକେଇ ଆସିଲା । ବହୁତ ଧୈର୍ଯ୍ୟ ଧରିଛନ୍ତି । ଦୀର୍ଘ ତିରିଶବର୍ଷ ପର୍ଯ୍ୟନ୍ତ । କିନ୍ତୁ ଆଜି ସେ ପାରୁନାହାନ୍ତି-। ଯେତେ ରୋକିଲେ ମଧ୍ୟ ଦୁଇଟୋପା ଲୁହ ଗଳିପଡ଼ିଲା ତାଙ୍କ ଆଖିରୁ । ଥରେ ବୁଢ଼ୀମାକୁ ଆଉଥରେ ପିଲା ଦୁଇଟିଙ୍କୁ ଲୋତକ ଭରା ଆଖିରେ ଅନାଇ ରହିଲେ ସେ । ପିଲା ଦୁଇଟି ଅତି ମନ ନିବେଶ କରି ପଢ଼ିବାରେ ବ୍ୟସ୍ତ । ଯେପରି ମନରେ କୌଣସି ପ୍ରକାର ଚିନ୍ତା ନାହିଁ, ଦକନାହିଁ କି ଭାବନା ମଧ୍ୟ ନାହିଁ । ହଁ କ’ଣ ଜାଣନ୍ତି ଏମାନେ ଏ ସଂସାର ବିଷୟରେ ବୁଢ଼ୀମା ଘରର ଗୋଟିଏ କୋଣରେ ଶୋଇ ବାପାଲୋ ମା’ଲୋ ହେଉଛି । କ’ଣ କରିପାରିଥାନ୍ତେ ସେ ଏମାନଙ୍କର-। ସେ କ’ଣ ତିନି ତିନିଟା ପ୍ରାଣୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିନାହାନ୍ତି ? ତାଙ୍କର ପୁରୁଷତ୍ୱ କ’ଣ ଚିତ୍କାର କରି ଉଠିନି ? କିନ୍ତୁ ଅନ୍ୟ ଉପାୟ ନଥିଲା ସୁରେଶଙ୍କର । ଘରର ପଟା ଉପରେ ଥୁଆ ହୋଇଥିବା କାଗଜ ଗଦାକୁ ଅନାଇ ରହିଲେ ସୁରେଶ । ସେଥିରୁ ଅନେକ ଉଇ ଖାଇଗଲାଣି । କେଉଁ ମାନ୍ଧାତା ଅମଳର । ଏଇ ହେଉଛି ତାଙ୍କର ଚେଷ୍ଟା । ଦୀର୍ଘ ତିରିଶବର୍ଷର ଡିବିରି ଆଲୁଅରେ ଦିନରାତି ବସିବାର ଶ୍ରମ । କିନ୍ତୁ ସେ ଶ୍ରମର ପରିଣାମ କ’ଣ ? ତା’ର ମୂଲ୍ୟ କିଏ ବୁଝୁଛି । ସେହି କାଗଜର ସ୍ତୂପ ମଧ୍ୟରେ ରହିଛି ଓଡ଼ିଆ ସାହିତ୍ୟର କଳାର ମୂର୍ତ୍ତିବନ୍ତ ଚିତ୍ର । ଆଉ ଅଧିକା କ’ଣ କରିପାରିଥାନ୍ତେ । ଗୋଟାଏ ଅଥର୍ବ ପଙ୍ଗୁ ତା’ର ପିଲାମାନଙ୍କ ପାଇଁ ଅଧିକା ଆଉ କରିପାରିଥାନ୍ତା କ’ଣ । କିନ୍ତୁ ଲେଖି ସାରିଲା ପରେ ପ୍ରକାଶର ଦାୟିତ୍ୱ କିଏ ବହନ କରିବ । ତାଙ୍କ ପାଖରେ ତ ଅର୍ଥର ଅଭାବ । କେତେକ ଚାହାନ୍ତି ଗୋଟିଏ କବି, ଗୋଟିଏ କଳାକାରର ବହିକୁ ନିଃସ୍ୱାର୍ଥପର ଭାବରେ ଛାପି ତାକୁ ଦାନାକନା ଯୋଗାଇବା ପାଇଁ । କେତେଜଣ ଚାହାନ୍ତି ଏହିଭଳି ଗୋଟାଏ କଳାକାରକୁ ଆଲୋକକୁ ଆଣିବାପାଇଁ । ଏଇଥିପାଇଁ ଆଜି ଆମର ସଂସ୍କୃତି, ଆମର ସମାଜ ନିମ୍ନଗାମୀ ହୋଇ ଯାଇଛି । ସେଥିପାଇଁ ଦାୟୀ କିଏ ? ଏ ସମାଜ–ଏଇ ପୁଞ୍ଜିପତିମାନେ । ଅର୍ଥର ସୌଧ ନିର୍ମାଣ କରିବାରେ ଲାଗିଛନ୍ତି କିନ୍ତୁ ଆମ ସଂସ୍କୃତିକୁ–ଆମ ଓଡ଼ିଆ ଜାତିକୁ ବଞ୍ଚାଇବା ପାଇଁ ପଛାଇ ଯାଉଛନ୍ତି କାହିଁକି ?? ଏମିତି ଅନେକ କିଛି ଭାବି ଚାଲିଥିଲେ ସୁରେଶ ପଟ୍ଟନାୟକ-। ତାଙ୍କର ମନ ବିଦ୍ରୋହ କରିଉଠିଲା । ଏ ସମାଜ ବିରୁଦ୍ଧରେ ଏ ପୁଞ୍ଜିପତି ବିରୁଦ୍ଧରେ । ଇଚ୍ଛାକଲେ ଯେମିତି ଦୀର୍ଘ ତିରିଶବର୍ଷର ଶ୍ରମର କାଗଜସ୍ତୂପକୁ ସେହି ତିରିଶବର୍ଷର ଜଳନ୍ତା ଡିବିରି ଆଲୁଅରେ ପୋଡ଼ି ପାଉଁଶ କରିଦେବେ । ସେଗୁଡ଼ିକ ରଖି ଲାଭ କ’ଣ ? ଯଦି ସମାଜ ତାକୁ ଚାହିଁଲାନି, ତେବେ ସମାଜରେ ତା’ର ମୂଲ୍ୟ କ’ଣ ? ତଥାପି ତାଙ୍କୁ ଆୟର ପନ୍ଥା ଖୋଜିବାକୁ ପଡ଼ିବ । ପିଲାମାନଙ୍କୁ ବଞ୍ଚାଇବାକୁ ପଡ଼ିବ । ବୁଢ଼ୀମାକୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ... ବ...ଞ୍ଚା...ଇ...ବା...କୁ...ପ...ଡ଼ି...ବ... କିନ୍ତୁ... ପୋଲିଓ ପେସେଣ୍ଟ୍, ସୁରେଶ ପଟ୍ଟନାୟକ

 

ବ୍ୟାଚଲର୍ସବାରକ

୨୧–୧–୭୪

Image

 

ଅନ୍ୟରୂପ–ରୂପାନ୍ତର

 

ଆଜି ପ୍ରାତରୁ ବୋଧେ କୁଆ ତା’ର ନିତିଦିନିଆ ରାବରୁ ବିରତି ନେଇଛି । କାରଣ ମୁଁ ତ ଶୁଣି ପାରିନି । ମୋର କର୍ଣ୍ଣର ଦୋଷ ଥାଇନପାରେ । ମୁଁ ଯେ ଦୀର୍ଘ ୨୫ ବର୍ଷ କାଳ କାନ ଦୁଇଟା ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ଆସିଛି । ତଥାପି କାନକୁ ବିଶ୍ୱାସ ନ କରିବି ବା କେମିତି ?

 

ଆଉ ଗୋଟାଏ କଥା । ଶୁଭ, ଅଶୁଭ କୁହ ଦୁଇଟି ପରସ୍ପର ପରିପୂରକ ହୋଇ ମୋ ଜୀବନ ଚଲା ପଥର ଚିର ସାଥୀ । ମୁଁ ଦେଖୁଛି, ମୋ ଜୀବନ କେବଳ ଅଶୁଭ ସହ ସଂପୃକ୍ତ ।

 

ଦୁଃଖ ଓ ସୁଖର ଚକ୍ର ଯେମିତି କ୍ରମାଗତ ଭାବରେ ଘୂରିବୁଲୁଛି ଶୁଭ ଅଶୁଭ ବା ସେଥିରୁ ବାଦ ଯାଆନ୍ତେ କିପରି । ସୁଖର ମାତ୍ରାଟା ଟିକେ କମ୍ ହେଲେ ଦୁଃଖର ରାଜୁତିଟା ଭାରି କଡ଼ା । ଆଉ ମଧ୍ୟ ଅଭାବ ଅନାଟନ ମଧ୍ୟରେ ‘ଜୀବନ ରୀଲ’ ଚଳନ୍ତା ଚିତ୍ର ଯେ କେତେ ବିଚିତ୍ର ଓ ହୃଦୟବିଦାରକ ତାହାର ସଠିକ୍‌ ବିବରଣୀ ଦେବା ବାହୁଲ୍ୟ ମାତ୍ର ।

 

ଜୀବନ ତ ତିଷ୍ଠିବା ଅସମ୍ଭବ ଆଉ ଆଶା, ଆକାଂକ୍ଷାର ସ୍ଥାନ କେଉଁଠି । କାରଣ ଅମଙ୍ଗଳର ରାଜୁତି ଯେଉଁଠି ମଙ୍ଗଳର ପ୍ରଶ୍ନ ବା ସେଠାରେ ଉଠିବ କେମିତି ।

 

‘ଜୀବନ ରୀଲ’ଟା ଘୂରୁ ଘୂରୁ ହଠାତ୍‌ ଯେତେବେଳେ ଦୁନିଆର ଆଲୋକ ଉତ୍ସ ବିଛୁରିତ ହୋଇ ତା’ର ବିକଳାଙ୍ଗ ଶରୀରଟାକୁ ପରିପ୍ରକାଶ କରାଏ, ସେତେବେଳେ ରଙ୍ଗିନ ଦୁନିଆର ରଙ୍ଗଗୁଡ଼ା ଆପେଆପେ ତା’ ଉପରେ ବୋଳି ହୋଇଯାନ୍ତି ।

 

ବନ୍ଧୁବାନ୍ଧବ ପରିବେଶରେ ଦିନଗୁଡ଼ା ବେଶ୍‌ ହସଖୁସିରେ କଟିଯାଏ । ଏମିତି ଗୋଟିଏ ପରିସ୍ଥିତି ଆସେ ହୁଏତ ଗୋଟିଏ ବିଚ୍ଛେଦ–ପ୍ରାଚୀର ସମ୍ମୁଖରେ ଦଣ୍ଡାୟମାନ ହୁଏ । ତା’ପରେ, ରାଗ ରୁଷା, ମାନ ଅଭିମାନ ସବୁକିଛି । ଏଇ ନିତିଦିନିଆ ଅଭିମାନରୁ ସବୁଦିନିଆ ଅଭିମାନ ।

 

ଅବଶ୍ୟ ପରିସ୍ଥିତି କୁହ ବା ସମୟ କୁହ କେହି ଗୋଟିଏ ହେଲେ ଭଲରେ ଗତି କରେନା-। ଥରେ ଜଣେ ଅନୁକୂଳରେ ସୁଖରେ ସୌଧ ଗଢ଼ିବାବେଳେ ଅନ୍ୟ ଜଣେ ପ୍ରତିକୂଳରେ ତରୁର ଛାୟା ଲୋଡ଼େ ।

 

ପରିହାସ ବା ଥଟାତାମସା ବନ୍ଧୁମହଲରେ କିଛି ଗୋଟାଏ ନୂଆ କଥା ନୁହେଁ । ଜଣେ କ୍ରୋଧରେ ଜର୍ଜରିତ ହୁଏତ ଅନ୍ୟ ଜଣେ ଅନୁତାପର ଅଗ୍ନିରେ ଦଗ୍ଧ ହୁଏ । ଆଉ ନିଜର ଓଜନ ହ୍ରାସ ହେବା ଦେଖି ଯେ ଗୋଟାଏ ଜଳନ୍ତା ଭାଣ୍ଡକୁ ଅନ୍ୟକୁ ନିକ୍ଷେପ କରିବା, ମଣିଷର ତ ବିବେକ ନୁହେଁ-? ମଣିଷଠାରେ ଦୋଷ ଦୁର୍ବଳତା ରହିଲେ ମଧ୍ୟ ତାକୁ ଭଲ ପାଇବାକୁ ପଡ଼ିବ । କାରଣ ରବିନ୍ଦ୍ରନାଥଙ୍କ ମତରେ, ‘ଯେଉଁ ଆଖି ଗୋଲାପ ଦେଖୁଛି,–କଣ୍ଟା ଦେଖିବାରେ ମଧ୍ୟ ଅଭ୍ୟସ୍ତ ହେବା ଉଚିତ ।’

 

ଆଃ । ଦାରୁଣ ଆଘାତ । ଜୀବନ ସହ ଜୀବନ ଖେଳି ଆସିଛି । ସେମିତି ଜୟ ପରାଜୟର ଧାରା ମଧ୍ୟ ବଳବତ୍ତର ରହି ଆସିଛି । ବିଜୟର ଧ୍ୱଜା ଉଡ଼ୁଥିଲାବେଳେ ପରାଜୟର ଦାରୁଣ କଷାଘାତ ମଧ୍ୟ ବିଚିତ୍ରନୁହେଁ । ଅନେକ ଜୀବନର ଚରମ ସୀମାକୁ ଉଠି ଯାଆନ୍ତି, କିନ୍ତୁ ମୋର ଆଶା, ଆକାଂକ୍ଷା–ଆର କ’ଣ କିଛି ମାନେ ନାହିଁ, ଶେଷନାହିଁ ??

 

କେବଳ କୁହୁଡ଼ିରେ ପହଁରି ଆକାଶ କୁସୁମ ତୋଳିବା ସାର୍ଥକ ହେବ ! ଭବିଷ୍ୟତ ଜଳିଯିବ ? ଧୂଳିସାତ୍ ହେବ ? ବିନ୍ଦୁଏ ରକ୍ତ ଥିବା ଯାଏ ମୁଁ Struggle କରିବି ହଁ Struggle for my existence । ମୋର ସ୍ୱାର୍ଥ ଜାତିର ସ୍ୱାର୍ଥ । ମୋ ଜୀବନ ଜାତିପାଇଁ, ଦେଶପାଇଁ ମଧ୍ୟ-। ଯାହା ମହାମାନବଙ୍କ ମତରେ ‘ଜାତି ମୋର ମୁଁ ଜାତିର ।’

 

କିନ୍ତୁ ମୁଁ ତ ବିଜ୍ଞ ନୁହେଁ । ସେପରି ଚିନ୍ତା କଲେ ହାସ୍ୟାସ୍ପଦ ହେବାର ମାତ୍ରା ନିଶ୍ଚୟ ବୃଦ୍ଧି ପାଇବ । ତଥାପି ସେ ମର୍ମ ମୋର ଗ୍ରହଣୀୟ ।

 

ଏଭଳି ଉଦ୍ଭଟ କଳ୍ପନା ଜୀବନରେ ଆସେ ପୁଣି ମିଳାଇ ଯାଏଁ । ଯେଉଁଠି କୃତକାର୍ଯ୍ୟ ହୁଏ ତା’ ମୂଳରେ ଥାଏ ଅର୍ଥର ଅବଦାନ । ଏହା ନିଶ୍ଚୟ ଯେ ଅର୍ଥବିନା ମଧ୍ୟ ମାନବ ସମାଜରେ ମାନବୀୟ ଅଧିକାର କରି ହୁଏ କିନ୍ତୁ ଅର୍ଥ ଯେ ଜୀବନର ମାନଦଣ୍ଡ । ବିଶେଷତଃ ଆଜିପାଇଁ । ପଦେ ଅଗ୍ରସର ହେବା କଠିନ । ଯାହା ଲାଗି ଆଘାତ ପ୍ରତିଘାତର ଇୟତ୍ତା ନାହିଁ । ଆଉ ସେଇ ଅର୍ଥହିଁ ମତେ ଦେଇଛି କଷାଘାତ । ସ୍ୱଚ୍ଛ ଆକାଶର ଯନ୍ତ୍ରଣା ଓ ଧରଣୀର ବ୍ୟଥା ଯାହା କେବଳ ଜଳନ୍ତା ମେଘକନ୍ୟା ଆଉ ପ୍ରଚଣ୍ଡ ସୂର୍ଯ୍ୟ ନିମିତ୍ତ ।

 

ସେଇ ଅର୍ଥ ମୋ ଜୀବନରେ ସୃଷ୍ଟି କରିଛି ହାହାକାରମୟ ବିଭୀଷିକା । ଆଜି ମୁଁ ବୁଝିଛି ଅର୍ଥର ଗୁରୁତ୍ୱ । ଯେକି ଏକମାତ୍ର ଅବଲମ୍ବନ । ଜୀବନର ଯେଉଁ ମାର୍ଗରେ ଗଲେ ମଧ୍ୟ ଅର୍ଥର ଗୁରୁତ୍ୱ ସବୁଠି । ଯେଉଁଠି ଅର୍ଥ ନାହିଁ ସେଠି ଜୀବନ ନାହିଁ । ବର୍ତ୍ତମାନକୁ ଅତିବାହିତ କରିବାକୁ ଅପରର ବଦାନ୍ୟତା ଯଥେଷ୍ଟ ସହାୟ ହୁଏ । କିନ୍ତୁ ପରେ ଅର୍ଥାତ୍‌ ସେ ପରିସ୍ଥିତି ଗଲେ ଓ ସେଇଭଳି ପରିସ୍ଥିତି ପୁଣି ଆସିଲେ, ସେମାନଙ୍କୁ ଚାହିଁଲେ ମଣିଷ ମୁହଁ ରଙ୍ଗା ପଡ଼ିଯାଏ । ରାଗରେ ନୁହେଁ, ଘୃଣାରେ, ଲଜ୍ଜାରେ ଆଉ ଅନୁତାପରେ– ।

 

‘‘ମୁଁ ଚାହେଁନା ଏ ସାଂସାରିକ କ୍ଷେତ୍ରରେ ଜୀବନର ଉନ୍ନତି । ମୁଁ ଚାହେଁ ମୃତ୍ୟୁ । ବର୍ତ୍ତମାନ, ଜୀବନ ପ୍ରତି ଆସିଛି ମୋର ବିତୃଷ୍ଣା, କ୍ଷୋଭ ମଧ୍ୟ । ଶରୀରକୁ ଏତେ ପୀଡ଼ା ଦେଇ ବ୍ୟଥାରେ ଜର୍ଜରିତ କରି, ରାଗରେ ଜଳେଇ ଦୈନନ୍ଦିନ କର୍ମକ୍ଷେତ୍ରରେ ଆଗେଇବା ମୋ ପକ୍ଷରେ ସମ୍ପୂର୍ଣ୍ଣ ଅବୈଧ । ବୋଝ ଉପରେ ନଳିତା ବିଡ଼ାର ଗୁରୁଭାର ଆଜି ମତେ ଅସ୍ତବ୍ୟସ୍ତ କରିଛି । କ’ଣ କରିବି । ପାଣିରେ କୁମ୍ଭୀର ଆଉ ଉପରେ– । କୁହନ୍ତୁତ ଏଭଳି ପରିସ୍ଥିତିରେ ମୋର କର୍ତ୍ତବ୍ୟ କ’ଣ-? ଖାଇବା, ପିନ୍ଧିବା, ଯାହା କୁହ କେଉଁଥିରୁ ମୋ ଜୀବନ ବାଦ ଯାଇନି ! ତେଣୁ ମୋର କହିବା କଥା ଜୀବନ ପଥରେ ଆଗେଇବାକୁ ଗଲେ, ଶରୀର ପୀଡ଼ା, ଉଦର ପୀଡ଼ା, ପଥପୀଡ଼ା କେଉଁଟାର କିଛିଟା ମାତ୍ରା ମୋ ନିମିତ୍ତ ଉପଯୋଗୀ ନୁହେଁ । ତେଣୁ ମୋର ଭବିଷ୍ୟତ ଥାଉ, ଆଶା ଯାଉ, ଭାବନା ରହୁ ।’’ ଏମିତି ଅନେକ ଭାବନା ଭିତର ଜୀବନର ପ୍ରକୃତ ରୂପଟା ଦେଖିଥିଲି-। କିନ୍ତୁ ହଠାତ୍‌ ପ୍ରକୃତିସ୍ଥ ହୋଇଥିଲି ଜଣେ ବନ୍ଧୁଙ୍କ ଆଗମନରେ ।

 

–କ’ଣ ଏଣୁତେଣୁ ଗୁଡ଼ାଏ ନେଇ ତମେ ଚିନ୍ତା କରୁଛ ଜୀବନ ! ସଂସାରକୁ ଉପଭୋଗ କରିବା ଭଳି ଉପାଦାନ କ’ଣ ତୁମର ନାହିଁ ? କେବଳ ଗୋଟିଏ କୋଠରୀର ଚାରି କାନ୍ଥ ଭିତରେ ତୁମେ ପଚି ପଚି ସଢ଼ିବ । ଦୁନିଆରେ ଆଲୋକ, ଆବହାୱାରୁ ନିଜକୁ ବଞ୍ଚିତ କରିବ ? ଜୀବନଟା ଏମିତି ଶୁଖେଇ ଶୁଖେଇ ‘ସାହାରା’ ପରି ଗୋଟାଏ ବିରାଟ ମରୁଭୂମି ସୃଷ୍ଟି କରିବ ?

 

–ହଁ, ଭାଇ ତୁମର ପ୍ରତ୍ୟେକ ପ୍ରଶ୍ନର ଉତ୍ତରହିଁ ସେ ପ୍ରଶ୍ନର । ଗୋଟିଏ ମାନହୀନ, ପ୍ରତିପତ୍ତିହୀନ ଜୀବନ ନିମିତ୍ତ ସେଇ କୁଟୀରର ଚାରି କାନ୍ଥହିଁ ତା’ର ପୃଥିବୀ । ତା’ର ଇଞ୍ଚ ଇଞ୍ଚ ସ୍ଥାନ ମାଟି ଖସି ଫଟା ଦାଗରେ ଗୋଟିଏ ଗୋଟିଏ ଦେଶ ଓ ମହାଦେଶର ମ୍ୟାପ୍ ଆଙ୍କୁଛି । ଗୋଡ଼ି ବାଲିହିଁ ତା’ର ଶିଳ୍ପ କାରଖାନା, ସବୁକିଛି । ଆଉ ଏ ବଡ଼ ବୁଢ଼ିଆଣୀର ସଂସାରହିଁ ମୋର ସୂର୍ଯ୍ୟ ଆଉ ତା’ର ରଶ୍ମି । ସେଇଥିରୁ ମୁଁ ପାଏ ଜୀବନକୁ ଉପଭୋଗ କଲାଭଳି ଅନେକ ଉପାଦାନ । କୁହତ ସୁରେଶ ଜୀବନ ମରୁଭୂମି ଆଉ ତୁମ କଳ୍ପିତ ସଂସାରରୁ ବଞ୍ଚିତ କିପରି ?

 

–ଅବଶ୍ୟ ଏ ଅକାଟ୍ୟ ଯୁକ୍ତିର ଅର୍ଥ ବହୁତ ଉଚ୍ଚରେ । ତା’ର ଅର୍ଥ ଆବିଷ୍କାର ଲାଗି ମୋ ବ୍ରେନ୍ ସକ୍ଷମ ନୁହେଁ । କେବଳ ଆଜି ନୁହେଁ, ତୁମର ଦାର୍ଶନିକ ଚିନ୍ତା ନିକଟରେ ମୁଁ ଶତବାର ପରାସ୍ତ-। ମୁଁ ଅନୁତପ୍ତ, ଲଜ୍ଜିତବି । ମୋର ଗୋଟିଏ ଅନୁରୋଧ ରକ୍ଷା କରିବ, ହୁଏତ ନିଜେ ବେଶ୍ ଗର୍ବ ଅନୁଭବ କରନ୍ତି ।

 

–ଏଥିରେ ଲଜ୍ଜିତ ହେବାର ପ୍ରଶ୍ନ ବା କାହିଁ ? ତୁମର ମତିଗତି ବଡ଼ ବିଚିତ୍ର ସୁରେଶ । ହଠାତ୍ ଆଲୋଚ୍ୟ ବିଷୟରୁ ଓହରି ପୁଣି ଗୋଟିଏ ନୂତନ ପ୍ରସ୍ତାବ ଆଗତ କରିବାକୁ ଉଦ୍ୟତ । ଆଚ୍ଛା କୁହତ ମୁଁ ତା’ର ସଦ୍‌ବ୍ୟବହାର କରିପାରେ କି ନା ।

 

–ମୁଁ ଆଶା କରେ ତୁମର ଉଚ୍ଚ ଶିକ୍ଷା । ନଚେତ୍‌ ତୁମେ ବାସ୍ତବ ଦୁନିଆରୁ ତ ହଟିବ ଆଉ ତୁମର ପରିକଳ୍ପିତ ଦୁନିଆରୁ ମଧ୍ୟ ପରାଜୟର ଗ୍ଳାନି ନେଇ ମରିବ ।

 

–ତୁମର ପ୍ରସ୍ଥାବରେ ଯେତିକି ଆନନ୍ଦ ଉପଲବ୍ଧି କରେ ସେତିକି ଦୁଃଖ ମଧ୍ୟ । ଆଚ୍ଛା କୁହତ ତମର ଏ ମହତ କଳ୍ପନା କ’ଣ ବିନା ଅର୍ଥରେ ବିନା ଦ୍ୱିଧାରେ ସାଧିତ ହୋଇ ପାରିବ ?

 

–ସେଥିପାଇଁ ନିଶ୍ଚିତ ରୁହ ବନ୍ଧୁ । ତୁମପାଇଁ ମୁଁ ନିଶ୍ଚୟ ଯଥାସମ୍ଭବ ଚେଷ୍ଟା କରିବି, ଏହା ମୁଁ ଦୃଢ଼ତାର ସହ କହୁଛି ।

 

–ବନ୍ଧୁତା ସୂତ୍ରରେ ତୁମର ପ୍ରସ୍ଥାବକୁ ସ୍ୱାଗତ ଜଣାଉଛି । ଆଉ ତମର ମୋ ପ୍ରତି ଅନାବିଳ ସ୍ନେହ ଓ ସହାନୁଭୂତି ପାଇଁ କୃତଜ୍ଞତା ମଧ୍ୟ ଜ୍ଞାପନ କରୁଛି । କିନ୍ତୁ ଜାଣ ତ ଭାଇ ଏଭଳି ଜୀବନରେ ଅନ୍ୟର ସାହାଯ୍ୟ ନେବା ଯାହା ନଈବଢ଼ିରେ କୁଟା ଖିଅକୁ ଆଶ୍ରା କରିବା ମଧ୍ୟ ତାହା । ଅନ୍ୟର ଧନକୁ ଅବଲମ୍ବନ କରି ଜୀବନରେ ଉନ୍ନତି କରିବା ଅର୍ଥ କେବଳ ତା’ର ଅନୁଗତ ହୋଇ ରହିବା । ସମୟ ଆସିବ ଯେତେବେଳେ ସାହାଯ୍ୟକାରୀ ଆଶ୍ରୟୀ ଉପରେ ନିଜର ମନଇଚ୍ଛା ରାଜୁତି କରିବେ । ଅବଶ୍ୟ ସୁରେଶ, ଏହା କେବଳ ମୁଁ ତୁମକୁ ଆକ୍ଷେପ କରୁନି । ଦୁନିଆର ରଙ୍ଗିନ ଚିତ୍ରରୁ କିଛିଟା ରଙ୍ଗ ଛଡ଼ାଇ ପ୍ରକୃତ ରୂପଟା ଦେଖାଉଛି । ପ୍ରଥମେ ମନୋରମ, ଅତ୍ୟନ୍ତ ତୃପ୍ତିଦାୟକ କିନ୍ତୁ ପରେ ହାହାକାର ଏବଂ ଆତ୍ମହତ୍ୟାର ପନ୍ଥା ଅନୁସନ୍ଧାନ ।

 

ତୁମର ପ୍ରସ୍ତାବ ଯାହା ମୋର ଆଶା ମଧ୍ୟ ତାହା । ତେଣୁ ନିଜ ଶ୍ରମରେ, ଜ୍ଞାନରେ ମୁଁ ଆଗେଇବାକୁ ଚାହେଁ କିନ୍ତୁ ତୁମର ସାହାଯ୍ୟରେ ନୁହେଁ, ଅର୍ଥାତ୍‌ ତମର ଅର୍ଥରେ ବୁଡ଼ି ରହି ନିଜକୁ ତ ଭୁଲି.....

 

–ତୁମେ କ’ଣ ମତେ ଏତେ ଛୋଟ ମନେକର ଜୀବନ ! ଏତେ ଦିନର ବନ୍ଧୁତା କ’ଣ ମିଥ୍ୟା, ? ଆଉ ଏତେ ଦିନର ସଂସ୍ପର୍ଶରେ ମୋର ଚରିତ୍ର କ’ଣ ତୁମ ନିକଟରେ ଅଛପା । ଅବଶ୍ୟ ମୁଁ ବଡ଼ଲୋକ କେବଳ ଧନରେ ? ମାନରେ ନୁହେଁ କି ଜ୍ଞାନରେବି ନୁହେଁ । ତୁମେ ତେବେ ଆଗେଇ ଚାଲ ବନ୍ଧୁ ମୁଁ ତୁମ ପଛରେ ଘୂରିବି କିନ୍ତୁ ରାହୁ ହୋଇ ନୁହେଁ ।

 

–ନା ବନ୍ଧୁ ! ତୁମକୁ ଛୋଟ ମନେ କରିବା ମୋ ପ୍ରସଙ୍ଗର ଉଦ୍ଦେଶ୍ୟ ନୁହେଁ, ଗୋଟିଏ ସତ୍ୟତାର ଅବତାରଣା ମାତ୍ର । ଜାଣ ତ ବନ୍ଧୁତାର ସୂତ୍ରପାତ ହୁଏ ଚାହା ଦୋକାନରେ ଅଥବା ସୌଖୀନମହଲରେ ଆଉ ପରିସମାପ୍ତି ଘଟେ ଟଙ୍କା ଧାରରେ । ମୁଁ ଜୀବନରେ ତୁମର ସାହାଯ୍ୟ, ସହାନୁଭୂତିକୁ କେବେହେଲେ ଭୁଲି ପାରିବିନି କିମ୍ବା ତୁମକୁ କେନ୍ଦ୍ରକରି ବନ୍ଧୁତାର ଅବମାନନା କରିବିନି । ତମର ସାହାଯ୍ୟ ଏ ଜୀବନରେ କାମ୍ୟ, ତଥାପି ଦୁନିଆ କ’ଣ କହିବ ? ମତେ ନିଶ୍ଚୟ ପଙ୍ଗୁ, କାଙ୍ଗାଳର ଆସନରେ ଉପବିଷ୍ଟ କରିବ । ମୁଁ ସ୍ପଷ୍ଟତାର ସହ କହେ ତୁମକୁ ଅପମାନିତ ବା ଘୃଣା କରିବା ମୋର ମନ୍ତବ୍ୟ ନୁହେଁ । x x x x

 

ତା’ପରେ ବନ୍ଧୁ ସୁରେଶ ଫେରିଗଲେ । ଯଦିଓ ଦୁଃଖରେ, ତଥାପି ଉପରେ ସ୍ମିତ ହାସ୍ୟରେଖା ଫୁଟାଇ, ତା’ପରେ ଜୀବନରେ ଆଉ କେତେଟା ଦିନ ତାଙ୍କ ସହ ବେଶ୍ ସୁନ୍ଦର ଆଳାପ ସହ କଟିଛି । କଥାପ୍ରସଙ୍ଗରେ ସେ ତାଙ୍କର ସାହାଯ୍ୟ ମଧ୍ୟ ଯାଚିଛନ୍ତି । ଦିନେ ମୁଁ ସ୍ୱୀକାର କରିବାକୁ ବାଧ୍ୟ ହେଲି, ‘ସୁରେଶ ତୁମେ କ’ଣ ମତେ ବାରମ୍ବାର ଅର୍ଥର ପ୍ରଲୋଭନ ଦେଖାଇ ଆମର ପବିତ୍ର ବନ୍ଧୁତାକୁ ଅବମାନନା କରୁନା ?’ ସେ ରାଗରେ କୁହୁଳି ଉଠୁଥିଲେ ଅବଶ୍ୟ ମନେମନେ । କାରଣ ତାଙ୍କୁ ତାହା ଅପମାନିତ ବୋଧ ହୋଇଥିଲା । ତାଙ୍କର ଉଚ୍ଚ ସାଥୀମହଲରେ-। ତା’ପରେ ମତେ ଦେଖି ଚାହିଁଲେ ମଧ୍ୟ ଉତ୍ତର ନାହିଁ ବରଂ ଫଣଫଣ ମୁହଁରେ ଆଖି ଦୁଇଟା ତାଙ୍କର ଜଳିଉଠେ । ସେ ନିରବ । ତାଙ୍କର ପ୍ରକୃତ ରୂପଟା କୁଆଡ଼େ ମୁଁ ପ୍ରକାଶ କରିଥିଲି-। ତା’ର ସତ୍ୟତା ମଧ୍ୟ ସେ ଦେଖାଇଥିଲେ । ସତ ମିଛର ବିଚାର ଅବଶ୍ୟ ତାଙ୍କ ହାତରେ ଥିଲା-। ପରେ ପରେ ମୋର ବିକଳାଙ୍ଗ ରୂପଟା ଅତ୍ୟନ୍ତ କୁତ୍ସିତ ହୋଇ ଉଠିଥିଲା ସାରା ମହଲରେ-। ଚୋରଠାରୁ ବୁଲା କୁକୁର, ଭିକାରି ପର୍ଯ୍ୟନ୍ତ ମତେ ସେ ସଜାଇବାରେ ଲାଗି ପଡ଼ିଥିଲେ-। ଶେଷରେ ତାଙ୍କୁ ମନରୁ ପୋଛି ପକାଇବାକୁ ବାଧ୍ୟହେଲି, ତାଙ୍କର ସେଇ ପଦକ କଥା–‘‘ତୁମେ ତେବେ ଆଗେଇଚାଲ ବନ୍ଧୁ ମୁଁ ତୁମ ପଛରେ ଘୂରିବି କିନ୍ତୁ ରାହୁହୋଇ ନୁହେଁ ।’’

 

ଜୀବନରେ ଏମିତି ଅନେକ ଘଟଣା ଅନାହୂତଭାବରେ ଦେଖା ଦିଏ ଯାହାପାଇଁ ମଣିଷ ଦୁନିଆର ସବୁ ପ୍ରକାର ସୁଖ ସମ୍ଭୋଗକୁ ତୁଚ୍ଛ କରିଦେଇ ମୃତ୍ୟୁକୁ ସ୍ୱାଗତ ଜଣାଏ । ଏମିତି ସମୟ ଆସେ ଭୁଲ ହେଉ କିମ୍ବା ଠିକ୍ ହେଉ ତିନି ତୁଣ୍ଡରେ ଛେଳି କୁକୁର ପରି ଅନ୍ୟମାନଙ୍କ ଆଗରେ ସଫେଇ ହେବାକୁ ପଡ଼େ । ମନ ଭିତରେ ପ୍ରତିବାଦର ବହ୍ନି ଜଳିଉଠିଲେବି ତାକୁ ବୁକୁ ତଳର ଅକୁହା ବେଦନାର ସ୍ପର୍ଶରେ ଚାପି ରଖିବାକୁ ପଡ଼େ ।

 

ମୋ ଜୀବନରେ ଏମିତି କେତେ ଘଟଣା ଘଟି ଯାଇଛି । ବନ୍ଧୁବାନ୍ଧବମହଲରେ ତ ଅପ୍ରିୟ । ସତକଥା କହି ସେମାନଙ୍କର ଅପ୍ରିୟ ହୋଇଛି । ଘରେ, ସାଇପଡ଼ିଶାରେ ମଧ୍ୟ ସେମିତି ପ୍ରାୟ ସମସ୍ତଙ୍କର ଅପ୍ରିୟ କହିଲେ ଚଳେ । ସମସ୍ତେ କୁହନ୍ତି ମୁଁ କୁଆଡ଼େ କାହା ସହିତ ବେଶି କଥାବାର୍ତ୍ତା କରେନି କି ଗାଁରେ କାହାକୁ ଖାତିରି କରେନି ।

 

ଅପ୍ରିୟ ସତ କହିଲେ ଦୁନିଆରେ ସମସ୍ତଙ୍କର ଚକ୍ଷୁଃଶୂଳ ହେବାକୁ ହୁଏ ବୋଲି ସେହିଦିନ ମୁଁ ଅନୁଭବ କରିପାରିଥିଲି । ଅନେକ ଚେଷ୍ଟା କରିଛି ଦୁନିଆର ଭଲମନ୍ଦକୁ ଦେଖି, ନ ଦେଖିଲା ପରି ଆଖି ବୁଜିଦେବା ପାଇଁ । କିନ୍ତୁ ପ୍ରତିକ୍ରିୟାଶୀଳ ମନ ସେଥିପାଇଁ ବିଦ୍ରୋହ କରି ଉଠିଛି, ଅନ୍ୟାୟକୁ ପ୍ରତିରୋଧ କରିବାର ଲିପ୍ସା ଆପେଆପେ ମନ ମଧ୍ୟରେ ଜାଗ୍ରତ ହୋଇଛି ।

 

କିନ୍ତୁ ସେ ତ ନିଜେ ନିଜେ ଭୁଲ କରିଚି । ବନ୍ଧୁଙ୍କର ଅଯାଚିତ ଦାନକୁ ସେ ଗ୍ରହଣ ନକରି ତାଙ୍କୁ ଉପହାସ କରିଛି–ଅପମାନିତ କରିଛି । ତା’ର ପ୍ରତିକ୍ରିୟାଶୀଳ ମନ ବନ୍ଧୁଙ୍କର ଏହି ଅଯାଚିତ ଦାନପାଇଁ ବିଦ୍ରୋହ କରିଉଠିଛି । ତାକୁ ମନେ ହେଉଛି ତା’ର ଦରିଦ୍ର୍ୟକୁ ଉପେକ୍ଷା କରି ଉପହାସ କରୁନାହାନ୍ତି ତ ? ତୁହାଇ ତୁହାଇ ତା’ର ବନ୍ଧୁର ସେଇ ଗୋଟିଏ କଥା ତା’ର ମନେ ପଡ଼ୁଥାଏ–‘‘ତୁମେ ତେବେ ଆଗେଇ ଚାଲ ବନ୍ଧୁ ମୁଁ ତୁମ ପଛରେ ଘୂରିବି କିନ୍ତୁ ରାହୁପରି ନୁହେଁ ।’’

Image

 

ନୀଳ ସାଗରର ନୀଳକଇଁ

 

ସମୟ ସନ୍ଧ୍ୟା । ଲିପି ବସିଛି ଏକାକୀ । ଟେବୁଲ ଉପରେ ଖେଳାହୋଇ ପଡ଼ିଛି ବହିଟି-। ବାହାରେ ବର୍ଷା, ବିଜୁଳି, ଘଡ଼ଘଡ଼ି ଏକାସାଙ୍ଗରେ ଡକାଡ଼କି ହୋଇ ଆଗପଛ ଚାଲିଛନ୍ତି-। ଚାରିଆଡ଼େ ଶୂନଶାନ୍ ମନ ଭିତରେ ବହି ଯାଉଛି ଗୋଟାଏ ଝଡ଼ ଏତେ ବର୍ଷା ହେବାପରେ ମଧ୍ୟ ତା’ ଦେହରୁ ଝାଳ ବହିଯାଉଛି ଗମ୍‌ ଗମ୍ ହୋଇ । ଆଖିରେ ଆଖିଏ ଲୁହ । ଏହି ଲୁହରେ ସବୁକିଛି ଦୁଃଖ ଅନୁଶୋଚନାକୁ ଧୋଇ ଦେବାକୁ ଚେଷ୍ଟା କରୁଥିଲା ଲିପି । କିନ୍ତୁ ତା’ର ମନର କୋହକୁ ଯେତେ ଚେଷ୍ଟା କଲେ ମଧ୍ୟ ଧୋଇ ପାରୁନି । ତା’ର ମନ ଭିତରେ କିଏ ଯେପରି ତୁହାଇ ତୁହାଇ କହି ଦେଉଛି । ‘‘ତୋର ତ ଦୁନିଆରେ ବାପା, ବୋଉ, ଭାଇ, ଭଉଣୀ ସମସ୍ତେ ଅଛନ୍ତି, ତୁ ଜଣକପାଇଁ ଏତେ ମନଦୁଃଖ କରୁଛୁ କାହିଁକି ? ସେ ତୋର କିଏ ? ଜଣେ ଯଦି ଅନ୍ୟର ମନକଥା ବୁଝିପାରନ୍ତା ତେବେ ଦୁନିଆରେ ଆଉ ଦୁଃଖ, ରାଗ, ଅଭିମାନ ବୋଲି କିଛି ନଥାନ୍ତା । ଦୁନିଆରେ ସମସ୍ତେ ସ୍ୱାର୍ଥପର । ନିଜର ଉଦ୍ଦେଶ୍ୟ ସାଧନରେ ସମସ୍ତେ ଧାଇଁଥାନ୍ତି । କିଏ ବୁଝେ ଅନ୍ୟର ବୁକୁତଳର ଅକୁହା ବେଦନାକୁ’’ ? ତେବେ କ’ଣ ଦେବଭାଇ ଏଇମାନଙ୍କ ମଧ୍ୟରୁ ଜଣେ ?? ‘‘କାହିଁକି ସେ ମୋତେ ଏତେ ଆପଣାର କରିନେଲେ । ସେ କ’ଣ ମୋତେ ଅନ୍ତର ସହିତ ଭଲପାନ୍ତି, ନା, ମୋତେ ପ୍ରଲୋଭନ ନିଆଁରେ ଆହୁତି ଦେଇ ପୁଣି ଦିନେ ହୋଇଯିବେ ପର–ଅନ୍ୟର ।’’ ଯିଏ ସବୁଦିନ ନ ଦେଖିଲେ ପାଗଳ ହୋଇଯାଆନ୍ତି, ସେ ଦେବ ଭାଇ–ଦୀର୍ଘ ପନ୍ଦରଦିନ ହେବ ତାଙ୍କର ଦେଖା ନାହିଁ । ସେ କ’ଣ ତାକୁ ଭୁଲିଗଲେଣି ।’’ ମତେ ମନେପକାଇବା ପରେ ସେମିତି କିଛି ଜିନିଷ ତ ମୁଁ ତାଙ୍କ ପାଖରେ ଛାଡ଼ି ଯାଇ ନାହିଁ କି ତାଙ୍କୁ ଅଯାଚିତଭାବରେ ଦେଇନାହିଁ । ଯେଉଁଟା କି ଦୁନିଆର ରୀତି । ଏକମାତ୍ର ସ୍ମୃତିର ସନ୍ତକ ଯେଉଁ ଫଟଖଣ୍ଡିକ ସେ ଅତି ଯତ୍ନରେ ତାଙ୍କର ଆଲବମ୍‌ରେ ରଖିଛନ୍ତି ତା’ ଛଡ଼ା ଅନ୍ୟ କିଛି ତ ନାହିଁ । ସେ ଖଣ୍ଡିକ ମୋତେ ମନେପକାଇବାକୁ ଏତେ ସାହାଯ୍ୟ କରିବନି ।’’ ଯଦି ଗୋଟିଏ ଫଟକୁ ଦେଖି ମଣିଷ ମନର ନିବୃତ୍ତ କୋଣର ଅକୁହା କଥାକୁ ଟେପ୍‌ ରେକଡ଼ିଂ କରାଯାଇପାରନ୍ତା ତେବେ ଦୁନିଆରେ ମନ ଓ ମନର ମିଳନ, ଭାବର ଆଦାନପ୍ରଦାନ, ଉତ୍ତର ପ୍ରତ୍ୟୁତ୍ତର, ରାଗରୋଷ, ମାନ ଅଭିମାନ, ମାୟାମମତା, ସୁଖ ଦୁଃଖର ଅର୍ଥ ମୂଲ୍ୟହୀନ, ଅବାସ୍ତବ ହୋଇପଡ଼ନ୍ତା ।’’ –ଏମିତି କେତେକଅଣ ଭାବନା ତା’ର ମନରେ ଝଡ଼ ସୃଷ୍ଟି କରି ଚାଲିଥିଲା । ପ୍ରକୃତିର ତାଣ୍ଡବ ଲୀଳା କମିଗଲାଣି କେତେବେଳୁ, ସେଥିପ୍ରତି ତା’ର ଦୃଷ୍ଟି ନାହିଁ । ଏକଲୟରେ ସେ ଭାବିଚାଲିଛି ବିଗତ ଇତିହାସ ପୃଷ୍ଠାକୁ ।

 

କା’ର କର ସ୍ପର୍ଶ ଅନୁଭବ କଲା ଲିପି । ଭାବନାର ରାଇଜରୁ ଫେରିଆସିଲା ସେ । ଜାଣିପାରିଲାନି କିଏ ତା’ର ଆଖି ବୁଜି ଧରିଛି । ଭାବିଲା ପାଖ କଲୋନିର ସାଙ୍ଗ ବିନ୍ଦୁ ହୋଇଥିବ । ମଝିରେ ମଝିରେ ସେ ଏମିତି ଆସି ତା’ର ଭାବନାରେ ସ୍ରୋତରେ ବନ୍ଧ ପକାଇଦିଏ । ମନେମନେ ଚିଡ଼ିଉଠେ ଲିପି ତା’ ଉପରେ । କିନ୍ତୁ ଅତି ପିଲା ଦିନରେ ସାଙ୍ଗ କିଛି କହିପାରେନା ବୋଲି ସେଦିନ ଅତି ବିରକ୍ତରେ ହାତକୁ ଛିଚାଡ଼ି ଦେଇ କହିଲା–‘‘ଆରେ ! ଛାଡ଼ମ । ସବୁବେଳେ ଏ ତୋ ଫାଜଲାମି ମତେ ଭଲ ଲାଗେନି ।’’ ଏତିକି କହି ବୁଲି ଚାହିଁଦେଲା ପଛକୁ । ଏତେ ଶୀଘ୍ର ନିଜ ଆଖିକୁ ବିଶ୍ୱାସ କରିପାରିଲାନି ସେ । ଦୁନିଆଟା ଯେପରି ତାକୁ କେନ୍ଦ୍ର କରି ଘୂରିବୁଲିଲା । ଏହି ଦୁନିଆର କେନ୍ଦ୍ରବିନ୍ଦୁ ହୋଇ ସେ ଯେପରି ଅସହାୟ ଭାବରେ ଘୂରି ବୁଲୁଛି । ହୁଏତ ଆଉ କିଛି ସମୟପରେ ତା’ର ସତ୍ତା ହଜିଯିବ । ଦେଖିଲା ପଛରେ ତା’ର ଦେବ ଭାଇ ଚାହିଁଛନ୍ତି । ତାଙ୍କ ମନରେ ଅନେକ ଭାବନା ସହଜରେ ପଢ଼ି ହେଉଥାଏ । ସେ ଯାହା ସ୍ୱପ୍ନରେ ସୁଦ୍ଧା ଆଶା କରି ନଥିଲା । ତାଙ୍କର ଆଜି ହଠାତ୍ ଆବିର୍ଭାବ ତାକୁ ବେଶି ଆଶ୍ଚର୍ଯ୍ୟ ଲାଗିଲା । କିଛି ନ କହି ମୁହଁ ଫେରାଇ ନେଇ ଟେବୁଲ ଉପରେ ମୁହଁ ରଖିଲା ଲିପି । ଅଭିମାନରେ ତା’ର ମୁହଁ ଫୁଲି ଉଠିଲା । କିଛି କହିଲାନି ସେ । ଖାଲି ତଳକୁ ମୁହଁ ପୋତି ଭାବୁଛି ପୂର୍ବ ଦିନଗୁଡ଼ାକର କଥାକୁ । କେମିତି ତା’ର ଏଇ ଦେବ ଭାଇଙ୍କ ସହିତ ପରିଚୟ ହେଲା....ଆଉ କି ଅବସ୍ଥାରେ ସେ ଆସି ପହଞ୍ଚିଛି !

 

ଦେବ ଏଣେ ଅନେକ ସମୟ ପର୍ଯ୍ୟନ୍ତ ଠିଆ ହୋଇଛନ୍ତି । ସେ ମଧ୍ୟ ନିରୁତ୍ତର । କାହିଁକି ଆଜି ଲିପିର ଏ ଅବସ୍ଥା ? ଦିନେ କେବେହେଲେ ତ ସେ ତା’ର ଏପରି ଅବସ୍ଥା ଲକ୍ଷ୍ୟ କରିନାହାନ୍ତି-। ସେ ନିଜେ ଯେତେଥର ତା’ ଉପରେ ରାଗି କଥା କହିବେନି ବୋଲି ଭାବୁଥିଲେ ମଧ୍ୟ ଲିପି ତାଙ୍କୁ ଆଗ ଦେଖିଲେ ହସିଦିଏ । କିନ୍ତୁ ଆଜି ଏ କି ପରିବର୍ତ୍ତନ ତା’ର । ଲିପିର ମୁହଁକୁ ଭଲ ଭାବରେ ଚାହିଁଲେ ସେ । ମୁହଁଟି ଶୁଖି ଯାଇଛି । ଯେପରି ଦୁଇଦିନ ହେଲା ଖାଇନି ସେ-। ଅଯତ୍ନ କେଶଗୁଡ଼ାକ ଫ୍ୟାନ୍‌ ପବନରେ ଫୁରୁଫୁରୁ ହୋଇ ଖେଳୁଛନ୍ତି । ଯେପରି ଆଜି ସେମାନେ ସମସ୍ତେ ବନ୍ଧନରୁ ମୁକ୍ତ ହୋଇ ଯାଇଛନ୍ତି । ଆଉ ଦେବକୁ ଦେଖି ତାକୁ ଧରା ନଦେବାପାଇଁ ତା’ ସହିତ ଲୁଚକାଳି ଖେଳୁଛନ୍ତି । ସେମାନେ ଯେପରି ତାକୁ ପରିହାସ କରି କହୁଛନ୍ତି–‘‘ତମେ ଆମକୁ ତମ ହାତରେ କେତେ ସଜାଡ଼ିବାକୁ ଚେଷ୍ଟା କରିଛ ଦେବବାବୁ । କିନ୍ତୁ ଆମେ ଆଜି ମୁକ୍ତ । ଆମେ ଏ ବନ୍ଧନ ଚାହୁଁନା, ଏ ବନ୍ଧନ ଅଳିକ...ନିରର୍ଥକ...’’

 

ଲିପିର ଏପରି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗିପଡ଼ିଲେ ଦେବେନ୍ଦ୍ର । ମନେମନେ ନିଜକୁ ଦୋଷୀ ବୋଲି ଭାବିନେଲେ ସେ । ତାହାହେଲେ ତାଙ୍କର କ’ଣ ତ୍ରୁଟି ରହିଗଲା ? ସେ ତାହାହେଲେ କେମିତି ସୁଖୀ ହେବାକୁ ଚାହେଁ ? ଏମିତି ଅନେକ ପ୍ରଶ୍ନ ତାଙ୍କର ମୁଣ୍ତକୁ ଭାରାକ୍ରାନ୍ତ କରିଦେଲା । ପାଖକୁ ଯାଇ ତା’ର ଅଲରା କେଶକୁ ସଜାଡ଼ୁ ସଜାଡ଼ୁ ଅତି କଅଁଳେଇ ଡାକିଲେ– ଲିପି-! ଲିପି ତଥାପି ନିରୁତ୍ତର । ତଳକୁ ମୁହଁ ପୋତି ବସିଥାଏ । ତା’ର ମୁହଁକୁ ଦୁଇହାତରେ ଟେକିଧରି କହିଲେ–କ’ଣ ମୋ ଉପରେ ରାଗିଛୁ !

 

ତଥାପି ସେ ନିରୁତ୍ତର

 

–କ’ଣ କଥା କହିବୁନି

 

–ମୁଁ ତମର କିଏ କି ? ଅଭିମାନ ଭରା କଣ୍ଠରେ ଏତକ ଏକ ନିଃଶ୍ୱାସରେ କହିଦେଲା ଲିପି । କହିଲାବେଳକୁ ପାଟି ତା’ର ଥରି ଉଠୁଥାଏ । କଥା କହିବାର ଭାରସାମ୍ୟ ଯେପରି ନଥାଏ ।

 

–ତୁ ମୋର କେହି ନହେଲେବି ମୁଁ ପରା ତୋର ଦେବଭାଇ । ମତେ କ’ଣ ଭୁଲିଗଲୁଣି ଲିପି ? –କହିଲେ ଦେବେନ୍ଦ୍ର ।

 

–ଆଉ କିଛିଦିନ ଯାଇଥିଲେ ତ ମୁଁ ତମକୁ ଚିହ୍ନିପାରି ନଥାନ୍ତି । ଏତେ ଦିନ ହେଲା ତୁମେ କୁଆଡ଼େ ଯାଇଥିଲ ? ମୋ କଥା କ’ଣ ତମର ଟିକିଏ ମନେ ପଡ଼ୁ ନଥିଲା ? ଦୀର୍ଘ ନିଃଶ୍ୱାସ ଛାଡ଼ିଲେ ଦେବେନ୍ଦ୍ର–

 

–ମୁଁ ଦୁନିଆର ବାହାରକୁ ଚାଲିଯାଇଥିଲି ଲିପି । ଯେଉଁଠି ମଣିଷ ସହିତ ମଣିଷର ସମ୍ପର୍କ ନାହିଁ, ସମାଜ ସହିତ ତା’ର ସମ୍ପର୍କ ନାହିଁ–ସେହିପରି ଏକ ନିର୍ଜନ ବେଳାଭୂମିକୁ–ଯେଉଁଠି ନଦୀର ଜଳଧାରା ବହିଆସି ସାଗର ସହିତ ମିଶିବା ପୂର୍ବରୁ ଶୁଷ୍କ ମରୁଭୂମିରେ ତା’ର ସତ୍ତାକୁ ହରାଇବସେ ଯେଉଁ ଦିନ ତୁ ମନା କରିଥିଲୁ ତମ ଘରକୁ ନ ଆସିବାପାଇଁ–ତା’ପରେ ମୁଁ କ’ଣ କରିପାରିଥାନ୍ତି । କେଉଁ ପୌରୁଷର ଗୌରବ ନେଇ ପୁଣି ତୋ ପାଖକୁ ଫେରି ଯାଇଥାନ୍ତି.....

 

–ଆସୁ ନଥିଲତ ପୁଣି ଆସିଲ କାହିଁକି ? କହିଲା ଲିପି । ତଥାପି ତା’ଙ୍କଠାରେ ସେହି ଅଭିମାନର ସ୍ୱର ।

 

–ନ ଆସିଲି ବୋଲି ତୁ ରାଗୁଛୁ ଲିପି । ମୁଁ ସିନା ତୋ ପାଖରୁ ଦୂରେଇ ଯାଇଥିଲି କିନ୍ତୁ ମନଟାତ ଛାଇପରି ତୋ ପଛେ ପଛେ ଘୂରିବୁଲୁଛି । ତୋତେ ଦେଖିଲେ ମୁଁ ନିଜକୁ ଭୁଲିଯାଏ ଲିପି, କାହିଁକି ମୁଁ କିଛି ବୁଝିପାରେନା । କେତେ ଥରଭାବେ ଆଉ ତମ ଘରକୁ ଯିବିନାହିଁ ବୋଲି ତଥାପି ରହିପାରେନା–ଆସେ । ତୋର କ୍ଷଣିକର ସ୍ନେହ ମୋତେ ଅନ୍ଧ କରିଦେଇଛି ଲିପି ! ସବୁ ଦୁର୍ବଳତାକୁ ଏଡ଼ାଇ ଦେଇ ମୁଁ ନିଜକୁ ବଞ୍ଚାଇ ପାରିଲି ନାହିଁ । ମୋର ସମସ୍ତ ପୌରୁଷକୁ ଜଳାଞ୍ଜଳି ଦେଇ ମୁଁ ତୋ ନିକଟକୁ ପଳାଇ ଆସିଛି ।

 

–ତମେ କାହିଁକି ଆସୁ ନଥିଲ ମୁଁ ଶୁଣେ ? ଭାଷାରେ ତା’ର ଅଭିମାନର କଠୋର ଇଙ୍ଗିତ ।

 

–ତୋରି ଭଲପାଇଁ ଆସୁ ନଥିଲି ଲିପି । ସମାଜ ଯେଉଁଟାକୁ ଚାହୁଁନି, ସମାଜ ଆଖିରେ ଯେଉଁଟା ଭଲ ନୁହେଁ ତାକୁ କେନ୍ଦ୍ର କରି ବୁଲିବା କ’ଣ ଠିକ୍ ? ତା’ଛଡ଼ା ଘର କାମରେ ଟିକେ ବ୍ୟସ୍ତ ଥିଲି ସମୟ ହେଲାନି ।

 

–ମିଛ କଥା କହି ମୋତେ ଭୁଲାଇବାକୁ ଚେଷ୍ଟା କରନି ଦେବ ଭାଇ । ମୁଁ କ’ଣ ପିଲାଟିଏ ହୋଇଛି । ମୁଁ ଏମିତି କ’ଣ କହିଲି ଯେ ତମେ ସେଥିରେ ଅଭିମାନ କରି ବସିଲ ? ସମାଜ ଆଖିରେ ଏଇଟା ଭଲ ନ ହୋଇପାରେ ସମାଜ ରକ୍ଷଣଶୀଳ ହୋଇପାରେ କିନ୍ତୁ ମନ ତ କେବେ ରକ୍ଷଣଶୀଳ ନୁହେଁ । ‘‘ନାରୀର ମନ ଦୁର୍ବଳ ଲତା ପରି ଅନ୍ୟର ଆଶ୍ରୟ ଖୋଜେ । ସେ ଯାହାର ସ୍ନେହ–ମାୟା–ମମତା ପାଏ ତା’ରି ପାଖରେ ନିଜକୁ ଲୋଟାଇ ଦିଏ । –ଏକା ନିଃଶ୍ୱାସରେ ଏତକ କହିଦେଇ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲା ଲିପି । ସେହି ଦୀର୍ଘ ନିଃଶ୍ୱାସରେ ସେ ଯେପରି ତା’ର ସମସ୍ତ ବ୍ୟଥାକୁ ପ୍ରକାଶ କରାଇ ଦେଇଛି ।

 

ନିରବରେ ବିଶ୍ଳେଷଣ କରୁଥାନ୍ତି ଦେବେନ୍ଦ୍ର ତା’ର କେଇପଦ କଥାକୁ । ପ୍ରକୃତରେ ପୁରୁଷର ମନଠାରୁ ନାରୀର ମନ କେଡ଼େ କୋମଳ । ପୁରୁଷ ଅପେକ୍ଷା ନାରୀ କେଡ଼େ ସ୍ପଷ୍ଟବାଦୀ । ମନର କଥାକୁ ଅନ୍ୟପାଖରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରେନା । କିନ୍ତୁ ପୁରୁଷ.... । ଏହି ନାରୀ ଜାତିଟାପାଇଁ ତାଙ୍କ ମନରେ ଦୁଃଖ ଆସିଲା । ବିଶେଷତଃ ଏହି ଲିପିପାଇଁ କେତେ ସରଳ ତା’ର ସ୍ୱଭାବ, ତା’ର ଦେବଭାଇକୁ ଦିନେ ନ ଦେଖିଲେ ସେ ରହିପାରେନି କିନ୍ତୁ ଝିଅ ଜନମ ତ ପରଘରକୁ ସବୁ ଦିନେ କ’ଣ ସେ ତାକୁ ନିଜର କରି ରଖିପାରିବେ । ସେ ସାହାସ ତା’ର ନାହିଁ କି ସେ ସମ୍ବଳ ତା’ର ନାହିଁ । ସାଧାରଣ ଗରିବ କୃଷକର ପୁଅ ଆଉ ଆଭିଜାତ୍ୟ ସଂପନ୍ନ ଉଚ୍ଚପଦସ୍ଥ ସରକାରୀ ଅଫିସରଙ୍କର ଝିଅ–ଏମାନଙ୍କର ମିଳନ ଅସମ୍ଭବ ସେ ତାକୁ ସବୁଦିନ ପାଇଁ କେବେହେଲେ ନିଜର କରିପାରିବେନି । ସେମାନଙ୍କର ମିଳନରେ ସାମାଜିକ ପରମ୍ପରା ସାମାଜିକ ବନ୍ଧନ ଏକ ସୁଦୃଢ଼ ପ୍ରାଚୀର ପରି ଠିଆ ହୋଇ ତାକୁ ଉପହାସ କରୁଛି । ତାଙ୍କର ଭାବନାକୁ ବାଧା ଦେଇ ଲିପି କହିଲା....

 

–ଏତେ କ’ଣ ଭାବୁଛ ଦେବ ଭାଇ । କ’ଣ ମନରେ କଷ୍ଟ ହେଉଛି ?

 

କେମିତି ଜାଣିଲା ଏ ମୋ ମନର କଥାକୁ । ତାହାହେଲେ ସେ କ’ଣ ମୋ ମନର କଥାକୁ ଭଲ ଭାବରେ ବୁଝି ପାରିଛି ? ବାସ୍ତବିକ ନାରୀ ଜାତିର ଏଇଟା ଗୋଟେ ବଡ଼ ବାହାଦୁରି । ଅନ୍ୟର ଦୁଃଖ ଯନ୍ତ୍ରଣାକୁ ସହଜରେ ଉପଲବ୍ଧି କରିପାରେ । କିନ୍ତୁ ପୁରୁଷ ସେତେଟା ନୁହେଁ । ରହି ରହି କହିଲେ ଦେବେନ୍ଦ୍ର–ନା, ସେମିତି କିଛି ନୁହେଁ । ତୋ କଥାଗୁଡ଼ାକ ଖାଲି ମନେ ପକାଉଥିଲି ।

 

–ନା ଦେବ ଭାଇ, ମୋ କଥାଗୁଡ଼ାକ କିଛି ମନେ ପକାଅନି । ସେଥିରେ ତମର କିଛି ଲାଭ ହେବନି । ତମେ ପାଠ ପଢ଼, ଦୁନିଆରେ ବଡ଼ମଣିଷ ହୁଅ । ଏଇଆ ଦେଖିଲେ ହୁଏତ ମୁଁ ମୋର ମନର ଦୁଃଖକୁ ଭୁଲିଯାଇପାରିବି । ଆଚ୍ଛା ଦେବ ଭାଇ, ଆଜି ତମେ ଆସିଲ, ତମର ପଢ଼ାପଢ଼ିର କିଛି ବ୍ୟାଘାତ ସୃଷ୍ଟି ହେଲାନି ?

 

ଲିପିର କଥାଗୁଡ଼ାକ କିପରି ଆକ୍ଷେପ କଲାପରି ଲାଗିଲା । ଏଥିରେ ମଧ୍ୟ ତା’ର ସେହି ଅଭିମାନର ଭାଷା ପୂରି ରହିଛି ।

 

–ତୁ ବୁଝି ପାରିବୁନି ଲିପି । ଏହି ଗଦାଗଦା ବହି ମଧ୍ୟରେ ବୁଡ଼ିରହି ମଧ୍ୟ ମୁଁ ତୋତେ ମନରୁ କେବେ ହଜାଇ ଦେଇ ପାରିନି । ସେହି ବହିଗୁଡ଼ିକର ପୃଷ୍ଠା ଭିତରେ ଯେମିତି ଦେଖାଯାଉଥାଏ ତୋର ସେହି ନିଟୋଳ ମୁହଁଟି, ଢଳଢ଼ଳ ଦୁଇଟି ଆଖି । ଜବରଦସ୍ତି ପଢ଼ିବାକୁ ବସିଲେ ମଧ୍ୟ ପଢ଼ିପାରେନି ।

 

ସେଥିପାଇଁ ବାଧ୍ୟ ହୋଇ ଚାଲିଆସିଲି ତମ ଘରକୁ । ତୋ ପାଖରୁ ବହୁଦୂରରେ ଥିଲେ ହୁଏତ ମୁଁ ଜୀବନରେ କେବେ ଏତେ ଉନ୍ନତି କରି ପାରି ନଥାନ୍ତି । ତତେ ଦେଖିଲେ ମୁଁ ମୋର ସବୁ ଦୁଃଖ ଯନ୍ତ୍ରଣାକୁ ଭୁଲିଯାଇ । ଦୁନିଆରେ କେମିତି ମଣିଷ ହେବି ସେହି କଥାହିଁ ହୋଇଯାଏ ମୋର ଏକମାତ୍ର ଲକ୍ଷ୍ୟ ।

 

–ତମର ଏ ଭଲପାଇବାଟା ଅଭିନୟ ନୁହେଁତ ଦେବଭାଇ ? ଦୁନିଆରେ ସମସ୍ତେ ଭଲପାଇବାର ଛଳନାକରି କେତେ ପ୍ରଲୋଭନ ଦେଖାଇ ଶେଷରେ ନିଜର କାମନାକୁ ଚରିତାର୍ଥ କରି ଦୂରକୁ ଠେଲିଦେଇ ଚାଲି ଯାଆନ୍ତି–ସୁନା ପିଲାଟିପରି ।

 

–ତୁ ତାହାହେଲେ ମୋତେ ଅବିଶ୍ୱାସ କରୁଛୁ ଲିପି ।

 

–ଏଠି ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ଉଠୁନି ଦେବଭାଇ । ଦୁନିଆରେ ଯାହା ଚିରନ୍ତନ ସତ୍ୟ ସେହି କଥାହିଁ ମୁଁ କହୁଛି । ମନର କ୍ଷଣିକ ବାସନା ମରି ଗଲାପରେ ପୁଣି ଆଉ ଜଣକୁ ପାଇବାପାଇଁ ସେ ପୁଣି ଅନ୍ୟବାଟରେ ଚାଲିଯାଏ । ବିଚରାର ଜୀବନରେ ସାରା ଜୀବନପାଇଁ ଅଶାନ୍ତିର ଝଡ଼ ଉଠାଇ ଦେଇ ।

 

–ତୋର ଧାରଣା କିନ୍ତୁ ଭୁଲ ଲିପି । ତୁ ମୋର ମନର କଥାକୁ କେବେ ବୁଝିପାରିନୁ କି ଚେଷ୍ଟାବି କରିନୁ । ଯଦି ବୁଝି ପାରୁଥାନ୍ତୁ ତେବେ ଏପରି ଆକ୍ଷେପ କରି ନଥାନ୍ତୁ । ଆଚ୍ଛା ଲିପି, କହିପାରିବୁ–‘‘ମୁଁ ତ ଜଣକୁ ଏତେ ଭଲପାଏ କିନ୍ତୁ କାହିଁ ସେ ତ ମତେ ଦିନେହେଲେ ଧରାଛୁଆଁ ଦିଏନା ?’’

 

–ତମେ ଟିକେ ବୁଝିବାକୁ ଚେଷ୍ଟାକର ଦେବଭାଇ । ଶିକାରୀ କୌଣସି ଶିକାରପାଇଁ ବିକ୍ଷିପ୍ତ ଭାବରେ ଘୂରି ନ ବୁଲି ଏକ ନିର୍ଦ୍ଦିଷ୍ଠ ଶିକାରକୁ ଅନୁସରଣ କଲେ କିମ୍ବା ଅତି ନିରାପଦ ଭାବରେ ଫାଶ ବସାଇ ଦେଇ ଶିକାରର ଉଦ୍ଦେଶ୍ୟରେ ଜଗିରହିଲେ ହୁଏତ ସଫଳ ହୋଇପାରେ–ଏତକ ଏକାନିଃଶ୍ୱାସରେ କହି ଦେଇ ହସିଦେଲା ଲିପି ।

 

ତା’ର କଥାର ମର୍ମକୁ ଯେପରି ବୁଝିପାରିଲେ ଦେବେନ୍ଦ୍ର । ତା’ର ମୁଣ୍ତକୁ ସାଉଁଳାଇ ଦେଉ ଦେଉ କହିଲେ–‘‘କେବେଠାରୁ ଏମିତି କଥା ଶିଖିଲୁଣି ଶୁଣେ’’ ? କହିଲ । ଲିପି–‘‘ଯେବେଠାରୁ ତମେ ମୋ ଉପରେ ରାଗିବା ଆରମ୍ଭ କରିଛ । ତମେ ପରା ମୋତେ ତମ ରାଗରୁ କଥା କହିବା ଶିଖାଇଛ । କିନ୍ତୁ ଏଥର ତମେ ମୋ ଉପରେ ରାଗିଲେ ମୁଁ ଆଉ କଥା କହିବିନି’’ ।

 

–ରାଗରୁଷା ଯେଉଁଠି ବନ୍ଧନ ପରା ସେଇଠି । ରାଗରୁଷା ବିନା ବନ୍ଧନର କ’ଣ ସାର୍ଥକତା ଅଛି ? –କହିଲେ ଦେବେନ୍ଦ୍ର....

 

ହସି ଉଠିଲା ଲିପି । ହସି ଉଠିଲେ ଦେବେନ୍ଦ୍ର । ସେହି ହସର ଜୁଆର ଭିତରେ ସେମାନେ ଯେମିତି ଅତୀତର ସବୁ ଗ୍ଳାନି ସବୁ ଅନୁଶୋଚନାକୁ ଧୋଇ ନେଇ ଚାଲିଗଲେ ବିସ୍ମୃତିର ଗର୍ଭକୁ ।

 

ତଥାପି ତାଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ଲିପି ବଡ଼ଲୋକର ଝିଅ । ସେ ଗରିବ କୃଷକର ପୁଅ । ଲିପିର ସ୍ଥାନ ଦ୍ୱିତଳ ତ୍ରିତଳପ୍ରାସାଦର କେଉଁ ଏକ ସୁସଜ୍ଜିତ ପ୍ରକୋଷ୍ଠରେ କିନ୍ତୁ ତାଙ୍କର ସ୍ଥାନ ଗୋଟିଏ ନିପଟ ମଫସଲର କେଉଁ ଏକ ଅନ୍ଧାରିଆ ଗଳିର ଅନ୍ଧାରିମୁଲକରେ । ତେବେ କାହିଁକି ସେ ତା’ର ଏତେ ନିକଟକୁ ଚାଲିଯାଉଛନ୍ତି । ଯେତେ ଦୂରେଇ ଯିବାକୁ ଚେଷ୍ଟା କଲେବି ଯାଇପାରୁ ନାହାନ୍ତି ବରଂ ବେଶି ବେଶି ନିକଟକୁ ଚାଲିଯାଉଛନ୍ତି । ମରୀଚିକା ପଛରେ ଧାଉଁ ନାହାନ୍ତି ତା’ର ।

 

ମନରେ ତା’ର ପୂର୍ଣ୍ଣିମା ସାଗରର ଜୁଆର । ଗୋଟିଏ ପାଖରେ ବେଳା ଲଙ୍ଘି ଘୁଘୁ ଗର୍ଜନ ଛାଡ଼ୁଛି । ଆରପାଖ କେଉଁ ଏକ ଦୂର ଦିଗ୍‌ବଳୟ ସାଥିରେ ମିଶିଯାଇଛି–ଆଖିର ପରପାରିକୁ ହତାଶୀରେ ଚାହିଁଛି, ସେ ସେତିକି ଜୁଆର ସ୍ପର୍ଶ କରି ଫେରି ଆସିବ ତା’ ପାଖକୁ–ସେ ହୁଏତ ପାଇ ପାରିବ ତା’ର ସାନ୍ନିଧ୍ୟ......

 

୩ । ୯ । ୭୪

ବ୍ୟାଚଲର୍ସ ବାରାକ୍‌

Image

 

ଭିନ୍ନମୁଖୀ

 

କିନ୍ତୁ.....

 

ଇଡ଼ିଗଲା ପାଣି...ହଜିଗଲା ବୟସ ।

 

ଅତୀତ...ବର୍ତ୍ତମାନ...ଭବିଷ୍ୟତ ।

 

ଏମାନେ ଯେମିତି ଏକ ଏକ ଏକକ । ସମୟର ଦୀର୍ଘ ବ୍ୟବଧାନରେ ଏମାନଙ୍କର ଆତ୍ମସତ୍ତା ହଜିଯାଏ । ସମୟ ଅତୀତକୁ ଝୁରିହୁଏ, ମୁଣ୍ତବାଡ଼ାଏ, ଅନୁତାପର ଅଗ୍ନିରେ ଝାସ ଦେଇ ଆତ୍ମହତ୍ୟା କରେ । ସେ ଅନୁଭବ କରି ପାରେନା....ଇଡ଼ିଗଲା ପାଣି, ହଜିଗଲା ବୟସ ଆଉ ଫେରି ଆସେନା । କେବଳ ବାହୁନି କାନ୍ଦିବା ସାରହୁଏ–‘‘ମଥୁରାକୁ ଗଲାପୁତ୍ର ବାହୁଡ଼ି ନୋଇଲାଲୋ କୋଇଲି’’ କହି ଚିତ୍କାର କରେ । ତା’ପରେ ଅତୀତ ବସନ୍ତର ରାଗରଙ୍ଗକୁ ମନେପକାଇ ନିଜକୁ ପ୍ରବୋଧନା ଦେବାକୁ ଚେଷ୍ଟାକରେ । ଗଲାଣିତ....ଗଲା କଥାରେ ସଙ୍ଗାତ...ଗଲାଣିତ ଗଲାକଥା । ବର୍ତ୍ତମାନ ଉପରେ ଭରସା ରଖେ । ମହଳନ ଅତୀତକୁ ପାଶୋରି ପକାଏ । ଭବିଷ୍ୟତର ସୁନେଲି ସ୍ୱପ୍ନରେ ବିଭୋର ହୋଇ ଉଠେ, ପୁଣି ଅପେକ୍ଷା କରେ ନବ ବସନ୍ତର ଆଗମନକୁ । ବସନ୍ତ ଆସେ–ପୁଣି ଯାଏଁ, କିନ୍ତୁ କାହିଁ ? କାହିଁ ତା’ର ସେ ହଜିଗଲା ବୟସର ଅଙ୍ଗରାଗ ?

 

ଏମିତି ଦିନେ ଅତୀତ ଯୌବନର ରୋମାଞ୍ଚ ଶତଦଳକୁ ମନେପକାଇ ବାହୁନି କାନ୍ଦି ଉଠିଥିଲା ଅରୁଣା । ପ୍ରସ୍ଫୁଟିତ ଶତଦଳର ସୁରଭିକୁ ମନଖୋଲି ଉପଭୋଗ କରିବାକୁ ଦେଇ ଦେଇଥିଲା ଗୋଟିଏ ଅକିଞ୍ଚନ ଅନାହୂତ ପ୍ରେମିକ ଭ୍ରମରକୁ । ସେତେବେଳେ ସେ ଯୌବନର ଉଦ୍ଦାମତାରେ ନିଜର ଆତ୍ମଜ୍ଞାନ ହରାଇ ସାରିଥିଲା । ସେ ଥରେ ତା’ର ଭବିଷ୍ୟତକୁ ଆଖି ଫେରି ଚାହିଁ ପାରିଲାନି । ତା’ପରେ ଯେତେବେଳେ ସେ ଅନୁଭବ କଲା ସେ ଆଜି କୀଟ ଦ୍ରଂଷ୍ଟା, ସମାଜରେ ଅବହେଳିତା, ପତିତା, ସେତେବେଳକୁ ତା’ର ହଜିଲା ବୟସ କେତେବେଳୁ ମହଳନ ପଡ଼ିଗଲାଣି । ଦୁଃଖ ଆଉ ଅନୁଶୋଚନାରେ ଭାଙ୍ଗିପଡ଼ିଥିଲା ଅରୁଣା । ସେ କ’ଣ ଆଉ ସମାଜକୁ ଯାଇ ପାରିବନି ? ସମାଜର ଅନ୍ଧକାରକୁ ଦୂର କରିବାପାଇଁ ତା’ର ହାତ ଧରି କେହି କ’ଣ ତାକୁ ବାଟ କଢ଼ାଇ ନେଇ ଯାଇପାରିବନି ? କ’ଣ ବା ସେ ଭୁଲ କରିଛି ?

 

ଆହା ଯୌବନ ଥରେ ଗଲେ ଆଉ ସେ ଆସେନା...ବ୍ୟଥା ବିଧୁର ପରାଣେ ଝୁରେ ବାସନା । କିନ୍ତୁ ଲାଭ କ’ଣ ?

 

ଏମିତି କେତେକଅଣ ଭାବିଗଲା ଅରୁଣା । ଜୀବନରେ ଅନେକ ଦୁଃଖ କଷ୍ଟ ସହି ସେ ଆଜି ଉଚ୍ଚଶିକ୍ଷିତା । ବିଶ୍ୱବିଦ୍ୟାଳୟର କୃତୀଛାତ୍ରୀ । ପିତାମାତାଙ୍କର ଏକମାତ୍ର ଭରସା । ଛୋଟଭାଇ ଭଉଣୀଙ୍କୁ ମଣିଷ କରିବାର ଦାୟିତ୍ୱ ତା’ ଉପରେ । କିନ୍ତୁ...ସାମାନ୍ୟ ଗୋଟିଏ ଭୁଲପାଇଁ ସମାଜରେ ତା’ର ଆଉ ସ୍ଥାନ ନାହିଁ । ଯୌବନର ମୋହରେ ଅନ୍ଧ ହୋଇ ତା’ର ସମସ୍ତ ତପସ୍ୟାକୁ ଭୁଲିଯାଇଛି । ଯୌବନର ରଙ୍ଗିନ ସ୍ୱପ୍ନରେ ସେ ବିଭୋର ହୋଇ ଉଠିଛି । ଦେହରେ ତା’ର ଲାଗିଛି ରଙ୍ଗିନ ପ୍ରଜାପତିର ଡେଣା ।

 

ସେଦିନ କଥା ତା’ର ମନେପଡ଼ିଗଲା । ଦୀର୍ଘ ତିନିବର୍ଷ ତଳର କଥା । ସେଦିନ ସେ ଥିଲା ବିଶ୍ୱବିଦ୍ୟାଳୟର ଛାତ୍ରୀ ମିସ୍‌ ଅରୁଣା–ଅରୁଣା ମହାନ୍ତି–ସାଙ୍ଗମାନଙ୍କର ଡାକନାମ ଅରୁ; ବନ୍ଧୁମାନଙ୍କର ପରିହାସର ଡାକ ମିସ୍ ମହାନ୍ତି । କଲେଜର ବାର୍ଷିକୋତ୍ସବରେ ଡ୍ରାମା ହେବାର ସ୍ଥିର ହୋଇଥାଏ । ସେଥିରେ ହିରୋଇନି ହୋଇଥାଏ ମିସ୍‌ ଅରୁଣା, ଅରୁଣା ମହାନ୍ତି, ଅରୁ, ମିସ୍ ମହାନ୍ତି-। ହିରୋ ହୋଇଥାନ୍ତି ଅମିୟ ଦାସ । ଏକା କ୍ଲାସ୍‍ର ଜଣେ ମେଧାବୀ ଛାତ୍ର । ଭଲ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଏମିତି ସୁନ୍ଦର ଡ୍ରାମା କରି ପାରନ୍ତି ବୋଲି ଆଦୌ ଧାରଣା ନଥିଲା ଅରୁଣାର-। କ୍ଲାସ୍‍ର ପଛ ବେଞ୍ଚ୍‍ରେ ସବୁବେଳେ ବସନ୍ତି । କାହାକୁ ପଦେହେଲେ କଥା ମଧ୍ୟ କହନ୍ତିନି ସେହି ଅମିୟ ଦାସ, ଯେ କି ଆଜି ତା’ ଜୀବନରେ ଗୋଟିଏ ଅହେତୁକ ଝଡ଼ ଉଠାଇ ଦେଇ ଚାଲି ଯାଇଛନ୍ତି । ସେ ଝଡ଼ ଏପର୍ଯ୍ୟନ୍ତବି ସରିନି ଅରୁଣାର ଜୀବନରେ । ଝଡ଼ର ପ୍ରଚଣ୍ଡତାରେ ଝରି ପଡ଼ିଛି ତା’ର ସୁକୋମଳ ତନୁରାଶି । ତା’ର ସବୁ କିଛି ସୁଖ–ସମ୍ଭୋଗ ମାଟିରେ ମଶିଯାଇଛି କେବଳ ସେ ଅମିୟପାଇଁ ।

 

ଅରୁଣା ସୁନ୍ଦରୀ, ସୁଭାଷିନୀ, ଆଖିରେ ତା’ର ସମ୍ମୋହନୀ ଶକ୍ତି ଅଛି । ଆଖିର ଚାହାଣି ଆଉ କଥାର ମାଧୁରୀମାରେ ସେ ସମସ୍ତଙ୍କୁ ବଶ କରିପାରେ–ଏଥିରେ କେବେ ସେ ତା’ ଜୀବନରେ ଫେଲ୍‌ ମାରିନି । କିନ୍ତୁ ଆଜି...ଅମିୟ ଦାସ ପାଖରେ.....

 

ଅନେକ ପୁରୁଷଙ୍କୁ ସେ ଆପଣାର କରିପାରିଛି ତା’ର କଲେଜ ଜୀବନରେ । ଅନେକ ପୁରୁଷ କାମନାରେ ଅଗ୍ନିରେ ପତଙ୍ଗ ହୋଇ ଆସି ଝାସ ଦେଇଯାଇଛନ୍ତି । ଦୁଷ୍ଟ ଭ୍ରମରଦ୍ୱାରା କୀଟଦ୍ରଂଷ୍ଟ ହେବା ପୂର୍ବରୁ କମଣ୍ଡଳୁଦଳଟି ଆପେଆପେ ବୁଜି ହୋଇଯାଏ । ହାୟ...ବିଚରା ଭ୍ରମର ଉପଭୋଗର କାମନାରେ ବୁଡ଼ିରହି ଆତ୍ମହତ୍ୟା କରେ । କିନ୍ତୁ ସେଇ ଅପମୃତ୍ୟୁରେ ଗୌରବ ବଢ଼େ କମଣ୍ଡଳୁଦଳର । ତଥାପି ତ ରୁକ୍ଷ ମନରେ ବଂଶବିସ୍ତାର କରିବାର ବାସନା ଜାଗିଉଠେ ତା’ର । ସେ ଖୋଜିବୁଲେ ତା’ର ମନଲାଖି ପ୍ରେମିକାର ଆଶ୍ଳେଷ । ଯେମିତି ନାରୀ ପୁରୁଷକୁ ପ୍ରେମ କରେନି କରେ ତା’ର ପୌରୁଷକୁ । ପୁରୁଷର ପୌରୁଷ ଆଧିପତ୍ୟ’ ନାରୀର ଗର୍ବ–ଗୌରବ ।

 

କିନ୍ତୁ ଯେଉଁ କେତେ ଜଣ ଯୁବକ ଅରୁଣାର ଜୀବନରେ ଦେଖାଦେଇଛନ୍ତି–ସେମାନଙ୍କର ପୌରୁଷ ନାହିଁ ବୋଲି ଧରି ନେଇଛି ଅରୁଣା । ତେଣୁ କ’ଣ ନେଇ ସେ ଆଜି ତା’ର ଗର୍ବ ଗୌରବକୁ ଝୁରି ହେବ ? ସେମାନଙ୍କର ପୌରୁଷ–କେବଳ ନାରୀର କଞ୍ଚା ରକ୍ତମାଂସର ସ୍ୱାଦ । ସେଦିନ ଯଦି ସେ ସେହିମାନଙ୍କର ଚାଟୁ କଥାରେ ତାହାର ଆତ୍ମ ସତ୍ତା ହରାଇ ବସିଥାନ୍ତା ତେବେ ସେ ସମାଜର କେଉଁ ଏକ ନିମ୍ନଶ୍ରେଣୀରେ ସ୍ଥାନ ପାଇଥାନ୍ତା; ତା’ର ହୁଏତ ସୀମାନାହିଁ । ଅନେକ ଆସିଛନ୍ତି ତା’ ପାଖକୁ । ଆଭିଜାତ୍ୟର ମୋହ ଦେଖାଇ ତା’ର ନାରୀ ଜୀବନକୁ ବିକଳାଙ୍ଗ କରିଦେବାକୁ ଚେଷ୍ଟାକରିଛନ୍ତି । ଅନେକ ଦାମୀ ଉପହାର ମଧ୍ୟ ଦେଇଛନ୍ତି । ଅର୍ଥଲୋଭୀ ନାରୀ ଯଦି ସେହି ଆଭିଜାତ୍ୟ ମାୟାଜାଲରେ ଆଗପଛକୁ ନଭାବି ଛନ୍ଦି ହୋଇ ପଡ଼ିଥାନ୍ତା, ତେବେ ସେ ଜୀବନରେ ଅନେକ ଭୁଲକରି ବସିଥାନ୍ତା । କିନ୍ତୁ ସେ ତ ସେମିତି କିଛି ଭୁଲ କରିନି ? ତଥାକଥିତ କୌଣସି ରକ୍ତମାଂସ ଲୋଭୀଙ୍କର ଶିକାର ହୋଇନି । ତେବେ ସେ ସମାଜରେ ଆଜି ଘୃଣ୍ୟା, ପତିତା କାହିଁକି ? କେଉଁଠି ତା’ର ଭୁଲ ରହିଲା ??

 

ଜୀବନରେ ଗୋଟିଏ ପୁରୁଷ ନିକଟରେ ନାରୀ ନିଜର ସବୁ ଗର୍ବ ଗୌରବକୁ ଅଯାଚିତ ଭାବରେ ଅଜାଡ଼ି ଦେବା କ’ଣ ଭୁଲ ? ନାରୀ ଗୋଟିଏ ପୁରୁଷକୁ ପ୍ରେମ କରିବା କ’ଣ ଭୁଲ ? ତେବେ ସେ ପତିତା, ବାରବନିତା ହୁଏ କାହିଁକି ? ସେ ନିଜେ ବୁଝିଛି ତା’ର ଭୁଲ ରହିଲା କେଉଁଠି-? କାହିଁକି ଆଜି ଅମିୟ ତା’ ପାଖରୁ ଦୂରେଇ ଯିବାକୁ ଚେଷ୍ଟା କରିଛି ? ସମାଜ କାହିଁକି ଆଜି ତାକୁ ଗ୍ରହଣ କରୁନି ?

 

ସେ ଯଦି ଆଜି ଅତ୍ୟାଧୁନିକା ସଭ୍ୟା ନାରୀ ପରି ତା’ ଆଡ଼କୁ ମାଡ଼ି ଆସୁଥିବା ଜଳନ୍ତା ଆଖିଗୁଡ଼ିକ ପାଖରେ ନିଜକୁ ଆତ୍ମସମର୍ପଣ କରିନେଇପାରିଥାନ୍ତା, ସେ ଯଦି ସେମାନଙ୍କର ପାତ୍ରରେ ଭରି ଦେଇଥାନ୍ତା କାମନାର ରଙ୍ଗିନ ସୁରା ଆଉ ସାକୀର ବହଳିଆ ଆସ୍ତରଣ, ତେବେ ହୁଏତ ସେ ଆଜି ସମାଜରେ ଏତେ ନିମ୍ନସ୍ତରକୁ ଯାଇ ନଥାନ୍ତା । କାରଣ ସେ ନାରୀର ସମସ୍ତ ଅଧିକାରନେଇ ସମାଜରେ ନିଜର ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛି । ପାଶ୍ଚାତ୍ୟ ସଭ୍ୟତାର ଗୋଟିଏ ମଡ଼େଲ୍‌ ହୋଇରହିଯାଇନି ।

 

କିନ୍ତୁ ସେ ତ ତାହା କରିପାରିନି.... । ସୁରେଶ, ମୋହନ, ବସନ୍ତ ପ୍ରଭୃତିଙ୍କ ପରି ସମ୍ଭ୍ରାନ୍ତ ଯୁବକମାନଙ୍କର ଅଶ୍ଳେଷକୁ ଉପେକ୍ଷା କରିଛି । ସେମାନଙ୍କୁ ପ୍ରତାରିତ କରିଛି । ଫଳରେ ସେମାନଙ୍କର ତୁଷାର୍ତ୍ତ ମନ ତା’ର ଚରିତ୍ରକୁ ଆକ୍ଷେପକରି ଉଠିଛନ୍ତି । ତାକୁ ସମାଜରେ ପତିତା–ବାରବନିତା ବୋଲି ସଜାଇ ପାରିଛନ୍ତି.....

 

‘ଗରିବ ମାଇପ ସମସ୍ତଙ୍କର ଶାଳୀ’ । ଅନେକ ଲୋକ ଅନେକ କଥା କହିଛନ୍ତି ତା’ ବିରୁଦ୍ଧରେ । ସବୁ ସହିଛି । କିନ୍ତୁ ଯାହାକୁ ସେ ଏତେ ଆପଣାର କରିପାରିଥିଲା, ଯାହାପାଇଁ ଆଜି ସେ ସୁରେଶ, ବସନ୍ତ, ମୋହନ ପ୍ରଭୃତିଙ୍କ ପରି ସମ୍ଭ୍ରାନ୍ତ ଯୁବକଙ୍କୁ ଉପେକ୍ଷା କରିଛି ସେହି ଅମିୟ ଦାସ...ସେ କ’ଣ ତାକୁ ଏତେଶୀଘ୍ର ଅବିଶ୍ୱାସ କରି ପାରିଲେ । ସେ କ’ଣ ଜାଣି ପାରିଲେନି ଅରୁଣାର ମନ ମନ୍ଦିରରେ ଅମିୟ ଛଡ଼ା ଆଉ କାହାର ମୂର୍ତ୍ତି ସ୍ଥାନ ପାଇନି ବୋଲି ? ତେବେ କାହିଁକି ଅନ୍ୟମାନଙ୍କ କଥାରେ ବିଶ୍ୱାସ କରି ଏମିତି ହଠାତ୍‌ ତା’ ନିକଟରୁ ଦୂରେଇ ଗଲେ । ତାକୁ ଗୋଟିଏ ପତିତା–ବାରବନିତାର ସ୍ଥାନ ଛାଡ଼ି ଦେଇଗଲେ ? ସେ ଯଦି ତାକୁ ଗ୍ରହଣ କରି ନେଇଥାନ୍ତେ ତେବେ ତ କେହି ତାକୁ ବାରବନିତା କହିପାରି ନଥାନ୍ତେ ?

 

ଆଜି ସମାଜରେ, ସାଇପଡ଼ିଶାଙ୍କ ପାଖରେ ମୁହଁ ଦେଖାଇପାରୁନି ଅରୁଣା । ବାପା ମା’ଙ୍କ କଥାତ ଛାଡ଼ । ଝିଅ ତାଙ୍କର ଏକମାତ୍ର ଭରସା ଭାବି ଏସବୁକୁ ଆଖିବୁଜି ଦେଇଛନ୍ତି । କିନ୍ତୁ କାହିଁକି ସେ ଏ ସବୁ ଭୁଲ କରିବାକୁ ଗଲା ? ସେ ଯଦି ଏହି ସୁରେଶ, ମୋହନ, ବସନ୍ତଙ୍କ ମଧ୍ୟରୁ ଜଣକୁ ନିଜର ଜୀବନସାଥୀରୂପେ ବାଛି ପାରିଥାନ୍ତା ତେବେ ଅନ୍ତତଃ ସେ ଏସବୁଥିରୁ ମୁକ୍ତି ପାଇ ଯାଇଥାନ୍ତା । କିନ୍ତୁ ସେ କରିପାରିଲାନି କାହିଁକି ? କାହିଁକି ସେ ଅମିୟ ଦାସ ପାଖରେ ନିଜକୁ ଆତ୍ମସମର୍ପଣ କଲା ?

 

ସେଦିନ କଲେଜ ଡ୍ରାମା କଥା ମନେପଡ଼ିଲା ଅରୁଣାର । ଡ୍ରାମା ସରିଯାଇଥାଏ । ଗ୍ରୀନ୍‌ ରୁମ୍‍ରେ ନିଜର ବେଶ ବଦଳୁ ଥାଏ ଅରୁଣା । ମନରେ ତା’ର ଆଜି ଅନେକ ଗର୍ବ, ସେ ଆଜି ଶ୍ରେଷ୍ଠ ଅଭିନେତ୍ରୀ ହୋଇଛି ଦର୍ଶକମାନଙ୍କର କରତାଳିରେ ସେ ନିଜର ଆତ୍ମଜ୍ଞାନ ହରାଇଥାଏ । ଜୀବନରେ ଗୋଟାଏ କଳାକାର ହୋଇ ଆତ୍ମପ୍ରକାଶ କରିବାପାଇଁ ତାକୁ ଅନେକ ସୁଯୋଗ ମିଳିଯାଇଛି । ସମାଜରେ ନିଜକୁ ପ୍ରତିଷ୍ଠା କରିବାର ଆଶା ତା’ ମନରେ ଉଙ୍କିମାରିଛି ।

 

ଯେଉଁ ସୁରେଶ, ମୋହନ, ବସନ୍ତ କଲେଜର ବାରଣ୍ଡାରେ ସେ ଚାଲିଯାଉଥିବାବେଳେ ତା’ର ଚାଲିକୁ ଘଡ଼ିଏ କାଳ ଅନାଇ ରହିଥାନ୍ତି, ତା’ ସହିତ କଥାବାର୍ତ୍ତା କରିବାପାଇଁ ବ୍ୟାକୁଳ ହୋଇ ଉଠୁଥାନ୍ତି, ସେହିମାନେ ତା’ ନିକଟକୁ ଆସିଥିଲେ ତାକୁ ଅଭିବାଦନ ଜଣାଇବା ପାଇଁ । କିଏ କେତେ ପ୍ରକାର ଦାମୀ ଉପହାର ନେଇ ତା’ର ସୁପ୍ତ କଳାକୁ ବିକଶିତ କରିବାର ପ୍ରେରଣା ଦେଇଥିଲେ । ସେ ହସି ହସି ସବୁ ଗ୍ରହଣ କରି ନେଇଥିଲା ସେଦିନ ।

 

କିନ୍ତୁ ଅମିୟ ଦାସ ? ଯେ ହୋଇଥିଲା ଡ୍ରାମାରେ ହିରୋ, ଏବଂ ଯାହାପାଇଁ ସେ ଆଜି ଶ୍ରେଷ୍ଠ ଅଭିନେତ୍ରୀ ହୋଇ ପାରିଛି, ସେତ ଆସିନି ତାକୁ ଅଭିବାଦନ ଜଣାଇବାପାଇଁ ବରଂ ସେଦିନ ସେ ଯାଇଥିଲା ତାଙ୍କ ପାଖକୁ–ଅଭିନନ୍ଦନ ଜଣାଇବା ଆଶାରେ ।

 

ସେଦିନ ଡ୍ରାମା ସରିବାପରେ ସେ ଫେରୁଥାଏ ରିକ୍ସାରେ ଘରକୁ ବାଟରେ ଚାଲିଚାଲି ଯାଉଥାନ୍ତି ସେଦିନ ସନ୍ଧ୍ୟାର ହିରୋ ଅମିୟ ଦାସ । ସେଦିନ ସେ ଯଦି ସେଇଠି ରିକ୍ସା ଅଟକାଇ ନଥାନ୍ତା ତେବେ ତା’ ଜୀବନରେ ହୁଏତ ଆଜି ଏତେବଡ଼ ଝଡ଼ ସୃଷ୍ଟିହୋଇ ପାରି ନଥାନ୍ତା । ସେ ଆଜି ସମାଜ ଛଡ଼ା ହୋଇ ନଥାନ୍ତା । କିନ୍ତୁ କାହିଁକି ସେ ଭୁଲ କରିବାକୁ ଗଲା । ସେଦିନ ସେହି ସନ୍ଧ୍ୟାର କଥା ତା’ର ଗୋଟି ଗୋଟି ହୋଇ ଆଖିରେ ନାଚିଯାଉଥାଏ ।

 

ଅମିୟ ଚାଲି ଚାଲି ଯାଉଥାଏ ରାସ୍ତାରେ । ମଝିରେ ମଝିରେ ରାସ୍ତାରେ ବିଦ୍ୟୁତ୍ ଆଲୋକରେ ତା’ର ଅଧାଛଡ଼ା ପାଉଡ଼ରର ମୁହଁ ସ୍ପଷ୍ଟ ବାରିହୋଇ ଯାଉଥାଏ । ପଛରେ ରିକ୍ସା ଘଣ୍ଟି ଶୁଣି ସେ ଗୋଟିଏ କରକୁ ଚାଲିଯାଇଥିଲା । ଭାବିଲା ବୋଧେ ରିକ୍ସା ତାକୁ ଅତିକ୍ରମ କରି ଚାଲିଯିବ-। କିନ୍ତୁ ରିକ୍ସାଟି ତା’ରି ନିକଟରେ ବ୍ରେକ୍ କଷିଲା । ବୁଲି ଚାହିଁଲା ଅମିୟ । ରିକ୍ସାରେ ବସିଛି ଅରୁଣା । ପୁଣି ସେ ମୁହଁ ବୁଲାଇଲା । ଆଗକୁ ଚାଲିବାକୁ ଚେଷ୍ଟା କଲା ।

 

–କ’ଣ ଚାଲି ଚାଲି ଯାଉଛନ୍ତି ଅମିୟବାବୁ ? (ପ୍ରଶ୍ନକଲା ଅରୁଣା)

 

ଅଗତ୍ୟା ରହିଯାଇ ଉତ୍ତର ଦେଲା ଅମିୟ ଅତି ଧୀର ଭାବରେ ।

 

–ସବୁ ଦିନତ ଚାଲି ଚାଲି ଯାଏଁ । ଆଜି ଆଡ଼ କ’ଣ ନୂଆ ।

 

–କିନ୍ତୁ ଏତେବେଳେ ଏ ନିର୍ଜନ ରାସ୍ତାରେ ଚାଲିକରି ଯିବାଟା ଆଦୌ ଉଚିତ ନୁହେଁ । ଆପଣ କେଉଁ ପର୍ଯ୍ୟନ୍ତ ଯିବେ–ପ୍ରଶ୍ନ କରିଥିଲା ସେ ।

 

–ଯୋବ୍ରା ଯିବି ।

 

–ମୁଁ ତ ଆହୁରି ଆଗକୁ ଯିବି । ଆସନ୍ତୁ ସାଙ୍ଗ ହୋଇ ଚାଲିଯିବା । ବାଟରେ ମୁଁ ଆପଣଙ୍କୁ ଛାଡ଼ି ଦେଇଯିବି ।

 

–ଆପଣଙ୍କର ଏ ସହୃଦୟତା ପାଇଁ ଧନ୍ୟବାଦ ଜଣାଉଛି ଅରୁଣା ଦେବୀ । ଆପଣ କାହିଁକି ମୋପାଇଁ ଏତେ କଷ୍ଟ ସ୍ୱୀକାର କରିବେ । ମୁଁ ଚାଲି ଯାଇ ପାରିବି ଯେ ।

 

–‘ତାହାହେଲେ ସାଙ୍ଗହୋଇ ଚାଲିକରି ଗଲେ କ’ଣ କ୍ଷତି ଅଛି ? ସେଥିରେ ତ ଆପଣଙ୍କୁ କିଛି ହଇରାଣ ହେବାକୁ ପଡ଼ିବନି ।’ ଏତକ କହି ସଙ୍ଗେ ସଙ୍ଗେ ରିକ୍ସାରୁ ଓହ୍ଲାଇ ରିକ୍ସା ପଇସା ଦେଇ ତାକୁ ବିଦା କରିଦେଇଥିଲା । ହାତରେ ତା’ର ଥିଲା ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ୍ ଓ ଅନେକ ଉପହାରର ସମାରୋହ ।

 

ଚାଲି ଚାଲି ଅନେକ ବାଟ ଯାଇଥିଲେ ଦୁହେଁ । ଅନେକ ସମୟ ପର୍ଯ୍ୟନ୍ତ କେହି କାହାକୁ କଥା କହୁ ନଥାନ୍ତି । ବାଧ୍ୟ ହୋଇ ଆରମ୍ଭ କରିଥିଲା ଅରୁଣା ଆଗ ।

 

–ଆଜି କଲେଜ ଡ୍ରାମାରେ ଆପଣଙ୍କ ରୋଲ୍‌ ଏତେ ଜୀବନ୍ତ ହେଲା ଯେ ମୁଁ ବିଶ୍ୱାସ କରି ନଥିଲି ଆପଣ ଏପରି ଡ୍ରାମା କରନ୍ତି ବୋଲି । କ୍ଲାସ୍‍ରେ ତ ସବୁବେଳେ ମୌନବ୍ରତ ପାଳନ କରିଥାନ୍ତି । କିଏ କେବେ କ’ଣ ବିଶ୍ୱାସ କରିପାରିବ–ଆପଣ ଜଣେ ଏତେ ଉଚ୍ଚକୋଟୀର କଳାକାର ବୋଲି ।

 

ଶୁଷ୍କ ହସଟିଏ ହସି ଅମିୟ କହିଥିଲା ସେଦିନ–ମୋ ଅପେକ୍ଷା ତ ଆପଣ ଯଥେଷ୍ଟ ଭଲ କରିପାରିଥିଲେ ଅରୁଣା ଦେବୀ । ସେଥିପାଇଁ ତ ଆପଣ ଆପଣଙ୍କର ପ୍ରାପ୍ୟ ପାଇ ସାରିଛନ୍ତି । ବେଷ୍ଟ୍ ଆକ୍‌ଟ୍ରେସ୍‌ ହେବା କେତେଜଣଙ୍କର ଭାଗ୍ୟରେ ଜୁଟେ ।

 

–କିନ୍ତୁ ସେଥିପାଇଁ ତ ମୁଁ ନିଜକୁ ଗୌରବାନିତ୍ୱ ମନେ କରୁନି । ମୋର ପ୍ରଶଂସାପାଇଁ ଆପଣ ମତେ ଅନେକ ସାହାଯ୍ୟ କରିଛନ୍ତି । ଆପଣଙ୍କର ରୋଲ୍ ଯଦି ଭଲ ହୋଇ ନଥାନ୍ତା ତେବେ ମୁଁ କ’ଣ ଆଗେଇ ଯାଇ ପାରିଥାନ୍ତି ?

 

ଏମିତି କେତେକଅଣ ଗପ୍‍ସପ୍ କରି କରି ଚାଲିଥାନ୍ତି ଦୁଇଜଣ । ବାଟରେ ଗୋଟିଏ ରାସ୍ତା ଦୁଇ ଆଡ଼କୁ ଭାଙ୍ଗିଯାଇଛି । ସେହିଠାରେ ହଠାତ୍‌ ଦୁଇ ଜଣଯାକ ସ୍ଥିର ହୋଇ ରହିଗଲେ । ସେମାନଙ୍କର ଗପର ଆସର ହଠାତ୍‌ ଥମି ଯାଇଥିଲା । ଏଇଠି ଦୁଇଜଣଙ୍କ ପଥ ଦୁଇ ଆଡ଼କୁ । କିଏ କୁଆଡ଼େ ଯିବେ ସ୍ଥିର କରିପାରି ନଥିଲେ ।

 

ଅମିୟ ଭାବୁଥାଏ–ସେ ଏହିଠୁ ତା’ଠାରୁ ବିଦାୟ ନେଇଯିବ ତା’ର ଗନ୍ତବ୍ୟ ପଥରେ । କିନ୍ତୁ ଅରୁଣା ଏକା ଯିବ କେମିତି ? ଏତେ ଅନ୍ଧାର ରାତି । ଏକା । ରିକ୍ସା ତ ଛାଡ଼ି ଦେଇଛି ।

 

ଏଣେ ଅରୁଣା ଭାବୁଥାଏ, ଅମିୟ କ’ଣ ଏହିଠୁ ଚାଲିଯିବ ଅନ୍ୟ ଦିଗକୁ । ସେ ଏକା ଯିବ କେମିତି ? ସେ ତ ଜାଣି ଜାଣି ରିକ୍ସାକୁ ବିଦା କରି ଦେଇଛି । କିନ୍ତୁ ଏତେ ଅନ୍ଧାର ରାତିରେ ଯିବ ବା କେମିତି । ଆହୁରି ଏକ ମାଇଲ ପ୍ରାୟ ରାସ୍ତା ହେବ । କିନ୍ତୁ ମୁହଁ ଖୋଲି କହି ପାରୁନି । ନିଜର ଦୁର୍ବଳତାକୁ ପ୍ରକାଶ କରିବାକୁ ସାହାସ ହେଉନି ତା’ର ।

 

ସୌଜନ୍ୟତା ଦୃଷ୍ଟିରୁ ଅମିୟ କହିଲା–ମୁଁ ଏହିଠାରୁ ଯିବି ଏ ରାସ୍ତାରେ । ଆପଣ ବୋଧହୁଏ ସେ ରାସ୍ତାରେ ଯିବେ । ଆଉ କେତେ ବାଟ ଯିବେ ? ରିକ୍ସା ତ ଫେରାଇ ଦେଲେ । କାହିଁକି ମିଛଟାରେ ମୋପାଇଁ ଏତେ ହଇରାଣ ହେଲେ ।

 

–‘‘ଘର ଏହିଠାରୁ ଆଉ ପ୍ରାୟ ମାଇଲିଏ ହେବ । ତଥାପି ଯିବାକୁ ଚେଷ୍ଟା କରିଚି । ଆପଣ ଏହିଠାରୁ ଯାଇପାରନ୍ତି’’ । ଭାଷାରେ ତା’ର କାରୁଣ୍ୟତା ବେଶ୍‌ ଉପଲବ୍ଧି କରିପାରୁଥିଲା ଅମିୟ ।

 

–ନା, ଆପଣ ଯଦି କିଛି ମନେ ନ କରନ୍ତି ତେବେ ମୁଁ ଆପଣଙ୍କୁ ନେଇ ଆପଣଙ୍କ ଘରେ ଛାଡ଼ିଦେଇ ଆସିବି । ଆପଣ ମୋପାଇଁ ଏତେ ପରିଶ୍ରମ କରି ଚାଲି ଚାଲି ଆସିଲେ ଅଥଚ ମୁଁ ଏତିକି ଆପଣଙ୍କ ପାଇଁ ପରିଶ୍ରମ କରି ପାରିବିନି ।

 

ଏମିତି ପୁଣି ଗପର ଆସର ଜମି ଉଠିଥିଲା ଦୁଇଜଣଙ୍କ ମଧ୍ୟରେ କିଛି ସମୟପାଇଁ । ସେମାନଙ୍କ ଗପ ମଧ୍ୟରେ ଯେମିତି ଦୁଇଜଣଯାକ ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଥିଲେ ।

 

ସେଦିନ ଅମିୟ ଅରୁଣାକୁ ତା’ ଘରେ ବିଦାୟ ଦେଇ ଚାଲିଆସିଥିଲା । ଆସିଲାବେଳେ ଅରୁଣାର ବାପା ମା’ଙ୍କର ସ୍ନେହ ସହାନୁଭୂତି ସେ ଭୁଲି ପାରି ନଥିଲା ।

 

ଅନେକ ଥର ଯାଇଛି ଅମିୟ ଅରୁଣାର ଘରକୁ । ଅନେକ ବ୍ୟକ୍ତିଗତ କଥା ନେଇ ଆଲୋଚନା ମଧ୍ୟ କରିଛି ତା’ ସହିତ । ଦୁଇଟି ପ୍ରାଣ, ଗୋଟିଏ ଭାବନା, ଗୋଟିଏ ଚିନ୍ତା । ମଣିଷ ଏମିତି ଅନେକ ଆଶା କରେ ମନେମନେ ଅନେକ କଳ୍ପନା କରେ । କଳ୍ପନାରେ ସେ ସୃଷ୍ଟି କରେ ଆଶାର ମିନାର । ଆଶାର ଇନ୍ଦ୍ରଜାଲ ତା’ର ମନ ମନ୍ଦିରରେ ଗୁଡ଼େଇ ତୁଡ଼େଇ ଦିଏ ଦୁଇଟି ପ୍ରାଣକୁ-। ଏକାକାର କରିବାକୁ ଚେଷ୍ଟା କରେ । ହୁଏତ କେବେ କେମିତି ସେଥିରେ ସେ ସଫଳତା ଲାଭ କରେ କିମ୍ବା କେତେବେଳେ ତା’ର କଳ୍ପନାର ମିନାର ଭାଙ୍ଗି ଭୁଷୁଡ଼ି ପଡ଼େ ।

 

ଦିନେ ଏମିତି ଅରୁଣା, ଅମିୟକୁ ନେଇ ମନରେ ଅନେକ ସୁନେଲି କଳ୍ପନା ଭାବି ବସିଥିଲା । କିନ୍ତୁ ଫଳ ହେଲା କ’ଣ ? ତା’ର ଆଶା, ଆଶାରେହିଁ ରହିଲା । ସେଥିପାଇଁ ଦାୟୀ କିଏ-? ସେ ? ନା–ଅମିୟ ? ? ନା–ଏ ରକ୍ଷଣଶୀଳ ସମାଜ ?

 

ସତରେ ଏ ସମାଜଟା କେତେ ରକ୍ଷଣଶୀଳ ମ ? ଗୋଟାଏ ପୁରୁଷ ଗୋଟିଏ ନାରୀ ସହ କଥାବାର୍ତ୍ତା କଲେ କିମ୍ବା ତା’ ସହିତ ସମାନ ତାଳ ଦେଇ ଆଗେଇ ଯିବାକୁ ଚେଷ୍ଟା କଲେ ସମାଜ ତାକୁ ଗ୍ରହଣ କରିବନି । ବରଂ ନାରୀ ସମାଜ ଆଖିରେ ହୋଇ ଉଠିବ ବ୍ୟଭିଚାରିଣୀ, ସ୍ୱେଚ୍ଛାଚାରିଣୀ–ଏମିତି ଅନେକ କିଛି ।

 

କିନ୍ତୁ ପୁରୁଷ–ତାକୁ ସାତଖୁଣ୍ ମାଫ । କେବଳ ତା’ ଦେହରେ ଯେଉଁ ଟିକକ ଦାଗ ଲାଗି ରହିବ ସେ ତାକୁ ପୌରୁଷର ଦ୍ୱାହି ଦେଇ ସଫା କରିଦେବ ।

 

ଅରୁଣାର ଜୀବନରେ ଏମିତି ଅନେକ ପରିସ୍ଥିତି ସୃଷ୍ଟି ହୋଇଛି । ଅମିୟ ତା’ର ବାଗ୍‌ଦାତା । ଯଦିଓ ସମାଜ ଚାହେଁନି ତଥାପି ସେ ସମାଜର ବନ୍ଧନକୁ କାଟି ଅମିୟକୁ ନିଜର ସର୍ବସ୍ୱ ଅର୍ପଣ କରିପାରିଛି । ତା’ପରେ ସମାଜ ତାକୁ ପରିତ୍ୟାଗ କରିଛି । କିନ୍ତୁ ଯେତେବେଳେ ଅମିୟଦ୍ୱାରା ସେ ପ୍ରତାରିତା ହୋଇଛି ସେତେବେଳେ ସମାଜ ତ ତାକୁ ଆଉ ଗ୍ରହଣ କରିନି ବରଂ ତା’ ଦେହରେ ଅନେକ କିଛି ମୋହର ମାରିବାର ଚେଷ୍ଟାରୁ ବାଦ ଯାଇନି ।

 

ସେ ନାରୀ ହେଲା ବୋଲି ତା’ର କ’ଣ ନିଜର ବ୍ୟକ୍ତିଗତ ଅନୁଚିନ୍ତା ନାହିଁ । ସେ କ’ଣ କେବେଳ ତା’ର ସ୍ୱାଧୀନତା ଟିକକ ପୁରୁଷ ନିକଟରେ ଆତ୍ମବଳି ଦେଇଦେଇଛି । ଯାହାକୁ ସେ ତା’ର ଶୟନ ସ୍ୱପନ ଆଉ ମନମନ୍ଦିରର ଦେବତା ବୋଲି ପୂଜା କରି ଆସିଛି । ତା’ ଛଡ଼ା ଅନ୍ୟମାନଙ୍କ ଆଡ଼କୁ ବନ୍ଧୁତ୍ୱର ହାତ ବଢ଼ାଇବା ତା’ର କ’ଣ ଭୁଲ ହୋଇଛି ? ସେ କାହିଁକି ଏମିତି କୂପମଣ୍ଡୁଳ ହୋଇ ଗୋଟିଏ ଘର ଭିତରେ ରହିବ ? କେବଳ ତା’ର ସ୍ୱାଧୀନତାଟା କ’ଣ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ?

 

କାହିଁକି ଆଜି ଅମିୟ ତାକୁ ପ୍ରତ୍ୟାଖ୍ୟାନ କରିଛି ? ଦିନେ ତ ସେ ତାକୁ ବାଛିଥିଲା ତା’ ଜୀବନ ନାଟକର ନାୟକ ରୂପରେ । ଇସ୍...କି ରକ୍ଷଣଶୀଳ ତାଙ୍କର ମନ । ସେ ଏକା ନା ସବୁ ପୁରୁଷମାନେ ସେମିତି । ଅନ୍ୟ ପୁରୁଷମାନଙ୍କ ସହିତ କଥା କହିଲେ ସେମାନେ ସହି ପାରନ୍ତିନି । ସେମାନଙ୍କର ଈର୍ଷା ହୁଏ ।

 

ଖାଲି ଅତୀତର ଜୀର୍ଣ୍ଣ ପୃଷ୍ଠାଗୁଡ଼ାକ ଗୁଡ଼େଇ ତୁଡ଼େଇ ହୋଇ ଆଖି ଆଗରେ ନାଚିଉଠିଲା ଅରୁଣାର । ଦିନେ ଏମିତି କଲେଜ ଜୀବନରେ ଅମିୟ ସହିତ ବେଶି ମିଳାମିଶା କରିବାରୁ ସୁରେଶ, ମୋହନ, ବସନ୍ତ ପ୍ରଭୃତି ଈର୍ଷାରେ ଜଳିପୋଡ଼ି ଯାଇଥିଲେ । କିନ୍ତୁ ଆଜି ଅମିୟ ତ ପୁଣି ସେମାନଙ୍କ ରୂପ ଧାରଣ କରିଛି । କିନ୍ତୁ କାହିଁକି ? ସବୁ ପୁରୁଷ କ’ଣ ଏଇୟା ? କିନ୍ତୁ ସେ ତ ତାକୁ ପ୍ରତାରିତ କରୁନି କି ଜଣକୁ ନିଜର ସର୍ବସ୍ୱ ଅର୍ପଣ କରି ସାରିବା ପରେ ଗୋଟିଏ ଜୀବନକୁ ନଷ୍ଟ କରି ଅନ୍ୟର ଜୀବନକୁ ଚାଲିଯିବାକୁ ଚାହୁଁନି ? ସେ କେବଳ ଚାହୁଁଛି ସ୍ୱାଧୀନତା । ଯେଉଁଟା ସବୁ ନାରୀଙ୍କର ଅନ୍ତିମ ଇଚ୍ଛା । କିନ୍ତୁ ସେ ଆଜି କାହିଁକି ସମାଜ ଆଖିରେ–ଅମିୟ ଆଖିରେ, ଆଉ ସୁରେଶ–ମୋହନ–ବସନ୍ତଙ୍କ ଆଖିରେ ପତିତା... ବାରବନିତା... ସ୍ୱେଚ୍ଛାଚାରିଣୀ... ବ୍ୟଭିଚାରିଣୀ...କାହିଁକି ? ...କାହିଁକି ??

 

ଛାଣିପୁର

୩୧ । ୫ । ୭୬

Image

 

ପ୍ରତିଗଳ୍ପ

ସାକ୍ଷାତ : ତିନୋଟି ମୃତବ୍ୟକ୍ତିଙ୍କ ସହ

 

ସୁଧୀର–

 

(ଅଭିଶପ୍ତ କଳାକାର । ଆଭିଜାତ୍ୟର ଦୈନ୍ୟତା ଆଉ କଳାର ପ୍ରାଚୁର୍ଯ୍ୟତା ମଧ୍ୟରେ ତା’ର ମୃତ୍ୟୁ ହୁଏ ।

 

ଶୂନ୍ୟତାର ଶିଡ଼ିରେ ଯାଉ ଯାଉ ପ୍ରଥମ ପାହାଚରେ ତା’ସହିତ ଦେଖା ହୁଏ, ମୁହଁରେ ତା’ର ଫୁଙ୍ଗୁଳା ହସର ଲହଡ଼ି । )

 

–(ଶୀତଳ ସ୍ନିଗ୍ଧ ଚର୍ବିର କୋମଳତା ନେଇ କହିଲା)–‘‘ଜୀବନକୁ ପରଖି ଦେଖିବାର ଅପଚେଷ୍ଟା କରନା ବନ୍ଧୁ–ତମେ ହାରିଯିବ ।

 

–ମୁଁ, ତ ଜୀବନପାଇଁ ସଂଗ୍ରାମ କରୁଛି । ମଣିଷ ପରି ମଣିଷ ହୋଇ ବଞ୍ଚି ରହିବାପାଇଁ ସାମାନ୍ୟ ଗୋଟିଏ କଳାକାର ଆଉ ଅଧିକା କ’ଣ କରିପାରିଥାନ୍ତା !

 

–(ହାଃ–ହାଃ–ହାଃ) ହସାଇଲ ବନ୍ଧୁ ସୁରେଶ । ତମେବି ଗୋଟାଏ କଳାକାର ନା ? କିନ୍ତୁ ତମେ ମୋ ଭଳି ଅଭିଶପ୍ତ ନୁହେଁ ତ ? ଯଦି ଗୋଟାଏ କଳାକାର ସଂଗ୍ରାମ କରିବାକୁ ଚେଷ୍ଟାକରେ ତେବେ ଦେଶର ସୈନ୍ୟ ବିଭାଗରେ ଯେଉଁ ଲକ୍ଷାଧିକ ସଂଖ୍ୟାର ସଂଗ୍ରାମୀ ଯୁବକ ନିଯୁକ୍ତ ହେଉଛନ୍ତି, ସେମାନେ କ’ଣ କରିବେ ? ଏଠି ଅଶୀ ଆଉ ମସୀ ମଧ୍ୟରେ ବହୁତ ତଫାତ୍‌ । ସେ ଯୁଗ ଚାଲି ଯାଇଛି ବନ୍ଧୁ, ତମେ ଫେରିଯାଅ । ଏ ମନୋବୃତ୍ତି ନେଇ ସଂଗ୍ରାମ କରିବାର ଅପଚେଷ୍ଟା କେବେ କରନି ।

 

–ନା–ନା, ମୁଁ ଚାହେଁ ସଂଗ୍ରାମ । ଏହି ମସୀହିଁ ଦେବ ତା’ର ଠିକଣା ଜବାବ ।

 

–ହଉ, ଯାହା ଭଲ ଭାବୁଛ ତାହା କର । କିନ୍ତୁ ତମେ ଠକି ଯିବ ।

 

[ପ୍ରସ୍ଥାନ]

 

ମିତା–

 

(ପୁଣି ଶୂନ୍ୟତାର ଶିଡ଼ିରେ ଆହୁରି ଦୁଇପାଦ ଅଗ୍ରସର ହେବାପରେ ନାରୀଙ୍କଠାରେ ଅଟ୍ଟହାସ୍ୟ ଶୁଣି ଉପରକୁ ଚାହିଁଲି, ମୁହଁରେ ତା’ର ଭିକ୍ଷୁକର ଦୈନ୍ୟତା)

 

–କିଏ, ମିତା–ତମେ ଏଠି ?

 

–(ପୁଣି ହସ)

 

କୁଆଡ଼େ ଆସିଛ ସୁରେଶ ? ଜୀବନର ରଙ୍ଗିନ ସ୍ୱପ୍ନ, ସ୍ୱାଦ, ବିଳାସ, ନୂଆ ନୂଆ ଆଶା ଆକାଂକ୍ଷା, ଏସବୁ କ’ଣ ତମକୁ ଭଲ ଲାଗିଲାନି ? ଜୀବନ ଜୁଆରରେ ତମେ କ’ଣ ଲହଡ଼ି ଭାଙ୍ଗିବାକୁ ପସନ୍ଦ କରନି ସୁରେଶ !

 

–ନା–ମିତା–ମୁଁ ଗୋଟିଏ କଳାକାର । ମୁଁ ଏଇ କଳା ଭିତରେ ଜୀବନର ପ୍ରତିବିମ୍ବ ଖୋଜିବାକୁ ପ୍ରୟାସ କରିବି, ଏଇ କଳାରେ ନୂଆ ନୂଆ ଆଶା, ଆକାଂକ୍ଷା, ଭଲ ପାଇବାର ନୂଆ ନୂଆ ଅନୁଭୂତି, ମିଳନ, ବିଚ୍ଛେଦ, ପ୍ରତାରଣାକୁ ରୂପ ଦେବାକୁ ଚେଷ୍ଟା କରୁଛି ।

 

–କିନ୍ତୁ ଏଠି କାହିଁକି ? ଏଠି ତ ଗୋଟାଏ କଳାକାରକୁ ଏମିତି ଖୋରାକ ଯୋଗାଇବା ପାଇଁ ଯଥେଷ୍ଟ କିଛି ନାହିଁ ? ତମେ ପଛକୁ ଫେରିଯାଅ ସୁରେଶ । ଅତୀତର ଜୀର୍ଣ୍ଣ ପୃଷ୍ଠା ଭିତରୁ ହୁଏତ କିଛି ସୂତ୍ର ଆବିଷ୍କାର କରିପାରିବ । କିନ୍ତୁ ଏଠିକୁ ଆସି ଏମିଳି ମରୀଚିକା ପଛରେ ଧାଇଁଲେ ଯେ ପରେ ମୋରି ଅବସ୍ଥା ତମକୁ ଭୋଗ କରିବାକୁ ପଡ଼ିବ ।

 

–ତମରି ଅବସ୍ଥା ?

 

–ହଁ, ମୋ ପରି, ପ୍ରେମ...ପ୍ରତାରଣା...ମାତୃତ୍ୱର ବୋଝ...ଆତ୍ମହତ୍ୟା...ତା’ପରେ....

 

–କ’ଣ କହୁଛ ମିତା...(ଆଖିରେ ତାଙ୍କର ଭରି ରହିଥିଲା ଅନୁସନ୍ଧିତ୍ସାର ଅଭିଳାଷ ।)

 

–ହଁ, ସୁରେଶ...ମୁଁ ବି ଦିନେ ତମ ପରି ମରୀଚିକାର ପଛେ ଧାଇଁ ଧାଇଁ ଆଜି ନିରାଶ ହୋଇଛି । ଯାହା ପାଖରେ ମୁଁ ମୋର ମନପ୍ରାଣ ସବୁ ଅଯାଚିତ ଭାବରେ ଅଜାଡ଼ି ଦେଇଥିଲି–ତାଙ୍କଠାରୁ ମୁଁ କ’ଣ ପାଇଲି ଜାଣ ସୁରେଶ...ସମାଜକୁ ଫେରିବାକୁ ମୋର ସବୁଆଡ଼େ ପଥରୁଦ୍ଧ ହୋଇଯାଇଥିଲା । ଶେଷରେ ନିରାଶ ହୋଇ ଏଠିକି ଚାଲି ଆସିବାକୁ ବାଧ୍ୟ ହେଲି ।

 

–କିନ୍ତୁ ତମର କ’ଣ ଆଉ କିଛି କରିବାର ନଥିଲା ମିତା ?

 

–ତମେ କ’ଣ ପ୍ରେମ–ପ୍ରତାରଣା...କୁ ଅସ୍ୱୀକାର କଲ ସୁରେଶ ? ସତ କୁହ ସୁରେଶ–ତମେ କ’ଣ ପ୍ରେମରେ ପ୍ରତାରିତ ହୋଇ କଳାକାର ହେବାକୁ ଚେଷ୍ଟା କରିନ ?

 

–ତା’ମାନେ ତମେ କହିବାକୁ ଚାହଁ ଯେ ସବୁ କଳାକାର ପ୍ରେମରେ ପ୍ରତାରିତ !

 

–ନା ସୁରେଶ, ତମରି ଭଳି ଯେଉଁମାନେ କଳା ଭିତରେ ଜୀବନର ସୁନେଲି ସ୍ୱପ୍ନକୁ ଦୂରେଇ ଦେବାକୁ ଚେଷ୍ଟା କରନ୍ତି, ଆଉ ସଂସାରକୁ ଏକ ଅବାସ୍ତବ, ଆଉ ହତାଶ ଆଖିରେ ଦେଖିବାକୁ ଚେଷ୍ଟା କରନ୍ତି ସେମାନେ ପ୍ରେମରେ ପ୍ରତାରିତ ନୁହଁନ୍ତି ତ ଆଉ କ’ଣ ?

 

–ମିତା....

 

–ସତ କଥା ପ୍ରକାଶ କରିବାକୁ ଲଜ୍ଜା ଲାଗୁଛି ନା–ସତ କଥା କେବେ ଲୁଚି ରହେନା ସୁରେଶ–ତୁମେ ଫେରିଯାଅ ପୁଣି ସେହି ଅବାସ୍ତବ ରଙ୍ଗିନ ଦୁନିଆ ଭିତରକୁ । ଏଠାକୁ ଆସି ହତାଶ ହେବା ଛଡ଼ା ଆଉ କିଛି ପାଇବନି ।

 

–ନା...ନା...

 

ବୃଦ୍ଧ–

 

[ପୁଣି ସେହି ପୂର୍ବରୁ ହସର ଜୁଆର, ଇସ୍ କି ଭୟଙ୍କର, ଆଗ ପଛକୁ ନଭାବି ପୁଣି ଆଗେଇଲି ଶୂନ୍ୟତାର ଶିଡ଼ିରେ ଆହୁରି ଦୁଇପାଦ । କିନ୍ତୁ ଏଥର ଶୁଣିବାକୁ ପାଇଲି ଯନ୍ତ୍ରଣାର କାତର ବିଳାପ–ଗୋଟିଏ ବୃଦ୍ଧଙ୍କର । ଉପରକୁ ମୁହଁ ଟେକିଲି । ପରିଚିତ ମୁହଁ । ଦୃଷ୍ଟିଶକ୍ତି ହୀନ ସେହି ବୃଦ୍ଧଙ୍କର ମୁହଁରେ ଦୁଷ୍ଟ ବ୍ରଣ ପ୍ରପୀଡ଼ିତ ଯନ୍ତ୍ରଣାର ଚିହ୍ନ । ]

 

–କିଏ, ଗୁରୁଦେବ ଆପଣ–ଏଠିବି ଆପଣ କଷ୍ଟ ପାଉଛନ୍ତି ।

 

–ହଁରେ ସୁରେଶ–ଭାବିଥିଲି ଏଠାକୁ ଆସି ଟିକେ ଶାନ୍ତିରେ ରହିବି ବୋଲି, କିନ୍ତୁ ପାରୁନି-। ତୁ ବାପା, କୁଆଡ଼େ ଆସିଲୁ ?

 

–ଜୀବନପାଇଁ ସଂଗ୍ରାମ କରିବା ପୂର୍ବରୁ ଶତ୍ରୁର ମୁକାବିଲା ପାଇଁ ଗୁପ୍ତ ପଥମାନ ଅନ୍ୱେଷଣ କରିବାକୁ–

 

–ନା, ବାପ, ତୁ ପାରିବୁନି, ଏଠି କେହିବି ସୁଖରେ ନାହାନ୍ତି । ଏଠି ସଂଗ୍ରାମର ମୂଲ୍ୟ ନାହିଁ; ଏଠିହିଁ କେବଳ କର୍ମଫଳ ଭୋଗ କରିବାକୁ ପଡ଼ିବ ।

 

ଏଠି ଖାଲି ଭାଗ୍ୟ ଆଉ ଭଗବାନଙ୍କ ଚୁପ୍‌ ଚୁପ୍‌ କଥାବାର୍ତ୍ତା ତୋର । ଏଠିକି ଆସିବାର ସମୟ ହୋଇନି ବାପା–ଏତେ ଶୀଘ୍ର ତୁ ସେ ବନ୍ଧନ କାଟି ଆସି ପାରିବୁନି କି ତୋର ଆସିବା ଉଚିତ ନୁହେଁ । ତୁ ଫେରିଯା’ ବାପ...ତୁ ଫେରିଯା’-

 

–ନା...ନା...ମୁଁ...ପାରିବି–ମୁଁ ଫେରିବିନି....

 

କେବଳ ରହି ରହି ଶୁଭୁଥାଏ ଖାଲି ଆତ୍ମଚିତ୍କାର...ଆଉ ଆତ୍ମଚିତ୍କାରର ବହଳିଆ ପ୍ରତିଧ୍ୱନି ।

 

ଛାଣିପୁର

ତା ୧–୨–୭୬

Image

 

ପିଙ୍ଗଳାର ଜୀବନ ବୃତ୍ତାନ୍ତ

 

ଠିକ୍ କେଉଁ ଦିନଟା ମନେପଡ଼ୁନି । କିନ୍ତୁ ସେଦିନ ଥାଏ ବର୍ଷଣ ମୁଖର ଏକ ରାତ୍ରି । ଆକାଶରେ ପ୍ରବଳ ମେଘ ସାଙ୍ଗକୁ ଘଡ଼ଘଡ଼ି ଆଉ ବିଜୁଳିର କୋପରୁ ଘରୁ ବାହାରି ହେଉ ନଥାଏ । ଯିଏ ଯୁଆଡ଼େ ଘର ଭିତରେ ଲୁଚିଥାନ୍ତି । ବିଚରା ମେଘ ଗର୍ଜି ଗର୍ଜି ଅଥୟ ହୋଇ ପଡ଼ୁଥାଏ । କାନ୍ଦି କାନ୍ଦି ରାହା ପାଉ ନଥାଏ ଯେମିତି ।

 

ବ୍ୟାଚର୍ଲସ ବାରକ୍‌ର ଗୋଟିଏ ମେସ୍‌ । ଆମେ କେତେଜଣ କଲେଜ ଛାତ୍ର । ଭାଇନା ବର୍ଷା ହେବାଦ୍ୱାରା ଅଫିସ୍‍ରୁ ଆସି ପାରି ନଥିବାରୁ ଆମେ କେତେଜଣ ରାତିରେ ରୋଷେଇ ଆରମ୍ଭ କରି ଦେଇଥାଉ । କିନ୍ତୁ ଆମଦ୍ୱାରା ରୋଷେଇ ହେବା ତ ଦୂରର କଥା ଚୁଲି ମଧ୍ୟ ଲାଗୁନାହିଁ । ଓଦା କାଠ । ଘରସାରା ଧୂଆଁରେ ଭର୍ତ୍ତି । ଏଣେ କବାଟ ଝରକା ଖୋଲିଲେ ବର୍ଷା ପାଣି ଭିତରକୁ ପଶିଆସିବ । ସେହି ଭୟରେ ତା’ରି ଭିତରେ କଇଁଥା ବାଇଗଣ ପରି ସିଝିବାକୁ ବାଧ୍ୟ ହେଲୁ । କେମିତି ଭାଇନାଟା ଚୁଲି ଲଗାଏ କେଜାଣି । କାହିଁକି ଏପର୍ଯ୍ୟନ୍ତ ଆସୁନି ସେ । ବର୍ଷାରେ ଯଦି ତିନ୍ତି ତିନ୍ତି ଚାଲିଆସନ୍ତା ମଣିଷ ଏ ଦାଉରୁ ରକ୍ଷା ପାଇଯାନ୍ତା ।

 

ଏମିତି କେତେ କଥା ଆଲୋଚନା ଚାଲିଥାଏ । ଦୁଆର କବାଟରେ ଠକ୍‌ ଠକ୍‌ ଶୁଭିଲା । ରାତିପ୍ରାୟ ସେତେବେଳକୁ ୯ଟା ପାଖାପାଖି ହେବ । ସମସ୍ତେ ଏକସଙ୍ଗରେ କହିଉଠିଲୁ–ହେଇ ଭାଇନା ଆସିଲାଣି । ଆମ ଭିତରୁ ଜଣେ କିଏ କହିଲେ । ଠିକ୍ ମନେ ପଡ଼ୁନି ତେବେ ହେଲାନାଇଁ ଆଜି ଫିଟେଇବାନି । ଆଜି ସେ ସେମିତି ଉପାସ ଶୋଉ । ଆମେ ଏଠି ଧୂଆଁରେ ହଇରାଣ ହେବୁ, ସେ ଏଠି ଆସି ବ୍ରାହ୍ମଣ ଭୋଜନ ପକାଇବ’’ । ଏମିତି କଥାବାର୍ତ୍ତା ଚାଲିଛି ପୁଣି ଠକ୍‌ ଠକ୍‌ ଶବ୍ଦ ଶୁଭିଲା ।

 

ଏଥର ଆମେ ସମସ୍ତେ ବିଚାର କଲୁ ଏଥର ତାକୁ ଛାଡ଼ିଦେବା । ନକହି ଅନ୍ୟ ଉପାୟ ନଥିଲା । କାରଣ ଆମ ଦେଇତ ରୋଷେଇ ହେଉନି, ଉପାସ କେମିତି ରହିବୁ । ଆଉଥରେ ଯଦି ସେ ବିଳମ୍ବ କରେ ତେବେ ତାକୁ ଉପାସ ପକାଇ ଦେବା–ଏମିତି କହିକହି ଆମଭିତରୁ ଗୋଟିଏ ପିଲା ଯାଇ କବାଟ ଫିଟାଇ ଦେଇ ଚିତ୍କାର କରିଉଠିଲା–କିଏ ?

 

କେତେଜଣ ଉଠି ପଡ଼ିଲେ କ’ଣ ହେଲା ବୋଲି । ଦେଖିଲେ–ଗୋଟିଏ ସ୍ତ୍ରୀଲୋକ କବାଟ ପାଖରେ ଠିଆ ହୋଇଛି । କାଖରେ ତା’ର ଛୋଟ ଶିଶୁଟି । ଛଅ ସାତ ମାସର ହେବ ବୋଧହୁଏ । ଦୁଇଜଣଯାକ ପୂରାପୂରି ଓଦା ହୋଇଯାଇ ଶୀତରେ ଠକ୍‍ଠକ୍‌ ହୋଇ ଥରୁଥାନ୍ତି । ପିଲାଟି ରାହାଧରି କାନ୍ଦୁଛି । ବର୍ଷାରେ ବୋଧହୁଏ ଆମକୁ ତା’ର କାନ୍ଦ ଆଦୌ ଶୁଭୁ ନଥିଲା ।

 

କବାଟ ଖୋଲିବାକ୍ଷଣି ସ୍ତ୍ରୀଲୋକଟି ବନ୍ଧ ଉପରକୁ ଉଠି ଆସିଲା । ବାହାରେ ବର୍ଷା ଘଡ଼ଘଡ଼ି ସେମିତି ଚାଲିଛି । ଘଡ଼ଘଡ଼ିରେ ପିଲାଟି ଚମକି ପଡ଼ି ଚିର୍‌ଚିରେଇ ଉଠୁଛି । ସ୍ତ୍ରୀଲୋକଟି ତାକୁ ପ୍ରବୋଧନା ଦେବାପାଇଁ ତା’ର ଛାତିରେ ଜାକି ଧରୁଛି ।

 

ଆରେ, ପାଣି ପଶି ଆସୁଛି, କବାଟ ଦେଇଦିଅ–ଗୋଟିଏ ସାଙ୍ଗ କହିଲା ।

 

ଆଜି ରାତିଟା ଏଇଠି ଟିକେ ରହିଯିବି ବାବୁ, ଏ ବର୍ଷା ରାତିରେ ଛୁଆଟାକୁ ନେଇ କୁଆଡ଼େ ଯିବି ବାବୁ–ସ୍ତ୍ରୀଲୋକଟି ଅତି ଅନୁନୟ ବିନୟ ହୋଇ କହିଲା ।

 

ମେସ୍‌ର ସବୁ ବନ୍ଧୁଯାକ ଏକ ସଙ୍ଗରେ କହି ଉଠିଲେ ନା...ନା...ଏଠି ରହିହେବନି । ଏଇଟା ବ୍ୟାଚଲର୍ସ ମେସ୍‌ । ଏଠି ସ୍ତ୍ରୀଲୋକଙ୍କର ସ୍ଥାନ ନାହିଁ । ତୁ ଯା ଅନ୍ୟ କେଉଁଠି ରହିଯିବୁ । କ’ଣ ମାନେଜରବାବୁ, ଆପଣଙ୍କର ମତ କ’ଣ ? ସମସ୍ତେ ଏତକ କହିଦେଇ ମୋ ଆଡ଼କୁ ଚାହିଁଲେ ମୋଠାରୁ କିଛି ଉତ୍ତର ପାଇବା ଆଶାରେ ।

 

ସେତେବେଳେ ମୁଁ ବସି ଚୁଲି ଜଳାଉଥାଏ । ସମସ୍ତଙ୍କୁ ଚାହିଁଲି । ସମସ୍ତେ ମୋ ଆଡ଼କୁ ଅନେଇଛନ୍ତି । ସତେତ, ମୁଁ ସେ ମାସର ଥାଏ ମେସ୍ ମାନେଜର । ତେଣୁ ସ୍ତ୍ରୀଲୋକଟିକୁ ଆଶ୍ରୟ ଦେବା ନଦେବା ମୋ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି । ସ୍ତ୍ରୀଲୋକଟିକୁ ଅନାଇଲି କୋଳରେ ତା’ ଛୁଆଟି ଜୁଳୁଜୁଳୁ ହୋଇ ଆମଆଡ଼କୁ ଅନାଇଛି । ସ୍ତ୍ରୀଲୋକଟି ମଧ୍ୟ କିଛି ଉତ୍ତର ପାଇବାପାଇଁ ଜିଜ୍ଞାସୁ ଦୃଷ୍ଟିରେ ଅନାଇ ରହିଛି । ଆଖିରେ ତା’ର କାରୁଣ୍ୟତାର ଛାପ ଲାଗିରହିଛି ।

 

ମୋ ମନରେ ଅନେକ ପ୍ରଶ୍ନ । କାହିଁକି ଏତେ ରାତିରେ, ଏ ବର୍ଷା ଘଡ଼ଘଡ଼ିରେ ସ୍ତ୍ରୀଲୋକଟି ଘରୁ ଗୋଡ଼ କାଢ଼ିଛି । ଏ ସ୍ତ୍ରୀଲୋକଟି କିଏ ? ବେଶ୍ ସୁସ୍ଥ ସବଳ ଦେଖାଯାଉଛି । ବୟସର ଦ୍ୱିତୀୟ ପାହାଚରେ ପଦାର୍ପଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯୌବନ ମହଳଣ ପଡ଼ିଯାଇନି-। ସାଙ୍ଗରେ ପୁଣି ତା’ର ଗୋଟିଏ ଶିଶୁ । ଏମିତି କେତେକଅଣ ପ୍ରଶ୍ନ ମନ ମଧ୍ୟରେ ଉଠୁଥାଏ-। କିଛି କହିପାରୁ ନଥାଏ । ତାକୁ ଏକଲୟରେ ଚାହିଁରହି ତା’ର ଅତୀତ ଆଉ ଭବିଷ୍ୟତ କଥା ନେଇ ଚିନ୍ତା କରୁଥାଏ ।

 

ସମସ୍ତେ ନୀରବ । ସମସ୍ତେ ମୋ ଆଡ଼କୁ ଅନାଇଥାନ୍ତି ।

 

–‘‘ବାବୁ, ମୋ ଏ ଛୋଟଛୁଆ ପ୍ରତି ଟିକେ ଦୟା କର ବାବୁ, ଆଜି ଏଇ ରାତିଟା ଏଇଠି ରହିବାକୁ ଦିଅ’’ ଅତି କାକୁସ୍ଥ ହୋଇ କହିଲେ ସ୍ତ୍ରୀଲୋକଟି ମୋ ଉଦ୍ଦେଶ୍ୟରେ ।

 

–ଆରେ ଏମିତି ଚାହିଁଛ କ’ଣ ମାନେଜରବାବୁ ! କ’ଣ ଦେଖୁଛ ତା’ ଦେହରୁ । ଯଦି ରଖିବା ଇଚ୍ଛା ଅଛି ତେବେ କୁହ ନହେଲେ ବିଦା କରି ଦିଅ । ମନ୍ତବ୍ୟ ଦେଲେ ଜଣେ ବନ୍ଧୁ ।

 

ଆରେ ସତେତ କି ଅଲାଜୁକ ଭାବରେ ଅନାଇ ରହିଛି ସେ ସ୍ତ୍ରୀଲୋକଟିର ରୂପଯୌବନକୁ । ବର୍ଷାରେ ତା’ର ଲୁଗାପଟା ଭିଜିଯାଇ ତା’ର ରୂପଯୌବନକୁ ଆହୁରି ନଗ୍ନକରି ପକାଇଛି । ସେତେବେଳେ ମୁଁ ଟିକେ ସଚେତନ ହୋଇ ଉଠିଥିଲି । ତେଣୁ ତା’ ଆଡ଼ୁ ଆଖି ଫେରାଇ ଆଣି ଅନେକ ଭାବିଲି । ଏଇଥିରେତ ତା’ର ସାଙ୍ଗମାନେ ଏମିତି କଟୁ ଉକ୍ତି ପ୍ରୟୋଗ କରି ସାରିଲେଣି ପୁଣି ମେସ୍‌ରେ ରହିବାକୁ ସ୍ଥାନଦେଲେ ତ ଆକ୍ଷେପର ଆଉ ସୀମା ରହିବନି । କିନ୍ତୁ ପିଲାଟିକୁ ନେଇ କେଉଁଆଡ଼କୁ ଯିବ ସେ । ଆଜି ରାତିଟା ରହିଗଲେ କ୍ଷତି କ’ଣ ? ହୁଏତ ସାଙ୍ଗମାନେ ଟିକେ ଥଟା କରିବେ । କିନ୍ତୁ ସେତ ଦୁଇଟା ପ୍ରାଣକୁ ଆଶ୍ରୟ ଦେଇପାରିବ । ସେଇଥିରେ କ’ଣ ସେ ଟିକିଏ ଶାନ୍ତି ପାଇପାରିବନି ? ଏମିତି କେତେକଅଣ ଭାବି ଶେଷରେ ତାକୁ ରହିବାପାଇଁ ଅନୁମତି ଦେଇଥିଲି । ଲୁଗାପଟା ଭିଜି ଯାଇଥିବାରୁ ତାକୁ ଭାଇନାର ଗୋଟିଏ ଚିରାଲୁଗା ପାଲଟିବାକୁ ନେଇ ଦେଇଥିଲି ଏବଂ ସେଦିନ ରାତିରେ ସେ ଆମପାଇଁ ରୋଷେଇ ହୋଇଥିବା ଖାଦ୍ୟର ଭାଗ ମଧ୍ୟ ନେଇଥିଲା । କାରଣ ତା’ରି ଆଗରେ ଆମେସବୁ ଖାଇବୁ ଅଥଚ ସେ ଆମକୁ ଭୋକିଲା ପେଟରେ ଏମିତି ଚାହିଁ ରହିଥିବ ?

 

ଖିଆପିଆର ପର୍ବ ସରିଲା । ଯିଏଯୁଆଡ଼େ ନିଜ ନିଜ ରୁମ୍‍କୁ ଚାଲିଗଲୁ ବିଶ୍ରାମ ନେବାପାଇଁ । ତାକୁ ସେହି ମେସ୍‌ଘରେ ଶୋଇବାପାଇଁ ବରାଦ କରିଦେଲୁ ।

 

ବର୍ଷା କେତେବେଳୁ କମିଗଲାଣି । ଯିଏ ଯୁଆଡ଼େ ଶୋଇବାକୁ ଚାଲିଗଲେ । ବିଛଣାରେ ପଡ଼ିପଡ଼ି ତଥାପି ମଧ୍ୟ ଆଖିକୁ ନିଦ ଆସୁନି ମନରେ ଗୋଟିଏ ପ୍ରଶ୍ନ–ଗୋଟିଏ ଭାବନା । ଏ ସ୍ତ୍ରୀଲୋକଟି କିଏ ? କାହିଁକି ସିଏ ଗୋଟିଏ ଅସହାୟ ଶିଶୁଟିକୁ ଧରି ଏଠାକୁ ଆସିଛି ? କୌଣସି ନିରାଶ୍ରୟା ନୁହେଁତ ? ମନରେ କୌତୂହଳ ସୃଷ୍ଟି ହେଲା । ତାକୁ ପଚାରି ବୁଝିବାପାଇଁ ମନରେ ଅହେତୁକ ଉତ୍ସାହ ଦେଖାଦେଲା ।

 

ଆସ୍ତେ ଆସ୍ତେ ମେସ୍‌ ଘରକୁ ପାଦ ବଢ଼ାଇଲି ଯିବାକୁ ଇଚ୍ଛା ହେଉ ନଥାଏ । କିଏ ଯଦି ମତେ ଏ ଅବସ୍ଥାରେ ଦେଖେ–ତେବେ କ’ଣ ଭାବିବେ ? ତଥାପି ଗଲି । ମେସ୍‌ ଘରକୁ ଯାଇ ଦେଖିଲି ସ୍ତ୍ରୀଲୋକ ତା’ର ପିଲାଟିକୁ କୋଳରେ ପୂରାଇ ଶୁଆଉଛି । ଧୀର ପଦକ୍ଷେପରେ ତା’ ନିକଟକୁ ଗଲି । ପିଲାଟି ତା’ର ତା’ ଆଡ଼କୁ ଜୁଳୁଜୁଳୁ ହୋଇ ଚାହିଁଛି । ସେ ତା’ର ପିଲାଟି ମୁହଁରେ କୋବ ଦେଉ ଦେଉ ମୋର ପଦ ଶବ୍ଦ ଶୁଣି ମୋ ଆଡ଼କୁ ମୁହଁ ବୁଲାଇ ଅନାଇ ସାମାନ୍ୟ ହସିଦେଲା ।

 

–ଏଁ ହସିଲା କାହିଁକି !–ଭାବନାର ସ୍ରୋତରେ ବୁଡ଼େଇ ଦେଲା ମତେ ତା’ର ଏଇ ହସ ଟିକକ ।

 

–ଆପଣ ଆସିବେ ବୋଲି ଅନେକ ଆଗରୁ ଜାଣିଥିଲି ବାବୁ । ମୁରୁକି ମୁରୁକି ହସି କହିଲା ସ୍ତ୍ରୀଲୋକଟି ।

 

–କି ଆଶ୍ଚର୍ଯ୍ୟ । ମୁଁ ଆସିବି ବୋଲି ଜାଣିଲା କେମିତି ? ତେବେ ସେ କ’ଣ ମଣିଷ ନୁହେଁ । ମୋ ଅନ୍ତର କଥା ଜାଣିଲା କିପରି ? ମନ ଭିତରେ ତା’ର କଥାଟି ଯେମିତି ପ୍ରତିଧ୍ୱନି ସୃଷ୍ଟି କରି ଫେରିଯାଉଛି ।

 

‘ଆପଣ ଆସିବେ ବୋଲି ଅନେକ ଆଗରୁ ଜାଣିଥିଲି ବାବୁ ।’ ଆପଣ ଯେତେବେଳେ ସମସ୍ତ ସାଙ୍ଗମାନଙ୍କ କଥାକୁ ଏଡ଼ିଦେଇ ମୋ ପ୍ରତି ଦୟା ଦେଖାଇଲେ ସେତେବେଳେ ମୁଁ ଜାଣିଥିଲି ଆପଣ ନିଶ୍ଚୟ ଏକ ନିରୋଳା ମୁହୂର୍ତ୍ତରେ ମତେ ଭେଟିବେ । ଦୟାକରି ଟିକେ ଅପେକ୍ଷା କରନ୍ତୁ । ଏ ପିଲାଟି ଟିକେ ଶୋଇପଡ଼ୁ । ନହେଲେ...(କହି ତଳକୁ ମୁହଁ ପୋତି ହସୁଥିଲା ଯେମିତି ।

 

–‘କ’ଣ କହିବାକୁ ଚାହେଁ ଏ ସ୍ତ୍ରୀଲୋକଟି । ଏକ ନିରୋଳା ମୁହୂର୍ତ୍ତରେ ତାକୁ ଭେଟିବି । ପୁଣି ପିଲା ଶୋଇପଡ଼ୁ–କ’ଣ ଚାହୁଁଛି ଏ ସ୍ତ୍ରୀଲୋକ ।’ ଭାବନାର ଇନ୍ଦ୍ରଜାଲ ମୁଣ୍ତ ଭିତରେ ଗୁଡ଼େଇ ତୁଡ଼େଇ, ହୋଇ ପ୍ରଶ୍ନ କରି ଉଠୁଛି–କିଏ ସେ ? କାହିଁକି ଆସିଛି ଏଠିକି ? କ’ଣ ତା’ର ଦରକାର ।

 

–କାହିଁକି ଠିଆ ହେଲେ ବାବୁ । ଏଇଠି ବସନ୍ତୁ ନା । ଆପଣ ପରା ମୋର ଅତିଥି । ଆପଣ ଠିଆ ହୋଇ ରହିଲେ କାହିଁକି ? କହିଲା ସ୍ତ୍ରୀଲୋକଟି ।

 

ଏଁ–ମୁଁ ତା’ର ଅତିଥି । ଏଇଟା ଗୋଟେ ପାଗଳୀ ନା କ’ଣ ? କିନ୍ତୁ ପାଗଳୀର କୌଣସି ଚିହ୍ନବର୍ଣ୍ଣ ତ ଜଣାପଡ଼ୁନି । ଏମିତି କଥାବାର୍ତ୍ତା କରୁଛି କାହିଁକି ? –ସ୍ତ୍ରୀଲୋକଟିକୁ ଏକଲୟରେ ଅନାଇ ରହିଛି । ସେ ତା’ର ପିଲାଟିକୁ କୋଳରେ ପୂରାଇ ଶୁଆଇବାକୁ ଚେଷ୍ଟା କରୁଛି ।

 

–ଆପଣଙ୍କର ବଡ଼ ଦୟା ବାବୁ । ଆପଣ ଯଦି ମତେ ଆଜି ରାତିଟା ଏଇଠି ଆଶ୍ରୟ ଦେଇ ନଥାନ୍ତେ ତେବେ, ଏ ବର୍ଷା ରାତିରେ କେଉଁଠି ହେଲେ ଆଶ୍ରୟ ପାଇ ନଥାନ୍ତି । (ଏପର୍ଯ୍ୟନ୍ତ କେଉଁ ଦିନ ମତେ ହଇରାଣ ହେବାକୁ ପଡ଼ିନି । ସବୁଦିନ ରାତି ପୂର୍ବରୁ ଆଶ୍ରୟଦାତା ଆପେଆପେ ଆଶ୍ରୟ ଦେବାପାଇଁ ଆଗେଇ ଆସିଛନ୍ତି ।)

 

–ସତରେ କ’ଣ ସେ ଆଶ୍ରୟହୀନା । ଘର ନାହିଁ ଦ୍ୱାର ନାହିଁ । ଏମିତି ୟା’ ପିଣ୍ଡା, ତା’ ଓଳିତଳ ହୋଇ ଦିନ କାଟୁଛି । ସାଙ୍ଗରେ ପୁଣି ତା’ର ଏକମାତ୍ର ଶିଶୁ । ଆଉ କ’ଣ ତା’ର ପରିବାରର ଲୋକ କେହି ନାହାନ୍ତି । କାହିଁକି ଆଜି ତା’ର ଏ ଅବସ୍ଥା । ଏ ପିଲାଟି ତା’ର କିଏ ? ଜାରଜ ସନ୍ତାନ ନୁହେଁ ତ ?

 

–ଆରେ, କ’ଣ ଦେଖୁଛନ୍ତି ମୋ ଦେହରୁ । ମତେ କ’ଣ ଖାଇଯିବେ ନା କ’ଣ ? ଏତେ ଅଧୈର୍ଯ୍ୟ ହୋଇ ପଡ଼ୁଛନ୍ତି ଆପଣ ? ଜାଣେ ପରା ସବୁ ପୁରୁଷଗୁଡ଼ାକ ଏକା । ନାରୀର ରକ୍ତମାଂସ ପ୍ରତି ତାଙ୍କର ପ୍ରବଳ ଆକର୍ଷଣ । –ଏହିତକ କହିବା ମଧ୍ୟରେ ସେ ତା’ର ପିଲାଟିକୁ ତଳେ ଶୋଇଦେଇ ସାରିଥାଏ ।

 

ସ୍ତ୍ରୀଲୋକଟିର ହାବଭାବକୁ ଲକ୍ଷ୍ୟ କରୁଥାଏ ମୁଁ । କାହିଁକି ଏ ସ୍ତ୍ରୀଲୋକଟି ଏଠି ଆସି ପହଞ୍ଚିଛି । ତା’ର ଉଦ୍ଦେଶ୍ୟ କ’ଣ ? ମୁଁ ତା’ ପାଖକୁ ଆସି ଭୁଲ କରିନି ତ ? ଏ ଅବସ୍ଥାରେ ଯଦି ମତେ କିଏ ଦେଖେ, ତେବେ କ’ଣ ଭାବିବେ ମତେ ?

 

ସ୍ତ୍ରୀଲୋକଟି ପିଲାଟିକୁ ଶୁଆଇସାରି ମୋ ଆଡ଼କୁ ଚାହିଁଲା । ମୁଁ ତାକୁ ସେମିତି ଚାହିଁରହିଥାଏ ।

 

ଆରେ ଚାହୁଁଛନ୍ତି କ’ଣ ମ ? ଆଉ କିଛି ଅସୁବିଧା ନାହିଁ । ପାଖକୁ ଆସନ୍ତୁ ନା–ଓଠରେ ତା’ର ମାଦକ ଭରା ହସ, ଆଖିରେ ତା’ର କାମାଗ୍ନିର ପ୍ରହେଳିକା !

 

ତଥାପି ମୁଁ କିଛି କହିପାରୁ ନଥାଏ । ଗୋଟିଏ ସ୍ଥାନରେ ଛିଡ଼ା ହୋଇ ତା’ ଆଡ଼କୁ ଏକଲୟରେ ଚାହିଁରହିଥାଏ । ପଚାରିବି ବୋଲି ଭାବୁଥିଲେ ମଧ୍ୟ ପଚାରିପାରୁ ନଥାଏ–ତା’ର ଘର କେଉଁଠି, ସେ କିଏ, କାହିଁକି ସେ ଏଠି ଏମିତି ଅଚାନକ ଭାବରେ ଆସିପହଞ୍ଚିଛି ।

 

–ଆରେ ଠିଆ ହେଲେ କାହିଁକି ? ଆପଣଙ୍କର ପ୍ରାପ୍ୟ ଆଦାୟ କରିନିଅନ୍ତୁ । ମୁଁ ତ ରାଜିଅଛି ।

 

–ମୋର ପ୍ରାପ୍ୟ–ହଠାତ୍‌ ପାଟିରୁ ବାହାରି ପଡ଼ିଲା ।

 

–ହଁ, ଆପଣଙ୍କର ଦୟାପାଇଁ ମୁଁ ତ ଆଉକିଛି ଦେଇପାରିବିନି । କେବଳ ଗୋଟିଏ ପୁରୁଷ, ନାରୀଠାରୁ ଯାହା ଆଦାୟ କରିବା କଥା ତା’ ଛଡ଼ା ଆଉ କିଛିନାହିଁ ।

 

–କ’ଣ କହିବାକୁ ଚାହଁ ତମେ ?

 

–ଆପଣ ବୁଝିପାରୁନାହାନ୍ତି ବାବୁ । ଅନେକ ସିନା ଟଙ୍କାର ଲୋଭ ଦେଖାଇ ମୋଠାରୁ ସେମାନେ ପ୍ରାପ୍ୟ ଆଦାୟ କରି ନେଇଛନ୍ତି କିନ୍ତୁ ଆପଣ ମୋ ଉପରେ ଯେଉଁ ଦୟା ଦେଖାଇଛନ୍ତି ତା’ପାଇଁ ଆପଣଙ୍କୁ ତ ଟଙ୍କା ଦେବାକୁ ପଡ଼ୁନି । ମୁଁ ଆଉ ଆପଣଙ୍କ ଋଣ ସୁଝିବି କେମିତି ବାବୁ ?

 

ଆଉ ବୁଝିବାକୁ କିଛି ବାକି ରହିଲାନି ଯେ ଏ ଗୋଟେ ବାରାଙ୍ଗନା ବୋଲି କିନ୍ତୁ ଏ ମେସ୍‌ରେ କାହିଁକି ? ଏଠିତ କେହି ଚାକିରି କଲା ଲୋକ ନାହାନ୍ତି ଯେ କି ତା’ର ରୂପଯୌବନ ବିନିମୟରେ ଟଙ୍କା ଅଜାଡ଼ି ଦେବେ । ଅନ୍ୟ କେଉଁଠାକୁ ଯାଇଥିଲେ ହୁଏତ କିଛି ରୋଜଗାର କରିପାରିଥାନ୍ତା । ଏ ଦୁନିଆରେ ନାରୀ ମାଂସ ଲୋଭୀଙ୍କର ଅଭାବ ନାହିଁ ? ତେବେ ଏ ବର୍ଷାରେ କାହିଁକି ? ହୁଏତ ବର୍ଷା ହେବାରୁ ନଯାଇ ପାରି ଏହିଠାକୁ ଚାଲି ଆସିଛି । ଯଦି କିଛି ରୋଜଗାର ହୋଇଯାଏ ଏଇ ଆଶଙ୍କା ନେଇ–

 

–ଠିଆ ହୋଇ କ’ଣ ଭାବୁଛନ୍ତି, ଡେରି ହେଉଛି ପରା । ଆସନ୍ତୁନା ପିଲାଟା ଉଠିଲେ ବଡ଼ ହଇରାଣ କରିବ । ଆଖିରେ ତା’ର ଇସାରାର ପୂର୍ବାଭାସ । ମୋ ପାଖକୁ ଆସି ହାତ ଧରିବାର ଉପକ୍ରମ କରୁଥାଏ ।

 

–ତମକୁ ଗୋଟେ କଥା ପଚାରିବି ଯଦି କିଛି ନ ଭାବ ତେବେ......ତା’ ଛଡ଼ା ତମକୁ ଠିକ୍‌ ଠିକ୍‌ ଜବାବ ଦେବାକୁ ପଡ଼ିବ–ଟିକିଏ ଚଢ଼ା ଗଳାରେ କହିଥିଲି ମୁଁ ?

 

ଏପରି କଥା ମୋଠାରୁ ଶୁଣିବାକୁ ପାଇବ ବୋଲି ବୋଧହୁଏ ସେ ଆଶା କରି ନଥିଲା । ସେ ଟିକିଏ ସଂକୁଚିତ ହୋଇ ନିମ୍ନ ସ୍ୱରରେ କହିଲା–ବାବୁ !

 

–ହଁ ତମକୁ ମୋ କଥାର ଠିକ୍ ଠିକ୍ ଉତ୍ତର ଦେବାକୁ ହେବ । ନଚେତ୍‌ ପରିସ୍ଥିତି ଭଲ ହେବନି ।

 

ଆସ୍ତେ ଆସ୍ତେ ଘୁଞ୍ଚି ଯାଇଥିଲା ସ୍ତ୍ରୀଲୋକଟି ମୋ ନିକଟରୁ; ତା’ର ଛୁଆଟିକୁ ଶୋଇ ଦେଇଥିବା ସ୍ଥାନରେ ତଳକୁ ମୁହଁ ପୋତି ଠିଆହୋଇ ରହିଥାଏ ।

 

–ତମ ଘର କେଉଁଠି ? ଏ ପିଲାଟି କିଏ ? ତମେ ବିବାହିତା ନା ଅବିବାହିତା ? ତମେ ଏ ନିମ୍ନଧରଣର ବୃତ୍ତି ଧରିଛ କାହିଁକି ? ଖୁବ୍‌ ଜୋରରେ ଏତକ କହିଦେଇ ନିଃଶ୍ୱାସ ମାରିଲି । ମୁଁ ଅନୁଭବ କରୁଥାଏ ଏତକ କହି ସାରିଲାପରେ ଯେପରି ମୁଁ ଅଣନିଃଶ୍ୱାସୀ ହୋଇ ପଡ଼ୁଥାଏ । ଏତେ ଜୋରରେ କହିଦେଇଥିବା ହେତୁ ଦେହ ମୋର ଗୋଟିପଣେ ଥରୁଥାଏ । ମୁହଁ ଟେକି ଚାହିଁଲି ସ୍ତ୍ରୀଲୋକଟିକୁ । ସେ ସେହିପରି ତଳକୁ ମୁହଁପୋତି ଠିଆ ହୋଇଛି । ନିରବ ନିଶ୍ଚଳ ।

 

–କ’ଣ ମୋ କଥାର ଉତ୍ତର ଦେବନା ନାହିଁ ? ଯଦି ସତକଥା ନକୁହ ତେବେ ତମକୁ ଥାନାରେ ଦେବାକୁ ବାଧ୍ୟ ହେବି ।

 

ଏଥର ସ୍ତ୍ରୀଲୋକଟି ଉପରକୁ ମୁହଁଟେକି ଚାହିଁଲା । ଆଖିରେ ତା’ର ଲୋତକର ଧାର ଗଣ୍ଡ ଦେଶକୁ ସ୍ପର୍ଶ କରି ଛୁଟି ଚାଲିଥାଏ । ସ୍ତ୍ରୀଲୋକଟି ବାଷ୍ପରୁଦ୍ଧ କଣ୍ଠରେ କହିଲା–

 

ମୋତେ ଥାନାରେ ଦେବାକୁ ବୃଥା ଚେଷ୍ଟା କରନ୍ତୁନି ବାବୁ ମୋର ଏହି ଅପକର୍ମ ପାଇଁ ଥାନାରେ ଦେଲେବି, ସେମାନେ ମଧ୍ୟ ମୋର ରୂପଯୌବନକୁ ଉପଭୋଗ କରିବାକୁ ପଛେଇବେନି ବାବୁ ବରଂ...

 

ମୋର ରୂପଯୌବନର ମାଦକତାକୁ ଅନେକ ଉପଭୋଗ କରିବାକୁ ଆଗେଇ ଆସିଛନ୍ତି-। କେଉଁ ଦିନ ସୁଦ୍ଧା ମୁଁ କାହା ନିକଟରେ ହାରିଯାଇନି ବାବୁ । କିନ୍ତୁ ଆଜି ଆପଣଙ୍କ ନିକଟରେ ମୋର ରୂପଯୌବନ ସବୁ ମହଳଣ ପଡ଼ିଯାଇଛି । ମତେ ଥାନାରେ ଦବା ପୂର୍ବରୁ ମୁଁ ମୋର ଏଇ କଳଙ୍କିତ ଇତିହାସ ଆପଣଙ୍କ ଆଗରେ କହିଯାଉଛି । କିନ୍ତୁ କହିବା ପୂର୍ବରୁ ଆପଣଙ୍କୁ ମୋର ଗୋଟାଏ ଅନୁରୋଧ ରଖିବାକୁ ପଡ଼ିବ ବାବୁ.....

 

–କି, ଅନୁରୋଧ....ଚଢ଼ାଗଳାରେ କହିଥିଲି ମୁଁ ।

 

–ମୁଁ ଗୋଟାଏ ବାରଙ୍ଗନା ବୋଲି ଆପଣଙ୍କର ମୋ ଉପରେ ଘୃଣା ହେଉଛି ନା ? କିନ୍ତୁ କହି ପାରିବେ କି ବାବୁ ମତେ ଆଜି କଳଙ୍କିନୀ କରି ସମାଜରେ ଠିଆ କରାଇଲା କିଏ ? କାହାପାଇଁ ଆଜି ମୁଁ ଏହି ବୃତ୍ତି ଧରିବାକୁ ବାଧ୍ୟ ହୋଇଛି....ଏଇ ଆପଣଙ୍କ ପରି ଶିକ୍ଷିତ ଯୁବକଙ୍କର ପ୍ରଲୋଭନ ଏଡ଼ି ନ ପାରି ଆଜି ମୁଁ ବାରବନିତା–ବେଶ୍ୟା–ବାରଙ୍ଗନା ।

 

ସେ ଗୋଟାଏ ଇତିହାସ ବାବୁ । କହିଲେବି ସରିବନି । ମୋର ଅନୁରୋଧ ଆପଣ ଏସବୁ ଶୁଣି ସାରିଲା ପରେ ମତେ ଭୁଲ ବୁଝିବେନି ।

 

ଆଖିରେ ତା’ର କ୍ରୋଧାଗ୍ନି । ଅଶ୍ରୁର ଶ୍ରାବଣୀ ଧାରା ମଧ୍ୟ ତାକୁ ଶୀତଳ କରିପାରୁ ନଥାଏ । ମନେ ହେଉଥାଏ ତା’ର ଏହି କ୍ରୋଧାଗ୍ନିରେ ମୋର ସମଗ୍ର ବ୍ୟକ୍ତିତ୍ୱ ପୋଡ଼ି ପାଉଁଶ ହୋଇଯିବ ।

 

ଯାହା କହିବାର କଥା ଶୀଘ୍ର କୁହ । ଏପରି ଅବସ୍ଥାରେ ଯଦି କିଏ ଦେଖେ ତେବେ, ଅବସ୍ଥା ଶୋଚନୀୟ ହୋଇ ଉଠିବ । ଆଶ୍ୱାସନା ଦେବା ଛଳରେ କହିଥିଲି ମୁଁ ।

 

ସ୍ମିତହାସ୍ୟ ରେଖା ଫୁଟାଇ ସ୍ତ୍ରୀଲୋକଟି ଉତ୍ତର ଦେଇଥିଲା, ଭୟ ହେଉଛି, ନା–ବାବୁ ? କାହିଁ ମୁଁ ତ କେବେ ଭୟ କରୁନି । ଆପଣ ପୁରୁଷ ହୋଇ ଏତେ ଭୟ କରୁଛନ୍ତି ? ମୁଁ ବାରଙ୍ଗନା ବୋଲି ଆପଣଙ୍କର ମାନ ସମ୍ମାନରେ ବ୍ୟାଘାତ ସୃଷ୍ଟି ହେବ–ନା.... ? ହଉ ତେବେ ଶୁଣନ୍ତୁ ମୋ ଇତିହାସ ସବୁକୁ ।

 

ଗୋଟିଏ ଗରିବ ମୂଲିଆର ଝିଅ ମୁଁ । ବାପା, ବୋଉ, ମୁଁ ଓ ମୋର ସାନଭାଇ–ଏଇ ଚାରିଜଣଙ୍କୁ ନେଇ ଆମର ଏହି ଛୋଟ ପରିବାର । ମା’ ମୋର ଚିର ରୋଗୀ । ଏକା ବାପା ମୂଲଲାଗି ଆମ ପରିବାରଟିକୁ କଷ୍ଟେମଷ୍ଟେ ଚଳାନ୍ତି । ବର୍ଷର ଅନେକ ଦିନ ମଧ୍ୟ ଓଳିଏ ଖାଇ ଆରଓଳି ଉପାସ ରହିବାକୁ ପଡ଼େ । ବାପା ଏକୁଟିଆ କେତେ ବା ଖଟିବେ । ତଥାପି ତାଙ୍କର ମନରେ ଅନେକ ଆଶା ଅନେକ ସ୍ୱପ୍ନ । ତା’ର ଝିଅ ପାଠ ପଢ଼ିବ ଚାକିରି କରି ରୋଜଗାର କରିବ, ଘର ଚଳେଇବ । ସାନ ଭାଇଟିକୁ ପାଠ ପଢ଼େଇବ, ବାପାଙ୍କର କଥା ସତ ହେଲା । ମୁଁ ପାଠ ପଢ଼ିଲି । କିନ୍ତୁ ଚାକିରି କରିବାତ ଦୂରରେ ଥାଉ । ବାପାଙ୍କର ସବୁ ଆଶାଭରସାକୁ ଧୂଳିସାତ୍‌ କରିଦେଇ ଶେଷରେ ଆଜି ଯେଉଁ ଅବସ୍ଥାରେ ପହଞ୍ଚିଛି.....ସେଥିପାଇଁ ଦାୟୀ କିଏ ଜାଣନ୍ତି ବାବୁ....ଏଇ ଆପଣଙ୍କ ପରି ଯୁବକ, ଯେ କେତୋଟି ମନଲୋଭା କଥାକହି ନାରୀର ସବୁ କିଛିକୁ ଅପହରଣ କରି ନେଇ ତାକୁ ବିଚ୍‌ବଜାରର ରାସ୍ତାକୁ ଫିଙ୍ଗିଦେଇ ଚାଲି ଯାଆନ୍ତି ।

 

ମୋ ଭାଗ୍ୟରେ ମଧ୍ୟ ଦିନେ ସେଇଆ ଘଟିଲା ବାବୁ । ବାପା ମା’ଙ୍କର ମୋହମାୟାକୁ ତୁଟାଇ ଦେଇ ମୁଁ ମରୀଚିକା ପଛରେ ଧାଇଁ ଯାଇଥିଲି କିନ୍ତୁ ପରିଣତି ଏମିତି ହେବ ବୋଲି କେବେ ସୁଦ୍ଧା ଜାଣି ନଥିଲି ବାବୁ ।

 

ବାପାଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ ମୁଁ ମାଟ୍ରିକ୍ ପଢ଼ୁଥାଏ । କ୍ଲାସ୍‍ରେ ଭଲ ପଢ଼ୁଥିବାରୁ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲି । ସ୍କୁଲ୍ ଘର ପାଖରୁ ଦୁଇମାଇଲ ହେବ । ସବୁ ଦିନେ ଚାଲିକରି ଯାଏଁ । କଷ୍ଟ ହେଲେ ମଧ୍ୟ ପାଠକୁ ଜୀବନର ଏକମାତ୍ର ବ୍ରତ ବୋଲି ଧରି ପଢ଼ୁଥାଏ ।

 

ଗୋଟିଏ ଦିନର କଥା । ସେପରି ଦିନଟା ଯଦି ମୋ ଭାଗ୍ୟରେ ଆସି ନଥାନ୍ତା ତେବେ ଆଜି ଏପରି ଅବସ୍ଥା ମତେ ଭୋଗ କରିବାକୁ ପଡ଼ି ନଥାନ୍ତା । ସବୁଦିନ ପରି ସେଦିନ ମଧ୍ୟ ସ୍କୁଲ୍‍କୁ ଯାଇଥାଏ । ବୋର୍ଡ଼ ପରୀକ୍ଷା ଅଳ୍ପ ଦିନ ଥାଏ ବୋଲି ଅଧିକା ସମୟ ପାଠପଢ଼ା ହେଉଥାଏ । ସେଦିନ ସ୍କୁଲ୍‍ରୁ ଫେରୁ ଫେରୁ ପାଞ୍ଚଟା ହୋଇଯାଇଥାଏ । ଅଧା ବାଟରେ ହୋଇଛି କି ନାହିଁ ଆକାଶରେ ବର୍ଷା ଘଡ଼ଘଡ଼ି ଆରମ୍ଭ ହୋଇଗଲା । କ’ଣ କରିବି କିଛି ବୁଦ୍ଧି ଦିଶୁ ନଥାଏ । ରହିବାକୁ ମଧ୍ୟ ଟିକିଏ ଜାଗା ନଥାଏ । ବିଲ ଗହୀର । ଏଣେ ସନ୍ଧ୍ୟା ହୋଇ ଆସୁଥାଏ । କିଛି ଉପାୟ ନ ପାଇ ଦୌଡ଼ିବାକୁ ଆରମ୍ଭ କଲି । ଯା’ହେଉ ଅନେକ ପରିଶ୍ରମ ଫଳରେ ବିଲଟି ପାର ହୋଇଗଲି । ଗାଁମୁଣ୍ତ, ଘର ଆଉ ସେଠାକୁ ଏକ ମାଇଲ ହେବ । ଝଙ୍କା ବରଗଛ ମୂଳରେ ବୁଢ଼ୀ ଠାକୁରାଣୀ ଥାଆନ୍ତି । ସେହିଠାରେ ଗୋଟିଏ ଛୋଟ ଚାଳ ଘର ଖଣ୍ଡିଏ ଥାଏ । ପ୍ରତି ପୂର୍ଣ୍ଣମୀରେ ସେଠାରେ ଭୋଗରାଗ ହୁଏ । ବର୍ଷା ପବନରେ ଯାଇ ନପାରି ସେହିଠାରେ ଆସି ବିଶ୍ରାମ ନେଲି । ସେତେବେଳକୁ ପୂରାପୂରି ସନ୍ଧ୍ୟା ହୋଇଗଲାଣି । କ’ଣ କରିବି ଘରକୁ ଯିବି କେମିତି ? ବାପା ତେଣେ ଅପେକ୍ଷା କରି ବସିଥିବେ । ମୁଁ ନ ଯିବା ପର୍ଯ୍ୟନ୍ତ ସେ ଖାଇ ନଥିବେ । ଏଣେ ବର୍ଷା ଘଡ଼ଘଡ଼ି । ଭାବିଲି ତିନ୍ତି ତିନ୍ତି ଘରକୁ ଚାଲିଯିବି ବୋଲି । କିନ୍ତୁ ବହିଗୁଡ଼ାକ ତିନ୍ତିଯିବ । ସେହି ଆଶଙ୍କାରେ ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କଲି । ଗାଁ ଶେଷମୁଣ୍ତ । ଏକୁଟିଆ ମୁଁ । ମନରେ ଭୟ ହେଉଥାଏ । ମନେମନେ ବୁଢ଼ୀ ଠାକୁରାଣୀଙ୍କୁ ଡାକୁଥାଏ ।

 

କିଛି ସମୟ ପରେ ସେହି ଘର ଓଳିତଳକୁ ଗୋଟିଏ ଟର୍ଚ୍ଚ ଆଲୁଅ ପଡ଼ିବାର ଜାଣିଲି । ଭୟରେ ମୋ ଦେହ ଥରି ଉଠିଲା । ବରଡ଼ା ପତ୍ର ପରି ଥରୁଥାଏ । ଗୋଟିଏ ଲୋକ ପିଣ୍ଡା ଉପରକୁ ଉଠି ଆସିଲେ । ବିଜୁଳି ଆଲୁଅରେ ମୁଁ ସ୍ପଷ୍ଟ ଦେଖିପାରୁଥାଏ । ହାତରେ ଆଟାଚି ଗୋଟିଏ ଧରି ଥାଆନ୍ତି । ପିଣ୍ଡା ଉପରକୁ ଉଠି ଛତା ବନ୍ଦ କଲେ । ବର୍ଷା ସେତେବେଳକୁ ଜୋରରେ ହେଉଥାଏ । ପବନ ହେବାରୁ ବର୍ଷା ଛାଟୁଥାଏ । ତେଣୁ ବୋଧହୁଏ ସେ ଘର ଭିତରକୁ ପଶି ଆସିଲେ । ଟର୍ଚ୍ଚଟିର ଆଲୁଅ ମୋ ଉପରେ ପଡ଼ିଲା । ସେ ପାଟିକରି ଉଠିଲେ–କିଏ ?

 

ମୁଁ ଅତି ଧୀରସ୍ଥିର ଭାବରେ କହିଥିଲି–ମୁଁ...ମୁଁ ମିତା, ବାବୁ । ସ୍କୁଲ୍‍ରୁ ଫେରିଲାବେଳେ ବର୍ଷା ହେବାରୁ ଏହିଠାରେ ରହିଗଲି । କଣ୍ଠ ମୋର ଥରି ଉଠୁଥାଏ ।

 

ଆଉ କିଛି କହି ନଥିଲେ ସେ ବାବୁ ଜଣକ । ତାଙ୍କ ମୁହଁ ଅନ୍ଧାରରେ ବାରି ହେଉ ନଥାଏ-। କେବଳ ଟର୍ଚ୍ଚ ଆଲୁଅରେ ତାଙ୍କର ବେଶପୋଷାକରୁ ଜଣା ପଡ଼ୁଥାଏ ସେ ଯୁବକ ବୋଲି-। ସେ ମଧ୍ୟ ନିରବରେ ଦୁଆରବନ୍ଧ ପାଖରେ ଠିଆ ହୋଇ ରହିଲେ । ଅନେକ ସମୟ ପର୍ଯ୍ୟନ୍ତ କେହି କାହାକୁ କିଛି କହି ପାରି ନଥିଲୁ । କିଛି ସମୟ ପରେ ସେ ବାବୁ ଜଣକ ନିରବତା ଭଙ୍ଗ କରି କହିଲେ–

 

–କେଉଁଠିକି ଯିବ ମିତା

 

–ମିତା ! କେମିତି ଜାଣିଲେ ଏ ମୋ ନାଁଟା ।

 

ମୋ ମନ ଭିତରେ ଗୋଟାଏ ଶିହରଣ ଖେଳିଗଲା । ମୁଁ ଭାବି ପାରିଲିନି ଯେ ମୁଁ ପ୍ରଥମେ ମୋ ନାଁଟାକୁ କହିଥିଲି ବୋଲି ।

 

କିଛି ସମୟ ରହିଯାଇ ଉତ୍ତର ଦେଇଥିଲି । ଶ୍ରୀରାମପୁର ଯିବି ବାବୁ ।

 

–ଶ୍ରୀରାମପୁର । କାହା ଘରକୁ ? ବାପାଙ୍କ ନାଁ କ’ଣ ?

 

–ଆର୍ତ୍ତବନ୍ଧୁ ମହାନ୍ତି ।

 

–କୋଉ କ୍ଲାସ୍‍ରେ ପଢ଼ୁଛ ।

 

–ଏକାଦଶ ଶ୍ରେଣୀରେ ।

 

ସେଦିନ ଆଉ କିଛି କଥାବାର୍ତ୍ତା ହୋଇ ନାହାନ୍ତି କି ମୁଁ ତାଙ୍କ ନାଁ ଗାଁ ମଧ୍ୟ ପଚାରିବାକୁ ସାହସ ମଧ୍ୟ କରି ନଥିଲି । ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ମଧ୍ୟ ବର୍ଷା ନ ଛାଡ଼ିବାରୁ ଅତି ଭଦ୍ରୋଚିତ ଭାବରେ କହିଥିଲେ–

 

‘‘କିଛି ନ ଭାବିବ ଯଦି ତେବେ ମୁଁ ତମକୁ ତମ ଘରେ ଛାଡ଼ି ଦେଇ ଆସିବି । ମୁଁ ମଧ୍ୟ ସେ ଗାଁକୁ ଯିବି ! ବର୍ଷାତ ଆଉ ଛାଡ଼ିବାର ଆଶାନାହିଁ ।’’

 

ବାଧ୍ୟ ହୋଇ ମୁଁ ତାଙ୍କ କଥାରେ ରାଜି ହୋଇ ଯାଇଥିଲି । କାରଣ ରାତି ଅନେକ ହୋଇଗଲାଣି । ନ ଗଲେ ଅନ୍ୟ ଉପାୟ ନାହିଁ । ତେଣୁ ଗୋଟିଏ ଛତାରେ ଦୁଇଜଣଯାକ ଯାଇଥିଲୁ-। ମୁଁ ଗୋଟିଏ ହାତରେ ତାଙ୍କର ଆଟାଚିଟାକୁ ଧରିଥାଏ । କାନ୍ଧରେ ମୋର ପଡ଼ିଥାଏ ବ୍ୟାଗ୍‍ଟି ।

 

ଏଇ ପ୍ରଥମ ଥରପାଇଁ ଏକ ନିର୍ଜନ ରାତିରେ ପରପୁରୁଷ ସାଙ୍ଗରେ ଯାଇଥିଲି । ଦେହକୁ ଦେହ ବାଜୁଥାଏ । ହାତକୁ ହାତ ଘସି ହେଉଥାଏ । ସଙ୍କୋଚ ଲାଗିଲେ ମଧ୍ୟ ଅନ୍ୟ ଉପାୟ ନଥିଲା-। ଯୁବକ ଜଣକ ମଧ୍ୟ ନୀରବରେ ଚାଲିଥାନ୍ତି ମୋ ସହିତ ପାଦ ମିଳାଇ ।

 

କଥା ନାହିଁ ବାର୍ତ୍ତା ନାହିଁ । ଚୁପ୍‌ଚାପ୍ ଚାଲିଥାନ୍ତି । ମନରେ ମଧ୍ୟ ବିକାର ନାହିଁ ।

 

ମନେମନେ ଭାବୁଥାଏ ମୁଁ, କିଏ ଏ ଯୁବକ ଜଣକ, ଚିହ୍ନା ନାହିଁ ଜଣା ନାହିଁ ଚାଲିଛି ତାଙ୍କ ସଙ୍ଗରେ । ମୁହଁ ମଧ୍ୟ ଦେଖିପାରୁନି । କେବଳ ସ୍ୱର ଯାହା ଶୁଣୁଥାଏ । ଅପରିଚିତ ସ୍ୱରପରି ଲାଗୁଥାଏ । ସେ ମଧ୍ୟ ଶ୍ରୀରାମପୁର ଯାଉଛନ୍ତି । କିଏ ସେ ! ଶ୍ରୀରାମପୁରରେ ତ ଏଭଳି କେହି ଲୋକ ନାହାନ୍ତି ଯାହାକୁ ସେ ଚିହ୍ନିନି ? ହୁଏତ କାହା ଘରକୁ ଯାଉଥିବେ । ଏମିତି ଭାବି ଚାଲିଛି ମୁଁ । କେତେବେଳେ ଆସି ଘର ପାଖରେ ପହଞ୍ଚି ସାରିଲିଣି ଜଣା ନାହିଁ । ଆମ ଘର ଏ ବାବୁ ଚିହ୍ନିଲେ କେମିତି ? ମନରେ ବଡ଼ କୌତୂହଳ ଜାତହେଲା ।

 

–ଯାଅ ଏଥର । ଘର ପାଖରେ ତ ପହଞ୍ଚିଗଲଣି । କହିଲେ ସେ ଯୁବକ ଜଣକ ।

 

–ରୁହନ୍ତୁ ବାବୁ ମୁଁ ବାପାଙ୍କୁ ଡାକେ । ସେ କବାଟ ଖୋଲିଲେ ଆପଣ ଚାଲିଯିବେ ।

 

ତା’ପରେ ବାପା, ବାପା ବୋଲି ଚିତ୍କାର ଛାଡ଼ିବାକୁ ପଡ଼ିଲା । କାରଣ ବର୍ଷା ହେଉଥାଏ କାଳେ ଶୁଭିବନି ବୋଲି । କିଛି ସମୟ ପରେ ବାପା ଗୋଟିଏ ଲଣ୍ଠନ ଧରି ଦାଣ୍ଡ କବାଟ ଖୋଲି ପଦାକୁ ଆସିଲେ ।

 

ବାପାଙ୍କୁ ଦେଖି ମୁଁ ବଡ଼ ଅଡ଼ୁଆରେ ପଡ଼ିଗଲି । ଜଣାଶୁଣା ନାହିଁ ସାଥିରେ ଜଣେ ଯୁବକକୁ ବାପା ଦେଖିଲେ କ’ଣ ଭାବିବେ ? କିନ୍ତୁ ଅତିଅଳ୍ପ ସମୟର ସାଥୀ ହୋଇ ଆସିଥିବା ଯୁବକ ଜଣଙ୍କୁ ଛାଡ଼ିବାକୁ ଆଦୌ ଇଚ୍ଛା ହେଉ ନଥାଏ । ମନରେ ସେହି ଅପରିଚିତ ଯୁବକ ପ୍ରତି ଏକପ୍ରକାର ମମତା ଚାଲି ଆସିଥିଲା, ତାଙ୍କର ସାହାଯ୍ୟ ସହାନୁଭୂତି ପାଇଁ ।

 

ବାପା ନିକଟକୁ ଆସି ଦେଖି କହି ଉଠିଲେ–ଧୀରବାବୁ ଆପଣ....

 

–ହଁ ମଉସା, ବର୍ଷା ପବନରେ ମିତା ତମର ବୁଢ଼ୀ ଠାକୁରାଣୀଙ୍କ ଘରେ ଆଶ୍ରୟ ନେଇଥିଲା । ମୁଁ କଟକରୁ ଆସି ବର୍ଷା ହେବାରୁ ସେହିଠାରେ ତାକୁ ଭେଟିଲି । ଅନେକ ସମୟ ପର୍ଯ୍ୟନ୍ତ ବର୍ଷା ନ କମିବାରୁ ମୋ ସାଥିରେ ଚାଲି ଆସିଲା–ଅତି ନମ୍ର ଭାବରେ କହିଲେ ଧୀରେନ୍ଦ୍ର ।

 

–ଆପଣ ମୋର ବହୁତ ଉପକାର କଲେ ବାବୁ । ମୁଁ କ’ଣ କହି ଆପଣଙ୍କର ଉପକାର ସୁଝିବି । କେତେ ଆଶାକରି ଝିଅକୁ ମୋର ପାଠ ପଢ଼ାଉଛି–ମଣିଷ ହବ–ଚାକିରି କରିବ ମୋର ଦୁଃଖ ଯିବ–କହୁ କହୁ କାନ୍ଦି ପକାଇଲେ ବାପା ମୋର । ଆପଣଙ୍କର ପାଦ ଟିକିଏ ଆମ ଘରେ ପଡ଼ିବନି ବାବୁ । ଆମେତ ଗରିବ....

 

–ନା, ଆପଣ ସେ ସବୁ କିଛି ଭାବନ୍ତୁନି । ଗରିବ ହେଲେବି ତ ଆପଣମାନେ ମଣିଷ । ଏତିକି କହି ବାପାଙ୍କ ପଛେ ପଛେ ଆମ ଘରକୁ ଆସିଥିଲେ । ମୁଁ ତରତର ହୋଇ ଯାଇ ଗୋଟିଏ ହେଁସ ଆଣି ପିଣ୍ଡାରେ ପାରିଦେଲି । ତା’ପରେ ଚାଲିଗଲି ଘର ଭିତରକୁ । ଘର ଭିତରେ ଥାଇ ତାଙ୍କ ଆଡ଼କୁ ଚାହିଁ ରହିଥାଏ । ଲଣ୍ଠନ ଆଲୁଅରେ ମୁହଁ ସ୍ପଷ୍ଟ ବାରି ହେଉଥାଏ । ଅଚିହ୍ନା ଯୁବକ । ଦିନେତ ଏ ଗାଁରେ ମୁଁ ଦେଖିନି । ବାପା ଚିହ୍ନିଲେ କେମିତି ? କିଏ ସେ ? ମନ ମଧ୍ୟରେ ଗୁଡ଼େଇ ତୁଡ଼େଇ ହୋଇ ପ୍ରଶ୍ନ ଉଠୁଥାଏ କିଏ ସେ ? କେଉଁଠିକୁ ଯାଉଛନ୍ତି ??

 

–ଆଲୋ ମିତା ପାନ ଦିଖଣ୍ଡ ଆଣେ ଧୀରବାବୁଙ୍କ ପାଇଁ । ବଡ଼ଲୋକ ଘରର ପୁଅ । କ’ଣ ଆଉ ଆମର ଅଛି ଯେ ତାଙ୍କୁ ଦେବା ।

 

ବାପାଙ୍କ ଡାକରେ ମୁଁ ସଚେତନ ହୋଇ ଉଠିଲି । ଦୁଆରବନ୍ଧ ପାଖରେ ଠିଆ ହୋଇ କେତେକଅଣ ଭାବିଚାଲିଲି–ସେଥିପ୍ରତି ନଜର ନାହିଁ । ତରତର ହୋଇ ଦୁଇଖଣ୍ଡ ପାନ ଭାଙ୍ଗି ପକାଇ ଆଣି ବାବୁ ଜଣଙ୍କୁ ବଢ଼େଇ ଦେଲି । ସିଧାସଳଖ ମୁହଁକୁ ଚାହିଁବାକୁ ସଂକୋଚନ ଲାଗୁଥାଏ-। ତଥାପି ଲଣ୍ଠନ ଆଲୁଅରେ ମୁଁ ଦେଖିଛି, ପାନ ଦେଲାବେଳେ ସେ ମୋ ଆଡ଼କୁ ଚାହିଁ ମୁରୁକି ମୁରୁକି ହସୁଥିଲେ । ମୁଁ ପାନ ଦେଇ ତରବର ହୋଇ ଘର ଭିତରକୁ ପଳାଇ ଆସିଲି-। ତା’ପରେ ଏମିତି ଦୁଇ ଚାରିପଦ କଥାବାର୍ତ୍ତା ହୋଇ ସେଦିନ ଚାଲିଗଲେ ବାବୁ ଜଣକ । କେବଳ ଏତିକି ଶୁଣିଛି, ଗଲାବେଳେ ବାପାଙ୍କୁ କହିଗଲେ ଆପଣ ଚିନ୍ତା କରନ୍ତୁନି ମଉସା ମୁଁ ବାପାଙ୍କୁ କହି ସମସ୍ତ ବନ୍ଦୋବସ୍ତ କରାଇଦେବି ।

 

କିନ୍ତୁ କିଏ ସେ ଯୁବକ ଜଣକ ଏପର୍ଯ୍ୟନ୍ତ ମଧ୍ୟ ଜାଣିପାରିଲିନି । ବାପାଙ୍କ ଉପରେ ଭାରି ରାଗହେଲା । –ବାପା ମଧ୍ୟ ଚିହ୍ନା ପରିଚୟ କରାଇ ଦେଲେନାହିଁ । ତା’ପରେ ଠିକ୍‌ କଲି ବାପାଙ୍କୁ ଯାଇ ପଚାରିବି ବୋଲି ।

 

ସେଦିନ ଦାଣ୍ଡ ପର୍ଯ୍ୟନ୍ତ ବଳାଇ ଦେଇ ଫେରି ଆସି ବାପା ଛାଏଁ ଛାଏଁ କହିଲେ–‘‘ଭାରି ଭଲ ପିଲା ଆମ ସୁଧୀରବାବୁ । ବାପ ଯେମିତି ପୁଅ ମଧ୍ୟ ସେମିତି । କଟକରେ ରହି ଡାକ୍ତରୀ ପଢ଼ୁଛନ୍ତି ।’’

 

–‘କାହା ପୁଅ ବାପା । ମୁଁ ତ ତାଙ୍କୁ ଗାଁରେ କେବେହେଲେ ଦେଖିନାହିଁ’ ରହି ରହି କହିଥିଲି ।

 

–ଆଲୋ, ସେ ପରା ଆମ ନିରାକାରବାବୁଙ୍କ ପୁଅ । ପିଲାଟି ଦିନରୁ ଦାଦାଙ୍କ ପାଖରେ ପାଠ ପଢ଼ୁଛନ୍ତି । ଗାଁକୁ ତ ଆଦୌ ଆସୁନାହାନ୍ତି, ତୁ ଜାଣିବୁ କେମିତି ?

 

ତା’ପରେ ଏମିତି ଦୁଇ ଚାରି ପଦ ଦୁଃଖସୁଖ ହୋଇସାରିବା ପରେ ଖାଇପିଇ ସାରି ଶୋଇବାକୁ ଗଲୁ । କିଏ କୁଆଡ଼େ ଶୋଇ ପଡ଼ିଲେଣି । କିନ୍ତୁ ମୋ ଆଖିକୁ ଆଦୌ ନିଦ ନାହିଁ । ବିଛଣାରେ ପଡ଼ି ଖାଲି ଛଟପଟ ହେଉଥାଏ । ଖାଲି ଆଖି ଆଗରେ ନାଚି ଉଠୁଥାଏ ଧୀରବାବୁଙ୍କର ରୂପ, ତାଙ୍କର ଧୀର ମୁରୁକି ମୁରୁକି ହସା ମୁହଁ । କାନରେ ଶୁଭି ଯାଉଥାଏ ତାଙ୍କର ସେହି ଧୀରସ୍ଥିର କଥା–‘‘ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ବାପାଙ୍କୁ କହି ବନ୍ଦୋବସ୍ତ କରାଇ ଦେବି ।’’ ତା’ପରେ କେତେବେଳେ ନିଦ ହୋଇଯାଇଛି ସେଥିପ୍ରତି ମୋର ନଜର ନାହିଁ । ନିଦ ଭାଙ୍ଗିଲାବେଳକୁ ଖରା ବହୁତ ହେଲାଣି । ୯ଟା ପାଖାପାଖି ବାଜିଲାଣି । ସ୍କୁଲ୍‍କୁ ଯିବାକୁ ପଡ଼ିବ । ଏତେଗୁଡ଼ାଏ ବାଟ । ତରତର ହୋଇ ନିତ୍ୟକର୍ମ ସାରି ସ୍କୁଲ୍‍କୁ ବାହାରିଲାବେଳକୁ ଠିକ୍‌ ଆମ ଘର ପାଖ ରାସ୍ତାରେ ଠିଆହୋଇ ଧୀରବାବୁ ଆଉ ମୋ ବାପା କଥାବାର୍ତ୍ତା ହେଉଛନ୍ତି । କେମିତି ତାଙ୍କ ଆଗ ଦେଇ ଯିବି ଭାବି ପାରିଲିନି । ବଡ଼ ଅଡ଼ୁଆରେ ପଡ଼ିଲି । ଏଣେ ସ୍କୁଲ୍‍ବେଳେ ଡେରି ହୋଇଯାଉଥାଏ । ବାପା ମୋତେ ଶୁଣେଇ ଶୁଣେଇ କହୁଥାନ୍ତି, ଜାଣିଲୁ ମା’, ଧୀରବାବୁ ଆମର ଏତେ ଦିନକରେ ଗାଁକୁ ଆସିଲେ, ଦିନଟାଏବି ରହିଲେନି ।

 

ମୁଁ ତଳକୁ ମୁହଁ ପୋତି ଠିଆ ହୋଇଥାଏ । ତା’ପରେ ବାପାଙ୍କୁ ନମସ୍କାର କରି ଚାଲିଗଲେ ଧୀରବାବୁ । ବାପା ତାଙ୍କର ଚାଲିଗଲେ ଅନ୍ୟ ଆଡ଼େ । ମୁଁ କେତେବେଳ ପର୍ଯ୍ୟନ୍ତ ଚାହିଁରହିଥାଏ ଧୀରବାବୁଙ୍କ ଯିବା ପଥକୁ । ମନ ଭିତରେ ଏକ ଅଜଣା କୋହ ଉଠୁଥାଏ । କିନ୍ତୁ ପ୍ରକାଶ କରିବାର ସାହସ ନାହିଁ–ଆଜି କହ୍ନାଇ ଗୋପପୁର ଛାଡ଼ି ମଥୁରାକୁ ଚାଲିଯାଇଛନ୍ତି–କହ୍ନାଇଙ୍କର ମଥୁରା ଯାତ୍ରାବେଳେ ଗୋପାଙ୍ଗନାମାନଙ୍କର ଯେଉଁ ଆକୁଳ କାକୁତି ମିନତି–ରାଧାଙ୍କ କଥାତ ଛାଡ଼ି, ଅବସ୍ଥା କହିଲେ ନ’ସରେ....

 

କିନ୍ତୁ ସେ ଅଳ୍ପ ସମୟର ପରିଚିତ ଗୋଟିଏ ଲୋକର ବିରହରେ ଜଳିପୋଡ଼ି ଯାଉଛି କାହିଁକି ? କିଏ ସେ ତା’ର ?

 

ସ୍କୁଲ୍ କଥା ମନେ ପଡ଼ିଗଲା । ତରତର ହୋଇ ପାଦ ବଢ଼ାଇଲି ଯେଉଁ ବାଟ ଦେଇ ଧୀରବାବୁ ଯାଇଛନ୍ତି । ଗଲାବେଳେ ଗାଁମୁଣ୍ତ ସେହି ବୁଢ଼ୀଠାକୁରାଣୀଙ୍କ ସେହି ନିର୍ଜନ ଚାଳଘର ଖଣ୍ଡିକ ପଡ଼ିଲା । ଚାହିଁଲି ମୁଁ–ଯେପରି ସେ ଗତକାଲି ଘଟଣାର ମୂକ ସାକ୍ଷୀ ହୋଇ ଠିଆ ହୋଇଛି-। ତା’ପରେ ଆଗକୁ ଚାଲିଲି । ବିଲ ଗହୀର । ଦୀର୍ଘ ଏକମାଇଲ ବାଟ ହେବ । ଅଳ୍ପ ବାଟ ଯାଇଛି କି ନାହିଁ ଦେଖିଲି ଧୀରବାବୁ କିଛି ଦୂରରେ ଯାଉଛନ୍ତି । ଗତି ମନ୍ଥର । ଯେପରି କ’ଣ ଛାଡ଼ି ଆସିଛନ୍ତି-। ତାଙ୍କୁ ଅତିକ୍ରମ କରି ଯିବାକୁ ସାହସ ହେଉ ନଥାଏ । ଲାଜ ମଧ୍ୟ ମାଡ଼ୁଥାଏ । ଏଣେ ସ୍କୁଲ୍‍ବେଳ ଡେରି ହେଉଛି । ତଥାପି କିଛି ବ୍ୟବଧାନ ରଖି ଯିବାକୁ ବାଧ୍ୟ ହେଲି ।

 

କିନ୍ତୁ ଧୀରବାବୁ ଆଗକୁ ନ ଯାଇ ସେହିଠାରେ ଠିଆ ହୋଇ ରହିଗଲେ । କ’ଣ କରିବି, ଆଗକୁ ଯିବିକି ନାହିଁ ଭାବି ଭାବି ଆଗକୁ ଚାଲିଥାଏ । ତାକୁ ଅତିକ୍ରମ କରିଗଲାବେଳକୁ ତାଙ୍କର ଡାକ ମୋ କାନରେ ବାଜିଲା ।

 

–ଶୁଣ ମିତା, ତମକୁ କିଛି କହିବାର ଅଛି । ଯଦି କିଛି ନଭାବ ତେବେ–

 

–କ’ଣ କୁହନ୍ତୁ, କଣ୍ଠ ମୋର ଥରି ଉଠୁଥାଏ ।

 

–ନିଅ ଏ ଟଙ୍କା । ତମର ପରୀକ୍ଷା ଆଉ ଅଳ୍ପ ଦିନ ଅଛି । ପରୀକ୍ଷା ଫିସ୍‌ ଦେବ ।

 

ଦଶ ଟଙ୍କିଆ ତିନୋଟି ନୋଟ୍‌ ମୋ ଆଡ଼କୁ ବଢ଼ାଇଲେ ।

 

–ଟଙ୍କା...କ’ଣ ହବ !

 

–(ହସି) ମୁଁ ବଡ଼ ଦୁଃଖିତ ମିତା । ତମକୁ ଟଙ୍କା ଦେବା ମୋର ଆଦୌ ଉଚିତ ହେଉନି । କ’ଣ କରିବି । ତମ ବାପାଙ୍କୁ ଦେବାର ମୋର ସାହସ ନାହିଁ । କାଲି ରାତିରେ ତାଙ୍କୁ ଯେଉଁ କଥା ଦେଇ ଆସିଥିଲି, ତାକୁ ମୁଁ ରକ୍ଷା କରି ପାରିଲିନି ମିତା । ତେଣୁ କେଉଁ ମୁହଁ ନେଇ ଆଉ ତାଙ୍କୁ ଏ ଟଙ୍କା ଦେବି ।

 

–ଆପଣ ବ୍ୟସ୍ତ ହେଉଛନ୍ତି କାହିଁକି ? ଟଙ୍କା ନ ଦେଲେ କ’ଣ ଚଳିବନି ?

 

–ତମକୁ ମୋ ରାଣ ମିତା, ଏ ଟଙ୍କା ତମକୁ ନବାକୁ ହେବ । ତମେ ଟଙ୍କା ନ ନେଲେ ମୋ ମନକଷ୍ଟ ହେବ–ଏତକ କହି ମୋ ହାତ ଧରି ପକାଇଲେ ।

 

ବଡ଼ ଅଡ଼ୁଆରେ ପଡ଼ିଲି । ବିଲ ମଝିଟାରେ ଏପରି ଅବସ୍ଥାରେ କିଏ ଯଦି ଦେଖେନା...ତେବେ... । ବାଧ୍ୟ ହୋଇ ତାଙ୍କ ହାତରୁ ଟଙ୍କା ତିରିଶଟା ଗ୍ରହଣ କରିଥିଲି ।

 

–ଆପଣ ଏତେ ଶୀଘ୍ର କଟକ ଫେରି ଯାଉଛନ୍ତି ? ସୌଜନ୍ୟତା ଦୃଷ୍ଟିରୁ ପଚାରିଥିଲି ।

 

–ହଁ ମିତା, କଟକ ଯିବାକୁ ବାଧ୍ୟ ହୋଇଛି । ଘରେ ବାପାଙ୍କ ସହିତ ତମ ବିଷୟ ନେଇ ଯେଉଁ ମନାନ୍ତର ସୃଷ୍ଟି ହେଲା, ସେଥିପାଇଁ କଟକ ଚାଲି ଯାଉଛି । ଯଦି କିଛି ଅସୁବିଧା ହୁଏ ତେବେ ଚିଠି ଲେଖି ଜଣାଇବ । ମନଦେଇ ପଢ଼ାପଢ଼ି କରୁଥିବ ।

 

ତା’ପରେ ସେ ଚାଲିଗଲେ କଟକ, ମନ ଭିତରେ ଗୋଟିଏ ଆଶାର ନଦୀ ବୁହାଇ ଦେଇ । ତା’ପରେ ସେ ଅତି ନିକଟକୁ ଚାଲି ଆସିଥିଲେ । ଅନେକ ଚିଠି ଦେଇଛି । ଅନେକ ଆଶା ମଧ୍ୟ ପାଇଛି ।

 

ତା’ପରେ ଧୀରବାବୁ ଆସିଲେ ଘରକୁ । ରଜ ଛୁଟି ହୋଇଥାଏ । ଅନେକ ଥର ଆମ ଘରକୁ ଆସନ୍ତି ତାଙ୍କ ବାପାଙ୍କ କଥାକୁ ଏଡ଼ାଇ ଦେଇ, ସାଇପଡ଼ିଶାଙ୍କ କଥାକୁ ଭ୍ରୂକ୍ଷେପ ନକରି ସେ ମିଶିଛନ୍ତି ମୋ ସହିତ । ଅନେକ ନିର୍ଜନ ସନ୍ଧ୍ୟାରେ ମୁଁ ତାଙ୍କୁ ଭେଟିଛି ସେହି ଗାଁମୁଣ୍ତ ବୁଢ଼ୀଠାକୁରାଣୀଙ୍କ ଘର ନିକଟରେ । ସେତେବେଳେ ସେ ମତେ ତାଙ୍କର ଜୀବନର ସାଥୀ କରି ନେବାର ପ୍ରଲୋଭନ ଦେଖାଇ ମୋର ସର୍ବସ୍ୱ ଅପହରଣ କରି ନେଇଥିଲେ ।

 

ତା’ପରେ...ମୁଁ ଅନ୍ତଃସତ୍ତ୍ୱା...ସମାଜ ମତେ ଗ୍ରହଣ କଲାନି, କି ଧୀରବାବୁ ସମାଜର ଭୟରେ ମତେ ମଧ୍ୟ ଗ୍ରହଣ କରିବାକୁ ମନା କଲେ । ତା’ପରେ ସମାଜ ଆଖିରେ ମୁଁ ବାରବନିତା...ବେଶ୍ୟା...କୁଳଟା ।

 

ବାପାଙ୍କ ଆଖିର ଲୁହ ମୁଁ ଦେଖି ପାରିଲିନି । ବାଧ୍ୟ ହୋଇ ଘର ଛାଡ଼ିଲି । ମନ ଭିତରେ ଏହି ପୁରୁଷ ଜାତି ପ୍ରତି ହିଂସା ଆସିଲା । ରାଗ ହେଲା । ଶପଥ କଲି ଯେଉଁ ପ୍ରଲୋଭନ ଦେଖାଇ ଯେ ମୋର ସର୍ବନାଶ କରିଛି ସେହି ପୁରୁଷକୁ ମୁଁ ମୋର କାମନାର ଅଗ୍ନିରେ ଜାଳିପୋଡ଼ି ଛାରଖାର କରିବି । ଏହି ଶପଥ ନେଇ ମୁଁ ଦ୍ୱାର ଦ୍ୱାର ବୁଲିଲି ବେଶ୍ୟା ରୂପରେ । ତା’ପରେ ଧାଡ଼ି ଲାଗିଲେ ଏ ପୁରୁଷଗୁଡ଼ାକ । ତା’....ପରେ

 

–ତା’...ପ...ରେ, କହିଲି ମୁଁ ।

 

–ତା’ପରେ କୌଣସି ଦିନ ହାରି ଯାଇନି ବାବୁ...

 

–କିନ୍ତୁ ଆଜି...

 

–ବେଶ୍, ଏ ଭୁଲ ଆଉ କେବେ କରିବିନି । ଚୁପ୍‌ଚାପ୍ ହୋଇ ଶୋଇ ପଡ଼ । ମୁଁ ଯାଉଛି-

 

ତା’ପରେ ମୁଁ ଚାଲିଗଲି ଶୋଇବାକୁ ମୋ ରୁମ୍‌କୁ । ଯେତେ ଶୋଇବାକୁ ଚେଷ୍ଟା କଲେବି ଆଖିକୁ ନିଦ ଆସୁନି । ଖାଲି ତୁହାଇ ତୁହାଇ ହୋଇ ମନେ ପଡ଼ୁଛି ସେହି ସ୍ତ୍ରୀଲୋକଟିର କଥା । ସେହି ପିଙ୍ଗଳାର କଥା–ତା’ର ଜୀବନ ବୃତ୍ତାନ୍ତ–ଧନ୍ୟ ଧନ୍ୟ ସେ ନାରୀ । ପୁରୁଷ ପ୍ରତି କି କଠୋର ଶାସ୍ତି ବିଧାନ ।

 

ଛାଣିପୁର

ତା ୩–୬–୭୬

Image

 

ଜନୈକ ପାଗଳର କାହାଣୀ

 

ପାଗଳ । ହଁ ହଁ ମୁଁ ପାଗଳ, ତମେ ପାଗଳ, ସେ ପାଗଳ, ସମସ୍ତେ ପାଗଳ । ସେଦିନ ବିଚ୍‌ ବଜାରର ରାସ୍ତା ଉପରେ ସେ ଯେଉଁ ସେନ୍ତରା କୁକୁରଟା ମୋ ଆଡ଼କୁ ଆଖି ତରାଟି ଦାନ୍ତ ନେଫେଡ଼ି ଚିତ୍କାର ଛାଡ଼ିଲା...ନା–ମୁଁ ଡରିଗଲି । ସେ ବି ପାଗଳ ହୋଇଯାଇଛି....

 

ରାସ୍ତା ଉପରେ ଏମିତି ପ୍ରଳାପ କରି ଚାଲିଛି ଜଣେ ପଚାଶ ପଞ୍ଚାବନବର୍ଷର ବୃଦ୍ଧ । ପୋଷାକରେ ତାଙ୍କର ଅସଂଯତା, ଶରୀର ଅପରିଚ୍ଛନ୍ନ, ମୁହଁରେ ତା’ର ରୁକ୍ଷତାର ଭାବ । ଯେ କେହି ଦେଖିଲେ ନିଶ୍ଚୟ ଗୋଟାଏ ପାଗଳ ବୋଲି ଭାବିନେବାରେ କୌଣସି ତ୍ରୁଟି ରହିବନି । ଅଶ୍ରାବ୍ୟ ଭାଷାରେ ଗାଳି ତାଙ୍କର ମୁହଁରୁ ଅସମ୍ଭବ ରକମର ବର୍ଷଣ ହେଉଥାଏ । ମଝିରେ ମଝିରେ କେତେବେଳେ ଯାତ୍ରାପାଟିର ରାଜାର ସଂଳାପ ତ କେତେବେଳେ ଗୋଟାଏ ଦରିଦ୍ର ନିଃସ୍ୱ ଶ୍ରେଣୀର ପ୍ରତୀକର ସଂଳାପ କହିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ କରିବାଦ୍ୱାରା ରାସ୍ତାରେ ଯାଉଥିବା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥାଏ । ଯେ ଯାଉଥାଏ ଘଡ଼ିଏ ଠିଆ ହୁଏ ତା’ର ନବରଙ୍ଗ ଦେଖିବାପାଇଁ । ପୁଣି ଲୋକମାନଙ୍କର ଭିଡ଼ ଜମିଗଲେ ଲୋକମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଆରମ୍ଭ କରିଦିଏ, ବାଡ଼ି ଉଞ୍ଚାଏ ବାଡ଼େଇବା ପାଇଁ । ଭୟରେ ଆଉ କେହି ସେଠାରେ ରହନ୍ତିନି । ବେଳେବେଳେ ଛୋଟପିଲାମାନଙ୍କୁ ଦେଖିଲେ ପାଖକୁ ଡାକେ, ପାଗଳ ବୋଲି ଜାଣିଥିବା ପିଲା ପାଖକୁ ଆସନ୍ତିନି । ନ ଜାଣିବା ପିଲା ପାଖକୁ ଆସିଲେ ମୁଣ୍ତକୁ ସାଉଁଳାଇ ଦିଏ । କାନ୍ଦେ । କେତେ ଗେଲ କରେ ।

 

ବେଳେବେଳେ ଭଲ ମଣିଷଙ୍କ ପରି ଗପ କରେ । ସୁଖ ଦୁଃଖ ହୁଏ । ଦୋକାନକୁ ଯାଇ ବରା, ଗୁଲୁଗୁଲା ମାଗେ । ଅନେକ ତାକୁ ପାଗଳବାବୁ ବୋଲି ଡାକନ୍ତି । ଅନେକ ଲୋକ ତାଙ୍କୁ ଜାଣିସିଆଣି ପାଗଳ ବୋଲି କହନ୍ତି । କିନ୍ତୁ ଯେଉଁମାନେ ତାଙ୍କ ପରିବାର, ତାଙ୍କର ସମାଜରେ ପ୍ରତିଷ୍ଠା ବିଷୟରେ ଅବଗତ ସେମାନେ ତାଙ୍କୁ ସମ୍ମାନ ଦେଖାନ୍ତି । ତାଙ୍କର ଏ ଆକସ୍ମିକ ପାଗଳାମିପାଇଁ ସମବେଦନା ଜଣାନ୍ତି । କିନ୍ତୁ କ’ଣ ବା କରି ପାରିବେ ତାଙ୍କର ।

 

ଦୀର୍ଘ ଦଶବର୍ଷ ହେଲା ସେ ପାଗଳ ହୋଇ ବୁଲୁଛନ୍ତି । କଟକ ସହରର ପ୍ରତି ରାସ୍ତାଘାଟ ଗଳିକନ୍ଦିରେ, ସବୁ ସାହି, ସବୁ ଗଳିରେ ପାଗଳବାବୁ ବୋଲି ପରିଚିତ ।

 

ମୁଁ ନୂଆ କରି କଟକରେ ଚାକିରି କରୁଥାଏ । ପ୍ରତିଦିନ ଦଶଟାବେଳେ ଅଫିସ୍‌ ଗଲା ସମୟରେ ମୁଁ ଏହି ତଥାକଥିତ ପାଗଳବାବୁକୁ ସେମିନାର ସ୍କୁଲ୍ ଫାଟକ ପାଖରେ ଦେଖେ । ପୁଣି ୫ଟାବେଳକୁ ଫେରିଲାବେଳେ ସେହି ସ୍ଥାନରେ ଠିଆହୋଇଥିବାର ଲକ୍ଷ୍ୟ କରେ । ସେତେବେଳକୁ ପିଲାମାନେ ସବୁ ଘରକୁ ଫେରୁଥାନ୍ତି । ସେ ଯେପରି ପିଲାମାନଙ୍କୁ ନିର୍ନିମେଷ ନୟନରେ ଚାହୁଁଥାଏ-। ତା’ର ହାବଭାବରୁ ଜଣାପଡ଼ୁଥାଏ ସେ ଯେପରି କାହାକୁ ଖୋଜୁଛି । କିନ୍ତୁ ପାଉନାହିଁ-

 

ଦିନକର ଘଟଣା । ମୁଁ ଫେରୁଥାଏ ଅଫିସ୍‌ରୁ । ସେହି ପାଗଳଟି ସେହି ସ୍କୁଲ୍‌ ଫାଟକ ପାଖରେ ଠିଆ ହୋଇଥାଏ । ସେତେବେଳକୁ ପିଲାମାନେ ପ୍ରାୟ ଯାଇସାରିଲେଣି । ମୁଁ କିଛି ଦୂରରେ ଠିଆ ହୋଇ ଲକ୍ଷ୍ୟ କରୁଥାଏ ତା’ର ହାବଭାବକୁ । ଅନେକ ସମୟ ଠିଆ ହେଲା । ସେହି ସ୍କୁଲ୍‌ ଆଡ଼କୁ ଚାହିଁ । ମୁହଁରେ ବିଷାଦର କାଳିମା ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ । ସେହି ପାଗଳଟି ପ୍ରତି ମନରେ ବଡ଼ ଦୟାହେଲା । ତା’ ପାଖକୁ ଗଲି ।

 

–‘କାହାକୁ ଖୋଜୁଛ କି’ ମଉସା–ପ୍ରଶ୍ନକଲି ପାଗଳକୁ । ଉତ୍ତର ପାଇବାପାଇଁ ଅପେକ୍ଷା କଲି । କିନ୍ତୁ ଉତ୍ତର ପାଇବା ପରିବର୍ତ୍ତେ ସେ ମୋ ଆଡ଼କୁ ଏକ କରୁଣଭରା ଆଖିରେ ଅନାଇ ରହିଲା । ମୁଁ ମଧ୍ୟ କିଛି କହିପାରୁ ନଥାଏ । ତା’ପରେ ଛୋଟପିଲାଙ୍କ ପରି କାନ୍ଦି ଉଠିଲା । ଅସ୍ପଷ୍ଟ ସ୍ୱରରେ କହି ଉଠିଲା–‘ମୁଁ ତାକୁ ପାଉନି ବାବୁ–ମୋର ତାକୁ କିଏ ନେଇଗଲେ ।’

 

ମନ ଭିତରେ ଗୋଟାଏ କୌତୂହଳ ସୃଷ୍ଟି ହେଲା ।

 

ଏହି ପାଗଳଟି ବିଷୟରେ ଅନେକ କିଛି ଭାବି ଯାଇଥିଲି । କିନ୍ତୁ ଏବେ ଏ ପ୍ରକାର କଥା ଶୁଣି କିଛି ରହସ୍ୟ ଉଦ୍‌ଘାଟନ କରିପାରିବାର ଆଶାରେ ତାକୁ ପୁଣି ପଚାରିଲି ।

 

–କାହାକୁ ନେଇଗଲେ ମଉସା ? କାହାକୁ ତମେ ଖୋଜୁଛ ?

 

ଏଥର ପାଗଳଟି କିଛି ନ କହି ମୋ ଆଡ଼କୁ ଖାଲି ଚାହିଁଲା । ଆଖିରେ ତା’ର ହିଂସ୍ରତାର ଚାହାଣି । ଭୟ ଲାଗୁଥାଏ, ତା’ ଆଖି ଦେଖି । ତଥାପି ଦମ୍ଭଧରି ଠିଆହେଲି । ଥିଲା ଥିଲା କ’ଣ ହେଲା କେଜାଣି, ପାଗଳଟି ରାସ୍ତାରେ ଦୌଡ଼ିବାକୁ ଆରମ୍ଭ କଲା ।

 

ମୁଁ ସେହିଠି ସେହିପରି ସାଇକେଲଟି ଧରି ଠିଆ ହୋଇ ତାକୁ ଲକ୍ଷ୍ୟ କରୁଥାଏ । କି ଆଶ୍ଚର୍ଯ୍ୟ । ତା’ ବିଷୟରେ କିଛି ଜାଣିବାପାଇଁ କୌତୂହଳ ଜନ୍ମିଲା । ଯେଉଁ ଆଡ଼କୁ ଦୌଡ଼ୁଥାଏ ତା’ରି ପଛେ ପଛେ ସାଇକେଲ ଛୁଟାଇଲି–ପାଗଳକୁ କିଛି ବ୍ୟବଧାନରେ ରଖି ।

 

ପାଗଳଟି ଗଡ଼ଗଡ଼ିଆ ଘାଟ ଆଡ଼କୁ ଦୌଡ଼ୁଥାଏ । ମୁଁ ମଧ୍ୟ ତା’ ପଛେ ପଛେ ସାଇକେଲ ଛୁଟାଇଥାଏ । ମନରେ ଅନେକ ଆଶା । ତା’ ବିଷୟରେ ବହୁତ କିଛି ଜାଣିବାପାଇଁ । ଅଫିସ୍‌ରୁ ଫେରି ଭୋକ ହେଉଥାଏ । କିନ୍ତୁ କିଛି ଗୋଟାଏ ନୂଆ କଥା ଖୋଜି ବାହାର କରିବାର ପିପାସା–ଏଇ ଆଶା ନେଇ ତାକୁ ଦମନ କରି ଦେବାକୁ ଚେଷ୍ଟା କରୁଥାଏ ।

ଠିକ୍ ଗଡ଼ଗଡ଼ିଆ ଘାଟ ପାଖରେ ପାଗଳଟି ଯାଇ ଅଟକି ଗଲା । ମୁଁ ମଧ୍ୟ କିଛି ବ୍ୟବଧାନ ରଖି ସେଠାରେ ତାକୁ ଲକ୍ଷ୍ୟ କରୁଥାଏ । ପାଗଳଟି ଘାଟ ପାଖରେ ପାହାଚରେ ବସି ପଡ଼ିଲା । କେତେକଅଣ ଗୁଣୁଗୁଣୁ ହୋଇ ଗପି ଯାଉଥାଏ–କିଛି ଶୁଭୁ ନଥାଏ । କେବଳ ଅସ୍ପଷ୍ଟ ସ୍ୱରଗୁଡ଼ିକ ଶୁଭୁଥାଏ । ଜଣାପଡ଼ୁଥାଏ ସେ ସ୍ୱରଗୁଡ଼ିକ ଏକ କାତର ବିଳାପ ଛଡ଼ା ଆଉ କିଛି ନୁହେଁ-। ପାଗଳଟି ଘାଟର ଚାରିପାଖକୁ ବୁଲି ଚାହୁଁଥାଏ । ପାଖରେ ଥିବା ଝଙ୍କାଳିଆ ଗଛ ଚାରିକଡ଼ ବୁଲୁଥାଏ । ଯେମିତି ସେ କାହାକୁ ଖୋଜୁଛି । ତା’ପରେ ଅନେକ ସମୟ ସେ ସେହିଠାରେ ବସି ରହିଲା ।

ସନ୍ଧ୍ୟା ହୋଇଗଲାଣି । ଭୀଷଣ ଭୋକ ଲାଗୁଥାଏ । କିନ୍ତୁ ଗୋଟାଏ ଆଶା ନେଇ ଆସିଛି । କିଛି ସମୟ ଗଲାପରେ ପାଗଳଟି ନ ଉଠିବାରୁ ଅନ୍ୱେଷଣ ନ କରି ଆଗ ତା’ ବିଷୟରେ ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବା ବୁଦ୍ଧିମାନର ପରିଚୟ ବୋଲି ଭାବିଲି । ଏମିତି ଭାବୁଛି ପାଗଳଟି ହଠାତ୍‌ ସେ ଜାଗା ଛାଡ଼ି ଉଠିଲା । ଏକମୁହାଁ ହୋଇ ପ୍ରଧାନ ରାସ୍ତାକୁ ଆସିଲା । ତା’ପରେ ଚଣ୍ଡୀ ମନ୍ଦିର ଦେଇ ଖଟ୍‌ବିନ୍‌ ସାହି ଆଡ଼କୁ ଚାଲୁଥାଏ । ମୁଁ ମଧ୍ୟ ତା’ ପିଛା ଧରିବାକୁ ପଛେଇ ନଥାଏ । ଖଟ୍‌ବିନ୍ ସାହିର ଏକ ଦ୍ୱିତଳପ୍ରାସାଦ ନିକଟରେ ହଠାତ୍‌ ପାଗଳଟି ଅଟକି ଗଲା-। ସେତେବେଳକୁ ପୂରାପୂରି ଅନ୍ଧାର ହୋଇ ଯାଇଥାଏ । ଲାଇଟ୍‌ ପୋଷ୍ଟର ଆଲୁଅରେ ତା’ ମୁହଁର ଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ । ସେ ଏକ କୋଠାର ଉପରମହଲାର ଝରକାରୁ ଆସୁଥିବା ଆଲୁଅକୁ ଅନାଇଥାଏ । ଆଖିରୁ ତା’ର ଝରି ପଡ଼ୁଥାଏ ଲୁହ । ମୁଣ୍ତରେ ହାତ ମାରୁଥାଏ-। ତା’ର ଏପରି ବ୍ୟାକୁଳତା ଦେଖି ମନରେ ବଡ଼ ଦୟା ଆସୁଥାଏ । ପାଗଳଟି ଅନେକ ସମୟ ବସି ରହିଲା-। ସେହି ରାସ୍ତା କଡ଼ରେ ଝରକାକୁ ଲକ୍ଷ୍ୟ କରି । ସେତେବେଳକୁ ରାତି ୮ଟା ହେଲାଣି । ବାଧ୍ୟ ହୋଇ ଘରକୁ ଆସିଲା ।

ସେଦିନ ରାତିରେ ଆଖିକୁ ଆଉ ନିଦ ନାହିଁ । ସବୁବେଳେ ଖାଲି ସେହି ପାଗଳଟିର କଥା ମନେ ପଡ଼ିଯାଉଥାଏ । କାହିଁକି ସେ ପାଗଳ ହେଲା ? ତା’ଠାରୁ କାହାକୁ କିଏ ଛଡ଼ାଇ ନେଲେ ? ସ୍କୁଲ୍ ପାଖରେ ସବୁଦିନ ଠିଆ ହେଉଛି କାହିଁକି ? –ଏମିତି କେତେ ପ୍ରଶ୍ନ ମନ ଭିତରେ ଦେଖା ଦେଲେ ମଧ୍ୟ ସମାଧାନର ପଥ ପାଉ ନଥାଏ । ତା’ପରେ ସ୍ଥିର କଲି ଲୋକମାନଙ୍କଠାରୁ ଏହି ପାଗଳର ଅତୀତ ଇତିହାସ ସମ୍ବନ୍ଧରେ କିଛି ଜାଣିବାପାଇଁ । ତାହାହେଲେ ହୁଏତ ପ୍ରକୃତ କଥାଟା ଜଣା ପଡ଼ିଯାଇପାରେ ।

ତା’ପରଦିନ ଅଫିସ୍‍କୁ ଗଲାବେଳେ ଓ ଆସିଲାବେଳେ ମଧ୍ୟ ସେହି ସ୍କୁଲ୍‍ପାଖରେ ପାଗଳଟିକୁ ଭେଟିଲେ । ସେଠାରେ ଆଉ ସମୟ ନଷ୍ଟ ନକରି ଘରକୁ ଯାଇ ଖାଇବା ପର୍ବ ଶେଷକରି ବାହାରିଲି ପାଗଳଟିର ଉଦ୍ଦେଶ୍ୟରେ ଗଡ଼ଗଡ଼ିଆ ଘାଟକୁ । ଅନୁମାନ ମଧ୍ୟ ମିଛ ହେଲାନି । କାଲି ଯେପରି ଅବସ୍ଥାରେ ଯେଉଁ ସ୍ଥାନରେ ପାଗଳଟିକୁ ବସିଥିବାର ଦେଖିଥିଲି ଆଜି ଠିକ୍‌ ସେହିପରି ସେହି ସ୍ଥାନରେ ବସିଛି । ତା’ପରେ ଫେରି ଆସିଲି ମୁଁ ସେହି ଖଟ୍‍ବିନ୍‌ ସାହିର ଦ୍ୱିତଳପ୍ରାସାଦ ନିକଟକୁ । ଘରଟିକୁ ଲକ୍ଷ୍ୟ କଲି କୌଣସି ଏକ ସମ୍ଭ୍ରାନ୍ତ ପରିବାର ବାସସ୍ଥଳୀପରି ଜଣାପଡ଼ୁଛି । ସେ ପାଗଳଟିର ବିଷୟରେ କାହାକୁ ବା ପଚାରିବି । ନିକଟରେ ଥିବା ଏକ ପାନ ଦୋକାନକୁ ଗଲି । ଦୋକାନୀଟି ବୃଦ୍ଧ । ବୟସ ଷାଠିଏ ପାଖାପାଖି ହେବ । ପାନ ଗୋଟିଏ ଭାଙ୍ଗିବାକୁ କହି ସେଠାରେ ବସିଲି । ସେତେବେଳେ ଗରାଖ କେହି ନଥାନ୍ତି । ସୁବିଧା ସୁଯୋଗ ନେଇ ପାଗଳଟିର ବିଷୟ ଆରମ୍ଭ କଲି ।

–ଆଚ୍ଛା ମଉସା, ରାସ୍ତାରେ ଯେଉଁ ପାଗଳଟି ବୁଲୁଛି, ତା’ ବିଷୟରେ କିଛି ଜାଣିଛନ୍ତି କି-? –ପଚାରିଲି ଦୋକାନୀକୁ ।

ଦୋକାନୀଟି ଟିକିଏ ଚଢ଼ା ଗଳାରେ କହିଲା–କେଉଁ ପାଗଳ, ରାସ୍ତାରେ ତ କେତେ ପାଗଳ ବୁଲୁଛନ୍ତି ।

–ନାଇଁ ମଉସା ସେ ଯେଉଁ ବୃଦ୍ଧ ପାଗଳ, ସ୍କୁଲ୍ ପାଖରେ ସବୁବେଳେ ଠିଆ ହୁଅନ୍ତି ।

–ଓହୋ, ଆମ ପାଗଳବାବୁଙ୍କ କଥା କହୁଛ ? ଭାରି ଭଲଲୋକ ସିଏ । ଆଜକୁ ଦଶବର୍ଷ ହେଲା ସେ ପାଗଳ ହୋଇ ଯାଇଛନ୍ତି ।

–କାହିଁକି ?

–ସେତ ବହୁତ ବିରାଟକଥା ବାବୁ । ଏଇନା’ତ ଗପି ବସିଲେ ଗୋଟାଏ ବିରାଟ ଇତିହାସ ହେବ ।

ଦୋକାନୀର କହିବାର ସ୍ପୃହା ନଥିବା ଦେଖି ଆଉ ଖଣ୍ଡିଏ ପାନ ଭାଙ୍ଗିବାପାଇଁ ବରାଦ ଦେଇ ପାଞ୍ଚପଇସାଟେ ତା’ ଆଡ଼କୁ ବଢ଼ାଇ ଦେଇ କହିଲି–ଏଇନା ତ ତମ ପାଖରେ କେହି ଗରାଖ ନାହାନ୍ତି–କୁହ ?

ଏଥର ଦୋକାନୀ ପାନ ଭାଙ୍ଗୁଭାଙ୍ଗୁ ଆରମ୍ଭ କଲା,–ସେ ବଡ଼ ଗହନ କଥା ବାବୁ । ଆଜିକୁ ୧୦ ବର୍ଷ ହୋଇଗଲା ଆମ ବାବୁ ପାଗଳ ହୋଇଯାଇଛନ୍ତି । ମୁଁ ସେତେବେଳେ ନୂଆ କରି ପାନ ଦୋକାନଟି ଆରମ୍ଭ କରିଥାଏ ।

ବାବୁ ମୋଠାରୁ ରୋଜ୍‌ ରୋଜ୍‌ ପାନ ନିଅନ୍ତି । କ’ଣ କହିବି ବାବୁ ତାଙ୍କ କଥା । ଏଇ ଯେଉଁ ଦୁଇ ମହଲା କୋଠା ଦେଖୁ ନାହାନ୍ତି, ତାଙ୍କରିପାଇଁ–ତାଙ୍କରିପାଇଁ ବାବୁ ଆମର ପାଗଳ ହେଲେ । ଏବେ ଆଉ ସେମାନେ ଏଠି ରହୁନାହାନ୍ତି । କିଏ କୁଆଡ଼େ ଗଲେଣି-। ହେଲେ ବାବୁ ଆମର ସବୁଦିନ ସନ୍ଧ୍ୟା ହେଲେ ଏହି କୋଠାଘର ନିକଟକୁ ଆସନ୍ତି ଆଉ-। କିଛି ସମୟ ଗଲେ ବାବୁ ଆମର ଆସିବେନିକି ? ଖାଲି ଆସି ସେହି ଉପରମହଲାର ଝରକାକୁ ଚାହିଁ ବସନ୍ତି । କିଛି ସମୟ ପରେ ଉଠି ପଳାନ୍ତି । ଏତେକ କହି ଦୋକାନୀଟି ଛେପ ଢୋକିଲା ।

ମୁଁ ଭାବୁଥାଏ ପୂର୍ବ ଦିନର ସନ୍ଧ୍ୟା ସମୟର କଥା, ପାଗଳଟି ଆସି ଏହି ଘର ପାଖରେ ଦୋକାନୀ କହିବା ଅନୁଯାୟୀ ବସି ବସି ଗଲା । କାହିଁକି ଏଠାକୁ ଆସେ ?

ମନଭିତରେ ଅନେକ ପ୍ରଶ୍ନ । ପୁଣି ଦୋକାନୀକୁ କହିଲି–ତା’ପରେ କ’ଣ ହେଲା !

ମୋର ଜାଣିବାର ଆଗ୍ରହ ଦେଖି ଦୋକାନୀଟି କହିଲା–ବାବୁଙ୍କୁ ଆମର କିଏ ନଜାଣେ । ଲୋକ ହିସାବରେ ଭାରି ସରଳ । ଅନେକ ଲୋକ ତାଙ୍କୁ ସମ୍ମାନ ଦେଉଥିଲେ ତାଙ୍କର ଲେଖାପାଇଁ-। ସେ ଯେମିତି ଜଣେ ଅମାୟିକ ଲୋକ ସେମିତି ଜଣେ ବିଶିଷ୍ଟ ଲେଖକ ।

–ଲେଖକ ?

–ହଁ, ବାବୁ । ଆପଣ କ’ଣ ତାଙ୍କର ବହି ପଢ଼ି ନଥିବେ କି ? ପ୍ରଶାନ୍ତ ଦାସଙ୍କର ବହି କିଏ ନ ପଢ଼ିଥିବେ ଯେ !

–କବି, ପ୍ରଶାନ୍ତ ଦାସ–ଅସ୍ପଷ୍ଟ ସ୍ୱରରେ ଏତକ ପାଟିରୁ ବାହାରି ପଡ଼ିଲା ।

ହଁ ବାବୁ ସେହି ପ୍ରଶାନ୍ତ ଦାସ । ସେ ଆଜି ପାଗଳ ହୋଇ ରାସ୍ତାଘାଟରେ ବୁଲୁଛନ୍ତି ।

–ତାହାହେଲେ ଏଇ ପାଗଳ ହେଉଛନ୍ତି କବି ପ୍ରଶାନ୍ତ ଦାସ । ତାଙ୍କୁ ଦେଖିବାର ସୁଯୋଗ ନ ମିଳିଥିଲେ ମଧ୍ୟ ତାଙ୍କର ଅନେକ କବିତା ପଢ଼ିଛି । ତାଙ୍କର କବିତାଗୁଡ଼ିକର ମୁଁ ଏକପ୍ରକାର ଧାରାବାହିକ ପାଠକ ଥିଲି । କିନ୍ତୁ କିଛିଦିନ ହେଲା ତାଙ୍କର କବିତା ଆଉ କୌଣସି ପତ୍ରିକାରେ ପ୍ରକାଶ ପାଇବାର ଦେଖୁ ନଥିଲି । ପାଗଳାମି ଯୋଗୁଁ ହୁଏତ ଲେଖା ତାଙ୍କର ବନ୍ଦ ହୋଇଯାଇଛି ।

ଭାରି ଦୟା ଆସିଲା ତାଙ୍କ ପ୍ରତି ମୋ ମନରେ । କାହିଁକି ପ୍ରଶାନ୍ତ ଦାସ ଆଜି ପାଗଳ ହେଲେ ? କ’ଣ ତାଙ୍କର ହେଲା ?

ପୁଣି ମୁଁ ପାନ ଦୋକାନୀକୁ ପଚାରିଲି–କାହିଁକି ସେ ପାଗଳ ହେଲେ ମଉସା ?

–ସେ ତ କେତେ କଥା । ନ ଜାଣିଲା ଲୋକମାନେ କିଏ କେତେ ପ୍ରକାର କଥା କହେ । କିନ୍ତୁ ସତ କଥା କହିବାକୁ ଗଲେ ବାବୁ ଆମର ପାଗଳ ହେଲେ କେବଳ ଏହି ଘରପାଇଁ । ସେ ପ୍ରତିଦିନ ଏହି ଘରକୁ ଆସନ୍ତି । ଏହିଘରେ ଯେଉଁ ବାବୁ ଜଣକ ଥିଲେ ତାଙ୍କର ଗୋଟିଏ ଝିଅ ଥିଲା-। ଆମ ପାଗଳବାବୁ ତାକୁ ଭାରି ଭଲ ପାଉଥିଲେ । କିନ୍ତୁ ତାଙ୍କର ବାପା ମା’ ଏସବୁକୁ ପସନ୍ଦ କରୁ ନଥିଲେ । ପାଗଳବାବୁ କୁଆଡ଼େ ଭାରି ଗରିବ । ସ୍କୁଲ୍‍ରେ ଗୋଟାଏ କ’ଣ ଛୋଟ ଚାକିରି କରିଥିଲେ । ତେଣୁ ତାଙ୍କର ସମକକ୍ଷ ସେ ହୋଇ ପାରିଲେନି, କିନ୍ତୁ ଦିନେ କୁଆଡ଼େ ପାଗଳବାବୁ ଝିଅର ବାପାଙ୍କ ଆଗରେ ତାଙ୍କ ଝିଅକୁ ବାହା ହେବାପାଇଁ ଅନୁମତି ମାଗିଥିଲେ । ଫଳରେ କ’ଣ ହେଲା ଜାଣନ୍ତି ବାବୁ, ଝିଅର ବାପା ପାଗଳବାବୁଙ୍କୁ ଅନେକ ପ୍ରକାର ଭର୍ତ୍ସନା କରି ବିଦା କରି ଦେଇଥିଲେ । ସେହିଦିନଠାରୁ ବାବୁ ଆଉ ତାଙ୍କ ଘରକୁ ଆସିଲେନି କିନ୍ତୁ ଝିଅ ଏଣେ ଆତ୍ମହତ୍ୟା କଲା । ତା’ପରଠାରୁ’ତ ବାବୁ ଆମର ପାଗଳ ହୋଇଯାଇଛନ୍ତି ଯେ–ଏତକ କହି ଛେପ ଢୋକିଲେ-। ଦୋକାନୀଟି ।

କବି ପ୍ରଶାନ୍ତ ଦାସ କଥା ଶୁଣିସାରି, ଭାରାକ୍ରାନ୍ତ ମନନେଇ ଘରକୁ ଫେରିଲି ଗୋଟାଏ ସାମାନ୍ୟ ଝିଅପାଇଁ କବି ପ୍ରଶାନ୍ତ ଦାସ ପାଗଳ । ଯେ ତାଙ୍କର କବିତା ମାଧ୍ୟମରେ ରାଶି ରାଶି ଦୁଃଖ–ବିଚ୍ଛେଦ,–ପ୍ରତାରଣାକୁ ରୂପ ଦେଇପାରିଛି, ଯେ ତାଙ୍କର କବିତା ମାଧ୍ୟମରେ ବିରହ ବେଦନାକୁ ନିଖୁଣ ଭାବରେ ଫୁଟାଇ ପାରିଛି ସେ ଆଜି ନିଜେ ବିରହ ଯନ୍ତ୍ରଣାରେ ଜର୍ଜରିତ । ସେ ଆଜି ପାଗଳ.....

ପତ୍ରିକାରେ ପ୍ରକାଶିତ ତାଙ୍କର ଶେଷ କବିତାଟି ମନେ ପଡ଼ିଗଲା । ବହୁତ ପୁରୁଣା ସେ କବିତାଟା ଦଶବର୍ଷ ତଳର । ତା’ପରଠାରୁ ତାଙ୍କର କବିତା ଆଉ କୌଣସିଠାରେ ପ୍ରକାଶିତ ହୋଇ ନାହିଁ–

‘‘ଦୀପଶିଖା ମୁଁ ଯେ ନିଜେ ଜଳିଜଳି ତୁମକୁ ଆଲୋକ ଦେଲି

ଆଲୋକରେ ତୁମ ପଥ ସରିଗଲା ଶେଷେ ମୁଁ ପାଉଁଶ ହେଲି’’

ଏହି କବିତାରେ କବି ବାସ୍ତବରେ ଯେପରି ତାଙ୍କର ଅତୀତ ଇତିହାସର ବାସ୍ତବ ଚିତ୍ରକୁ ରୂପ ହୋଇଛନ୍ତି । କବି ଆଜି ନିଜେ ଜଳିପୋଡ଼ି ପାଉଁଶ ହୋଇଛନ୍ତି । ତାଙ୍କର କବିତାର ମୃତ୍ୟୁ ହୋଇଛି । ସେ ଆଜି ପାଗଳ । ତାଙ୍କର ଜୀବନର ବେଳାଭୂମିରେ ସେ ଆଜି ନିର୍ଜନ ଦ୍ୱୀପବାସୀ । କିନ୍ତୁ କାହିଁକି ? ....କ’ଣ ବା କରିପାରିଲା ଏ ସମାଜ ତାଙ୍କର ? ସେ କ’ଣ ଗୋଟାଏ ଝିଅକୁ ଭଲ ପାଇ ଭୁଲ କରିଛନ୍ତି ? ଗୋଟାଏ ଝିଅକୁ ସ୍ୱେଚ୍ଛାକୃତଭାବେ ବିବାହ କରିବାପାଇଁ ପ୍ରସ୍ତାବ ଦେବା କ’ଣ ତାଙ୍କର ଭୁଲ ହୋଇଛି ? ତାଙ୍କର କ’ଣ ଅନୁରୂପ ଯୋଗ୍ୟତା ନାହିଁ.... ? ତେବେ ସମାଜ ଚାହିଁଲାନି କାହିଁକି ? ....କାହିଁକି... ??

ସ୍ୱାଧୀନ ମନ ଯେପରି ବିଦ୍ରୂପ କରିଉଠୁଛି ଏ ସମାଜକୁ...ଏ ରକ୍ଷଣଶୀଳ ସାମାଜିକ ପରମ୍ପରାକୁ । ଭାରାକ୍ରାନ୍ତ ମନରେ ପାଗଳ କବି ପ୍ରଶାନ୍ତ ଦାସଙ୍କ ବିଷୟରେ ଭାବିଭାବି ଆସି କେତେବେଳୁ ଘରେ ପହଞ୍ଚି ସାରିଛି ସେଥିପ୍ରତି ଖିଆଲ ନଥାଏ...

ଛାଣିପୁର

Image